ଅଭିନବ ଇଂଲଣ୍ଡ ଇତିହାସ ଦ୍ୱିତୀୟ ଖଣ୍ଡ

 

 

 

 

 

 

 

 

 

 

ଅଭିନବ ଇଂଲଣ୍ଡ ଇତିହାସ ଦ୍ୱିତୀୟ ଭାଗ

ଶ୍ରୀ କେଦାର ନାଥ ମହାପାତ୍ର

 

ସୂଚୀପତ୍ର

୧.

ପ୍ରଥମ ଅଧ୍ୟାୟ

ପ୍ରଥମ କେମସ୍

୨.

ଦ୍ୱିତୀୟ ଅଧ୍ୟାୟ

ପ୍ରଥମ ୟର୍ଲସ ( ଖ୍ରୀ: ଅ: ୧୬୨୫- ଖ୍ରୀ: ଅ: ୧୬୪୯)

୩.

ତୃତୀୟ ଅଧ୍ୟାୟ

ଇଂଲଣ୍ଡରେ ସାଧାରଣତନ୍ତ୍ର ପ୍ରତିଷ୍ଠା- - ଓୟେଲଙ୍କ ଶାସନ ।

୪.

ଚତୁର୍ଥ ଅଧ୍ୟାୟ

ଦ୍ୱିତୀୟ ଚାର୍ଲସ୍ ( ଖ୍ରୀ: ଅ: ୧୬୬୦- ଖ୍ରୀ: ଅ: ୧୬୮୫)

୫.

ପଞ୍ଚମ ଅଧ୍ୟାୟ

ଦ୍ୱିତୀୟ କେମସ୍ ( ଖ୍ରୀ: ଅ: ୧୬୮୫- ଖ୍ରୀ: ଅ: ୧୬୮୮)

୬.

ଷଷ୍ଠ ଅଧ୍ୟାୟ

ତୃତୀୟ ଉଇଲିୟମ୍ ( ଖ୍ରୀ: ଅ: ୧୬୮୯- ଖ୍ରୀ: ଅ: ୧୭୦୨)

୭.

ସପ୍ତମ ଅଧ୍ୟାୟ

ରାବୀ ଏନ୍ ( ଖ୍ରୀ: ଅ: ୧୭୦୨- ଖ୍ରୀ: ଅ: ୧୭୧୦)

୮.

ଅଷ୍ଟମ ଅଧ୍ୟାୟ

ଷ୍ଟୁଆର୍ଟ ଯୁଗରେ ଇଂଲଣ୍ଡର ଅବସ୍ଥା

୯.

ନବମ ଅଧ୍ୟାୟ

ପ୍ରଥମ ଜର୍ଜ୍ଜ ( ଖ୍ରୀ: ଅ: ୧୭୧୪- ଖ୍ରୀ: ଅ: ୧୭୨୭)

 

 

ଦ୍ୱିତୀୟ ଜର୍ଜ୍ଜ ( ୧୭୨୭-୧୭୬୨)

୧୦.

ଦଶମ ଅଧ୍ୟାୟ

ତୃତୀୟ ଜର୍ଜ୍ଜ ( ଖ୍ରୀ: ଅ: ୧୭୬୨- ଖ୍ରୀ: ଅ: ୧୮୨୦)

୧୧

ଏକାଦଶ ଅଧ୍ୟାୟ

ଚତୁର୍ଥ ଜର୍ଜ୍ଜ ( ଖ୍ରୀ: ଅ: ୧୮୨୦- ଖ୍ରୀ: ଅ: ୧୮୩୦)

 

 

ଚତୁର୍ଥ ଉଇଲିୟମ୍ ( ଖ୍ରୀ: ଅ: ୧୮୩୦- ଖ୍ରୀ: ଅ: ୧୮୩୭)

୧୩.

ଦ୍ୱାଦଶ ଅଧ୍ୟାୟ

ରାଣୀ ଭିକ୍ଟୋରିୟା ( ଖ୍ରୀ: ଅ: ୧୮୩୭- ଖ୍ରୀ: ଅ: ୧୯୦୧ )

୧୪

ତ୍ରୟୋଦଶ ଅଧ୍ୟାୟ

ସପ୍ତମ ... ( ଖ୍ରୀ: ଅ: ୧୯୦୧- ଖ୍ରୀ: ଅ: ୧୯୧୦)

୧୫

ଚତୁର୍ଦ୍ଦଶ ଅଧ୍ୟାୟ

ପଞ୍ଚମ ଜର୍ଜ୍ଜ ( ଖ୍ରୀ: ଅ: ୧୯୧୦- ଖ୍ରୀ: ଅ: ୧୯୩୬)

 

 

ଓ ଷଷ୍ଠ ଜର୍ଜ୍ଜ ( ଖ୍ରୀ: ଅ: ୧୯୩୬- )

 

ପ୍ରଥମ ଅଧ୍ୟାୟ

ଷ୍ଟୁଆର୍ଟ ରାଜବଂଶ

ପ୍ରଥମ ଜେମ୍‌ସ୍‌-(ଖ୍ରୀ: ଅ: ୧୬୦୩ – ୧୬୨୫)

 

ପ୍ରଧାନ ପ୍ରଧାନ ଘଟଣାର ସମୟ-

ଖ୍ରୀ:ଅ :୧୬୦୩ –

ଜେମ୍‌ସଙ୍କ ସିଂହାସନରୋହଣ ।

ଖ୍ରୀ:ଅ:୧୬୦୪ –

ହାମ୍ପଟନ୍ କୋର୍ଟ କନପରେନ ।

ଖ୍ରୀ:ଅ: ୧୬୦୫ –

ବାରୁଦ ଷଡଯନ୍ତ୍ର (Gun-powder plot ) ।

ଖ୍ରୀ:ଅ: ୧୬୦୬-

ଭର୍ଜନିୟା ଉପନିବେଶ ସ୍ଥାପନ ।

ଖ୍ରୀ:ଅ: ୧୬୧୮-

ସାର୍ ଉଅକ୍ତର ଗ୍ରଲେଙ୍କ ପ୍ରାଣଦଣ୍ଡ ।

ଖ୍ର:ଅ: ୧୬୨୫ –

ଜେମ୍‌ସ୍‌ଙ୍କ ମୃତ୍ୟୁ ।

 

ସିଂହାସନାରୋହଣ-ଏଲିଜାବେଥ୍‌ ପରେ ଅଷ୍ଟମ ହେନରୀଙ୍କ କୌଣସି ଉପଯୁକ୍ତ ବଂଶଧର ସ୍କଟ୍‌ଲାଣ୍ଡର ରାଣୀ ମେରୀଙ୍କର ପୁତ୍ର ଷଷ୍ଠ ଜେମ୍‌ସ୍‌ଇଂଲାଣ୍ଡର ସିଂହାସନରେ ବସିଲା । ସେ ସ୍କଟ୍‌ଲାଣ୍ଡର ରାଜା ଚତୁର୍ଥ ଜେମ୍‌ସ୍‌ଙ୍କର ଅତଳଟି ଥିଲେ । ଚତୁର୍ଥ ଜେମ୍‌ସ୍‌ସପ୍ତମ ହେନରୀଙ୍କ ଝିଅ ମାର୍ଗାରେଟ୍‌ଙ୍କୁ ବିବାହ କରିଥିଲେ । ତେଣୁ ପ୍ରଥମ ଜେମ୍‌ସ୍‌ କନ୍ୟାକୁଳରେ ସପ୍ତମ ହେନରୀଙ୍କ ବଂଶଧର ଥିଲେ । ସେ ଇଂଲାଣ୍ଡର ଜେମ୍‌ସ୍‌ ନାମଧାରୀ ପ୍ରଥମ ରାଜା ଥିବାରୁ ତାଙ୍କର ନାମ ଷଷ୍ଠ ଜେମ୍‌ସ୍‌ନ ହୋଇ ପ୍ରଥମ ଜେମ୍‌ସ୍‌ହେଲା । ପ୍ରଥମ ଜେମ୍‌ସ୍‌ଙ୍କ ପିତାଙ୍କ ନାମ ଲର୍ଡ଼ ଡ଼ାର୍ନଲିଷ୍ଟୁଆର୍ଟ୍‌ । ତେଣୁ ତାଙ୍କ ବଂଶର ନାମ ହେଲା ଷ୍ଟୁଆର୍ଟ୍‌ ରାଜବଂଶ ।

 

ସ୍କଟ୍‌ଲାଣ୍ଡର ରାଜା ଜେମ୍‌ସ୍‌ ଇଂଲାଣ୍ଡର ଗୁଣାଲାତୁ ଇଂଲାଣ୍ଡ ଓ ତାହାର ଚିରଶତ୍ରୁ, ସ୍କଟ୍‌ଲାଣ୍ଡ ମଧ୍ୟ ଏକ ରାଜାଙ୍କ ଶାସନାଧୀନ ହେଲା । ପ୍ରୋଟେଷ୍ଟାଣ୍ଟ ଧର୍ମ ପ୍ରଚାର ହୋଇ ମଧ୍ୟ ଇଂଲାଣ୍ଡରେ ବିଷପ, ଆର୍ଚ୍ଚ-ବିଷପ ପ୍ରକୃତି ଧର୍ମଯାଜକମାନେ ରହିଥିଲେ । କିନ୍ତୁ ସ୍କଟଲାଣ୍ଡରେ ଉଚ୍ଚପଦମାନ ଉଠାଇ ଦିଆଗଲା । ସେଠାରେ ପ୍ରୋଟେଷ୍ଟାଣ୍ଟ୍ ମାନେ ଆପଣା ଭିତରୁ ଉପଯୁକ୍ତ ଲୋକକୁ ଧର୍ମଯାଜକ ରୂପେ ନିର୍ବାଚନ କରୁଥିଲେ । ଏହି ନିର୍ବାଚିତ ଯାଜକମାନଙ୍କର ନାମ ଥିଲା ପ୍ରେସବିଟର୍ ( Presbyter) ବା ଏଲ୍ଡର (Elder) । ତେଣୁ ସ୍କଟଲାଣ୍ଡରେ ପ୍ରଚଳିତ ପ୍ରୋଟେଷ୍ଟାଣ୍ଟ୍ ଧର୍ମର ନାମ ହେଲା ପ୍ରେସବିଟରିୟାନିଜିମ୍ ( ପ୍ରେସବିଟର ଧର୍ମ ) । ଇଂଲାଣ୍ଡ ଓ ସ୍କଟଲାଣ୍ଡରେ ପ୍ରୋଟେଷ୍ଟାଣ୍ଟ ଧର୍ମ ପ୍ରବଳ ଥିବାରୁ ନୋହିଲେ ଏହା ଥାନ୍ତା । ଜେମ୍‌ସ୍‌ରାଜା ହେବା ପରେ ଉଭୟ ରାଜ୍ୟର ସବୁ ବିଷୟ ସମାନ କରିବାକୁ ଚେଷ୍ଟା କଲେ । କିନ୍ତୁ ଇଂରେଜ ଓ ସ୍କଟମାନେ ବାଧା ଦେବାରୁ ସେ ଏହା କରିପାରିଲେ ନାହିଁ । ତେଣୁ ଉଭୟ ରାଜ୍ୟର ପାର୍ଲାମେଣ୍ଟ୍‌ଆଇନ, କାନୁନ ପ୍ରଭୃତି ପୃଥକ୍‌ ରହିଲା । ସ୍କଟ୍‌ଲାଣ୍ଡ ଓ ଇଂଲାଣ୍ଡର ଏକତ୍ରୀକରଣ ଯୋଗୁଁ ଜେମ୍‌ସ୍‌ ‘ଗ୍ରେଟ୍‌ ବ୍ରିଟେନ୍‌ର ରାଜା’ (King of Great Britain) ଉପାଧି ଗ୍ରହଣ କଲେ-। ସେହି ସମୟରୁ ଇଂଲାଣ୍ଡ ଓ ସ୍କଟ୍‌ଲାଣ୍ଡର ପତାକା ମିଶିଯାଇ ଗୋଟିଏ ନୂଆଁ ପତାକା ସୃଷ୍ଟି ହେଲା । ତାହାକୁ Union Jack ହେଲା ।

 

ଜେମ୍‌ସ୍‌ଙ୍କ ରାଜତ୍ୱରେ ଇଂଲାଣ୍ଡ ଓ ସ୍କଟ୍‌ଲାଣ୍ଡର ପ୍ରୋଟେଷ୍ଟାଣ୍ଟ୍‌ମାନେ ରାଜାଙ୍କ ଆଦେଶରେ ଆୟର୍ଲାଣ୍ଡର ଅଲଷ୍ଟର ପ୍ରଦେଶରୁ କ୍ୟାଥଲିକ୍‌ମାନଙ୍କୁ ତଡ଼ି ଦେଇ ତାହା ଅଧିକାର କଲେ । ତାହା ‘Plantation of Ulster’ ବୋଲି କୁହାଯାଏ । ଅଦ୍ୟାପି କ୍ୟାଥ୍‌ଲିକ୍‌ ବହୁଳ ଆୟର୍ଲାଣ୍ଡରେ ଏହି ପ୍ରୋଟେଷ୍ଟାଣ୍ଟ୍‌ ବୃକ୍ଷ ପ୍ରଦେଶଟି ଆୟର୍ଲାଣ୍ଡର ରାଜନୈତିକ ଏକତ୍ରୀକରଣ ପଥରେ ପ୍ରଧାନ ପ୍ରତିବନ୍ଧକ ରୂପେ ରହିଛି ।

 

ଜେମ୍‌ସ୍‌ଙ୍କ ରାଜନୀତି-ଜେମ୍‌ସ୍‌ ଇଂଲାଣ୍ଡର ରାଜା ହୋଇ ଭୋଗବିଳାସରେ ବହୁ ଅର୍ଥ ବ୍ୟୟ କରିବାପାଇଁ ଚେଷ୍ଟାକଲେ । କିନ୍ତୁ ଇଂଲାଣ୍ଡର ଲୋକମାନେ ଏଥିର ଘୋର ପ୍ରତିବାଦ କଲେ । ସେମାନେ ରାଜଶକ୍ତିର କ୍ଷମତା କମାଇବା ପାଇଁ ସର୍ବଦା ଯତ୍ନ କରୁଥିଲେ । ଜେମ୍‌ସ୍‌ ଏଥିରେ ମର୍ମାହତ ହୋଇ ଐଶ୍ୱରିକ ଅଧିକାର ପ୍ରମାଣ କରିବା ପାଇଁ ଖଣ୍ଡିଏ ପୁସ୍ତକ ପ୍ରକାଶ କରିଥିଲେ । ସେଥିରେ ସେ ଲେଖିଥିଲେ- ‘‘ରାଜା ଭଗବାନଙ୍କର ଅଂଶସ୍ୱରୂପ, ଈଶ୍ୱରଙ୍କ କାର୍ଯ୍ୟର ନିନ୍ଦା କରିବା ଯେପରି ଘୋର ପାପ, ଦେବଅଂଶୀ ରାଜାଙ୍କ କାର୍ଯ୍ୟର ପ୍ରତିବାଦ କରିବା ସେହିପରି ଭୀଷଣ ଅନ୍ୟାୟ ।’’ ତାଙ୍କର ସରଳ କାର୍ଯ୍ୟରେ ଏପରି ମନୋଭାବ ସ୍ପଷ୍ଟ ପ୍ରକାଶିତ ହେଉଥିଲା । ତେଣୁ ଏ ନୀତିର ନାମ ‘‘Divine Right of Kingship’’ ।କିନ୍ତୁ ଏହି ନୀତି ଯୋଗୁଁ ଲୋକଶକ୍ତି ଅର୍ଥାତ୍‌ ପାର୍ଲାମେଣ୍ଟ୍‌ ସହିତ ତାଙ୍କର ସର୍ବଦା ସଂଘର୍ଷ ହୋଇଥିଲା ।

 

ଜେମ୍‌ସ୍‌ଙ୍କ ଧର୍ମନୀତି-ଜେମ୍‌ସ୍‌ ଇଂଲାଣ୍ଡର ରାଜା ହେବାରୁ ପ୍ରୋଟେଷ୍ଟାଣ୍ଟମାନେ ବିଶେଷ ଆନନ୍ଦିତ୍ନ ଓ ଆଶାନ୍ୱିତ ହୋଇଥିଲେ । ସେମାନେ ସ୍କଟ୍‌ଲାଣ୍ଡର ପ୍ରେସ୍‌ବିଟରିୟାନ୍‌ ଧର୍ମ ମତରେ ଶିକ୍ଷାପ୍ରାପ୍ତ ଜେମ୍‌ସ୍‌ଙ୍କଠାରୁ ଧର୍ମ ବିଷୟରେ କେତେକ ସୁବିଧା ପାଇବା ପାଇଁ ଆଶା କରିଥିଲେ । ସେହି ଆଶାରେ ସେମାନେ ଇଂଲାଣ୍ଡରୁ ଧର୍ମଯାଜକ ପଦମାନ ଉଠାଇ ଧର୍ମ ଅଧିକ ସରଳ ଓ ପବିତ୍ର କରିବା ପାଇଁ ରାଜାଙ୍କୁ ଆବେଦନ କରିଥିଲେ । ସେହି ଆବେଦନ ପତ୍ର ‘‘Millenary Petition’’ ନାମରେ ଖ୍ୟାତ । ସେ ପ୍ୟୁରିଟାନ୍‌ମାନଙ୍କର ପ୍ରତିନିଧି ଓ ବିଷପ୍‌ମାନଙ୍କୁ ଡ଼କାଇ ହାମ୍ପଟନ୍‌ କୋର୍ଟ ନାମକ ସ୍ଥାନରେ ଗୋଟିଏ ଧର୍ମସଭା କରିଥିଲେ (ଖ୍ରୀ: ଅ: ୧୬୦୪) । ଏହା ‘‘Hampton Court Conference’’ ନାମରେ ଅଭିହିତ ହୁଏ । ରାଜା ସେଠାରେ ବିଷପ୍‌ମାନଙ୍କର ପକ୍ଷ ସମର୍ଥନ କରି ପ୍ୟୁରିଟାନ୍‌ମାନଙ୍କୁ କହିଲେ ଯେ ଯଦି ସେମାନେ ଇଂଲାଣ୍ଡର ରାଜ ପ୍ରତିଷ୍ଠିତ ହାଇଚର୍ଚ୍ଚ ମତ ଅନୁସରଣ ନ କରିବେ ତାହାହେଲେ ସେମାନେ ଦେଶରୁ ବିତାଡ଼ିତ ହେବେ । ତେଣୁ ଏହି ସଭା ଭାଙ୍ଗିଗଲା । ଏହି ସଭା ଫଳରେ କେବଳ ବାଇବଲର ଗୋଟିଏ ସଂଶୋଧିତ ସଂସ୍କରଣ ଇଂରାଜୀରେ ପ୍ରକାଶିତ ହୋଇଥିଲା । ଏହା ‘‘Authorised Version’’ କହନ୍ତି । ଏହି ସଭା ପରେ ରାଜା ପ୍ୟୁରିଟାନ୍‌ମାନଙ୍କ ପ୍ରତି କଠୋର ଦମନ ନୀତି ପ୍ରୟୋଗ କରିଥିଲେ । ଜେମ୍‌ସ୍‌ କ୍ୟାଥଲିକ୍‌ମାନଙ୍କ ପ୍ରତି ଅପେକ୍ଷାକୃତ ସଦୟ ବ୍ୟବହାର କରୁଥିଲେ-। କିନ୍ତୁ ସେମାନେ ମଧ୍ୟ ତାଙ୍କ ଧର୍ମନୀତିରେ ସନ୍ତୁଷ୍ଟ ନ ଥିଲେ । ଜେମ୍‌ସ୍‌ଏଲିଜାବେଥ୍‌ଙ୍କଦ୍ୱାରା ପ୍ରତିଷ୍ଠିତ ଧର୍ମନୀତିର ପକ୍ଷପାତୀ ଥିଲେ ।

 

ବାରୁଦ ଷଡ଼ଯନ୍ତ୍ର(Gun-powder Plot) (ଖ୍ରୀ: ଅ: ୧୬୦୫) ଜେମ୍‌ସ୍‌ ରାଜତ୍ୱ ସମୟରେ କ୍ୟାଥଲିକ୍‌ମାନେ ଭାବିଥିଲେ ଯେ ମେରୀ ଜଣେ ନୈଷ୍ଠିକ କ୍ୟାଥଲିକ୍‌ ଥିଲେ । ତେଣୁ ତାଙ୍କର ପୁତ୍ର ଜେମ୍‌ସ୍‌ ସେମାନଙ୍କ ପ୍ରତି ସଦୟ ହୋଇ ସେମାନଙ୍କର ଦୁଃଖ ଦୁର୍ଦ୍ଦଶା ଘୁଞ୍ଚାଇ ଦେବେ-। କିନ୍ତୁ ସେମାନଙ୍କ ବିରୁଦ୍ଧରେ କଠୋର ନିୟମମାନ ଦାବି ହେବାରୁ ସେମାନେ ରାଜାଙ୍କ ଉପରେ ବିଶେଷ ବିରକ୍ତ ହେଲେ । ସେମାନଙ୍କ ମଧ୍ୟରୁ କେତେକ ରାଜା ପାର୍ଲାମେଣ୍ଟ୍‌ ଗୃହରେ ପ୍ରବେଶକରି ଭାଷଣ ଦେଲାବେଳେ ପାର୍ଲାମେଣ୍ଟ ଗୃହ ଧ୍ୱଂସ କରିବାପାଇଁ ଷଡ଼ଯନ୍ତ୍ର କରିଥିଲେ । ସେମାନେ ଲର୍ଡ଼ସଭା ଗୃହର ତଳେ ଥିବା ଛୋଟ ଛୋଟ କୋଠରୀରେ ଏଥିପାଇଁ ବହୁତ ଗୁଡ଼ିଏ ତୋପ ବାରୁଦ ରଖିଥିଲେ । ଷଡ଼ଯନ୍ତ୍ରକାରୀମାନଙ୍କ ମଧ୍ୟରୁ ଜଣେ ପାର୍ଲାମେଣ୍ଟ୍‌ର ସଭ୍ୟ ଥିବା ତାଙ୍କର କୌଣସି ବନ୍ଧୁଙ୍କ ନିକଟକୁ ସେଦିନ ପାର୍ଲାମେଣ୍ଟକୁ ନ ଯିବା ପାଇଁ ଗୋଟିଏ ପତ୍ରରେ ଲେଖିଥିଲେ । ସେ ସଭ୍ୟଟି ଏ ପତ୍ରର ଉଦ୍ଦେଶ୍ୟ ବୁଝି ନ ପାରି ତାକୁ ରାଜା ଓ ତାଙ୍କର ମନ୍ତ୍ରୀମାନଙ୍କୁ ଦେଖାଇଥିଲେ । ଏ ପତ୍ର ପଢିବାରୁ ସେମାନଙ୍କର ଭାରି ସନ୍ଦେହ ହେଲା ଓ ସେମାନେ ସାଙ୍ଗେ ସାଙ୍ଗେ ପାର୍ଲାମେଣ୍ଟର କୋଠରୀଗୁଡ଼ିକ ଅନୁସନ୍ଧାନ କଲେ । ଗାଇ ଫକସ୍‌(Guy Fawkes) ନାମକ ଜଣେ ସ୍ପେନୀୟ ସିପାହୀ ବାରୁଦ ଥିବା କୋଠରୀରୁ ଧରା ପଡ଼ିଲା । ସେ ଓ ତାହାର ସହକର୍ମୀମାନେ ଏହି ଅପରାଧରେ ଫାସୀ ପାଇଲେ । ଏହି ଷଡ଼ଯନ୍ତ୍ର ଯୋଗୁଁ ରାଜା ଓ ପ୍ରଜାମାନେ କ୍ୟାଥଲିକ୍‌ମାନଙ୍କ ପ୍ରତି ବିରକ୍ତିଭାବ ହେଲା ।

 

ଜେମ୍‌ସ୍‌ ଓ ପାର୍ଲାମେଣ୍ଟ ମଧ୍ୟରେ କଳହ:- ଜେମ୍‌ସ୍‌ ବିଦ୍ୱାନ୍‌ ହେଲେ ମଧ୍ୟ ଇଂରେଜଜାତିର ବିଶେଷତଃ ପ୍ରତିପତ୍ତି ସଂପନ୍ନ ମଧ୍ୟବିତ୍ତ ଶ୍ରେଣୀର ମନୋଭାବ ବୁଝି ନ ଥିଲେ । ଏହି ମଧ୍ୟବିତ୍ତ ଶ୍ରେଣୀର ଲୋକେ ଅଧିକାଂଶ ଶିଳ୍ପୀ ଓ ବ୍ୟବସାୟୀ ଥିଲେ । ଶିଳ୍ପ ଓ ବାଣିଜ୍ୟର ପ୍ରସାର ଯୋଗୁଁ ସେମାନେ ବିଶେଷ ଧନଶାଳୀ ହୋଇଥିଲେ । ଟିଉଡ଼ର ଯୁଗରେ ସେମାନଙ୍କ ମଧ୍ୟରେ ଶିକ୍ଷାର ବିଶେଷ ପ୍ରସାର ହୋଇଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ସହରବାସୀ ଓ ପ୍ୟୁରିଟାନ୍‌ ଥିଲେ । ଜେମ୍‌ସ୍‌ଙ୍କ ସମୟରେ ଇଂଲାଣ୍ଡ ବିଦେଶୀ ଆକ୍ରମଣ ଭୟରୁ ମୁକ୍ତ ଥିଲା ଓ ଦେଶରେ ପୂର୍ଣ୍ଣ ଶାନ୍ତି ଥିଲା । ତେଣୁ ପାର୍ଲାମେଣ୍ଟର କମନ୍ସ ସଭାକୁ ଅଧିକ ସଂଖ୍ୟାରେ ନିର୍ବାଚିତ ଏହି ସଂପ୍ରଦାୟର ପ୍ରତିନିଧିମାନେ ଦେଶ ଶାସନ କାର୍ଯ୍ୟରେ ଅଧିକାର ପାଇବା ପାଇଁ ସର୍ବଦା ଚେଷ୍ଟା କରୁଥିଲେ । ସେମାନେ ରାଜସ୍ୱ ନିରୁପଣ ଓ ଆଇନ ପ୍ରଣୟନରେ ପାର୍ଲାମେଣ୍ଟର ମତ ପ୍ରତିଷ୍ଠା କରିବାକୁ ସର୍ବଦା ଚେଷ୍ଟା କରୁଥିଲେ । ସେମାନେ ପାର୍ଲାମେଣ୍ଟ୍‌ ସଭ୍ୟ ନିର୍ବାଚନରେ ରାଜାଙ୍କ ହସ୍ତକ୍ଷେପକୁ ନିନ୍ଦା କରୁଥିଲେ ଏବଂ ସ୍ୱାଧୀନ ଭାବରେ ଭାଷଣ ଦେବାର କ୍ଷମତା ଦାବୀ କରୁଥିଲେ । ପାର୍ଲାମେଣ୍ଟ୍‌ର ବିନାନୁମତିରେ ରାଜାଙ୍କର ରାଜସ୍ୱଧାର୍ଯ୍ୟ ନୀତିକୁ ସେମାନେ ଆଦୌ ସମର୍ଥନ କରୁ ନ ଥିଲେ । କାରଣ, କୌଣସି ନୂତନ କର ଧାର୍ଯ୍ୟ ହେଲେ ସେମାନଙ୍କୁ ହିଁ ତାହାର ବେଶୀଭାଗ ଦେବାକୁ ପଡ଼ୁଥିଲା । ଦ୍ୱିତୀୟତଃ, ରାଜା ସେମାନଙ୍କୁ ଧର୍ମ ସମ୍ୱନ୍ଧୀୟ କୌଣସି ସୁବିଧା ନ ଦେବାରୁ ସେମାନେ ରାଜାଙ୍କୁ ପଦେ ପଦେ ବାଧା ଦେଉଥିଲେ । ତେଣୁ ଜେମ୍‌ସ୍‌ଙ୍କ ସଙ୍ଗେ ପାର୍ଲାମେଣ୍ଟର ବାରମ୍ବାର କଳହ ଲାଗୁଥିଲା । ପାର୍ଲାମେଣ୍ଟ୍‌ ରାଜାଙ୍କ ଦାବୀ ମୁତାବକ ଟଙ୍କା ମଞ୍ଜୁର କରୁ ନ ଥିଲା । ତେଣୁ ରାଜା, Benevolence ବଳପୂର୍ବକ ଋଣଗ୍ରହଣ ( Forced loan ), ବାଣିଜ୍ୟରେ ଏକଚାଟିଆ ଅଧିକାର ପ୍ରଦାନ ପ୍ରଭୃତି ନାନାବିଧ ଅବୈଧ ଉପାୟରେ ଅର୍ଥ ଆଦାୟ କରିବାକୁ ଲାଗିଲେ । ପାର୍ଲାମେଣ୍ଟ୍‌ ଏହି ନୀତିର ତୀବ୍ର ନିନ୍ଦାବାଦ କରୁଥିଲା । ରାଜତ୍ୱର ଶେଷ ସମୟକୁ ସେ ପାର୍ଲାମେଣ୍ଟ୍‌ ସଙ୍ଗେ ସାଲିସ କରିବାକୁ ବାଧ୍ୟ ହୋଇଥିଲେ । ପାର୍ଲାମେଣ୍ଟର ସମର୍ଥନ ବ୍ୟତୀତ କୌଣସି କର ଧାର୍ଯ୍ୟ କରିବେ ନାହିଁ ବୋଲି ସେ ବାଧ୍ୟ ହୋଇ ସ୍ୱୀକୃତ ହୋଇଥିଲେ । ତାଙ୍କର ଦୁଇଜଣ ବିଶ୍ୱସ୍ତ କର୍ମଚାରୀଙ୍କ ପ୍ରାଣଦଣ୍ଡ ଦେବା ପାଇଁ ସେ ବାଧ୍ୟ ହୋଇଥିଲେ । ତେଣୁ ପାର୍ଲାମେଣ୍ଟ୍‌ ତାଙ୍କୁ ଜର୍ମାନୀରେ ଯୁଦ୍ଧ ଚଳାଇବା ପାଇଁ ସାମାନ୍ୟ ଅର୍ଥ ପ୍ରଦାନ କରିଥିଲା । ରାଜା ଓ ପାର୍ଲାମେଣ୍ଟ୍‌ ମଧ୍ୟରେ କଳହ ଜେମ୍‌ସ୍‌ଙ୍କ ରାଜତ୍ୱର ଆରମ୍ଭ ହୋଇ ଷ୍ଟୁଆର୍ଟ୍‌ ଯୁଗ ତମାମ ଚାଲିଥିଲା । ଶେଷରେ ପାର୍ଲାମେଣ୍ଟ୍‌ ରାଜଶକ୍ତିକୁ ସଙ୍କୋଚିତ କରିବାକୁ ସମର୍ଥ ହୋଇଥିଲା ।

 

ଜେମ୍‌ସ୍‌ଙ୍କ ବୈଦେଶିକ ନୀତି:- ଜେମ୍‌ସ୍‌ ଶାନ୍ତିନୀତିର ପକ୍ଷପାତୀ ଥିଲେ । ସେ ସର୍ବଦା ଯୁଦ୍ଧ ନ କରିବାକୁ ଚେଷ୍ଟା କରୁଥିଲେ । ସେ ତତ୍‌କାଳୀନ ଇଉରୋପରେ ଶ୍ରେଷ୍ଠ କ୍ୟାଥଲିକ୍‌ ଶକ୍ତି ସ୍ପେନ୍‌ ସହିତ ବନ୍ଧୁତା ସ୍ଥାପନ କରିଥିଲେ । ସେ ସ୍ପେନ୍‌ ରାଜକନ୍ୟା ଇନ୍‌ଫାଣ୍ଟା ମେରିଆଙ୍କ ସହିତ ନିଜ ପୁତ୍ର ଚାର୍ଲସ୍‌ଙ୍କୁ ବିବାହ କରିବା ପାଇଁ ବହୁକାଳ ବିଶେଷ ଚେଷ୍ଟା କରିଥିଲେ । ଜେମ୍‌ସ୍‌ ସ୍ପେନ୍‌ ରାଜାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସାର୍‌ ଉଆଲ୍ଟର ରାଲେଙ୍କୁ ମଧ୍ୟ ପ୍ରାଣଦଣ୍ଡ ଦେଇଥିଲେ । ଇଂଲାଣ୍ଡର ଲୋକମାନେ ସ୍ପେନ୍‌ ସହିତ ବୈବାହିକ ସମ୍ବନ୍ଧକୁ ଆଦୌ ପସନ୍ଦ କରୁ ନ ଥିଲେ । ସ୍ପେନ୍‌ ବାସୀମାନେ ଏ ବିବାହ କରିବାକୁ ବିଶେଷ ଅନିଚ୍ଛା ପ୍ରକାଶ କରିବାରୁ ଶେଷରେ ସେ ବିଫଳମନୋରଥ ହୋଇଥିଲେ । ସେ ଜର୍ମାନୀର ପ୍ରୋଟେଷ୍ଟାଣ୍ଟମାନଙ୍କର ନେତା ପାଲାଟିନେଟର ଇଲେକ୍‌ଟର (Elector of the Palatinator) ଫ୍ରେଡ଼େରିକ୍‌ଙ୍କ ସହିତ ନିଜ କନ୍ୟାର ବିବାହ ସଂପନ୍ନ କରିଥିଲେ । ସେତେବେଳେ ଜର୍ମାନୀର ପ୍ରୋଟେଷ୍ଟାଣ୍ଟ୍‌ ଓ କ୍ୟାଥଲିକ୍‌ମାନଙ୍କ ମଧ୍ୟରେ ବିଂଶ ବର୍ଷବ୍ୟାପୀ ଭୀଷଣ ଯୁଦ୍ଧ ଚାଲିଥିଲା । ଏହାଫଳରେ ଜେମ୍‌ସ୍‌ଙ୍କ ଜାମାତା ଫ୍ରେଡ଼େରିକ୍‌ ସିଂହାସନଚ୍ୟୁତ ହୋଇଥିଲେ । ଇଂଲଣ୍ଡର ପ୍ରୋଟେଷ୍ଟାଣ୍ଟମାନେ ଏଥିରେ ବ୍ୟଥିତ ହୋଇ ଫ୍ରେଡ଼େରିକ୍‌ଙ୍କୁ ସାହାଯ୍ୟ କରିବା ନିମିତ୍ତ ପାର୍ଲାମେଣ୍ଟ୍‌ ଦ୍ୱାରା ସାମାନ୍ୟ ଅର୍ଥ ମଞ୍ଜୁର କରାଇଥିଲେ । କିନ୍ତୁ ଜେମ୍‌ସ୍‌ ସ୍ପନ୍‌ ରାଜାଙ୍କ ବିରାଗଭାଜନ ହେବା ଭୟରେ ନିଜ ଜାମାତାଙ୍କୁ ଯଥୋପଯୁକ୍ତ ସାହାଯ୍ୟ ପ୍ରଦାନ କରି ନ ଥିଲେ । ତେଣୁ ଫ୍ରେଡ଼େରିକ୍‌ ସ୍ୱୀୟ ରାଜ୍ୟରୁ ବିତାଡ଼ିତ ହେଲେ । ସ୍ଥୁଳତଃ ଜେମ୍‌ସ୍‌ଙ୍କ ବୈଦେଶିକ ନୀତି ଆଦୌ ସନ୍ତୋଷଜନକ ନ ଥିଲା ।

 

ସାର୍‌ ଉଆଲ୍ଟର ଗଲେଙ୍କ ପ୍ରାଣଦଣ୍ଡ:- ସାର୍‌ ଉଆଲ୍ଟର ରାଲେ ଜେମ୍‌ସ୍‌ଙ୍କ ସିଂହାସନ ଆରୋହଣ ସମୟରେ ଗୋଟିଏ ଷଡ଼ଯନ୍ତ୍ରରେ ଲିପ୍ତ ଥିବା ଅଭିଯୋଗରେ ଖ୍ରୀ: ଅ: ୧୬୦୩ ରୁ ୧୩ ବର୍ଷ ପର୍ଯ୍ୟନ୍ତ ବନ୍ଦୀ ହୋଇ ରହିଲେ । ସେ ଅବସ୍ଥାରେ ତାଙ୍କର ପ୍ରସିଦ୍ଧ ପୃଥିବୀର ଇତିହାସ ରଚନା କରିଥିଲେ । ରାଲେ ଦକ୍ଷିଣ ଆମେରିକାରେ ଗୋଟିଏ ସ୍ୱର୍ଣ୍ଣଖଣିର ସନ୍ଧାନ ପାଇଛନ୍ତି ବୋଲି କହିବାରୁ ଅର୍ଥଲୋଲୁପ ଜେମ୍‌ସ୍‌ ତାଙ୍କୁ ମୁକ୍ତି ଦେଇଥିଲେ । ଜେମ୍‌ସ୍‌ ତାଙ୍କୁ ଆମେରିକାକୁ ଯାଇ ସ୍ପେନୀୟମାନଙ୍କ ସହିତ କୌଣସି ବିବାଦ ନ କରିବାକୁ ବାରମ୍ବାର ଆଦେଶ ଦେଇଥିଲେ । କିନ୍ତୁ ରାଲେ ଓରିନକୋ ନଦୀ ତୀରରେ ପହଞ୍ଚିବା ମାତ୍ରେ ସ୍ପେନୀୟମାନଙ୍କ ସହିତ ଗୋଟିଏ ଖଣ୍ଡଯୁଦ୍ଧ ଲାଗିଗଲା । ତେଣୁ ରାଲେ ବିଫଳମନୋରଥ ହୋଇ ଇଂଲାଣ୍ଡକୁ ଫେରିଲେ । ଜେମ୍‌ସ୍‌ ସ୍ପେନ ରାଜାଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କୁ ସ୍ପେନୀୟମାନଙ୍କ ସଙ୍ଗେ କଳହ କରିବା ଅପରାଧରେ ଖ୍ରୀ: ଅ: ୧୬୧୮ ରେ ପ୍ରାଣଦଣ୍ଡ ଦେଇଥିଲେ । ତାଙ୍କର ମୃତ୍ୟୁଦ୍ୱାରା ଇଂଲାଣ୍ଡ ଜଣେ ପ୍ରସିଦ୍ଧ ବ୍ୟକ୍ତି ହରାଇଥିଲା ।

 

ଉପନିବେଶ ପ୍ରତିଷ୍ଠା ଓ ବାଣିଜ୍ୟର ପ୍ରସାର:- ଜେମ୍‌ସ୍‌ ଇଂଲାଣ୍ଡର ବାଣିଜ୍ୟ ଓ ଉପନିବେଶ ବୃଦ୍ଧିପାଇଁ ବିଶେଷ ଚେଷ୍ଟା କରିଥିଲେ । ତାଙ୍କ ସମୟରେ ଇଂରେଜମାନେ ବହୁ ବାଧା ବିଘ୍ନ ଓ ବିଫଳତା ପରେ ଉତ୍ତର ଆମେରିକାସ୍ଥ ଆଲିଘେନି ପର୍ବତ ଶ୍ରେଣୀର ପୂର୍ବଭାଗରେ ଖ୍ରୀ: ଅ: ୧୬୦୭ରେ ଭର୍ଜିନିୟା ନାମକ ଗୋଟିଏ ଉପନିବେଶ ପ୍ରତିଷ୍ଠା କରିଥିଲେ । ଭର୍ଜିନ ରାଣୀ ଏଲିଜାବେଥଙ୍କ ନାମକୁ ଚିରସ୍ମରଣୀୟ କରିବା ପାଇଁ ଏହାର ଭର୍ଜିନିୟା ନାମକରଣ ହୋଇଥିଲା । ଏହାର ପ୍ରଥମ ସହରର ନାମ ଜେମ୍‌ସ୍‌ଙ୍କ ନାମାନୁଯାୟୀ ଜେମ୍‌ସ୍‌ଟାଉନ ହେଲା । ଏହାର କେତେକ ବର୍ଷ ପରେ ଇଂଲାଣ୍ଡର କେତେକ ପ୍ୟୁରିଟାନ ଜେମ୍‌ସ୍‌ଙ୍କ ଅତ୍ୟାଚାରରେ ଉତ୍ୟକ୍ତ ହୋଇ ‘ମେ ଫ୍ଳାଉଆର’ ନାମକ ଯାହାଜରେ ସ୍ୱଦେଶ ପରିତ୍ୟାଗ କରି ଭର୍ଜିନିୟା ଉପନିବେଶର ଉତ୍ତରରେ ଗୋଟିଏ ଉପନିବେଶ ସ୍ଥାପନ କରିଥିଲେ । ଏହି ପ୍ୟୁରିଟାନ ଯାତ୍ରୀମାନେ ‘ପିଲଗ୍ରିମ ଫାଦର୍ସ’ ନାମରେ ପରିଚିତ ହେଲେ । ଜେମ୍‌ସ୍‌ଙ୍କ ରାଜତ୍ୱରେ ଆଟଲାଣ୍ଟିକ ମହାସାଗରରେ ଅପର ପାରରେ ଇଂରେଜ ସାମ୍ରାଜ୍ୟ, ସଭ୍ୟତା, ଭାଷା ଓ ବାଣିଜ୍ୟ ପ୍ରତିଷ୍ଠାର ସୂତ୍ରପାତ ହୋଇଥିଲା । ସେ ଭାରତରେ ବାଣିଜ୍ୟର ପ୍ରସାର ପାଇଁ ସାର ଥୋମାସ୍‌ରୋ ନାମକ ଜନୈକ ବ୍ୟକ୍ତିଙ୍କୁ ସମ୍ରାଟ୍‌ ଜାହାଙ୍ଗୀରଙ୍କ ରାଜସଭାକୁ ପଠାଇଥିଲେ । ସେ ଇଷ୍ଟ ଇଣ୍ଡିଆ କଂପାନୀ ପାଇଁ ସମ୍ରାଟଙ୍କଠାରୁ କେତେକ ସୁବିଧା ହାସଲ କରିଥିଲେ । ଜେମ୍‌ସ୍‌ ଖ୍ରୀ: ଅ: ୧୬୨୫ ରେ ପ୍ରାଣତ୍ୟାଗ କରିଥିଲେ ।

 

ଦ୍ୱିତୀୟ ଅଧ୍ୟାୟ

ପ୍ରଥମ ଚାର୍ଲସ୍‌ (ଖ୍ରୀ: ଅ: ୧୬୨୫-୧୬୪୯)

 

ପ୍ରଧାନ ପ୍ରଧାନ ଘଟଣାର ସମୟ:-

ଖ୍ରୀ:ଅ:-୧୬୨୫ –

ପ୍ରଥମ ଚାର୍ଲସ୍‌ଙ୍କ ସିଂହାସନାରୋହଣ

ଖ୍ରୀ:ଅ:-୧୬୨୮-

ପିଟିସନ୍ ଅଫ ରାଇଟ୍ (ଜାତୀୟ ଦାବୀଯନ୍ତ୍ର )ଉପସ୍ଥାପନ ।

ଖ୍ରୀ:ଅ:-୧୬୪୦-

ଦୀର୍ଘ ପାର୍ଲାମେଣ୍ଟର ଅଧିବେଶନ ।

ଖ୍ରୀ:ଅ:-୧୬୪୨-

ଅନ୍ତର୍ଯୁଦ୍ଧର ପ୍ରାରମ୍ଭ,ଏଜହିଲ ଯୁଦ୍ଧ ।

ଖ୍ରୀ:ଅ:-୧୬୪୪-

ମାର୍ସଟନ ମୁର ଯୁଦ୍ଧ ।

ଖ୍ରୀ:ଅ:- ୧୬୪୫-

ନାସବି ଯୁଦ୍ଧ ।

ଖ୍ରୀ:ଅ:-୧୬୪୯-

ପ୍ରଥମ ଚାର୍ଲସଙ୍କ ଶିରଶ୍ଚେଦନ ।

 

ପ୍ରଥମ ଜେମ୍‌ସ୍‌ଙ୍କ ମୃତ୍ୟୁପରେ ତାଙ୍କ ପୁତ୍ର ପ୍ରଥମ ଚାର୍ଲସ୍‌ ଇଂଲାଣ୍ଡର ସିଂହାସନ ଆରୋହଣ କରିଥିଲେ । ସେ ବଡ଼ ଉଦ୍ଧତ ଓ ସ୍ୱେଚ୍ଛାଚାରୀ ଥିଲେ ।ପିତାଙ୍କ ଅପେକ୍ଷା ତାଙ୍କର ରାଜପଦର ଐଶ୍ୱବିକ ଅଧିକାରରେ ଅଧିକ ବିଶ୍ୱାସ ଥିଲା । ସେ ଲୋକମତ ପ୍ରତି ଭ୍ରୁକ୍ଷେପ ନ କରି ରାଜ୍ୟ ଶାସନ କରିବାକୁ ସର୍ବଦା ଚେଷ୍ଟା କରୁଥିଲେ । ତାଙ୍କର ରାଜତ୍ୱରେ ରାଜା ଓ ପାର୍ଲାମେଣ୍ଟ ମଧ୍ୟରେ କଳହ ଅତି ଭୀଷଣ ଧାରଣ କରିଥିଲେ । ଏହି ବିବାଦ ପାର୍ଲାମେଣ୍ଟର ଉତ୍ତେଜନାପୂର୍ଣ୍ଣ ବକୃତା ମଧ୍ୟରେ ଆବଦ୍ଧ ନ କରି ଅନ୍ତ ଯୁଦ୍ଧରେ ପରିଣତ ହୋଇଥିଲା । ଶେଷରେ ଏହା ଫଳରେ ରାଜାଙ୍କର ଶିରଚ୍ଛେଦ ପର୍ଯ୍ୟନ୍ତ ହୋଇଥିଲା

 

ଚାର୍ଲସ୍‌ଙ୍କ ବୈଦେଶିକ ନୀତି:- ଚାର୍ଲସ୍‌ ସ୍ୱେନରାଜ୍ୟ କନ୍ୟାଙ୍କୁ ବିବାହ କରି ନ ପାରିବାରୁ ସ୍ୱେନ ଉପରେ ବିଶେଷ ବିରକ୍ତ ହୋଇଥିଲେ । ସେ ରାଜା ହେବା ମାତ୍ରେ ସ୍ୱେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ଏଥିପାଇଁ ଅର୍ଥ ଆବଶ୍ୟକ ହେବାରୁ ସେ ଖ୍ରୀ: ଅ: ୧୬୨୫ରେ ପ୍ରଥମ ପାର୍ଲାମେଣ୍ଟ ଡକାଇଥିଲେ । କମନ୍ସ ସଭାର ସଭ୍ୟମାନେ ସାମାନ୍ୟ ଅର୍ଥ ମଞ୍ଜୁର କରିଥିଲେ ଓ ସେମାନଙ୍କର ଦାବୀଗୁଡ଼କ ଗୃହୀତ ନ ହେଲେ ରାଜଙ୍କ ପ୍ରାର୍ଥିତ ଅର୍ଥ ମଞ୍ଜୁର କରିବେ ନାହିଁ ବୋଲି କହିଲେ । ଏଥିରେ ରାଜା ବିରକ୍ତ ହୋଇ ପାର୍ଲମେଣ୍ଟ ଭାଙ୍ଗି ଦେଲେ । ସେ ଖ୍ରୀ: ଅ: ୧୬୨୫ରେ ସ୍ୱେନର କାଡ଼ିଜ ବନ୍ଦର ଅଧିକାର କରିବା ପାଇଁ ଗୋଟିଏ ନୌବହର ପ୍ରେରଣ କରିଥିଲେ । କିନ୍ତୁ ଏହି ଅଭିଯାନ ବିଫଳ ହେବାରୁ ସେ ୠଣଗ୍ରସ୍ତ ହୋଇ ପରବର୍ଷ ଦ୍ୱିତୀୟ ପାର୍ଲାମେଣ୍ଟ ଡକାଇଲେ । କିନ୍ତୁ ତାହା ତାଙ୍କର ବିଶ୍ୱସ୍ତ ବନ୍ଧୁ ବଙ୍କିମହାମର ଡିଉକ୍‌ଙ୍କୁ ଦଣ୍ଡ ଦେବାପାଇଁ ଦାବୀ କରିବାରୁ ରାଜା ବିରକ୍ତ ହୋଇ ପୁନର୍ବାର ପାର୍ଲାମେଣ୍ଟ ଭାଙ୍ଗି ଦେଲେ । ସେ ସ୍ୱେନ ବିରୁଦ୍ଧରେ ଫ୍ରାନ୍ସଠାରୁ ସାହାଯ୍ୟ ପାଇବା ପାଇଁ ଫ୍ରାନ୍ସ ରାଜକନ୍ୟା ହେନରିଏଟା ମେରିଆଙ୍କୁ ବିବାହ କରିଥିଲେ । ଫ୍ରାନ୍ସ ରାଜକୁମାରୀ କ୍ୟାଥଲିକ ଥିଲେ । ତେଣୁ ଇଂଲାଣ୍ଡର ଲୋକେ ଏହି କ୍ୟାଥଲିକ ବିବାହରେ ଅସନ୍ତୁଷ୍ଟ ହୋଇଥିଲେ । କିନ୍ତୁ ଅଳ୍ପକାଳ ମଧ୍ୟରେ ସେ ଫ୍ରାନ୍ସ ସହିତ କଳହ କରିଥିଲେ ଏବଂ ଫ୍ରାନ୍ସ ବିରୁଦ୍ଧରେ ଗୋଟିଏ ସେନାଦଳ ପଠାଇଥିଲେ । ଏହିଯୁଦ୍ଧ ସକାଶେ ସେ ପାର୍ଲାମେଣ୍ଟଠାରୁ କୌଣସି ସାହାଯ୍ୟ ନ ପାଇ ଲୋକମାନଙ୍କଠାରୁ ଜବରଦସ୍ତ ୠଣ ଆଦାୟ କରିବାକୁ ଲାଗିଲେ । ଏହି ୠଣ ଆଦାୟ ପାଇଁ ସେ ଲୋକମାନଙ୍କ ଘରେ ସୈନ୍ୟ ରକ୍ଷା କରିଥିଲେ ଓ ନାନାପ୍ରକାର ଅତ୍ୟାଚାର କରିଥିଲେ । ଯେଉଁମାନେ ୠଣ ଦେବାପାଇଁ ଅସମ୍ମତ ହେଲେ ରାଜା ସେମାନଙ୍କୁ ବିନା ବିଚାରରେ କାରାଦଣ୍ଡ ଦେଲେ । ସେ ‘ଟନେଜ ଓ ପାଉଣ୍ଡେଜ’ ଓ ‘ବେନିଭେଲେନ୍ସ’ ଦ୍ୱାରା ମଧ୍ୟ ବହୁ ଅର୍ଥ ସଂଗ୍ରହ କରିଥିଲେ । ଏପରି ନାନାପ୍ରକାର ଅତ୍ୟାଚାର କରି ମଧ୍ୟ ସେ ଯୁଦ୍ଧବ୍ୟୟ ପାଇଁ ପ୍ରଚୁର ଅର୍ଥ ପାଇ ପାରିଲେ ନାହିଁ । ତେଣେ ଫ୍ରାନ୍ସ ସହିତ ‘‘ଯୁଦ୍ଧରେ ଅକୃତକାର୍ଯ୍ୟ ହେବାରୁ ଲୋକମାନେ ତାଙ୍କ ଉପରେ ବିଶେଷ ବିରକ୍ତ ହୋଇଥିଲେ । ଯୁଦ୍ଧଯୋଗୁଁ ଅଭାବଗ୍ରସ୍ତ ହେବାରୁ ସେ ଅର୍ଥ ସାହାଯ୍ୟ ପାଇଁ ଖ୍ରୀ: ଅ: ୧୬୨୮ରେ ବାଧ୍ୟହୋଇ ତୃତୀୟଥର ପାର୍ଲାମେଣ୍ଟ ଆହ୍ୱାନ କରିଥିଲେ ।

 

ଜାତୀୟ ଦାବୀପତ୍ର (Petition of Right ) – ଏହି ପାର୍ଲାମେଣ୍ଟ ରାଜାଙ୍କ ଉପରେ ବିଶେଷ ବିରକ୍ତ ଥିଲା । ଏହା ରାଜାଙ୍କୁ ଅର୍ଥ ମଞ୍ଜୁର କରିବା ପୂର୍ବରୁ ଯେଉଁ ଲୋକମାନେ ବାଧ୍ୟ ହୋଇ ୠଣ ନ ଦେବାରୁ ବନ୍ଦୀ ହୋଇଥିଲେ ସେମାନଙ୍କର ମୁକ୍ତିଦାବୀ କଲେ । ପାର୍ଲାମେଣ୍ଟର ନେତା ସାରଜନ୍‌ ଇଲିୟଟ୍, ଜନ୍‌ ପାଇମ୍‌ ପ୍ରଭୂତି ରାଜାଙ୍କୁ ସେମାନଙ୍କର ଜାତୀୟ ଦାବୀପତ୍ର (Petition of Right) ରେ ସ୍ୱାକ୍ଷର ଦେବାକୁ ବାଧ୍ୟ କରିଥିଲେ । ଏତଦ୍ଦ୍ୱାରା ସ୍ଥିର ହୋଇଥିଲା ଯେ (୧) ରାଜା ପାର୍ଲାମେଣ୍ଟର ବିନା ଅନୁମତିରେ କୌଣସି ପ୍ରକାର କର ବା ୠଣ ଆଦାୟ କରି ପାରିବେ ନାହିଁ । (୨) କୌଣସି ଗୃହସ୍ଥର ଗୃହରେ ରାଜା ସୈନ୍ୟରକ୍ଷା କରିପାରିବେ ନାହିଁ । (୩) ଶାନ୍ତ ସମୟରେ ସାମରିକ ଆଇନ (Martial Law) ଜାରି କରି ପାରିବେ ନାହିଁ । (୪) ବିନା ବିଚାରରେ ଓ ବିନା କାରଣରେ କାହାକୁ ଜେଲଦଣ୍ଡ ଦେବେ ନାହିଁ । ଏହା ଇଂଲାଣ୍ଡର ଦ୍ୱିତୀୟ ଜାତୀୟ ସନନ୍ଦ । ରାଜା ଉପାୟାନ୍ତର ନ ଦେଖି ଅନିଚ୍ଛାସତ୍ତ୍ୱେ ଏଥିରେ ସ୍ୱାକ୍ଷର ଦେଇଥିଲେ । ତେଣୁ ପାର୍ଲାମେଣ୍ଟ ତାଙ୍କର ପ୍ରାର୍ଥିତ ଅର୍ଥ ମଞ୍ଜୁର କରିଥିଲା ।

 

ରାଜା ବେଶୀ ସମୟ ନିଜର ପ୍ରତିଜ୍ଞା ରକ୍ଷା କରି ନ ଥିଲେ । ତହୁଁ ପାର୍ଲାମେଣ୍ଟ ରାଜାଙ୍କ ଏହି ଚୁକ୍ତିଭଙ୍ଗ ବିରୁଦ୍ଧରେ ତୀବ୍ର ପ୍ରତିବାଦ କଲେ । ତେଣୁ ରାଜା ବିରକ୍ତିରେ ପାର୍ଲାମେଣ୍ଟ ଭାଙ୍ଗିଦେବାକୁ ହୁକୁମ ଦେଲେ । ଏଥିରେ ପାର୍ଲାମେଣ୍ଟରେ ଘୋର ଚାଞ୍ଚଲ୍ୟ ଉପସ୍ଥିତ ହୋଇଥିଲେ । ଏହା ଭାଙ୍ଗିବା ପୂର୍ବରୁ ପ୍ରସ୍ତାବ କଲେ ‘‘ଯେଉଁମାନେ ଧର୍ମରେ କୌଣସି ପରିବର୍ତ୍ତନ କରିବେ ଓ ଯେଉଁମାନେ ପାର୍ଲାମେଣ୍ଟର ଅମତରେ କର ଆଦାୟ କରିବେ ଓ ଯେଉଁମାନେ କର ଦେବେ ସେମାନେ ଦେଶଦ୍ରୋହୀ ।’’ ଏଥିରେ ରାଜା କୃଦ୍ଧହୋଇ ଇଲିୟଟ୍‌ ପ୍ରମୁଖ ନେତାମାନଙ୍କୁ ଜେଲ ଦେଇଥିଲେ । ଇଲିୟଟ୍‌ ତିନିବର୍ଷ କାରାଗାରରେ ରହି ସେଠାରେ ପ୍ରାଣତ୍ୟାଗ କରିଥିଲେ ।

 

ପାର୍ଲାମେଣ୍ଟ ବିନା ରାଜ୍ୟ ଶାସନ:- ଏହି ଘଟଣା ପରେ ପ୍ରାୟ ୧୧ ବର୍ଷ କାଳ ଚାର୍ଲସ୍‌ ଆଉ ପାର୍ଲାମେଣ୍ଟ ନ ଡକାଇ ସ୍ୱଇଚ୍ଛାରେ ରାଜ୍ୟଶାସନ କଲେ । ଏହି ସମୟରେ କ୍ୟାଣ୍ଟରବରୀର ଆର୍ଚ୍ଚ ବିଷପ୍‌ ଲଡ଼୍‌ ଓ ଷ୍ଟ୍ରାଫୋର୍ଡ଼ (Strafford) ତାଙ୍କର ପ୍ରଧାନ ମନ୍ତ୍ରଣାଦାତା ଥିଲେ । ଷ୍ଟ୍ରାଫୋର୍ଡ଼ ପରାମର୍ଶରେ ରାଜା ନାନାବିଧ ଅବୈଧ ଉପାୟରେ ଲୋକମାନଙ୍କଠାରୁ ଅର୍ଥ ଆଦାୟ କରିବାକୁ ଲାଗିଲେ । ଯେଉଁ ବ୍ୟକ୍ତିର ବାର୍ଷିକ ଆମ୍ଭ ୪୦ ପାଉଣ୍ଡ, ତାକୁ କିଛି ଅର୍ଥ ପ୍ରଦାନ କରି ନାଇଟ୍‌ ଉପାଧି ଗ୍ରହଣ କରିବାକୁ ବାଧ୍ୟକଲେ । ଜଙ୍ଗଲ ସମ୍ୱନ୍ଧରେ କଠୋର ନୀତି ଅବଲମ୍ବନ କରି ସାମନ୍ତମାନଙ୍କ ଠାରୁ ବହୁ ଅର୍ଥ ଆଦାୟ କଲେ । ସେ କେତେକ କମ୍ପାନୀକୁ ବାଣିଜ୍ୟରେ ଏକଚାଟିଆ ପ୍ରଦାନ କରି ପ୍ରଭୂତ ଅର୍ଥ ଲାଭ କଲେ । ସପ୍ତମ ହେନରୀଙ୍କ ପ୍ରତିଷ୍ଠିତ ‘କୋର୍ଟ ଅଫ୍‌ ଷ୍ଟାର ଚେମ୍ବର’ ଓ ଏଲିଜାବେଥଙ୍କଦ୍ୱାରା ସ୍ଥାପିତ ‘କୋର୍ଟ ଅଫ୍‌ ହାଇ-କମିସନ୍‌’ ସାହାଯ୍ୟରେ ସେ ଲୋକମାନଙ୍କୁ ଦମନ କଲେ । ସେ ପୋତ-କର (Ship money) ନାମକ ଗୋଟିଏ କର ବସାଇଲେ । ଏଲିଜାବେଥ ପ୍ରଥମେ ସମୁଦ୍ର ଉପକୂଳବର୍ତ୍ତୀ ନଗରମାନଙ୍କରୁ ଏହା ଆଦାୟ କରି ସେହି ଅର୍ଥରେ ଇଂଲାଣ୍ଡକୁ ବୈଦେଶିକ ଆକ୍ରମଣରୁ ରକ୍ଷା କରିବା ପାଇଁ ରଣପୋତମାନ ନିର୍ମାଣ କରିଥିଲେ । ଚାର୍ଲସ୍‌ ଏହି କର ବନ୍ଦର ତଥା ଦେଶମଧ୍ୟସ୍ଥ ନଗରମାନଙ୍କରୁ ଆଦାୟ କଲେ । ଜନ୍‌ ହାମ୍ପଡ଼େନ୍‌ ନାମକ ଜଣେ ସ୍ୱାଧୀନଚେତା ଲୋକ ଏହି କରଦେବାକୁ ଅସ୍ୱୀକୃତ ହେବାରୁ ଗିରଫ ହୋଇଥିଲେ । ତାଙ୍କ ମକଦ୍ଦମାରେ ବିଚାରପତିମାନେ ରାଜାଙ୍କର ଏପରି କର ଧାର୍ଯ୍ୟ କରିବାର କ୍ଷମତା ଅଛି ବୋଲି ରାୟ ଦେଇଥିଲେ । ଏଥିରେ ଲୋକମାନେ ବିଚାରପତିଙ୍କ ନ୍ୟାୟପରତାରେ ମଧ୍ୟ ବିଶ୍ୱାସ ହରାଇଥିଲେ । କ୍ୟାଣ୍ଟରବରୀର ଆର୍ଚ୍ଚ ବିଷପ୍‌ ଲଡ଼୍‌ ର୍ଧମ ସମ୍ବନ୍ଧରେ ଚାର୍ଲସ୍‌ଙ୍କର ପ୍ରଧାନ ପରାମର୍ଶଦାତା ଥିଲେ । ସେ ଘୋର ପ୍ୟୁରିଟାନ୍‌ ବିଦ୍ୱେଷୀ ଥିଲେ ଓ ପ୍ୟୁରିଟାନ୍‌ମାନଙ୍କ ପ୍ରତି ନାନାପ୍ରକାର ଅତ୍ୟାଚାର କଲେ । ପୂର୍ବରୁ ଇଂଲାଣ୍ଡରେ ପ୍ରଚଳିତ କେତେକ ଗୁଡ଼ିଏ କ୍ରୀଡ଼ା କୌତୁକରେ ଲୋକମାନେ ପାନାସକ୍ତ ଓ ଉନ୍ମତ୍ତ ହୋଇ ନାନାବିଧ ଦୁଷ୍କାର୍ଯ୍ୟ କରିବାକୁ ସେଗୁଡ଼ିକ ନିଷିଦ୍ଧ ହୋଇଥିଲା । କିନ୍ତୁ ଆଡ଼ମ୍ବର ପ୍ରିୟ ଲଡ଼୍‌ ସେଗୁଡ଼ିକ ପୁନଃ ପ୍ରବର୍ତ୍ତନ କରିଥିଲେ । କେତେକ ବିଶିଷ୍ଟ ଲୋକ ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ କଠିନ ଦଣ୍ଡ ଦିଆଯାଇଥିଲା । ଲର୍ଡ଼ଙ୍କ ଧର୍ମନୀତି ଯୋଗୁଁ ସମଗ୍ର ଦେଶରେ ଅଶାନ୍ତି ଓ ବିଦ୍ରୋହଭାବ ପ୍ରବଳ ହେଲା ।

 

ସ୍କଟ୍‌ଲାଣ୍ଡ ସହିତ ଯୁଦ୍ଧ – ସେ ସମୟରେ ସ୍କଟ୍‌ଲାଣ୍ଡର ଅଧିକାଂଶ ଲୋକ ପ୍ରେସବିଟରିୟାନ୍‌ ଥିଲେ । ସେମାନେ ବିଷପ ପଦ ଉଠାଇ ଦେଇଥିଲେ ଓ ଉପାସନା ସମୟରେ କୌଣସି ପ୍ରାର୍ଥନା ପୁସ୍ତକ ବ୍ୟବହାର କରୁ ନ ଥିଲେ । କିନ୍ତୁ ଲଡ଼୍‌ଙ୍କ ପରାମର୍ଶରେ ରାଜା ସେମାନଙ୍କୁ ପ୍ରାର୍ଥନା ପୁସ୍ତକ ବ୍ୟବହାର ଓ ବିଷପ୍‌ମାନଙ୍କର ଅଧିନତା ସ୍ୱିକାର କରିବାକୁ ବାଧ୍ୟ କଲେ । ସ୍କଟ୍‌ଲାଣ୍ଡର ଲୋକେ ସେମାନଙ୍କ ଧର୍ମରେ କୌଣସି ପରିବର୍ତ୍ତନ କରିବାକୁ ଇଚ୍ଛୁକ ନ ଥିଲେ । ସେମାନେ ରାଜାଙ୍କ ଏହି ପ୍ରାର୍ଥନା ପୁସ୍ତକ ବ୍ୟବହାର ଆଦେଶ ବିରୁଦ୍ଧରେ ପ୍ରତିବାଦ କରିବା ପାଇଁ (National Covenant ) ନାମକ ଜାତୀୟ ଚୁକ୍ତିପତ୍ର ଧାର୍ଯ୍ୟ କରିଥିଲେ । ସେମାନଙ୍କର ସଂଗଠନକୁ ଦମନ କରିବାପାଇଁ ଚାର୍ଲସ୍‌ ସୈନ୍ୟ ସଂଗ୍ରହ କରିଥିଲେ । କିନ୍ତୁ ସୈନ୍ୟମାନେ ସ୍କଟଲାଣ୍ତର ଦାବୀ ନ୍ୟାୟସଙ୍ଗତ ବୋଲି ଜାଣି ସେମାନଙ୍କ ସଙ୍ଗେ ଯୁଦ୍ଧ କରିବାପାଇଁ ଅନିଚ୍ଛା ପ୍ରକାଶ କଲେ । ଏଣେ ରାଜକୋଷ ମଧ୍ୟ ଶୂନ୍ୟ ଥିଲା । ଏପରି ବିଷମ ସଙ୍କଟରେ ପଡ଼ି ରାଜା ତାଙ୍କର ବନ୍ଧୁ ଷ୍ଟ୍ରାଫୋର୍ଡ଼ଙ୍କ ପରାମର୍ଶ ଲୋଡ଼ିଥିଲେ । ସେତେବେଳେ ଷ୍ଟ୍ରାଫୋର୍ଡ଼ ଆୟର୍ଲାଣ୍ଡର ଶାସକ ଥିଲେ । ସେ ରାଜାଙ୍କୁ ପୁନର୍ବାର ପାର୍ଲାମେଣ୍ଟ ଆହ୍ୱାନ କରିବାପାଇଁ ପରାମର୍ଶ ଦେଲେ । ପାର୍ଲାମେଣ୍ଟର ସଭ୍ୟମାନେ ଲୋକମାନଙ୍କର ଅଭାବ ଅସୁବିଧା ଦୂର ନ ହେଲେ ଓ ସେମାନଙ୍କର ଦାବୀ ରକ୍ଷା ନ ହେଲେ ଆଦୌ ଅର୍ଥ ମଞ୍ଜୁର କରିବେ ନାହିଁ ବୋଲି ଜିଦ୍‌ ଧରିଲେ । ତେଣୁ ରାଜା ବିରକ୍ତ ହୋଇ ପାର୍ଲାମେଣ୍ଟକୁ ଭାଙ୍ଗିଦେଲେ । ଏହି ପାର୍ଲାମେଣ୍ଟ ମୋଟେ ତିନି ସପ୍ତାହକାଳ ବସିଥିବାରୁ ଏହାର ନାମ ହେଲା (Short Parliament) ବା ‘ଅସ୍ଥାୟୀ ପାର୍ଲାମେଣ୍ଟ’।

 

ଦୀର୍ଘପାର୍ଲାମେଣ୍ଟ(Long Parliament):- ଏଥିମଧ୍ୟରେ ସ୍କଟଲାଣ୍ଡର ଲୋକେ ରାଜାଙ୍କ ସୈନ୍ୟମାନଙ୍କୁ ପରାସ୍ତ କରି ଇଂଲାଣ୍ଡ ଆକ୍ରମଣ କଲେ । ନିଉକାସଲ ନାମକ ସ୍ଥାନରେ ନିଜର ସମସ୍ତ ଶକ୍ତି କେନ୍ଦ୍ରୀଭୂତ କଲେ । ରାଜା ହତାଶ ଓ ନିରୁପାୟ ହୋଇ ପୁନର୍ବାର ପାର୍ଲାମେଣ୍ଟ୍‌ ଡକାଇଲେ । ଏହା ପ୍ରାୟ ୨୦ ବର୍ଷ ପରେ ଭଙ୍ଗା ହୋଇଥିବାରୁ ଏହାର ନାମ ହେଲା Long Parliament ବା ଦୀର୍ଘ ପାର୍ଲାମେଣ୍ଟ୍‌ । ଏହାର ସଭ୍ୟମାନେ ରାଜାଙ୍କର ସ୍ୱେଚ୍ଛାଚାରିତା ନିର୍ମୂଳ କରିବା ପାଇଁ ବଦ୍ଧପରିକର ହୋଇଥିଲା । ଜନ୍‌ ହାମ୍ପଡ଼େନ ପାର୍ଲାମେଣ୍ଟର ନେତା ହୋଇ ରାଜାଙ୍କ କାର୍ଯ୍ୟକଳାପର ତୀବ୍ର ନିନ୍ଦାବାଦ କରିଥିଲେ । ଏହା ସର୍ବ ପ୍ରଥମେ ଦେଶର ଘୋର ଶତ୍ରୁ, ରାଜାଙ୍କର ପ୍ରଧାନ ମନ୍ତ୍ରଣାଦାତା ଓ ଅତ୍ୟାଚାରୀ ଷ୍ଟ୍ରାଫୋର୍ଡ଼ଙ୍କୁ ଅଭିଯୁକ୍ତ କରି ଖ୍ରୀ: ଅ: ୧୬୪୧ରେ ତାଙ୍କର ଶିରଶ୍ଥେଦ କରିଥିଲେ । ରାଜା ତାଙ୍କର ପ୍ରାଣରକ୍ଷା କରିବାପାଇଁ ବହୁଚେଷ୍ଟା କରିଥିଲେ । କିନ୍ତୁ ରାଜପ୍ରାସାଦର ଚତୁର୍ଦ୍ଦିଗରେ କ୍ରୁଦ୍ଧଜନତା ଅବଲୋକନ କରି ରାଜା ଅନନ୍ୟୋପାୟ ହୋଇ ତାଙ୍କ ପ୍ରିୟ ବନ୍ଧୁଙ୍କ ପ୍ରାଣଦଣ୍ଡାଜ୍ଞାପତ୍ରରେ ସ୍ୱାକ୍ଷର ଦେଇଥିଲେ । ଏହାପରେ ରାଜାଙ୍କ ଅନ୍ୟ ମନ୍ତ୍ରଣାଦାତା ଲଡ଼୍‌ଙ୍କୁ ମଧ୍ୟ ପ୍ରାଣଦଣ୍ଡ ଦିଆ ଯାଇଥିଲା । ଏହା ‘କୋର୍ଟ ଅଫ୍‌ ଷ୍ଟାର ଚେମ୍ବର’ ଓ‘ କୋର୍ଟ ଅଫ୍‌ ହାଇ କମିସନ୍‌’ ନାମକ ରାଜଙ୍କ ଅତ୍ୟାଚାରର ପ୍ରଧାନ ଅସ୍ତ୍ରସ୍ୱରୂପ ବିଚାରାଳୟ ଦୁଇଟିକୁ ଉଠାଇ ଦେଇଥିଲେ । ଅନ୍ୟାୟ ଭାବରେ ରାଜାଙ୍କ ଦ୍ୱାରା ବନ୍ଦୀ ହୋଇଥିବା ଲୋକମାନଙ୍କୁ ମୁକ୍ତି ଦିଆଗଲା-। ପାର୍ଲାମେଣ୍ଟର ବିନା ଅନୁମତିରେ ଧାର୍ଯ୍ୟ ହୋଇଥିବା ସମସ୍ତ ପ୍ରକାର କର ବେଆଇନି ପାଉଣା ବୋଲି ଘୋଷିତ ହୋଇଥିଲା । ଏହା ତ୍ରୈବାର୍ଷିକ ଆଇନ୍‌ (Triennial Act ) ପ୍ରଣୟନ କରିଥିଲା । ଏହି ଆଇନଦ୍ୱାରା ରାଜା ତିନି ବର୍ଷ ମଧ୍ୟରେ ଅନ୍ତତଃ ଥରେ ପାର୍ଲାମେଣ୍ଟ ଆହ୍ୱାନ କରିବାକୁ ବାଧ୍ୟ ହେଲେ ଏବଂ ପାର୍ଲାମେଣ୍ଟର ବିନାନୁମତିରେ ରାଜାଙ୍କର ତାଙ୍କୁ ଭାଙ୍ଗିବା କ୍ଷମତା ରହିତ ହେଲା ।

 

ଏପର୍ଯ୍ୟନ୍ତ ପାର୍ଲାମେଣ୍ଟର ସଭ୍ୟମାନଙ୍କ ମଧ୍ୟରେ ଏକତା ଥିଲା, କିନ୍ତୁ କେତେକ ଅଗ୍ରଗାମୀ ପ୍ୟୁରିଟାନ୍‌ ସଭ୍ୟ ରାଜାଙ୍କ ହାତକୁ ସୈନ୍ୟବିଭାଗ ଓ ନୌବିଭାଗର ସମସ୍ତ କ୍ଷମତା କାଢିନେବାକୁ ଓ ଇଂଲାଣ୍ଡାର ଚର୍ଚ୍ଚମାନଙ୍କୁ ବିଷପ୍‌ ପଦମାନ ଉଠାଇ ଦେବାକୁ ଚେଷ୍ଟା କଲେ । କିନ୍ତୁ ଅନ୍ୟ କେତେକ ସଭ୍ୟ ଏହି ମତକୁ ସମର୍ଥନ କଲେ ନାହିଁ । ସେମାନେ ସ୍କଟ୍‌ଲାଣ୍ଡ ପରି ଇଂଲାଣ୍ଡରେ ପ୍ରେସବିଟରିୟାନ୍‌ ଧର୍ମ ପ୍ରଚଳନର ଆଦୌ ପକ୍ଷପାତୀ ନ ଥିଲେ । ଏହି ମତଦ୍ୱୈଧ କଳହରେ ପରିଣତ ହେଲା ଓ ଦ୍ୱିତୀୟ ଦଳ ରାଜଙ୍କ ପକ୍ଷ ଗ୍ରହଣ କଲେ । ପାର୍ଲାମେଣ୍ଟରେ ଏପରି ଦଳସୃଷ୍ଟି ଦେଖି ରାଜା ତାଙ୍କର ବିରୋଧୀ ପାର୍ଲାମେଣ୍ଟ-ସଭ୍ୟମାନଙ୍କୁ ଯୁଦ୍ଧଦ୍ୱାରା ଦମନ କରିବାକୁ ଚେଷ୍ଟାକଲେ । ତେଣୁ ଦେଶରେ ଅନ୍ତର୍ଯୁଦ୍ଧ ଆରମ୍ଭ ହେଲା ।

 

ଅନ୍ତର୍ଯୁଦ୍ଧ- (The Civil War) ଇଂଲାଣ୍ଡର ଲୋକମାନେ ଦୁଇ ଦଳରେ ବିଭକ୍ତ ହୋଇଗଲେ । ଇଂଲାଣ୍ଡର ଉତ୍ତର ପଶ୍ଚିମ ଭାଗର ଲୋକେ ରାଜାଙ୍କ ପକ୍ଷ ଏବଂ ଦକ୍ଷିଣ ପୂର୍ବ ଭାଗରେ ଲୋକ ପାର୍ଲାମେଣ୍ଟ ପକ୍ଷ ଗ୍ରହଣ କଲେ । ଅକ୍ସଫୋର୍ଡ ରାଜାଙ୍କ ଦଳର ଓ ଲଣ୍ଡନ ପାର୍ଲାମେଣ୍ଟ ଦଳର କେନ୍ଦ୍ର ହେଲା । ପାର୍ଲାମେଣ୍ଟ ଦଳର ନାମ ହେଲା ‘ଗୋଲ ମୁଣ୍ଡିଆ’ ‘‘Rounds Heads’’ । କାରଣ ସେମାନେ ଥିଲେ ପ୍ୟୁରିଟାନ୍‌ । ପ୍ୟୁରିଟାନ୍‌ ମାନଙ୍କ ମୁଣ୍ଡରେ ଛୋଟ ଛୋଟ ବାଳ ଥିବାରୁ ସେମାନଙ୍କ ମୁଣ୍ଡଗୁଡ଼ିକ ଗୋଲାକାର ଦେଖାଯାଉଥିଲା । ତେଣୁ ସେମାନଙ୍କର ଏପରି ନାମକରଣ ହୋଇଥିଲା । ରାଜାଙ୍କ ଦଳର ନାମ ହେଲା ‘କାଭାଲିୟର୍ସ’ ‘Cavaliers’ ବା ‘ରୟାଲିଷ୍ଟ’ । ଅଣ୍ଠାରୋହୀ ଭଦ୍ର ସନ୍ତାନମାନେ ରାଜାଙ୍କ ପକ୍ଷରେ ଅଧିକ ସଂଖ୍ୟାରେ ଥିଲେ ବୋଲି ଏହିଦଳ ଏପରି ନାମରେ ପରିଚିତ ହେଲା । ଏହି ଦୁଇଦଳ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ରାଜା ଖ୍ରୀ: ଅ: ୧୬୪୨ରେ ଏଜ୍‌ହିଲ୍‌ ଯୁଦ୍ଧରେ ଜୟଲାଭ କରିଥିଲେ । ତଥାପି ଦୁଇଦଳ ସମାନ ଶକ୍ତିଶଳୀ ଥିଲେ । କିନ୍ତୁ ସ୍କଟ୍‌ମାନେ ୧୬୪୪ରେ ପାର୍ଲାମେଣ୍ଟର ପକ୍ଷ ଗ୍ରହଣ କରିବାରୁ ପାର୍ଲାମେଣ୍ଟ ଦଳର ଶକ୍ତି ବଢିଗଲା । ସ୍କର୍ଟ୍‌ ଓ ଇଂରେଜମାନେ ମିଶି ମାର୍ସଟନ୍‌ମୁର ନାମକ ସ୍ଥାନରେ ରାଜାଙ୍କୁ ପରାସ୍ତ କରିଥିଲେ । କିନ୍ତୁ ରାଜାଙ୍କ ଶକ୍ତି ତଥାପି କମି ନ ଥିଲା । ତେଣୁ ରାଉଣ୍ଡହେଡ଼୍‌ମାନଙ୍କର ସୁଦକ୍ଷ ନେତା ଅଲିଭର କ୍ରମଓୟେଲ୍‌ ପାର୍ଲାମେଣ୍ଟ ସୈନ୍ୟମାନଙ୍କର ଦୁର୍ବଳତା, ବିଶୃଙ୍ଗଳାରେ କ୍ଷୁବ୍ଧ ହୋଇ ସେମାନଙ୍କୁ ଭଲଭାବରେ ଯୁଦ୍ଧବିଦ୍ୟା ଶିଖାଇଥିଲେ । ଏହା ସୁଶୃଙ୍ଖଳ ଓ ସୁଶିକ୍ଷିତ ସୈନ୍ୟଦଳର ନାମ ହେଲା ‘ନୂତନ ଆଦର୍ଶ ସେନା’ ‘New Model Army’ କ୍ରମଓୟେଲ୍‌ ଅନୁପଯୁକ୍ତ ଓ ଅକ୍ଷମ ସେନାପତିମାନଙ୍କୁ ତଡ଼ି ନିଜେ ଏହି ଦଳର ସେନାନାୟକ ହେଲେ । ଏହି ନୂତନ ସେନାଦ୍ୱାରା ରାଜା ନାସବି (Naseby) ନାମକ ସ୍ଥାନରେ ଖ୍ରୀ: ଅ: ୧୬୪୫ରେ ସଂପୂର୍ଣ୍ଣରୁପେ ପରାଭୂତ ହେଲେ ଓ ସ୍କଟଲାଣ୍ଡର ସୈନ୍ୟମାନଙ୍କଠାରେ ଆତ୍ମସମର୍ପଣ କରିଥିଲେ । ସେମାନେ ରାଜାଙ୍କୁ ପାର୍ଲାମେଣ୍ଟ ହସ୍ତରେ ସମର୍ପଣ କଲେ ।

 

ଏହି ବିଜୟ ପରେ ପାର୍ଲାମେଣ୍ଟ ଓ ସୈନ୍ୟମାନଙ୍କ ମଧ୍ୟରେ ଧର୍ମ ପ୍ରଚଳନ ବିଧାୟ ଆରମ୍ଭ ହେଲା । ପାର୍ଲାମେଣ୍ଟ ଆଇନ ପ୍ରଣୟନଦ୍ୱାରା ସୈନ୍ୟଦଳର କ୍ଷମତା କମେଇବାକୁ ଚେଷ୍ଟାକଲା । ତେଣୁ ଉଭୟଙ୍କ ମଧ୍ୟରେ ବିବାଦ ଲାଗିଲା । ଏହି ବିବାଦକୁ ସୁଯୋଗ ମନେକରି ଚାର୍ଲସ୍‌ ନିଜ କ୍ଷମତା ଦୃଢ କରିବାପାଇଁ ପୁନର୍ବାର ଚେଷ୍ଟାକଲେ । ସ୍କଟଲାଣ୍ଡ, ଓୟେଲସ୍‌, ଏସେକ୍ସ ଓ କେଣ୍ଟର କେତେକ ଲୋକ ରାଜାଙ୍କ ସାହାର୍ଯ୍ୟର୍ଥେ ଅସ୍ତ୍ର ଧାରଣ କରିଥିଲେ । କିନ୍ତୁ ରାଜାଙ୍କ ଦଳ ପୁନର୍ବାର କ୍ରମଓୟେଲଙ୍କଦ୍ୱାରା ପରାସ୍ତ ହେଲେ । କ୍ରମଓୟେଲ୍‌ଙ୍କ ସୈନ୍ୟମାନେ ହାଉସ୍‌ ଅଫ୍‌ ଲର୍ଡସ୍‌ରୁ ସବୁ ଲର୍ଡ଼ମାନଙ୍କୁ ତଡ଼ି ଦେଇଥିଲେ । କର୍ଣ୍ଣେଲ୍‌ ପ୍ରାଇଡ୍‌ (Colonel Pride) ନାମକ ଜଣେ ସେନାନାୟକ ଦଳେ ସୈନ୍ୟ ଘେନି କମନ୍ସ ସଭାର ଯେଉଁ ସଭ୍ୟମାନେ ପ୍ରେସବିଟରିୟାନ୍‌ମାନଙ୍କ ପକ୍ଷ ଗ୍ରହଣ କରିଥିଲେ ସେମାନଙ୍କୁ କମନ୍ସ ସଭାରୁ ବଳପୂର୍ବକ ତଡ଼ିଦେଲେ । ଏହା ‘ପ୍ରାଇଡ଼ସ୍‌ ପର୍ଜ’ ‘Pride’s purge’ ନାମରେ ବିଦିତ । ଦୀର୍ଘ ପାର୍ଲାମେଣ୍ଟର ଅଧିକାଂଶ ସଭ୍ୟ ଏପରି ବିତାଡ଼ିତ ହେବାପରେ ଅବଶିଷ୍ଟ ସଭ୍ୟ (ଲାଙ୍ଗୁଳ) ‘Rump’ ‘ରମ୍ପ’ ନାମରେ ଅଭିହିତ ହେଲେ । ସେମାନେ ସମସ୍ତେ ସ୍ୱାଧୀନ ମତାବଲମ୍ବୀ (Independents) ଥିଲେ । ସେମାନଙ୍କ ଦ୍ୱାରା ଗଠିତ ପାର୍ଲାମେଣ୍ଟ୍‌ ‘ରମ୍ପ ପାର୍ଲାମେଣ୍ଟ୍‌’ ନାମରେ ପରିଚିତ ହୋଇଥିଲା ।

 

ରାଜାଙ୍କ ବିଚାର ଓ ପ୍ରାଣଦଣ୍ଡ:- ଏଥିରେ କେତେକ ସଭ୍ୟଙ୍କୁ ନେଇ ‘ହାଇକୋର୍ଟ ଅଫ ଜଷ୍ଟିସ୍‌’ ନାମକ ଗୋଟିଏ ବିଚାରସଭା ଗଠିତ ହୋଇ ରାଜାଙ୍କର ବିଚାର ହେଲା । ଏହି ସଭା ରାଜାଙ୍କୁ ବିଶ୍ୱାସଘାତକତା ଓ ନରହତ୍ୟା ଅପରାଧରେ ଅଭିଯୁକ୍ତ କରି ପ୍ରାଣଦଣ୍ଡ ପ୍ରଦାନ କରିଥିଲେ-। ଖ୍ରୀ: ଅ: ୧୬୪୯ରେ ଲଣ୍ଡନ ନଗରୀର ରାଜପ୍ରାସାଦର ସମ୍ମୁଖରେ ଚାର୍ଲସଙ୍କର ଶିରଶ୍ଚେଦ ହୋଇଥିଲା । ଚାର୍ଲସ୍‌ ସ୍ୱେଚ୍ଛାଚାରିତା ଯୋଗୁଁ ନିଜର ମସ୍ତକ ହରାଇଥିଲେ ।

 

ତୃତୀୟ ଅଧ୍ୟାୟ

ଇଂଲାଣ୍ଡରେ ସାଧାରଣତନ୍ତ୍ର ପ୍ରତିଷ୍ଠା (The common wealth)

 

ପ୍ରଧାନ ପ୍ରଧାନ ଘଟଣାର ସମୟ –

ଖ୍ରୀ:ଅ:-୧୬୪୯- ଖ୍ରୀ:ଅ: ୧୬୮୩

ରମ୍ପର ରାଜତ୍ୱ ।

ଖ୍ରୀ:ଅ:- ୧୬୫୩- ଖ୍ରୀ:ଅ: ୧୬୫୮

ଅଲିଭର କ୍ରମଓୟେଲ୍ (ଲର୍ଡ ପ୍ରୋଟେକ୍ଟର )ଙ୍କ ଶାସନ ।

ଖ୍ରୀ:ଅ:-୧୬୬୦ – ଦ୍ୱିତୀୟ ଚାର୍ଲସଙ୍କ ରାଜତ୍ୱ ଲାଭ ।

 

ଇଂଲାଣ୍ଡରେ ସାଧାରଣତନ୍ତ୍ର ପ୍ରତିଷ୍ଠା :- ପ୍ରଥମ ଚାର୍ଲସ୍‌ଙ୍କ ମୃତ୍ୟୁପରେ ସେନାନାୟକ ଅଲିଭର କ୍ରମଓୟେଲ୍‌ ଇଂଲାଣ୍ଡର ସର୍ବେସର୍ବା ହେଲେ । ରମ୍ପ ଇଂଲାଣ୍ଡରେ ସାଧାରଣତନ୍ତ୍ର ବା Commonwealth ପ୍ରତିଷ୍ଠା ହେଲା ବୋଲି ଘୋଷଣା କଲେ । ସାଧାରଣତନ୍ତ୍ରରେ କୌଣସି ରାଜା ନ ଥାନ୍ତି । ପ୍ରଜାପ୍ରତିନିଧିମାନଙ୍କ ଦ୍ୱାରା ଦେଶର ଶାସନ କାର୍ଯ୍ୟ ପରିଚାଳିତ ହୁଏ । ଜଣକ ହସ୍ତରେ ରାଜ୍ୟଶାସନ ରହିବା ବିପଜ୍ଜନକ ଓ ହାଉସ୍‌ ଅଫ୍‌ ଲର୍ଡସ୍‌ ରହିବା ଅନାବଶ୍ୟକ ବୋଲି ସ୍ଥିର କରି ରମ୍ପ୍‌ ରାଜପଦ ଓ ହାଉସ ଅଫ୍‌ ଲର୍ଡସ୍‌ ଉଠାଇ ଦେଇଥିଲେ । ଖ୍ରୀ: ଅ: ୧୬୪୯ ରୁ ଖ୍ରୀ: ଅ:୧୬୬୦ ପର୍ଯ୍ୟନ୍ତ ଇଂଲାଣ୍ଡରେ କୌଣସି ରାଜା ନ ଥିଲେ । ରମ୍ପ ହସ୍ତରେ ଦେଶ ଶାସନ ଭାର ରହିଲା । ଇଂଲାଣ୍ଡର ଲୋକମାନେ ଏହି ସାଧାରଣତନ୍ତ୍ର ପ୍ରତିଷ୍ଠାରେ ଆଦୌ ସନ୍ତୁଷ୍ଟ ନ ଥିଲେ । ଦେଶରେ ଅଶାନ୍ତ ଓ ବିଦ୍ରୋହଭାବ ପ୍ରବଳ ହେଲା । ସ୍ପେନ ଓ ହଲାଣ୍ଡରେ ସାଧାରଣତନ୍ତ୍ରର ପ୍ରତିନିଧିମାନେ ନିହତ ହୋଇଥିଲେ । ସ୍କଟଲାଣ୍ଡ ଓ ଆୟର୍ଲାଣ୍ଡର ଲୋକେ ଏହି ଶାସନକୁ ଆଦୌ ସମର୍ଥନ କଲେ ନାହିଁ ।

 

ଆୟର୍ଲାଣ୍ଡର ବିଦ୍ରୋହ ଦମନ – ଆୟର୍ଲାଣ୍ଡର ଅଧିକାଂଶ ଲୋକ କ୍ୟାଥଲିକ୍‌ । କିନ୍ତୁ ସେଠାରେ ଅନେକ ଇଂରେଜ ଓ ସ୍କଚ ପ୍ରୋଟେଷ୍ଟ୍ରାଣ୍ଟ ବସତି ସ୍ଥାପନ କରିଥିଲେ । ଆୟର୍ଲାଣ୍ଡର କ୍ୟାଥଲିକ୍‌ମାନେ ନବାଗତ ପ୍ରୋଟେଷ୍ଟାଣ୍ଟମାନଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କଲେ । ଆୟର୍ଲାଣ୍ଡର ଉତ୍ତରରେ ଥିବା ଅଲ୍‌ଷ୍ଟର୍‌ ପ୍ରଦେଶର ଲୋକମାନେ ପ୍ରଥମ ଚାର୍ଲସ୍‌ଙ୍କ ପୁତ୍ର ଦ୍ୱିତୀୟ ଚାର୍ଲସ୍‌କୁ ରାଜା ବୋଲି ଘୋଷଣା କରି ସାଧାରଣତନ୍ତ୍ରର ବିଦ୍ରୋହୀ ହୋଇଥିଲେ । କ୍ରମଓୟେଲ୍‌ ଏ ବିଷୟ ଶୁଣିବା ମାତ୍ରେ ବହୁତ ସୈନ୍ୟ ସହ ଆୟର୍ଲାଣ୍ଡ ଆକ୍ରମଣ କଲେ । ସେ ଗୋଟିଏ ପରେ ଗୋଟିଏ ନଗର ଅଧିକାର କଲେ, ବହୁ ଦୁର୍ଗ ଧ୍ୱଂସ କଲେ ଓ ଅଂସଖ୍ୟ ଆଇରିଶ୍‌ଙ୍କୁ ନିଷ୍ଠୁର ଭାବରେ ହତ୍ୟା କରିଥିଲେ । ଶତ ଶତ ଲୋକ ଭୂସମ୍ପତ୍ତିରୁ ବଞ୍ଚିତ ହେଲେ । ସେ ଅତି ନିଷ୍ଠୁର ଓ ଅମାନୁଷିକ ଭାବରେ ଆୟର୍ଲାଣ୍ଡର ବିଦ୍ରୋହ ଦମନ କରିଥିଲେ ।

 

ସ୍କଟ୍‌ଲାଣ୍ଡର ବିଦ୍ରୋହ ଦମନ – ଇତି ମଧ୍ୟରେ ଦ୍ୱିତୀୟ ଚାର୍ଲସ୍‌ ଆୟର୍ଲାଣ୍ଡକୁ ସ୍କଟ୍‌ଲାଣ୍ଡକୁ ପଳାଇ ଯାଥଇଲେ । ସେଠାରେ ଲୋକମାନେ ତାଙ୍କୁ ରାଜା ବୋଲି ସ୍ୱୀକାର କରିଥିଲେ । କ୍ରମଓୟେଲ୍‌ ସ୍କଟଲାଣ୍ଡକୁ ଯାଇ ଡନବାର ନାମକ ଯୁଦ୍ଧରେ ସ୍କଚ୍‌ ସୌନ୍ୟମାନଙ୍କୁ ସମ୍ପୂର୍ଣ୍ଣରୂପେ ପରାସ୍ତ କରିଥିଲେ । ଏହା ଦେଖି ଚାର୍ଲସ୍‌ ଇଂଲାଣ୍ଡକୁ ନିଜ ଭାଗ୍ୟ ପରୀକ୍ଷା କରିବାକୁ ପଳାଇ ଆସିଲେ । ଇଂଲାଣ୍ଡର ଅନେକ ଲୋକ ତାଙ୍କୁ ସାହାଯ୍ୟ ଦେଇଥିଲେ । କ୍ରମଓୟେଲ୍‌ ତାଙ୍କର ପଶ୍ଚାଦ୍ଧାବନ କରି ତାଙ୍କର ସୈନ୍ୟମାନଙ୍କୁ ପରାସ୍ତ କଲେ । ତହୁଁ ଚାର୍ଲସ୍‌ ନିଜ ପ୍ରାଣରକ୍ଷା ପାଇଁ ଫ୍ରାନ୍ସକୁ ପଳାଇଗଲେ ।

 

ରମ୍ପର ଧ୍ୱଂସ – ଏହି ଦୁଇଟି ବଦ୍ରୋହକୁ ସମ୍ପୂର୍ଣ୍ଣରୂପେ ଦମନ କରିବାରୁ କ୍ରମଓୟେଲ୍‌ଙ୍କ ପ୍ରତିପତ୍ତି ଓ ପ୍ରଭାବ ଯଥେଷ୍ଟ ବୃଦ୍ଧିଲାଭ କଲା । କିନ୍ତୁ ଆଇନ ଅନୁଯାୟୀ ତାଙ୍କର କୌଣସି ପ୍ରକୃତ କ୍ଷମତା ନ ଥିଲା; ସେ କେବଳ ଜଣେ ସୁଦକ୍ଷ ସେନାନାୟକ ଥିଲେ ।ରମ୍ପହ ରାଜ୍ୟର ପ୍ରକୃତ ଶାସନକର୍ତ୍ତା ଥିଲା । କିନ୍ତୁ ଏଥିରେ ରାଜ୍ୟର ପ୍ରକୃତ ପ୍ରତିନିଧି ନ ଥିଲେ । ରମ୍ପର ସଭ୍ୟମାନେ ବିଶେଷ ସ୍ୱାର୍ଥପରତା ଓ ନୀଚତାର ଆଶ୍ରୟ ନେଲେ । ତେଣୁ କ୍ରମଓୟେଲ ଶୀଘ୍ର ଏହାକୁ ତଡ଼ି ନୂତନ ନିର୍ବାଚନ କରିବା ପାଇଁ ଇଚ୍ଛା ପ୍ରକାଶ କଲେ । କିନ୍ତୁ ସେମାନେ ଆଦୌ କ୍ଷମତା ଛାଡ଼ିବାକୁ ଇ‌ଚ୍ଛୁକ ନ ଥିଲେ । କ୍ରମଓୟେଲ୍‌ ଦିନେ କେତେକ ସୈନ୍ୟ ସହ ପାର୍ଲାମାଣ୍ଟ ଗୃହରେ ପ୍ରବେଶ କରି ରମ୍ପର ସଭ୍ୟମାନଙ୍କୁ ବଳ ପୂର୍ବକ ତଡ଼ିଦେଲେ ଏବଂ କମନ୍ସ ସଭାଗୃହର ଦ୍ୱାରରେ ତାଲା ପକାଇ ଦେଲେ । ଏହିରୂପେ ସୈନ୍ୟମାନେ ରାଜପଦ ଓ ଲର୍ଡସଭା ଧ୍ୱଂସ କରି ସାଧାରଣତନ୍ତ୍ରର ମଧ୍ୟ ଧ୍ୱଂସ ସାଧନ କଲେ ।

 

କ୍ରମଓୟେଲ୍‌ଙ୍କ ଶାସନ - (ଖ୍ରୀ: ଅ: ୧୬୫୩-୧୬୫୮) ଏହାପରେ କ୍ରମଓୟେଲ ନିଜ ଧର୍ମମତାବଲମ୍ବୀମାନଙ୍କ ଦ୍ୱାରା ନିର୍ବାଚିତ ୧୪୦ ଜଣ ସଭ୍ୟ ବିଶିଷ୍ଟ ଗୋଟିଏ ପାର୍ଲାମେଣ୍ଟ ଗଠନ କଲେ । ଏହାର ନାମ ‘ବେୟାର ବୋନ୍‌ ପାର୍ଲାମେଣ୍ଟ’ ‘Barebones Parliament’ । ସେ ସଭ୍ୟମାନଙ୍କର ଶାସନତନ୍ତ୍ର ସମ୍ବଦ୍ଧୀୟ କୌଣସି ଜ୍ଞାନ ନ ଥିବାରୁ ସେମାନେ ଅଳ୍ପକାଳ ମଧ୍ୟରେ କ୍ରମଓୟେଲ୍‌ଙ୍କ ହସ୍ତରେ ସମସ୍ତ କ୍ଷମତା ଅର୍ପଣ କରି ସ୍ୱସ୍ୱ ଗୃହକୁ ଚାଲିଗଲେ । ‘ଇନଷ୍ଟ୍ରୁମେଣ୍ଟ ଅଫ୍‌ ଗଭର୍ଣ୍ଣମେଣ୍ଟ’ ‘Instrument of Goverment’ ନାମକ ଗୋଟିଏ ଶାସନ ଖସଡ଼ା ଅନୁଯାୟୀ କ୍ରମଓୟେଲ୍‌ ଖ୍ରୀ: ଅ: ୧୬୫୩ରେ ଆଜୀବନ ଇଂଲାଣ୍ଡ, ସ୍କଟଲାଣ୍ଡ ଓ ଆୟର୍ଲାଣ୍ଡ ରାଜ୍ୟତ୍ରୟର ଲର୍ଡ ପ୍ରୋଟେକ୍ଟର (Lord Protector) ବା ଦେଶର ରକ୍ଷାକର୍ତ୍ତା ଉପାଧି ଗ୍ରହଣ କଲେ । ରାଜାଙ୍କର ସମସ୍ତ କ୍ଷମତା ତାଙ୍କୁ ଅର୍ପିତ ହେଲା । ସେ ନୂତନ ନିର୍ବାଚିତ ଗୋଟିଏ ପାର୍ଲାମେଣ୍ଟ ସାହାଯ୍ୟରେ ରାଜ୍ୟ ଶାସନ କଲେ । ଏହି ପାର୍ଲାମେଣ୍ଟରେ କେବଳ କମନ୍ସ ସଭା ଥିଲା ଓ ଏଥିରେ ସର୍ବପ୍ରଥମେ ଇଂଲାଣ୍ଡ, ସ୍କଟ୍‌ଲାଣ୍ଡ ଓ ଆୟର୍ଲାଣ୍ଡ ରାଜ୍ୟକ୍ରୟରୁ ପ୍ରତିନିଧିମାନେ ଏକତ୍ର ଉପବେଶନ କରିଥିଲେ । କିନ୍ତୁ ତାହା କ୍ରମଓୟେଲ୍‌ଙ୍କ ମତକୁ ସମର୍ଥନ ନ କରିବାରୁ ସେ ତାକୁ ଅଳ୍ପଦିନ ମଧ୍ୟରେ ଭାଙ୍ଗି ଦେଲେ । ଏହାପରେ ସେ ସେନା ସାହାଯ୍ୟରେ ଓ ବିନା ପାର୍ଲାମେଣ୍ଟରେ ଦୁଇବର୍ଷ ରାଜ୍ୟ ଶାସନ କଲେ । ସେ ପ୍ରଥମ ଚାର୍ଲସ୍‌ଙ୍କ ପରି ସ୍ୱେଚ୍ଛାଚାରୀ ଓ ଲୋକମତ ବିରୋଧୀ ହୋଇ ପଡ଼ିଲେ । କିନ୍ତୁ ତାଙ୍କର ସୁଶିକ୍ଷିତ ସୈନ୍ୟବାହିନୀ ଥିବାରୁ କେହି ତାଙ୍କ ବିରୁଦ୍ଧରେ ବିଦ୍ରୋହ କରିବାକୁ ସାହସ କରୁ ନ ଥିଲେ ।ଖ୍ରୀ: ଅ: ୧୬୫୬ରେ ସେ ଆଉ ଥରେ ପାର୍ଲାମେଣ୍ଟ ଡକାଇଥିଲେ । ତାହା ମଧ୍ୟ ଅଳ୍ପକାଳ ସ୍ଥାୟୀ ହୋଇଥିଲା । ଏହାପରେ ସେ ମୃତ୍ୟୁ ପର୍ଯ୍ୟନ୍ତ ଆଉ ପାର୍ଲାମେଣ୍ଟ ଡକାଇ ନ ଥିଲେ ।

 

କ୍ରମଓୟେଲ୍‌ଙ୍କ ବୈଦେଶିକ ନୀତି :- ସେ ସମୟରେ ହଲାଣ୍ଡର ଲୋକେ (ଡଚ୍‌ ବା ଓଲନ୍ଦାଜମାନେ) ନୌବାଣିଜ୍ୟ କ୍ଷେତ୍ରରେ ଇଂରେଜମାନଙ୍କର ପ୍ରଧାନ ପ୍ରତିଦ୍ୱନ୍ଦୀ ଥିଲେ । ସେମାନଙ୍କର ଶତ ଶତ ବାଣିଜ୍ୟ ପୋତ ସେ ସମୟରେ ବୈଦେଶିକମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିଲା । ତେଣୁ ସେମାନଙ୍କର ନୌବାଣିଜ୍ୟ ହ୍ରାସ କରିବା ପାଇଁ ରମ୍ପ ଖ୍ରୀ: ଅ: ୧୬୫୧ରେ ‘ନୌଚାଳନ ଆଇନ’ Navigation Act ପ୍ରଣୟନ କରିଥିଲେ । ଏହାଦ୍ୱାରା ବୈଦେଶିକ ବଣିକମାନେ ଇଂରେଜ ପୋତ ବା ସ୍ୱଦେଶର ପୋତ ବ୍ୟତୀତ ଅନ୍ୟ କୌଣସି ଜାତିର ପୋତରେ ଇଂଲାଣ୍ଡକୁ ବାଣିଜ୍ୟ ଦ୍ରବ୍ୟ ନବା ଆଣିବା ନିଷିଦ୍ଧ ହୋଇଥିଲା । ଏଥିରେ ଡ଼ଚ୍‌ମାନଙ୍କର ବିଶେଷ କ୍ଷତି ହେବାରୁ ସେମାନେ ଇଂଲାଣ୍ଡ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ଇଂରେଜମାନେ ଡ଼ଚ୍‌ମାନଙ୍କ ସଙ୍ଗେ ବହୁତ ନୌଯୁଦ୍ଧ କରି ପରିଶେଷରେ ସେମାନଙ୍କୁ ପରାସ୍ତ କରିଥିଲେ । ବ୍ଳେକ୍‌ ନାମକ ନୌଚାଳକ ଏହି ଯୁଦ୍ଧରେ ବିଶେଷ କୃତିତ୍ୱ ଦେଖାଇଥିଲେ । ଖ୍ରୀ: ଅ: ୧୬୫୪ରେ ଉଭୟ ରାଜ୍ୟ ମଧ୍ୟରେ ସନ୍ଧି ହେଲା । ଡ଼ଚ୍‌ମାନେ ଇଂରେଜମାନଙ୍କ ଦାବୀ ସ୍ୱୀକାର କଲେ ଓ ଦ୍ୱିତୀୟ ଚାର୍ଲସ୍‌ଙ୍କୁ କୌଣସି ସାହାଯ୍ୟ ନ ଦେବାକୁ ସମ୍ମତ ହେଲେ । ଏହା ଦ୍ୱାରା ଏଲିଜାବେଥ୍‌ଙ୍କ ରାଜତ୍ୱ ପରେ ସମୁଦ୍ରରେ ଇଂଲାଣ୍ଡର ଆଧିପତ୍ୟ ପୁନଃ ପ୍ରତିଷ୍ଠିତ ହେଲା । କ୍ରମଓୟେଲ୍‌ ଫରାସୀମାନଙ୍କ ସହିତ ମିଳିତ ହୋଇ ସ୍ପେନୀୟମାନଙ୍କୁ ପରାସ୍ତ କଲେ । ଏହା ଫଳରେ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜସ୍ଥ ଜେମେକା ଦ୍ୱୀପ ଓ ଇଉରୋପର ଡନକାର୍କ୍‌ ନାମକ ସ୍ଥାନ ଇଂରେଜମାନେ ପାଇଲେ । କ୍ରମଓୟେଲ୍‌ଙ୍କ ବୈଦେଶିକ ନୀତି ବଡ଼ ବିଚକ୍ଷଣ ଥିଲା ଏବଂ ଏହା ଦ୍ୱାରା ଇଉରୋପରେ ଇଂଲାଣ୍ଡର ସମ୍ମାନ ଓ ପ୍ରତିପତ୍ତି ଯଥେଷ୍ଟ ବୃଦ୍ଧି ଲାଭ କରିଥିଲା ।

 

କ୍ରମଓୟେଲ୍‌ଙ୍କ ଶାସନ ନୀତି :- କ୍ରମଓୟେଲ୍‌ଙ୍କ ଅଳ୍ପକାଳ ସ୍ଥାୟୀ ଶାସନକାଳ ମଧ୍ୟରେ ଦେଶରେ ଶାନ୍ତି ପ୍ରତିଷ୍ଠିତ ଓ ଦେଶର ନାନାବିଧ ଉନ୍ନତି ହୋଇଥିଲା । ସେ କ୍ୟାଥ୍‌ଲିକ୍‌ମାନଙ୍କ ବ୍ୟତୀତ ସବୁ ଶ୍ରେଣୀର ପ୍ରୋଟେଷ୍ଟାଣ୍ଟମାନଙ୍କୁ ସ୍ୱସ୍ୱ ମତାନୁଯାୟୀ ଉପାସନା କରିବାର ଅଧିକାର ଦେଇଥିଲେ । କିନ୍ତୁ ଯେଉଁ ପ୍ରଜାମାନେ ନିଜର ସ୍ୱାଧୀନତା ପାଇବା ପାଇଁ ନିଜର ରାଜାଙ୍କୁ ମାରିଥିଲେ, ସେମାନେ ତାହା ନ ପାଇ ହତାଶ ହେଲେ । କ୍ରମୟେଲ୍‌ଙ୍କ ଯଥେଚ୍ଛାଚାରିତା, ଅତ୍ୟାଚାର ଓ ଅଯଥା ହସ୍ତକ୍ଷେପ ଚାର୍ଲସ୍‌ଙ୍କଠାରୁ କୌଣସି ପ୍ରକାର ନ୍ୟୁନ ନ ଥିଲା । କିନ୍ତୁ ସୈନ୍ୟାଧ୍ୟକ୍ଷ ରୂପେ ସେ ଯେପରି ଅସାଧାରଣ ବୀରତ୍ୱ ପ୍ରଦର୍ଶନ କରିଥିଲେ, ରାଜନୀତି କ୍ଷେତ୍ରରେ ସେ ସେପରି ଅସାଧାରଣ ପ୍ରତିଭାର ପରିଚୟ ଦେଇଥିଲେ । ସେ ପାର୍ଲାମେଣ୍ଟ୍‌ ସହିତ ବହୁଥର କଳହ କରିଥିଲେ ମଧ୍ୟ ତାଙ୍କର ଅସାଧାରଣ ବ୍ୟକ୍ତିତ୍ୱ ନିକଟରେ ତାହା ମୁଣ୍ଡ ଟେକିବାକୁ ସମର୍ଥ ହୋଇ ନ ଥିଲା । ସେ ବଡ଼ ଦୂରଦର୍ଶୀ ଥିଲେ ଓ ତାଙ୍କ ପାର୍ଲାମେଣ୍ଟରେ ପ୍ରଥମେ ଇଂଲାଣ୍ଡ, ସ୍କଟ୍‌ଲାଣ୍ଡ ଓ ଆୟର୍ଲାଣ୍ଡର ପ୍ରତିନିଧିମାନଙ୍କୁ ସ୍ଥାନ ଦେଇଥିଲେ । କିନ୍ତୁ ରାଜଭକ୍ତ ଇଂରେଜ, ସ୍କଚ୍‌ ଓ ଆଇରିଶ୍‌ମାନେ, ଧର୍ମଯାଜକ ସଂପ୍ରଦାୟ ଓ ରୋମାନ୍‌ କ୍ୟାଥଲିକ୍‌ ସଂପ୍ରଦାୟ ତାଙ୍କୁ ଘୃଣା କରୁଥିଲେ ।

 

ଦ୍ୱିତୀୟଚାର୍ଲ୍‌ସଙ୍କର ରାଜତ୍ୱ ଲାଭ The Restoration :- କ୍ରମଓୟେଲ୍‌ ଖ୍ରୀ: ଅ: ୧୬୫୮ରେ ପ୍ରାଣତ୍ୟାଗ କଲେ । ତାଙ୍କ ମୃତ୍ୟୁପରେ ତାଙ୍କ ପୁତ୍ର ରିଚାର୍ଡ଼ କ୍ରମଓୟେଲ୍‌ ରାଜ୍ୟଭାର ଗ୍ରହଣ କଲେ । ସେ ବଡ଼ ଅଳସୁଆ, ଅକର୍ମଣ୍ୟ ଥିଲେ ଓ ପ୍ରାଧାନ୍ୟ, ପ୍ରଭାବ ବିସ୍ତାର କାରିବା ପାଇଁ ତାଙ୍କର ବିଶେଷ ଆଗ୍ରହ ନ ଥିଲା । ସେ ରାଜା ହୋଇ ପାର୍ଲାମେଣ୍ଟ୍‌ ଆହ୍ୱାନ କରିଥିଲେ । କିନ୍ତୁ ସେନା ବା ପାର୍ଲାମେଣ୍ଟ୍‌ କାହାରିକୁ ଆୟତ୍ତ କରିପାରିଲେ ନାହିଁ । ପାର୍ଲାମେଣ୍ଟ୍‌ ଓ ସୈନ୍ୟମାନଙ୍କ ମଧ୍ୟରେ କଳହ ହେବାରୁ ସେ ଶାସନଭାର ପରିତ୍ୟାଗ କଲେ । ଦେଶରେ ପୁନର୍ବାର ଅଶାନ୍ତ ଓ ଅରାଜକତା ପ୍ରବଳ ହେଲା । ଇଂଲାଣ୍ଡର ଲୋକମାନେ ପୁନର୍ବାର ରାଜାଙ୍କ ଅଧୀନରେ ରହିବା ପାଇଁ ବିଶେଷ ଆଗ୍ରହ ପ୍ରକାଶ କଲେ । ସେ ସମୟରେ ସ୍କଟ୍‌ଲାଣ୍ଡର ସୈନ୍ୟଦଳର ନେତା ଜେନେରାଲ ‘ମଙ୍କ’ ଦ୍ୱିତୀୟ ଚାର୍ଲସ୍‌ଙ୍କୁ ରାଜ୍ୟଭାର ଦେବା ପାଇଁ ଚେଷ୍ଟା କଲେ । ଏଥିପାଇଁ ଦୀର୍ଘ ପାର୍ଲାମେଣ୍ଟର ଅନୁମତି ନେଇ ଗୋଟିଏ କାର୍ଲାମେଣ୍ଟ୍‌ ଆହୂତ ହୋଇଥିଲା । ଏହି ପାର୍ଲାମେଣ୍ଟ୍‌ କୌଣସି ରାଜାଙ୍କ ଦ୍ୱାରା ଆହୂତ ହୋଇ ନ ଥିବାରୁ ଏହାର ନାମ ‘କନ୍‌ଭେନ୍‌ସନ୍‌ ପାର୍ଲାମେଣ୍ଟ୍‌’ । ଏହାର ଆହ୍ୱାନରେ ଦ୍ୱିତୀୟ ଚାର୍ଲ୍‌ସ୍‌ ଇଂଲାଣ୍ଡକୁ ଆସି ସିଂହାସନ ଆରୋହଣ କଲେ । ତାଙ୍କର ରାଜତ୍ୱ ଲାଭ ‘ରେଷ୍ଟୋରେସନ୍‌’ ନାମରେ ବିଦିତ ।

 

ଚତୁର୍ଥ ଅଧ୍ୟାୟ

ଦ୍ୱିତୀୟ ଚାର୍ଲ୍‌ସ୍ (ଖ୍ରୀ:ଅ:୧୬୬୦- ୧୬୮୫ )

 

ପ୍ରଧାନ ପ୍ରଧାନ ଘଟଣାର ସମୟ :-

ଖ୍ରୀ:ଅ: ୧୬୬୦-

ଦ୍ୱିତୀୟ ଚାର୍ଲସଙ୍କ ସିହାସନାରୋହଣ ।

ଖ୍ରୀ:ଅ: ୧୬୬୧-

ଜାଭାଲିୟର ପାର୍ଲାମେଣ୍ଟର ଅଧିବେଶନ ।

ଖ୍ରୀ:ଅ: ୧୬୬୫-

ଇଂଲଣ୍ଡରେ ପ୍ଲେଗ ବ୍ୟାଧି ପ୍ରସାର ।

ଖ୍ରୀ:ଅ: ୧୬୬୭-

ଲଣ୍ଡନରେ ଅଗ୍ନି ଦାହ ।

ଖ୍ରୀ:ଅ: ୧୬୭୩-

ଟେଷ୍ଟ ଆକ୍ଟ ପରଣୟନ ।

ଖ୍ରୀ:ଅ: ୧୬୭୮-

ପପିସ୍ ଷଡଯନ୍ତ୍ର ।

ଖ୍ରୀ:ଅ: ୧୬୮୫-

ଦ୍ୱିତୀୟ ଚାର୍ଲସଙ୍କ ମୃତ୍ୟୁ ।

କଥିତ ଅଛି ଯେ ତାଙ୍କପରି ଆମୋଦପ୍ରୀୟ ରାଜା ଇଂଲଣ୍ଡର ସିଂହାସନରେ ଏପର୍ଯ୍ୟନ୍ତ କେହି ବସି ନାହାନ୍ତି । ତାଙ୍କ ରାଜତ୍ୱରେ ଆମୋଦପ୍ରିୟତା ଇଂଲଣ୍ଡର ସର୍ବତ୍ର ସଂକ୍ରମଣ ରୋଗ ପରି ବ୍ୟାପି ଯାଇଥିଲା । ପିତା ଓ ପିତାମହଙ୍କ ପରି ନିଜର ପ୍ରକୃତ ଓ ଆଧିପତ୍ୟ ବିସ୍ତାର କରି ଏକଛତ୍ର ଶାସନ ଚଳାଇବା ପାଇଁ ସେ ଲୋକମତକୁ ଦଳିତ କରିବାପାଇଁ ଚେଷ୍ଟା କରୁ ନ ଥିଲେ; ତେଣୁ ତାଙ୍କ ରାଜତ୍ୱରେ ପାର୍ଲାମେଣ୍ଟର କ୍ଷମତା ବିଶେଷ ବଢିଗଲା ।

 

ଚାର୍ଲସ୍‌ଙ୍କ ରାଜତ୍ୱ ଲାଭ ପରେ ଦେଶରେ ଅବସ୍ଥା :- ଚାର୍ଲସ୍‌ ସିଂହାସନ ଆରୋହଣ କରିବା ପରେ କନ୍‌ଭେନ୍‌ସନ୍‌ ପାର୍ଲାମେଣ୍ଟ୍‌ ସାହାହ୍ୟରେ ସବୁ କ୍ଷେତ୍ରରେ ଅନେକ ପରିବର୍ତ୍ତନ କରାଇଥିଲେ । କ୍ରମଓୟେଲ୍‌ଙ୍କ ସେନାଦଳ ଭାଙ୍ଗି ଦିଆଗଲା, କେବଳ ରାଜ୍ୟରକ୍ଷା ପାଇଁ କେତେକ ସ୍ଥାୟୀ ଭାବରେ ରଖିବାର ବ୍ୟବସ୍ଥା ହେଲା । ତାହା (Standing army) ବା ସ୍ଥାୟୀ ସେନା ନାମରେ ଖ୍ୟାତ । କ୍ରମଓୟେଲ ପାର୍ଲାମେଣ୍ଟ୍‌ ଇଲାଣ୍ଡ ସ୍କଟ୍‌ଲାଣ୍ଡ ଓ ଆୟରର୍ଲାଣ୍ଡର ପୂର୍ବପରି ତିନିରାଜ୍ୟରେ ତିନୋଟି ପାର୍ଲାମେଣ୍ଟ୍‌ ରହିଲା । ସ୍କଟଲାଣ୍ଡରେ ବିଷପମାନଙ୍କର କ୍ଷମତା ପୁନଃ ପ୍ରତିଷ୍ଠିତ ହେଲା ଓ ପ୍ରେସବିଟୟାନ୍‌ମାନଙ୍କ ପ୍ରତି କଠୋର ନୀତି ପ୍ରୟୋଗ କରାଗଲା । ଇଂଲାଣ୍ଡର ଧର୍ମମନ୍ଦିର ସମୂହର ବିଧି ବ୍ୟବସ୍ଥା ରାଷ୍ଟ୍ରବିପ୍ଳବ ପୂର୍ବରୁ ଯେପରି ଥିଲା ବର୍ତ୍ତମାନ ସେହିପରି ରହିଲା-। ଉପାସନା ପୁସ୍ତକର ବ୍ୟବହାର ଓ ବିଷପମାନଙ୍କର ପ୍ରାଧାନ୍ୟ ପୂର୍ବବତ୍‌ ଅକ୍ଷୁର୍ଣ୍ଣ ରହିଲା । ପ୍ରୋଟେଷ୍ଟାଣ୍ଟମାନେ ଉତ୍ପାଡ଼ିତ ହେଲେ । ରେଷ୍ଟୋରେସନ୍‌ ଦ୍ୱାରା କେବଳ ଯେ ଚାର୍ଲସ୍‌ ସିଂହାସନ ଲାଭକଲେ ତାହା ନୁହେଁ, ଇଂଲାଣ୍ଡ ଅନେକ ବିଷୟରେ ପୂର୍ବର ଅବସ୍ଥାକୁ ଫେରିଗଲା ।

 

କାତ୍ତାଲିୟର ପାର୍ଲାମେଣ୍ଟ୍‌ (ଖ୍ରୀ: ଅ: ୧୬୬୧) :- ଚାର୍ଲସ୍‌ ରାଜ୍ୟଭାର ଗ୍ରହଣ କରିବାର କିଛିଦିନ ପରେ କନ୍‌ଭେନ୍‌ସନ୍‌ ପାର୍ଲାମେଣ୍ଟକୁ ଭାଙ୍ଗି ନୂତନ ପାର୍ଲାମେଣ୍ଟ୍‌ ଡକାଇଲେ । ରାଜପକ୍ଷୀୟ (Cavalier or Royalist) ଅଧିକାଂଶ ବ୍ୟକ୍ତି ଏହାର ସଭ୍ୟରୂପେ ନିର୍ବାଚିତ ହୋଇଥିବାରୁ ଏହା କାଭାଳିୟର ପାର୍ଲାମେଣ୍ଟ ନାମରେ ଖ୍ୟାତ ହେଲା ।ଅର୍ଲ୍ ଅଫ୍ କ୍ଳାରେଣ୍ଡନ ରାଜାଙ୍କ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହାର ବୈଠକ ହେବା ସଙ୍ଗେ ସଙ୍ଗେ ଏହାର ସଭ୍ୟମାନେ ସକଳ ପ୍ରକାର ପ୍ରୋଟେଷ୍ଟାଣ୍ଟମାନଙ୍କ ଉପରେ ( ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବା ନିମିତ୍ତ ) ସେମାନଙ୍କ ବିରୁଦ୍ଧରେ କଠୋର ନିୟମମାନ ପ୍ରଣୟନ କରିଥିଲେ । କର୍ପୋରେସନ୍‌ ଆକ୍ଟ (Corporation Act) ଦ୍ୱାରା ପ୍ରତ୍ୟେକ ମ୍ୟୁନିସିପାଲିଟି ଅଧୀନରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ପାଇଁ ଇଂଲାଣ୍ଡରେ ପ୍ରବର୍ତ୍ତିତ ଧର୍ମମତାନୁଯାୟୀ ଉପାସନା କରିବା ବାଧ୍ୟତାମୂଳକ ହେଲା । କନ୍‌ଭେଣ୍ଟିକଲ୍‌ ଆକ୍ଟ୍‌ (Conventicle Act) ଦ୍ୱାରା ସ୍ଥିର ହେଲା ଯେ ପ୍ରତ୍ୟେକ ବ୍ୟକ୍ତି ଇଂଲାଣ୍ଡର ପ୍ରତିଷ୍ଠିତ ହାଇଚର୍ଚ୍ଚ୍‌ରେ ଉପାସନା କରିବାକୁ ବାଧ୍ୟ । ଏହା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଉପାସନା ପାଇଁ ପାଞ୍ଚଜଣରୁ ଅଧିକ ଲୋକ ସମାବେଳ ହେବା ବେଆଇନ ବୋଲି ଘୋଷିତ ହେଲା । ପାଞ୍ଚମାଇଲ ଆଇନ୍‌ (Five miles Act) ଦ୍ୱାରା ନିଶ୍ଚିତ ହେଲା ଯେ କୌଣସି ବିତାଡ଼ିତ ଧର୍ମଯାଜକ କୌଣସି ନଗରର ପାଞ୍ଚମାଇଲ ମଧ୍ୟରେ ଅଧ୍ୟାପନା ବା ବାସ କରିପାରିବ ନାହିଁ । ଆକ୍ଟ ଅଫ୍‌ ଇଉନିଫରମିଟି (Act Uniformity) ବଳରେ ପ୍ରତ୍ୟେକ ବ୍ୟକ୍ତି ଉପାସନା ପୁସ୍ତକ ଓ ୩୯ଟି ଆର୍ଟିକିଲ (39 articles) ବ୍ୟବହାର କରିବାକୁ ବାଧ୍ୟ ହେଲେ । ପ୍ରୋଟେଷ୍ଟାଣ୍ଟମାନଙ୍କ ବିରୁଦ୍ଧରେ ଏହି ସମସ୍ତ କଠୋର ନିୟମ ରାଜା ତାଙ୍କର ପ୍ରଧାନମନ୍ତ୍ରୀ କ୍ଳାରେଣ୍ଡନ୍‌ଙ୍କ ପରାମର୍ଶରେ ପ୍ରବର୍ତ୍ତନ କରିଥିବାରୁ ଏଗୁଡ଼ିକ କ୍ଳାରେଣ୍ଡନ୍‌ କୋର୍ଡ଼ ‘Clarendon Code’ ବା କ୍ଳାରେଣ୍ଡନ୍‌ଙ୍କ ନିୟମ ପୁସ୍ତକ ନାମରେ ଅଭିହିତ ହୁଏ । ଅନେକ ପ୍ୟୁରିଟାନ୍‌ ଉପରୋକ୍ତ ବିଧି ବ୍ୟବସ୍ଥା ସହିତ ଏକ ଭାବରେ ଚଳିବା ଅସମ୍ଭବ ମନେ କରି ପ୍ରତିବାଦ କରିଥିଲେ । ସେମାନଙ୍କର ନାମ ହେଲା ଡ଼ିସେଣ୍ଟଇସ୍‌ (Dissenters) ବା ନନ୍‌କନଫରମିଷ୍ଟସ୍‌ (Nonconformists) । (Dissent ଓ Nonconform ର ଅର୍ଥ ଏକମତ ନହେବା ) ସେମାନେ ନାନାଭାବରେ ଉତ୍ପୀଡ଼ିତ ଓ ଅତ୍ୟାଚାରିତ ହେଲେ ।

 

ଇଂଲାଣ୍ଡରେ ପ୍ଳେଗ ବ୍ୟାଧିର ପ୍ରସାର- (ଖ୍ରୀ: ଅ: ୧୬୬୫) ଓ ଲଣ୍ଡନର ଅଗ୍ନିକାଣ୍ଡ (ଖ୍ରୀ: ଅ: ୧୬୬୬) ଦ୍ୱିତୀୟ ଚାର୍ଲସ୍‌ଙ୍କ ରାଜତ୍ୱରେ ଦୁଇଟି ଭୀଷଣ ଦୈବୀବିପତ୍ତି ଘଟିଥିଲା । ପ୍ରଥମଟି ଇଂଲାଣ୍ଡରେ ମାରାତ୍ମକ ପ୍ଳେଗବ୍ୟାଧିର ପ୍ରସାର ଓ ଦ୍ୱିତୀୟଟି ଲଣ୍ଡନର ଭୟାବହ ଅଗ୍ନିକାଣ୍ଡ । ତତ୍‌କାଳୀନ ନଗର- ମାନଙ୍କର ଅବସ୍ଥା ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ଥିବାରୁ ପ୍ଲେଗ ରୋଗ ସଂକ୍ରାମକ ଭାବରେ ଇଂଲାଣ୍ତରେ ବ୍ୟାପିଥିଲା, ସହସ୍ର ସହସ୍ର ଲୋକ ଏହି ନଗରରେ ପଡି ଅକାଳରେ ପ୍ରାଣ ହରାଇଲେ । ଲଣ୍ତନ ସହରରେ ଏହି ରୋଗ ବହୁତ ଆକ୍ରାନ୍ତ ହୋଇଥିଲା । ଅନେକ ଲୋକ ଉକ୍ତ ସହର ଛାଡି ସୁଦୂର ପଲ୍ଲୀମାନଙ୍କୁ ପଳାଇଗଲେ । କେବଳ ପୀଡିତ ବ୍ୟକ୍ତି ଓ ଧର୍ମଯାଜକମାନେ ନଗରରେ ରହିଥିଲେ । ସେ ସମୟରେ ଧର୍ମଯାଜକ ମାନେ ଲୋକମାଙ୍କର ବିଶେଷ ସେବା ଶୁଶ୍ରୂଷା କରିଥିଲେ । ଏହି ପ୍ଲେଗପରେ ଲଣ୍ତନରେ ଗୋଟାଏ ଭୟାବହ ଅଗ୍ନିକାଣ୍ତ ଘଟିଥିଲା । ସେଥିରେ ସହସ୍ର ସହସ୍ର ଗୃହ ଭସ୍ମୀଭୂତ ହୋଇଥିଲା । ଏହା ଫଳରେ ଲଣ୍ତନ ସହରରେ ବିଶେଷ ଉନ୍ନତି ହୋଇଥିଲା । ପଥଗୁଡିକ ପ୍ରଶ୍ୱସ୍ତ ହେଲା ଓ ଲୋକମାନେ ସୁନ୍ଦର, ସୁଦୃଢ ଓ ପ୍ରଶ୍ୱସ୍ତ ଗୃହମାନ ନିର୍ମାଣ କଲେ । ଲୋକମାନେ କହିଲେ ରାଜା ଓ ତାଙ୍କର ପାରିଷଦମାନଙ୍କର ପାପ ଯୋଗୁଁ ଭଗବାନ୍‌ ଏପରି କଠୋର ଦଣ୍ତ ବିଧାନ କଲେ ।

 

କାବାଲମନ୍ତ୍ରୀତ୍ୱ-(ଖ୍ରୀ: ଅ: ୧୬୬୭-ଖ୍ରୀ: ଅ: ୧୬୭୩)-ମନ୍ତ୍ରୀ କ୍ଲାରେଣ୍ତନ୍‌ଙ୍କ ପଦତ୍ୟାଗ ପରେ କ୍ଲିଫୋର୍ଡ୍‌ (Clifford), ଆର୍ଲଣ୍ଟନ୍‌ (Arlington), ବକିଙ୍ଗହାମ୍‌ (Buck-ingham), ଆସଲେ (Ashley) ଓ ଲଡାରଡେଲ (Lau-derdale) ନାମକ ପାଞ୍ଚଜଣ ବ୍ୟକ୍ତି ରାଜାଙ୍କ ପ୍ରଧାନ ପରାମର୍ଶଦାତା ହୋଇଥିଲେ । ଏହି ପାଞ୍ଚଜଣ ମନ୍ତ୍ରୀଙ୍କ ନାମର ଆଦ୍ୟ ଅକ୍ଷର C.A.B.A.L.କୁ ସଂଯୁକ୍ତ କରି କାବାଲ ପଦ ସୃଷ୍ଟ ହୋଇଥିଲା । ରାଜା ଏହି ମନ୍ତ୍ରୀ ସଭାର ପରାମର୍ଶ ସମସ୍ତ କାର୍ଯ୍ୟ ଭାର ଟେଷ୍ଟଆକ୍‌ଟ ପ୍ରଣୟନ ପରେ ଏହି ମନ୍ତ୍ରୀ ସଭାର ଦୁଇଜଣ ସଭ୍ୟ କ୍ୟାଥଲିକ୍‌ ଥିବାରୁ ବାଧ୍ୟ ହୋଇ ମନ୍ତ୍ରୀପଦ ତ୍ୟାଗ କଲେ ଓ କାବାଲ ମନ୍ତ୍ରୀ ସଭାର ଭାଙ୍ଗିଗଲା ।

 

ଦ୍ୱିତୀୟ ଚାର୍ଲ୍‌ସ୍‌ଙ୍କ ବୈଦେଶିକ ନୀତି-ଚାର୍ଲ୍‌ସ୍‌ ୧୬୬୨ରେ ପର୍ଟୁଗାଲ ରାଜକୁମାରୀଙ୍କୁ ବିବାହ କରି ବମ୍ୱେ ଦ୍ୱୀପ ଯୈାତୁକ ସ୍ୱରୂପ ପାଇଥିଲେ । ପରେ ସେ ଏହା ଇଷ୍ଟ୍ଇଣ୍ତିଆ କମ୍ପାନୀକୁ ବିକି ଦେଇଥିଲେ । ଏହାଦ୍ୱାରା କମ୍ପାନୀର ବାଣିଜ୍ୟ ପାଇଁ ବିଶେଷ ସୁବିଧା ହେଲା । ସେହି ବର୍ଷ ସେ କ୍ରମଓୟେଲ୍‌ଙ୍କ ଦ୍ୱାରା ପ୍ରାପ୍ତ ଡନକାର୍କ୍‌ ନାମକ ସ୍ଥାନ ଫ୍ରାନ୍ସରାଜାଙ୍କୁ ବିକି ଦେବାକୁ ଇଂଲାଣ୍ତର ଲୋକେ ବିଶେଷ ଅସନ୍ତୁଷ୍ଟ ହେଲେ ।

 

ଦ୍ୱିତୀୟ ଡଚ୍‌ଯୁଦ୍ଧ- ୧୬୬୫ ରେ ବାଣିଜ୍ୟ ପ୍ରତିଯୋଗିତା ଯୋଗୁଁ ଇଂଲାଣ୍ତ ଓ ହଲାଣ୍ତ ମଧ୍ୟରେ ପୁନର୍ବାର ଯୁଦ୍ଧ ହୋଇଥିଲା । ପ୍ରଥମେ ପ୍ରଥମେ ଇଂଲାଣ୍ତ ପରାସ୍ତ ହେଲେ ମଧ୍ୟ ଶେଷରେ କୃତକାର୍ଯ୍ୟ ହୋଇଥିଲା । ଖ୍ରୀ: ଅ: ୧୬୬୭ ରେ ଉଭୟ ରାଜ୍ୟ ମଧ୍ୟରେ ସନ୍ଧି ହେଲା । ଏହା ଫଳରେ ଇଂରେଜମାନେ ଉତ୍ତର ଆମେରିକାସ୍ଥ ଡଚ୍‌ଅଧିକୃତ ‘ନିଉଆମଷ୍ଟରଡାମ’ ନାମକ ସ୍ଥାନ ପାଇଲେ । ଇଂରେଜମାନେ ଏହାକୁ ନିଉୟର୍କ ନାମ ଦେଇଥିଲେ ।

 

ଫରାସୀ ସମ୍ରାଟ୍‌ ଚତୁର୍ଦ୍ଦଶ ଲୁଇ ସମଗ୍ର ଇଉରୋପର ସମ୍ରାଟ୍‌ ହେବାକୁ । ତେଣୁ ଇଂଲାଣ୍ତ, ହଲାଣ୍ତ ଓ ସ୍ୱିଡେନ (ପ୍ରୋଟେଷ୍ଟାଣ୍ଟ୍‌ ଶକ୍ତିକ୍ରୟ) କ୍ୟାଥ୍‌ଲିକ୍‌ ଶକ୍ତି ଫ୍ରାନ ଗୋଟିଏ ସଂଘ କରିଥିଲେ । ଏହାକୁ ତ୍ରିଶକ୍ତି ସଂଘ (Tripple Alliance) ! କିନ୍ତୁ ଦ୍ୱିତୀୟ ଚାର୍ଲ୍‌ସ୍‌ ଚତୁର୍ଦ୍ଦଶ ଲୁଇଙ୍କ ସଙ୍ଗେ ପାର୍ଲାମେଣ୍ଟ୍‌୧୬୭୦ ଡୋଭର ଥରେ ଗୋଟିଏ ଗୁପ୍ତ ସନ୍ଧି (Secret Treaty of Dover) କରିଥିଲେ । ଏହି ସନ୍ଧି ଅନୁଯାୟୀ ଚାର୍ଲ୍‌ସ୍‌ ଇଂଲାଣ୍ତରେ କ୍ୟାଥଲିକ୍‌ ଧର୍ମ ଓ ନିଜେ କ୍ୟାଥଲିକ୍‌ ବୋଲି ଘୋଷଣା କରିବାକୁ ସ୍ୱୀକୃତ ହୋଇଥିଲେ । ଚତୁର୍ଦ୍ଦଶ ଲୁଇ ଚାର୍ଲ୍‌ସ୍‌ଙ୍କୁ ବାର୍ଷିକ ୨ ଲକ୍ଷ ପାଉଣ୍ତ ଦେବାପାଇଁ ରାଜି ହେଲେ । ସେ ଡଚ୍‌ମାନଙ୍କ ବିରୁଦ୍ଧରେ ଫ୍ରାନ୍ସକୁ ସାହାର୍ଯ୍ୟ ଦେହାକୁ ମଧ୍ୟ ସମ୍ମତ ହେଲେ । ଏହି ସନ୍ଧି ପରେ ରାଜା ପାର୍ଲାମେଣ୍ଟର ବିନାନୁମତିରେ ହଲାଣ୍ତ ବିରୁଦ୍ଧରେ ଫ୍ରାନ୍ସ ସହିତ ଯୁଦ୍ଧରେ ଯୋଗ ଦେଲେ । ଏହି ଯୁଦ୍ଧ ଖ୍ରୀ: ଅ: ୧୬୭୨ ଠାରୁ ଦୁଇବର୍ଷ ଚାଲିଥିଲା । ଏଥିରେ ଇଂରେଜମାନେ ଅକୃତକାର୍ଯ୍ୟ ହୋଇଥିଲେ ।

 

ଟେଷ୍ଟ୍‌ ଆକ୍ଟ୍‌ (The Test Act) ଖ୍ରୀ: ଅ: ୧୬୭୩ :- ଦ୍ୱିତୀୟ ଚାର୍ଲସ୍‌ଙ୍କ ମାତା ଓ ସାନ ଭାଇ ଜେମ୍‌ସ୍‌ ଓ ସ୍ତ୍ରୀ କ୍ୟାଥଲିକ ଥିଲେ । ତାଙ୍କ ଯୈାବନର ପ୍ରଥମ ଭାଗ କ୍ୟାଥଲିକ୍‌ ଦେଶମାନଙ୍କରେ କଟିଥିଲେ । ତେଣୁ କ୍ୟାଥଲିକ୍‌ ଧର୍ମ ପ୍ରତି ତାଙ୍କର ଆନ୍ତରିକ ଶ୍ରଦ୍ଧା ଥିଲା । ସେ ଫ୍ରାନ୍ସ ରାଜାଙ୍କଠାରୁ ବାରମ୍ୱାର ପ୍ରଚୁର ଅର୍ଥ ପାଇ ଇଂଲାଣ୍ତରେ କ୍ୟାଥଲିକ୍‌ ଧର୍ମ ପାଇଁ ପ୍ରତିଶ୍ରୁତ ହୋଇଥିଲେ । ସେ ଧର୍ମ ସମ୍ୱନ୍ଧରେ ଉଦାରତା ଓ ସାମ୍ୟଭାବ ଦେଖାଇବା ଛଳରେ କ୍ୟାଥଲିକ୍‌ମାନଙ୍କୁ କେତେକ ସୁବିଧା ଦେବାକୁ ଚେଷ୍ଟା କରିଥିଲେ । ସେଥିପାଇଁ ସେ ସମସ୍ତଙ୍କୁ ସ୍ୱାଧୀନଭାବରେ ଉପାସନା କରିବା ପାଇଁ ଆଦେଶ ପ୍ରଚାର କରିଥିଲେ । ତାହା ‘ ଡିକ୍ଳାରେସନ୍‌ ଅଫ୍‌ ଇଣ୍ତଲ୍‌ ଜେନ୍ସ’ (Declaration of Indulgence) ନାମରେ ବିଦିତ । କିନ୍ତୁ ପାର୍ଲାମେଣ୍ଟ ତାଙ୍କର ଏହି ନୀତି ବିରୁଦ୍ଧରେ ତୀବ୍ର ପ୍ରତିବାଦ କରିବାରୁ ସେ ବାଧ୍ୟ ହୋଇ ଏହି ଘୋଷଣା ପ୍ରତ୍ୟାହାର କଲେ ଓ ଟେଷ୍ଟ୍‌ ଆକ୍ଟ୍‌ ରେ ନିଜର ସମ୍ମତି ଦେଇଥିଲେ । ଏହି ଆଇନ ଦ୍ୱାରା କ୍ୟାଥଲିକ୍‌ ଓ ନନ୍‌କନ- ଫରମିଷ୍ଟ୍‌ ବା ‘ଡିସେଣ୍ଟର’ ମାନେ ପାଇବେ ନାହିଁ ।

 

ଅର୍ଲ୍‌ ଅଫ୍‌ ଡାନ୍‌ବିଙ୍କ ମନ୍ତ୍ରୀତ୍ୱ :- କାବାଲ ମନ୍ତ୍ରୀସଭାର ଅବସାନ ପରେ ଅର୍ଲ ଅଫ୍‌ ଡାନବି ୬ ବର୍ଷକାଳ ରାଜାଙ୍କ ପ୍ରଧାନ ମନ୍ତ୍ରୀ ହୋଇଥିଲେ । ତାଙ୍କର ପରାମର୍ଶାନୁଯାୟୀ ଚାର୍ଲ୍‌ସୁ ତାଙ୍କ ସାନ ଭାଇ ଜେମ୍‌ସ୍‌ଙ୍କ କନ୍ୟା ମେରୀଙ୍କୁ ହଲାଣ୍ତସ୍ଥ ଅରେଞ୍ଜ ରାଜ୍ୟର ପ୍ରୋଟେଷ୍ଟ୍ରାଣ୍ଟ୍‌ ଶାସକ ଉଇଲିୟମଙ୍କ ସଙ୍ଗେ ବିବାହ କରିଥିଲେ । ଫ୍ରାନ୍ସ ସହିତ ଗୋଟିଏ ଗୁପ୍ତ ସନ୍ଧି କରିଥିବା ଅପରାଧରେ ଡାନବି ଅଭିଯୁକ୍ତ ହୋଇ ୫ ବର୍ଷ କାରାଦଣ୍ତ ପାଇଥିଲେ ।

 

ପପିସ୍‌ ଷଡଯନ୍ତ୍ର (Popish Plot) ଖ୍ରୀ: ଅ: ୧୬୭୮ :- ଏହି ସମୟରେ ଟିଟାସ ଓଟାସ Titus Oates ନାମକ ଜଣେ ବ୍ୟକ୍ତି ନିଜ ସ୍ୱାର୍ଥସିଦ୍ଧି ପାଇଁ ପ୍ରଚାର କରିଥିଲେ ଯେ କ୍ୟାଥଲିକ୍‌ମାନେ ରାଜା ଓ ପାର୍ଲାମେଣ୍ଟର ସଭ୍ୟମାନଙ୍କୁ ମାରିବା ପାଇଁ ଗୋଟିଏ ଷଡଯନ୍ତ୍ର କରିଛନ୍ତି-। ଏଥିରେ ବିଶ୍ୱାସ କରି ପାର୍ଲାମେଣ୍ଟ୍‌ କ୍ୟାଥଲିକ୍‌ମାନଙ୍କ ପ୍ରତି ଯୁଦ୍ଧ ହେଲା ଓ ଅନେକ ବିଶିଷ୍ଟ କ୍ୟାଥଲି ଅଭିଯୁକ୍ତ ହୋଇ ପ୍ରାଣତ୍ୟାଗ କରିଥିଲେ ।

 

ହେବିୟସ୍‌ କର୍ପସ୍‌ ଆକ୍ଟ୍‌ (Habeas Corpus Act) ଖ୍ରୀ: ଅ: ୧୬୭୯:- ଏହି ଆଇନ ଦ୍ୱାରା ବ୍ୟକ୍ତିଗତ ସ୍ୱାଧୀନତା ରକ୍ଷିତ ହୋଇଥିଲା । କାରଣ ନ ଦେଖାଇ କୌଣସି ଲୋକଙ୍କୁ ଗିରଫ କରିବା ବା କାରାଦଣ୍ତ ଦେବା ବେଆଇନ ବୋଲି ଏହାଦ୍ୱାରା ଘୋଷିତ ହେଲା ।

 

ହୁଇଗ୍‌ ଓ ଟୋରି ଦଳର ସୃଷ୍ଟି - ଦ୍ୱିତୀୟ ଚାର୍ଲ୍‌ସ୍‌ଙ୍କ ପରେ ତାଙ୍କ ଭାଇ ଜେମ୍‌ସ୍‌ ଇଂଲାଣ୍ତର ସ୍ଥିର ହୋଇଥିଲା । କିନ୍ତୁ ସେ ନିଜକୁ କ୍ୟାଥଲିକ୍ ବୋଲି ଘୋଷଣା କରିବାରୁ ଅନେକ ଲୋକ ଏଥିରେ ବିରକ୍ତ ହୋଇ ତାଙ୍କୁ ସିଂହାସନ ପ୍ରାପ୍ତିରୁ ବଞ୍ଚିତ କରିବାପାଇଁ ଚେଷ୍ଟା କରିଥିଲେ । ସେଥିପାଇଁ ପାର୍ଲାମେଣ୍ଟରେ ‘ଏକ୍ସକ୍ଳୁ ଜନ୍ ବିଲ୍ ’ ବା ନିଷ୍କାସନ ବିଲ୍ (Exclusion Bill) ଆଗତ ହୋଇଥିଲା । ଏହି ବିଲ୍ ଆଗତ ହେବା ମାତ୍ରେ ପାର୍ଲାମେଣ୍ଟର ସଭ୍ୟମାନେ ଦୁଇ ଦଳରେ ବିଭକ୍ତ ହୋଇଥିଲେ । ଯେଉଁମାନେ ଜେମସ୍‌ଙ୍କ ରାଜା କରିବା ପାଇଁ ରହିଲେ ସେମାନେ ଟୋରି (Tory) ଓ ଯେଉଁମାନେ ସେଥିରୁ ଆପତ୍ତି କଲେ ସେମାନେ ହୁଇଗ୍ (Whig) ନାମ ଧାରଣ କଲେ । ପୂର୍ବେ ଆୟର୍ଲାଣ୍ତର ରୋମାନ୍ କ୍ୟାଥଲିକ୍ ଦସ୍ୟୁମାନେ ଟୋରି ଓ ସ୍କଟ୍‌ଲାଣ୍ତର (ପ୍ରୋଟେଷ୍ଟାଣ୍ଟ୍) ମାନେ ହୁଇଗ୍ ନାମରେ ଅଭିହିତ ହେଉଥିଲେ । କିନ୍ତୁ ଏହି ସମୟରୁ ରାଜପକ୍ଷୀୟ ସଭ୍ୟମାନେ ଟୋରି ଓ ଲୋକମତର ସମର୍ଥକ ସଭ୍ୟମାନେ ସାଧାରଣତଃ ହୁଇଗ୍ ନାମରେ ପରିଚିତ ହେଲେ । ଏହି ବିଲ୍ ବିଚାର ପାଇଁ ଆଗତ ହେବା ମାତ୍ରେ ରାଜା ବିରକ୍ତିରେ ପାର୍ଲାମେଣ୍ଟ୍ ଭାଙ୍ଗିଦେଲେ ଓ ତାଙ୍କ ରାଜତ୍ୱର ଶେଷ ଚାରିବର୍ଷ ବିନା ପାର୍ଲାମେଣ୍ଟ୍‌ ରେ ଶାସନ କରିଥିଲେ । ପୂର୍ବରୁ କେବଳ ଧର୍ମମତର ପାର୍ଥକ୍ୟ ଯୋଗୁଁ ପାର୍ଲାମେଣ୍ଟର ସଭ୍ୟମାନେ ବିଭିନ୍ନ ଦଳରେ ବିଭକ୍ତ ହୋଇଥିଲେ । କିନ୍ତୁ ଏହି ସମୟରୁ ଶାସନତନ୍ତ୍ର ଗତ ଗୁରୁତର ବିଷୟ ନେଇ ଦଳସୁଷ୍ଟି (Party System) ଆରମ୍ଭ ହେଲା । ଏହା ପରବର୍ତ୍ତୀ କାଳର ଦଳଗତ ଶାସନର ମୂଳଭିତ୍ତି ହେଲା ।

 

ରାଇହାଉସ ଷଡ଼ଯନ୍ତ୍ର (Rye House Plot):- ଖ୍ରୀ: ଅ: ୧୬୮୩ ରେ କେତେକ ହୁଇଗ୍ ଚାର୍ଲସ୍ ଓ ତାଙ୍କ ଭାଇ ଜେମସ୍‌ଙ୍କୁ ନିଉ ମାର୍କେଟ୍‌ରୁ ଲଣ୍ତନକୁ ଆସିବା ସମୟରେ ରାଇହାଉସ ନାମକ ସ୍ଥାନରେ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ । କିନ୍ତୁ ଏହା ଧରାପଡ଼ି ଯିବାରୁ ଏହାର କେତେକ ନେତା ପ୍ରାଣଦଣ୍ତ ପାଇଥିଲେ । ଦ୍ୱିତୀୟ ଚାର୍ଲ୍‌ସ୍ ଖ୍ରୀ: ଅ: ୧୬୮୫ ରେ ପ୍ରାଣତ୍ୟାଗ କରିଥିଲେ । ମୃତ୍ୟୁ ପୂର୍ବରୁ ସେ ନିଜକୁ କ୍ୟାଥଲିକ୍ ବୋଲି ଘୋଷଣା କରିଥିଲେ ।

 

ପଞ୍ଚମ ଅଧ୍ୟାୟ

ଦ୍ୱିତୀୟ ଜେମ୍‌ସ୍ (ଖ୍ରୀ: ଅ: ୧୬୮୫-୧୬୮୮)

 

ପ୍ରଧାନ ପ୍ରଧାନ ଘଟଣାର ସମୟ –

ଖ୍ରୀ:ଅ: ୧୬୮୫-

ଦ୍ୱିତୀୟ ଚାର୍ଲ୍‌ସଙ୍କ ସିଂହାସନାରୋହଣ ଓ ଡିଉକ୍ ଅଫ ମନ୍ମାଉଥଙ୍କ ବିଦ୍ରୋହ ।

ଖ୍ର:ଅ: ୧୬୮୮-

ଉଇଲିୟମଙ୍କ ଇଂଲାଣ୍ଡ ଆଗମନ ।

ଖ୍ରୀ:ଅ: ୧୬୮୮-

ଦ୍ୱିତୀୟ ଜେମ୍‌ସ୍ ଙ୍କ ସିଂହାସନଚ୍ୟୁତି ।

 

ଦ୍ୱିତୀୟ ଜେମ୍‌ସ୍‌ଙ୍କ ସିଂହାସନାରୋହଣ – ଦ୍ୱିତୀୟ ଚାର୍ଲ୍‌ସ୍‌ଙ୍କ ପରେ ତାଙ୍କ ସାନ ଭାଇ ଦ୍ୱିତୀୟ ଜେମ୍‌ସ୍ ଇଂଲାଣ୍ତର ସିଂହାସନାରୋହାଣ କରିଥିଲେ । ସେ ବଡ଼ ସନ୍ଦେହୀ, ନିଷ୍ଠୁର ଓ ନିର୍ବୋଧ ଥିଲେ । ଇଂଲାଣ୍ତରେ ରାଜଶକ୍ତି ଓ କ୍ୟାଥଲିକ୍ ଧର୍ମର ପୁନଃ ପ୍ରତିଷ୍ଟା ତାଙ୍କ ଜୀବନର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏଥିପାଇଁ ତାଙ୍କର ପ୍ରବଳ ବ୍ୟାକୁଳତା ଯୋଗୁଁ ସେ ସିଂହାସନଚ୍ୟୁତ ହୋଇଥିଲେ ।

 

ମନ୍ମାଉଥ୍‌ଙ୍କ ବିଦ୍ରୋହ-ଦ୍ୱିତୀୟ ଚାର୍ଲ୍‌ସ୍‌ଙ୍କର ଜଣେ ଜାରଜ ସନ୍ତାନ ଥିଲେ । ମନ୍ମାଉଥ୍‌ର ଡ଼ିଉକ ଥିଲେ । ସେ ହଲାଣ୍ତକୁ ନିର୍ବାସିତ ହୋଇଥିଲେ । ଦ୍ୱିତୀୟ ଜେମ୍‌ସ୍‌ଙ୍କ ରାଜତ୍ୱ ଆରମ୍ଭ ସଙ୍ଗେ ସଙ୍ଗେ ସେ ତାଙ୍କୁ ତଡ଼ି ଇଂଲାଣ୍ତର ସିଂହାସନରେ ବସିବା ପାଇଁ ଗୋଟିଏ ଷଡ଼ଯନ୍ତ୍ର କରିଥିଲେ । ସେ ପ୍ରୋଟେଷ୍ଟାଣ୍ଟ୍ ଧାର୍ମାବଲମ୍ୱୀ ଥିଲେ । ତେଣୁ ସ୍କଟ୍‌ଲାଣ୍ତର ଲୋକମାନେ ତାଙ୍କ ସଙ୍ଗେ ଯୋଗଦେଇ ବିଦ୍ରୋହ କରିଥିଲେ । କିନ୍ତୁ ରାଜାଙ୍କ ସୈନ୍ୟମାନେ ବିଦ୍ରୋହୀମାନଙ୍କୁ ସମ୍ପୂର୍ଣ୍ଣରୂପେ ପରାସ୍ତ କରିଥିଲେ । ଜେମ୍‌ସ୍ ମନ୍‌ମାଉଥ୍‌ଙ୍କୁ ପ୍ରାଣଦଣ୍ତ ଦେଇଥିଲେ ଓ ତାଙ୍କର ସହଚରମାନଙ୍କ ଉପରେ ଭୀଷଣ ପ୍ରତିଶୋଧ ନେଇଥିଲେ । ତାଙ୍କର ଅମାନୁଷିକ ନିଷ୍ଠୁରତା ଦେଖି ଲୋକେ ଭୀତତ୍ରସ୍ତ ହୋଇଥିଲେ ।

 

ଜେମ୍‌ସ୍‌ଙ୍କ ଧର୍ମନୀତି :- ଜେମ୍‌ସ୍‌ ନିଜକୁ କ୍ୟାଥଲିକ୍ ବୋଲି ପୂର୍ବରୁ ଘୋଷଣା କରିଥିଲେ-। ହେବା ମାତ୍ର ସେ କ୍ୟାଥଲିକ୍- ମାନଙ୍କର ଅଭାବ ଅସୁବିଧା ଦୂର କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କରିଥିଲେ । ସେ ପାର୍ଲାମେଣ୍ଟ୍ ଦ୍ୱାରା ଗୃହୀତ ଓ ପ୍ରବର୍ତ୍ତତ ଆଇନମାନ ଲଙ୍ଘନ କରିଥିଲେ । ସେ ଟେଷ୍ଟ୍ଆକ୍ଟ୍ (Test Act) ର ସର୍ତ୍ତସବୁ ଭଙ୍ଗକରି କ୍ୟାଥଲିକ୍‌ମାନଙ୍କୁ ସୈନ୍ୟ, ଶାସନ ଓ ଧର୍ମ ବିଭାଗରେ ଉଚ୍ଚ କାର୍ଯମାନ ଦେଇଥିଲା । ସେ ବିରୋଧୀ ଧର୍ମଯାଜକମାନଙ୍କୁ ଶାସ୍ତି ଦେବାପାଇଁ ( ଏକ୍ଳିଜିୟାକାଲ୍ କମିସନ୍ ନାମକ ବିଚାରାଳୟ (Court of Ecclesiastical Commission) ସ୍ଥାପନ କରିଥିଲେ । ସେ ବିଶ୍ୱବିଦ୍ୟାଳୟମାନଙ୍କରେ ଲୋକମତ ପ୍ରତି ଭ୍ରୂକ୍ଷେପ ନ କରି କ୍ୟାଥଲିକ୍‌ମାନଙ୍କୁ ଉଚ୍ଚପଦରେ ନିଯୁକ୍ତ କରିଥିଲେ । ସେ ପ୍ରକାଶ୍ୟଭାବରେ ପୋପ୍‌ଙ୍କ ପ୍ରତିନିଧିଙ୍କୁ ସଂବର୍ଦ୍ଧନା କରିଥିଲେ । ଏହାପରେ ସେ କ୍ୟାଥଲିକ୍‌ମାନଙ୍କ ସୁବିଧା ପାଇଁ ଏବଂ ନନ୍‌କନ୍‌ଫରମିଷ୍ଟ୍ ମାନଙ୍କୁ ସ୍ୱପକ୍ଷକୁ ଆଣିବା ପାଇଁ ‘‘ଡ଼ିକ୍ଳାରେସନ୍ ଅଫ୍ ଇଣ୍ତଲ୍‌ଜେନ୍’’ ‘Declaration of Indulgence’ ନାମକ ଅନୁଶାସନପତ୍ର ପ୍ରଚାର କରିଥିଲେ । ଏହାଦ୍ୱାରା ରୋମାନ୍ କ୍ୟାଥଲିକ୍ ଓ ନନ୍‌କନ୍‌ଫରମିଷ୍ଟ୍‌ ମାନଙ୍କୁ ସ୍ୱାଧୀନ ଭାବରେ ସ୍ୱମତାନୁଯାୟୀ ଉପାସନା କରିବାର ଅଧିକାର ପ୍ରଦତ୍ତ ହେଲା ଓ ଟେଷ୍ଟ୍ ଆକ୍ଟ୍ ଅନୁଯାୟୀ ଶପଥ ଗ୍ରହଣ ନ କରି ମଧ୍ୟ ସେମାନେ ରାଜକାର୍ଯ୍ୟ ପାଇପାର ବ୍ୟବସ୍ଥା ହେଲା । ସେ ଧର୍ମଯାଜକମାନଙ୍କୁ ଏହି ଘୋଷଣାପତ୍ର ପ୍ରତ୍ୟେକ ଧର୍ମ ମନ୍ଦିରରେ ରବିବାର ଦିନ ପଢିବାକୁ ଆଦେଶ ଦେଇଥିଲେ । ଏହା ବିରୁଦ୍ଧରେ କ୍ୟାଣ୍ଟରବରୀର ଆର୍ଚ୍ଚ୍ ବିଷପ୍ ଓ ଅନ୍ୟ ଛଅଜଣ ବିଷପ ତୀବ୍ର ପ୍ରତିବାଦ କରିବାରୁ ରାଜା ସେମାନଙ୍କୁ କିନ୍ତୁ ଜୁର ଓ ବିଚାରକମାନେ ସେମାନେ ନିର୍ଦ୍ଦୋଷ ବୋଲି ମତ ଦେବୀରୁ ସେମାନେ ମୁକ୍ତ ହେଲେ । ଏଥିରେ ଲଣ୍ତନର ଲୋକମାନେ ଯତ୍‌ପରୋନାସ୍ତି ଆନନ୍ଦିତ ଓ ଉତ୍ସାହିତ ହୋଇଥିଲେ ।

 

ଉଇଲିୟମ୍‌ଙ୍କ ଇଂଲାଣ୍ତ ଆଗମନ :- ଖ୍ରୀ: ଅ: ୧୬୮୮ :- କ୍ୟାଥଲିକ୍ ଧର୍ମର ପୁନଃ ପ୍ରବର୍ତ୍ତନ ପାଇଁ ରାଜାଙ୍କର ପ୍ରବଳ ପ୍ରୟାସ ଦେଖି ଲୋକମାନେ ବିଶେଷ ଉତ୍ୟକ୍ତ ହୋଇଥିଲେ । ଖ୍ରୀ: ଅ: ୧୬୮୮ ର ଜୁନ୍ ମାସରେ ଜେମ୍‌ସ୍‌ଙ୍କର ଗୋଟିଏ ପୁଅ ହୋଇଥିଲା । ତେଣୁ ଲୋକମାନେ ଭାବିଲେ ଯେ ଇଂଲାଣ୍ତରେ କ୍ୟାଥଲିକ୍ ରାଜବଂଶ ପ୍ରତିଷ୍ଠିତ ହୋଇଯିବ । ତେଣୁ ଇଂଲାଣ୍ତର ବିଶିଷ୍ଟ ଲୋକମାନେ ଜେମ୍‌ସ୍‌ଙ୍କ କନ୍ୟା ମେରୀ ଓ ତାଙ୍କର ସ୍ୱାମୀ ଅରେଞ୍ଜର ରାଜା ଉଇଲି୍ୟମ୍‌ଙ୍କୁ ଇଂଲାଣ୍ତର ସିଂହାସନ ଆରୋହଣ କରିବା ପାଇଁ ଆହ୍ୱାନ କରିଥିଲେ । ଉଇଲିୟମ୍ ଭାବିଲେ ସେ ଇଂଲଣ୍ତର ସିଂହାସନ ଅଧିକାର କଲେ ତାଙ୍କର ଚିରଶତ୍ରୁ ଫ୍ରାନ୍‌ସ୍‌ର କ୍ୟାଥଲିକ୍ ସମ୍ରାଟ୍ ଲୁଇଙ୍କ ବିରୁଦ୍ଧରେ ପ୍ରବଳ ଭାବରେ ଯୁଦ୍ଧ ଚଳାଇବାକୁ ଓ ପ୍ରୋଟେଷ୍ଟାଣ୍ଟ୍ ଧର୍ମର ଉନ୍ନତି କରିବାକୁ ସମର୍ଥ ହେବେ । ତେଣୁ ସେ ବହୁସଂଖ୍ୟକ ସୈନ୍ୟ ସଙ୍ଗରେ ଘେନି ଇଂଲାଣ୍ତରେ ଆସି ପହଞ୍ଚିଲେ । ଇଂଲାଣ୍ତର ଲୋକେ ଜେମ୍‌ସ୍‌ଙ୍କୁ ପରିତ୍ୟାଗ କରି ତାଙ୍କର ପକ୍ଷ ଗ୍ରହଣ କଲେ । ଜେମ୍‌ସ୍‌ ସମସ୍ତଙ୍କ ଦ୍ୱାରା ପରିତ୍ୟକ୍ତ ହୋଇ ଇଂଲାଣ୍ତ ଛାଡ଼ି ଫ୍ରାନ୍ସକୁ ପଳାଇଗଲେ ।

 

ଉଇଲିଯମ୍ ଓ ମେରୀଙ୍କ ସିଂହାସନରୋହଣ ଓ ଗୌରବମୟ ରାଷ୍ଟ୍ରବିପ୍ଳବ :- ଉଇଲିୟମ୍ ଇଂଲାଣ୍ତର ସିଂହାସନ ଅଧିକାର ସମ୍ବନ୍ଧରେ ନିଷ୍ପତ୍ତି କରିବା ପାଇଁ ଗୋଟିଏ କନ୍ ଭେନ୍ ସନ୍ ପାର୍ଲାମେଣ୍ଟ୍ ଆହ୍ୱାନ କରିଥିଲେ । ଏହା ଉଇଲିୟମ୍‌ ଓ ମେରୀ ଇଂଲାଣ୍ତ ସିଂହାସନର ପ୍ରକୃତ ଅଧିକାର ଓ ଅଧିକାରିଣୀ ବୋଲି ସ୍ଥିର କରିଥିଲେ । ଏହା ’ ଡ଼ିକ୍ଳାରେସନ୍ ଅଫ ରାଇଟ୍‌ସ୍‌’ (Declaration of Rights) ନାମକ ଘୋଷଣାପତ୍ରରେ ଜେମ୍‌ସ୍‌ଙ୍କ ଦ୍ୱାରା ହୋଇଥିବା ଅନ୍ୟାୟ ଓ ଅତ୍ୟାଚାରର ଗୋଟିଏ ବିବରଣୀ ଏବଂ ପ୍ରଜାମାନଙ୍କର ନ୍ୟାଯ୍ୟ ଅଧିକାର ସକଳ ଉପସ୍ଥାପିତ କରିଥିଲେ । ଏହା ପରେ ବିଲ ଅଫ୍ ରାଇଟସ୍ ‘Bill of Rights’ ନାମକ ଏକ ନିୟମରେ ପରିଣତ ହେଲା । ଏଥିରେ ନିମ୍ନୋକ୍ତ ସର୍ତ୍ତଗୁଡ଼ିକ ଥିଲା: (୧) ରାଜା ପାର୍ଲାମେଣ୍ଟ୍ ଦ୍ୱାରା ପ୍ରବର୍ତ୍ତିତ କୌଣସି ନିୟମ ଲଙ୍ଘନ (Suspend ଓ Dispense), ପାର୍ଲମେଣ୍ଟ୍‌ ର ବିନାନୁମତିରେ କୌଣସି କର ଧାର୍ଯ୍ୟ ବା ଶାନ୍ତ ସମୟରେ ଦେଶରେ ସ୍ଥାୟୀ ସୈନ୍ୟଦଳ ରକ୍ଷା ଏବଂ ପାର୍ଲାମେଣ୍ଟ୍ ସଭ୍ୟ ନିର୍ବାଚନରେ ହସ୍ତକ୍ଷେପ କରି ପାରିବେ ନାହିଁ । (୨) ପାର୍ଲାମେଣ୍ଟ୍‌ ର ସଭ୍ୟମାନେ ସ୍ୱାଧୀନ ଭାବରେ ମତବ୍ୟକ୍ତ କରିପାରିବେ ଏବଂ ଦେଶରେ ଶାନ୍ତିରକ୍ଷା ଓ ଲୋକମାନଙ୍କର ଦୁଃଖ ଦୂରୀକରଣ ପାଇଁ ସର୍ବଦା ପାର୍ଲାମେଣ୍ଟ୍‌ ଆହୂତ ହେବ । (୩) ପ୍ରଜାମାନେ ସେମାନଙ୍କର ଅଭାବ ଅସୁବିଧା ରାଜାଙ୍କୁ ଅବାଧରେ କହିବେ ।(୪) କୌଣସି କ୍ୟାଥଲିକ୍ ବା କ୍ୟାଥଲିକ୍ ସ୍ତ୍ରୀ ବିବାହ କରିଥିବା ବ୍ୟକ୍ତି ଇଂଲାଣ୍ତର ସିଂହାସନରେ ବସି ପାରିବେ ନାହିଁ ।

 

ଏହାଦ୍ୱାରା ପାର୍ଲାମେଣ୍ଟ୍ ଓ ରାଜାଙ୍କ କ୍ଷମତାର ସୀମା ନିର୍ଦ୍ଦିଷ୍ଟ ହୋଇଥିଲା । ଉଇଲିୟମ୍ ଓ ମେରୀ ଉତ୍ତରାଧିକାରୀ ସୂତ୍ରରେ ଇଂଲାଣ୍ତର ସିଂହାସନ ନ ପାଇ ପାର୍ଲାମେଣ୍ଟ୍‌ ର ଗୋଟିଏ ଆଇନଦ୍ୱାରା ସିଂହାସନ ଲାଭ କରିଥିବାରୁ ପାର୍ଲମେଣ୍ଟ୍‌ ର ମତାନୁଯାୟୀ ରାଜ୍ୟଶାସନ କରିବାକୁ ସ୍ୱୀକୃତ ହୋଇଥିଲେ ।

 

ଦ୍ୱିତୀୟ ଜେମ୍‌ସ୍‌ଙ୍କୁ ସିଂହାସନରୁ ବିତାଡ଼ନ ଏବଂ ଉଇଲିୟମ୍ ଓ ମେରୀଙ୍କ ହସ୍ତରେ ଇଂଲାଣ୍ତର ଶାସନଭାର ଅର୍ପଣକୁ ‘‘ଗୌରବମୟ ରାଷ୍ଟ୍ର ବିପ୍ଳବ’ (Glorious Revolution) ବୋଲି କୁହାଯାଏ । ଏହି ବିପ୍ଳବ ଦ୍ୱାରା ବିନା ଯୁଦ୍ଧ ଓ ରକ୍ତପାତରେ ରାଜଶକ୍ତିର କ୍ଷମତା ଚୂର୍ଣ୍ଣ ଏବଂ ‘ରାଜପଦର ଐଶ୍ୱରିକ ଅଧିକାର ନୀତି’’ (Divine Right of Kingship) ମୂଳରେ କୁଠାରାଘାତ ହୋଇଥିଲା । ବହୁକାଳ ସଂଘର୍ଷ ପରେ ପାର୍ଲାମେଣ୍ଟାରି ବା ଲୋକପ୍ରତିନିଧି ଶାସନର ଆବଶ୍ୟକତା ଓ ସାର୍ବଭୌମତ୍ୱ ପ୍ରତିଷ୍ଠିତ ହେଲା । ଟ୍ୟୁଡ଼ର ଯୁଗରେ ପାର୍ଲାମେଣ୍ଟ୍ ନିଜର କ୍ଷମତା ପ୍ରତିଷ୍ଠା କରିବାପାଇଁ ଚେଷ୍ଟାକରି ପରାକ୍ରମଶାଳୀ ଟ୍ୟୁଡ଼ର ନରପତିମାନଙ୍କ ଦ୍ୱାରା ବାରମ୍ୱାର ପ୍ରତିହିତ ହୋଇଥିଲା । କିନ୍ତୁ ଷ୍ଟୁଆର୍ଟ ଯୁଗରେ ଲୋକ ଶକ୍ତି ଅଦମ୍ୟ ଓ ପ୍ରବଳ ହେବାରୁ ପାର୍ଲାମେଣ୍ଟ୍ ରାଜଶକ୍ତିକୁ ଦମନକରି ନିଜର ପ୍ରଭାବ ଓ ପ୍ରତିପତ୍ତି ବିସ୍ତାର କଲା । ଏହି ମହାନ୍ ବିପ୍ଳବ ପରେ ପାର୍ଲାମେଣ୍ଟ୍ ଦେଶର ପ୍ରକୃତ ପରିଚାଳକ ଓ ଶାସକ ହେଲା । ଏହି ସମୟରୁ ଇଂଲାଣ୍ତ ଇତିହାସରେ ନୂତନ ଯୁଗର ଆରମ୍ଭ ହେଲା ।

 

ଷଷ୍ଟ ଅଧ୍ୟାୟ

ତୃତୀୟ ଉଇଲିୟମ୍‌- (ଖ୍ରୀ: ଅ ୧୬୮୯- ଖ୍ରୀ : ଅ: ୧୭୦୨)

ମେରୀ- (ଖ୍ରୀ: ଅ: ୧୬୮୯- ଖ୍ରୀ: ଅ: ୧୬୯୪)

 

ପ୍ରଧାନ ପ୍ରଦାନ ଘଟଣାର ସମୟ-

ଖ୍ରୀ:ଅ: ୧୬୮୯-

କିଲ୍ କ୍ରାଙ୍କି ଯୁଦ୍ଧ ।

ଖ୍ରୀ:ଅ: ୧୬୯୦-

ବୟନ ଯୁଦ୍ଧ ।

ଖ୍ରୀ:ଅ: ୧୬୯୨-

ଗ୍ଲେଙ୍କୋ ହତ୍ୟା ।

ଖ୍ରୀ:ଅ: ୧୬୯୪-

ମେରୀଙ୍କ ମୃତ୍ୟୁ ।

ଖ୍ରୀ:ଅ: ୧୬୯୭-

ରିଉଇକ ସନ୍ଧି ।

ଖ୍ରୀ:ଅ: ୧୭୦୧-

ସ୍ପେନୀୟ ଉତ୍ତରାଧିକାର ସଂକ୍ରାନ୍ତ ଯୁଦ୍ଧ ।

ଖ୍ରୀ:ଅ: ୧୭୦୨-

ତୃତୀୟ ଉଇଲିୟମ୍ ଙ୍କ ମୃତ୍ୟୁ

 

ପାର୍ଲାମେଣ୍ଟର ଆଧିପତ୍ୟ ପ୍ରତିଷ୍ଠା :- ତୃତୀୟ ଉଇଲିୟମ୍‌ଙ୍କ ରାଜତ୍ୱ ଆରମ୍ଭ ସଙ୍ଗେସଙ୍ଗେ ଇଂଲଣ୍ଡରେ ପ୍ରକୃତ ଲୋକପ୍ରତିନିଧି ଶାସନ ପ୍ରତିଷ୍ଠିତ ହେଲା । ପାର୍ଲାମେଣ୍ଟର ନାନାବିଧ ଆଇନଦ୍ୱାରା ରାଜା ଓ ଚର୍ଚ୍ଚର କ୍ଷମତା ସୀମାବଦ୍ଧ ହେଲା । ଖ୍ରୀ: ଅ: ୧୬୯୮ ରେ ବିଲ୍‌ ଅଫ୍‌ ରାଇଟ୍‌ସ୍‌ ଆଇନରେ ପରିଣତ ହୋଇ କାର୍ଯ୍ୟକାରୀ ହୋଇଥିଲା । ଏହା ଦ୍ୱାରା ପାର୍ଲାମେଣ୍ଟ ବା ଜନସାଧାରଣଙ୍କର ମତଦି ପ୍ରବଳତର ହେଲା । ଭବିଷ୍ୟତରେ ଏହା କ୍ରମଶଃ ବୃଦ୍ଧି ପ୍ରାପ୍ତ ହେଲା ଓ ରାଜାଙ୍କର କ୍ଷମତା ଓ ପ୍ରଭାବ ଖର୍ବ ହୋଇଗଲା । ରାଜ୍ୟର ରାଜସ୍ୱକୁ ରାଜା ସ୍ୱଇଚ୍ଛାରେ ବ୍ୟୟ କରି ପାରିବେ ନାହିଁ ବୋଲି ସ୍ଥିରହେଲା । ରାଜ୍ୟ ଶାସନର କେଉଁ ବିଭାଗରେ କି ପରିମାଣରେ ଅର୍ଥ ବ୍ୟୟ କରାଯିବ ତାହା ପାର୍ଲାମେଣ୍ଟଦ୍ୱାରା ପ୍ରତିବର୍ଷ ନିର୍ଦ୍ଦିଷ୍ଟ ହେବାର ଧାର୍ଯ୍ୟ ହେଲା । ’ମିଉଟିନିଆକ୍ଟ୍‌’ (Mutiny Act) ଦ୍ୱାରା ସ୍ଥିର ହେଲା ଯେ ପାର୍ଲାମେଣ୍ଟ କେବଳ ବର୍ଷକ ପାଇଁ ସୈନ୍ୟ ବିଭାଗର ଖର୍ଚ୍ଚ ମଞ୍ଜୁର କରିବ । ତେଣୁ ରାଜା ସୈନ୍ୟରକ୍ଷା ଓ ରାଜ୍ୟଶାସନ ପାଇଁ ଅର୍ଥ ଲାଭ ଏହି ଦୁଇଟି ଅପରିହାର୍ଯ୍ୟ ଓ ଅତ୍ୟାବଶ୍ୟକ ବିଷୟ ନିମିତ୍ତ ପ୍ରତିବର୍ଷ ପାର୍ଲାମେଣ୍ଟ ଡାକିବାକୁ ବାଧ୍ୟ ହେଲେ । ସେହି ସମୟରୁ ପାର୍ଲାମେଣ୍ଟ୍‌ ଦ୍ୱାରା ବାର୍ଷିକ ଆୟବ୍ୟୟ ତାଲିକା (Budget) ପ୍ରସ୍ତୁତ ହୋଇ ଆସୁଅଛି ।

 

ଏହି ସମୟରେ ଉଇଲିୟମ୍‌ ‘ଟଲରେସେନ୍‌ ଆକ୍ଟ୍‌’ (Toleration Act) ନାମକ ଆଇନ ପ୍ରଣୟନ କରି ପ୍ରୋଟେଷ୍ଟାଣ୍ଟ ଡିସେଣ୍ଟରମାନଙ୍କୁ ଧର୍ମ ବିଷୟରେ କେତେକ ସ୍ୱାଧୀନତା ପ୍ରଦାନ କରିଥିଲେ । କିନ୍ତୁ କ୍ୟାଥଲିକ୍‌ମାନଙ୍କୁ କୌଣସି ସୁବିଧା ଦିଆଯାଇ ନ ଥିଲା ।

 

ଦଳଗତ ଶାସନ ପ୍ରତିଷ୍ଠା- (Party Government)- ଦ୍ୱିତୀୟ ଚାର୍ଲ୍‌ସ୍‌ଙ୍କ ରାଜତ୍ୱରେ ପାର୍ଲାମେଣ୍ଟର ସଭ୍ୟମାନେ ହୁଇଗ୍‌ ଓ ଟୋରି ନାମକ ଦୁଇଦଳରେ ବିଭକ୍ତ ହୋଇଥିଲେ-। ଏହି ଦୁଇଟି ଦଳ ନିଜ ନିଜର ମତଦ୍ୱୈଧ ଯୋଗୁଁ କ୍ରମଶଃ ଦୁଇଟି ବିପକ୍ଷ ଦଳରୂପେ ସଂଗଠିତ ହୋଇଥିଲେ । ଏପର୍ଯ୍ୟନ୍ତ ମନ୍ତ୍ରୀମାନେ ରାଜାଙ୍କର ଅନୁଚର ବୋଲି ବିବେଚିତ ହୋଉଥିଲେ । ପାର୍ଲାମେଣ୍ଟ୍‌ ର ବିଭିନ୍ନ ଦଳ ସହିତ ସେମାନଙ୍କର ବିଶେଷ ସଂପର୍କ ନ ଥିଲା । କିନ୍ତୁ ଏହି ସମୟରୁ ମନ୍ତ୍ରୀମାନେ କ୍ରମଶଃ ନିଜ ନିଜ ଦଳ ନିକଟରେ ଦାୟୀ ବୋଲି ବିବେଚିତ ହେଲେ । ତେଣୁ ମନ୍ତ୍ରୀମାନଙ୍କର ସ୍ଥାୟିତ୍ୱ, ଦଳର ଅସ୍ତିତ୍ୱ ବା ସ୍ଥିତି ଉପରେ ନିର୍ଭର କଲା । ତୃତୀୟ ଉଇଲିୟମ ପ୍ରଥମ ଅବସ୍ଥାରେ କେତେଜଣ ହୁଇଗ୍‌ ଓ କେତେଜଣ ଟୋରି ମନ୍ତ୍ରୀଙ୍କୁ ନେଇ ମନ୍ତ୍ରୀସଭା ଗଠନ କରିଥିଲେ-। କିନ୍ତୁ ଉଭୟ ଦଳର ମନ୍ତ୍ରୀମାନଙ୍କ ମଧ୍ୟରେ ବିବାଦ ଓ ଅବିଶ୍ୱାସ ଯୋଗୁଁ ଶାସନକାର୍ଯ୍ୟ ସୁଚାରୁରୂପେ ସଂମ୍ପାଦିତ ନ ହେବାରୁ ସେ କେବଳ ହୁଇଗ୍‌ମାନଙ୍କ ନେଇ ମନ୍ତ୍ରୀସଭା ଗଠନ କରିଥିଲେ । ଏହା ହୁଇଗ୍‌ ଜୁଣ୍ଟୋ (Whig Junto) ନାମରେ ବିଦିତ ହେଲା । ଏହାର କେତେକ ବର୍ଷପରେ ଟୋରିଦଳ ପାର୍ଲାମେଣ୍ଟରେ ପ୍ରବଳ ହେବାରୁ ରାଜା କେବଳ ଟୋରିମାନଙ୍କୁ ମନ୍ତ୍ରୀସଭାରେ ଗ୍ରହଣ କଲେ । ରାଜା ସର୍ବାଧିକଦଳ (Majority Party) ର ନେତାମାନଙ୍କୁ ମନ୍ତ୍ରୀରୁପେ ମନୋନୀତ କରିବାରୁ ଇଂଲଣ୍ଡରେ ‘ଦଳଗତ ଶାସନ’ ବା ‘Party-Government’ ପ୍ରତିଷ୍ଠିତ ହେଲା । ଉଇଲିୟମ୍‌ ପ୍ରଥମେ ଶାସନ ସୌକାର୍ଯ୍ୟର୍ଥେ ଏପରି କରିଥିଲେ । କିନ୍ତୁ ପାର୍ଲାମେଣ୍ଟର ସର୍ବୋଧିକ ଦଳ ମଧ୍ୟରୁ ମନ୍ତ୍ରୀ ମନୋନୟନ କରି ମନ୍ତ୍ରୀସଭା ବା କାବିନେଟ୍‌(Cabinet) ଗଠନ ଗୋଟିଏ ବିଧିବଦ୍ଧ ପନ୍ଥା ହୋଇଗଲା । ଏହିରୂପେ ଇଂଲାଣ୍ଡରେ କାବିନେଟ୍‌ ଗଭର୍ଣ୍ଣମେଣ୍ଟର ସୂତ୍ରପାତ ହେଲା ।

 

ଆୟର୍ଲାଣ୍ଡ୍‌ ର ବିଦ୍ରୋହ ଦମନ- ଆୟର୍ଲାଣ୍ଡ୍‌ ର କ୍ୟାଥଲିକ୍‌ମାନେ ଫ୍ରାନ୍ସ ସମ୍ରାଟ୍‌ ଚତୁର୍ଦ୍ଦଶ ଲୁଇଙ୍କଠାରୁ ସାହାଯ୍ୟ ପାଇ ଦ୍ୱିତୀୟ ଜେମ୍‌ସ୍‌ଙ୍କ ରାଜ୍ୟପ୍ରାପ୍ତି ନିମିତ୍ତ ବିଦ୍ରୋହ କରିଥିଲେ । ଜେମ୍‌ସ୍‌ ନିଜେ ଆୟର୍ଲାଣ୍ଡ ଯାଇ କିଛିଦିନ ପାଇଁ ସେଠାରେ ରାଜା ହୋଇଥିଲେ । ଏହି ସମୟରେ କ୍ୟାଥଲିକ୍‌ମାନେ ପ୍ରୋଟେଷ୍ଟାଣ୍ଟମାନଙ୍କ ଉପରେ ଭୀଷଣ ଅତ୍ୟାଚାର କରିଥିଲେ । ସେମାନେ ପ୍ରାଣଭୟରେ ଲଣ୍ଡନଡ଼େରୀ ଓ ଏନିସ୍କିଲେନ୍‌ ନାମକ ନଗର ଦ୍ୱୟରେ ପ୍ରାୟ ଶହେ ଦିନ ପର୍ଯ୍ୟନ୍ତ ଆଶ୍ରୟ ଗ୍ରହଣ କରିଥିଲେ । ଏ ସମ୍ବାଦ ପାଇ ଉଇଲିୟମ୍‌ ଏକଦଳ ସୈନ୍ୟ ସହିତ ଆୟର୍ଲାଣ୍ଡରେ ଉପସ୍ଥିତ ହେଲେ । ଖ୍ରୀ: ଅ: ୧୬୯୦ରେ ଉଇଲିୟମ୍‌ ବୟନ ଯୁଦ୍ଧରେ (Boyne) ଜେମ୍‌ସ୍‌ ଓ ଆଇରିଶ୍‌ମାନଙ୍କୁ ସମ୍ପୂର୍ଣ୍ଣରୂପେ ପରାସ୍ତ କରିଥିଲେ ।ଜେମ୍‌ସ୍‌ ପ୍ରାଣ ଭୟରେ ଫ୍ରାନ୍ସକୁ ପଳାଇଗଲେ । ଏହାପରେ ଲିମେରିକ୍‌ (Limeric) ନାମକ ସ୍ଥାନରେ ଖ୍ରୀ: ଅ: ୧୬୯୧ରେ ଗୋଟିଏ ସନ୍ଧି ହୋଇଥିଲା । ଏହି ସନ୍ଧି ଅନୁଯାୟୀ ଉଇଲିୟମ୍‌ ଆୟର୍ଲାଣ୍ଡର ରାଜା ବୋଲି ସ୍ୱୀକୃତ ହେଲେ ଓ ଆଇରିଶ୍‌ କ୍ୟାଥଲିକ୍‌ମାନଙ୍କୁ ଧର୍ମ ସମ୍ବନ୍ଧରେ କେତେକ ସୁବିଧା ପ୍ରଦତ୍ତ ହେଲା । କିନ୍ତୁ ଆଇରିଶ୍‌ ପାର୍ଲାମେଣ୍ଟରେ ପ୍ରୋଟେଷ୍ଟାଣ୍ଟ୍‌ ମାନଙ୍କର ଏକାଧିପତ୍ୟ ଥିଲା । ଏହା ଏହି ସନ୍ଧିକୁ ନ ମାନି କ୍ୟାଥଲିକ୍‌ମାନଙ୍କ ବିରୁଦ୍ଧରେ କଠୋର ଶାସ୍ତି ବିଧାନ କରିଥିଲେ । ସେମାନଙ୍କର ଜମି ବାଡ଼ିସବୁ ବାଜେୟୋପ୍ତ ହେଲା ଓ ସେମାନଙ୍କର ଅବସ୍ଥା ଶୋଚନୀୟ ହେଲା ।

 

ସ୍କଟଲାଣ୍ଡର ବିଦ୍ରୋହ ଦମନ- ସ୍କଟଲାଣ୍ଡର ଅଧିକାଂଶ ଅଧିବାସୀ ପ୍ରେସ୍‌ବିଟରିୟାନ୍‌ ଧର୍ମାବଲମ୍ବୀ । ସେମାନେ ଉଇଲିୟମ୍‌ ଓ ମେରୀଙ୍କର ସିଂହାସନ ଲାଭରେ ବିଶେଷ ଆନନ୍ଦିତ ଓ ଆଶାନ୍ୱିତ ହୋଇଥିଲେ । କିନ୍ତୁ ଭାଇକାଉଣ୍ଟ୍‌ ଡଣ୍ଡି ନାମକ କ୍ଷମତାଶାଳୀ ସାମନ୍ତ ସ୍କଟଲାଣ୍ଡର ଉତ୍ତରାଞ୍ଚଳବାସୀ କ୍ୟାଥଲିକ୍‌ମାନଙ୍କର ନେତାରୂପେ ଦ୍ୱିତୀୟ ଜେମ୍‌ସ୍‌ଙ୍କ ପକ୍ଷାବଲମ୍ବନ କରି ବିଦ୍ରୋହ କରିଥିଲେ । ଖ୍ରୀ: ଅ: ୧୬୮୯ ରେ କିଲ୍‌କ୍ରାଙ୍କି ଯୁଦ୍ଧରେ ଇଂରେଜମାନେ ପରାସ୍ତ ହୋଇଥିଲେ । ସ୍କଟଲାଣ୍ଡର ପାର୍ବତ୍ୟ ଲୋକମାନେ ଏହି ଯୁଦ୍ଧରେ ବିଶେଷ ବୀରତ୍ୱ ଦେଖାଇଥିଲେ-। କିନ୍ତୁ ଏହି ଯୁଦ୍ଧରେ ଡଣ୍ଡିଙ୍କର ମୃତ୍ୟୁ ହେବାରୁ ବିଦ୍ରୋହ କ୍ରମଶଃ ଶାନ୍ତି ହୋଇଗଲେ । ଏହାପରେ ଉଇଲିୟମ୍‌ ସ୍କଟ୍‌ଲାଣ୍ଡର ରାଜା ବୋଲି ସ୍ୱୀକୃତ ହୋଇଥିଲେ ।

 

ସ୍କଟ୍‌ଲାଣ୍ଡରେ ଶାନ୍ତି ସ୍ଥାପନ ଉଦ୍ଦେଶ୍ୟରେ ଉଇଲିୟମ୍‌ ସେଠାରେ ସାମନ୍ତମାନଙ୍କୁ ରାଜଭକ୍ତିର ଶପଥ (Oath of allegiance) ଗ୍ରହଣ କରିବାକୁ ବାଧ୍ୟ କରିଥିଲେ । କିନ୍ତୁ ଗ୍ଲୋଙ୍କୋ ପ୍ରଦେଶର ସାମନ୍ତ ଆୟାନ୍‌ ମାକ୍‌ଡ଼ୋନାଲ୍ଡ ଯଥାସମୟରେ ଉପସ୍ଥିତ ହୋଇ ନ ପାରିବାରୁ ରାଜାଜ୍ଞାନୁସାରେ ସେ ଖ୍ରୀ: ଅ: ୧୬୯୨ ରେ ନିଷ୍ଠୁର ଭାବରେ ନିହତ ହୋଇଥିଲେ । ଏଥିଯୋଗୁଁ ସ୍କଟ୍‌ଲାଣ୍ଡର ପାର୍ବତ୍ୟ ପ୍ରଦେଶର ଲୋକମାନେ ଉଇଲିୟମଙ୍କ ଉପରେ ବିରକ୍ତ ହୋଇଥିଲେ ।

 

ତୃତୀୟ ଉଇଲିୟମଙ୍କ ବୈଦେଶିକ ନୀତି- ଫ୍ରାନ୍ସ ସହିତ ଯୁଦ୍ଧ- ଫ୍ରାନ୍ସ ସମ୍ରାଟ୍‌ ଚତୁର୍ଦ୍ଦଶ ଲୁଇଙ୍କର କ୍ଷମତା ଖର୍ବ କରିବା ଉଇଲିୟମ୍‌ଙ୍କ ବୈଦେଶିକ ନୀତିର ପ୍ରଧାନ ଲକ୍ଷ୍ୟ ଥିଲା । ଲୁଇ ବେଲଜିୟମ୍‌ ଓ ହଲାଣ୍ଡ୍‌ ଅଧିକାର କରିବାପାଇଁ ଚେଷ୍ଟା କରୁଥିଲେ । ଆଉମଧ୍ୟ ସେ ଦ୍ୱିତୀୟ ଜେମ୍‌ସ୍‌ ଓ ତାଙ୍କ ପୁତ୍ରକୁ ଇଂଲଣ୍ଡର ସିଂହାସନ ପ୍ରଦାନ କରିବା ନିମିତ୍ତ ସର୍ବଦା ଚେଷ୍ଟା କରୁଥିଲେ । ତେଣୁ ଉଇଲିୟମ୍‌ ହଲାଣ୍ଡ, ଅଷ୍ଟ୍ରିୟା ଓ ସ୍ପେନ ସହିତ ବନ୍ଧୁତା ସ୍ଥାପନ କରି ଫ୍ରାନ୍ସ ବିରୁଦ୍ଧରେ ଗୋଟିଏ ଶକ୍ତିଶାଳୀ ରାଜ୍ୟସଙ୍ଘ ଗଠନ କରିଥିଲେ । ଫ୍ରାନ୍ସ ସହିତ ପ୍ରାୟ ଆଠବର୍ଷ କାଳ ଯୁଦ୍ଧ ଚାଲିଥିଲା । ସ୍ଥଳଯୁଦ୍ଧରେ ଇଂରେଜମାନେ ପରାସ୍ତ ହୋଇଥିଲେ । କିନ୍ତୁ ଲାହେଗ୍‌ ନାମକ ସ୍ଥାନରେ ଜଳଯୁଦ୍ଧରେ ଫରାସୀମାନେ ସଂପୂର୍ଣ୍ଣରୂପେ ପରାଜିତ ହୋଇଥିଲେ । ଖ୍ରୀ: ଅ: ୧୬୯୭ ରେ ‘ରିଉଇକ (Rys wick) ସନ୍ଧି’ ହୋଇଥିଲା । ଏହା ଫଳରେ ଉଭୟ ପକ୍ଷ ନିଜ ନିଜର ପୂର୍ବ ରାଜ୍ୟ ଫେରି ପାଇଲେ । ଲୁଇ ଉଇଲିୟମ୍‌ଙ୍କୁ ଇଂଲଣ୍ଡର ପ୍ରକୃତ ରାଜା ବୋଲି ସ୍ୱୀକାର କରିଥିଲେ ଏବଂ ନିର୍ବାସିତ ଷ୍ଟୁଆର୍ଟ ବଂଶଧରମାନଙ୍କୁ ସାହାର୍ଯ୍ୟ ନ ଦେବାକୁ ପ୍ରତିଶ୍ରୁତ ହୋଇଥିଲେ ।

 

ସ୍ପେନୀୟ ଉତ୍ତରାଧିକାର ସଂକ୍ରାନ୍ତ ଯୁଦ୍ଧ- (The War of the Spanish Succession) ଉଇଲିୟମ୍‌ଙ୍କ ରାଜତ୍ୱର ଶେଷ ବର୍ଷର ସ୍ପେନ ସମ୍ରାଟଙ୍କ ଉତ୍ତରାଧିକାରୀ ନିର୍ଣ୍ଣୟ ସମ୍ପର୍କରେ ଇଉରୋପରେ ଗୋଟିଏ ଭୀଷଣ ଯୁଦ୍ଧ ଆରମ୍ଭ ହୋଇଥିଲା । ସ୍ପେନ ରାଜା ଦ୍ୱିତୀୟ ଚାର୍ଲସ୍‌ ନିଃସନ୍ତାନ ଥିଲେ । ସେ ସମୟରେ ସ୍ପେନ ଇଉରୋପରେ ବିଶେଷ ଶକ୍ତିଶାଳୀ ଓ ତାହାର ସାମ୍ରାଜ୍ୟ ଅନ୍ୟନ୍ତ ବିସ୍ତୃତ ଥିଲା । ଇଉରୋପରେ ନିଦରଲାଣ୍ଡ୍‌, ସସିଲି, ମିଲାନ୍‌, ନେପଲସ୍‌, ଏସିୟା ମହାଦେଶରେ ଫିଲିପାଇନ୍‌ ଦ୍ୱୀପପୁଞ୍ଜ ଓ ଆମେରିକାରେ ମେକ୍‌ସିକୋ, ପେରୁ, ଚିଳ, କିଉବା ସ୍ପେନର ଅଧିକାର ଭୁକ୍ତ ଥିଲା । ଫ୍ରାନ୍ସ ସମ୍ରାଟ୍‌ ଲୁଇଙ୍କ ପୌତ୍ର ଆଞ୍ଜୁର ଡିଉକ୍‌ ଫଲିସ୍‌, ବାଭେରିୟାର୍‌ ରାଜା ଜୋସେଫ୍‌ ଏବଂ ଅଷ୍ଟ୍ରିୟାର ଆର୍ଚ୍ଚ, ଡିଉକ୍‌ ଚାର୍ଲସ୍‌ ସ୍ପେନ୍‌ ସମ୍ରାଟ୍‌ଙ୍କର ଉତ୍ତରାଧିକାରୀ ବୋଲି ବିବେଚିତ ହୋଉଥିଲେ । ଲୁଇଙ୍କ ନାତି ସ୍ପେନ୍‌ ସାମ୍ରାଜ୍ୟର ଅଧିକାରୀ ହେଲେ ଇଉରୋପରେ ଫ୍ରାନ୍ସର କ୍ଷମତା ଯଥେଷ୍ଟ ବୃଦ୍ଧି ପାଇଯିବାର ଜାଣି ଉଇଲିୟମ୍‌ ଏହା ଯେପରି ନ ହୁଏ ସେଥିପାଇଁ ବିଶେଷ ଚେଷ୍ଟା କରିଥିଲେ । ସେ ଫ୍ରାନ୍ସର ରାଜ୍ୟ ବିସ୍ତାର ଚେଷ୍ଟାକୁ ପଣ୍ଡ କରିବାପାଇଁ ଲୁଇଙ୍କ ସଙ୍ଗେ ଦୁଇଟି ରାଜ୍ୟ ବଣ୍ଟନ ସନ୍ଧି (Partition Treaties) କରିଥିଲେ । କିନ୍ତୁ ସ୍ପେନ ସମ୍ରାଟ ଏହା ଅବଗତ ହୋଇ ବିରକ୍ତ ହୋଇଥିଲେ ଏବଂ ମୃତ୍ୟୁ ପୂର୍ବରୁ ଆଞ୍ଜୁର ଡିଉକଙ୍କୁ ତାଙ୍କ ସାମ୍ରାଜ୍ୟର ଉତ୍ତରାଧିକାରୀ ବୋଲି ଉଇଲ୍‌(Will) କରିଥିଲେ । ସ୍ପେନ ସମ୍ରାଟ ଖ୍ରୀ: ଅ: ୧୭୦୦ ରେ ପ୍ରାଣତ୍ୟାଗ କଲେ । ତହୁଁ ଲୁଇ ରାଜ୍ୟ ବଣ୍ଟନ ସନ୍ଧି ଭଙ୍ଗକରି ନିଜ ପୌତ୍ରକୁ ସ୍ପେନ୍‌ ସାମ୍ରାଜ୍ୟର ଉତ୍ତରାଧିକାରୀ ବୋଲି ଘୋଷଣା କଲେ ଏବଂ ଉଇଲିୟମ୍‌ଙ୍କୁ ଇଂଲଣ୍ଡର ରାଜା ବୋଲି ଅସ୍ୱୀକାର କରି ଦ୍ୱିତୀୟ ଜେମ୍‌ସ୍‌ଙ୍କ ପୁତ୍ରକୁ ଇଂଲଣ୍ଡର ରାଜା ତୃତୀୟ ଜେମ୍‌ସ୍‌ ବୋଲି ଗ୍ରହଣ କଲେ । ଏଥିରେ ଉଇଲିୟମ୍‌ ଉତ୍ତେଜିତ ହୋଇ ଫ୍ରାନ୍ସ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ ଏବଂ ହଲାଣ୍ଡ, ଅଷ୍ଟିୟା ଓ ଅନ୍ୟାନ୍ୟ କେତେକ କ୍ଷୁଦ୍ର ରାଜ୍ୟକୁ ମିଳିତ କରାଇ ଫ୍ରାନ୍ସ ବିପକ୍ଷରେ ଗୋଟିଏ ରାଜ୍ୟସଙ୍ଘ ସୃଷ୍ଟି କଲେ । ଏହା ‘‘Grand Alliance’’ ନାମରେ ବିଦିତ । ଖ୍ରୀ: ଅ: ୧୭୦୨ ରେ ଏହି ଯୁଦ୍ଧ ଆରମ୍ଭ ହେଲା । କିନ୍ତୁ ଅଳ୍ପଦିନ ମଧ୍ୟରେ ଉଇଲିୟମ୍‌ ପ୍ରାଣତ୍ୟାଗ କଲେ ।

 

ଜାତୀୟ ଋଣ ଓ ବ୍ୟାଙ୍କ ଅଫ୍‌ ଇଂଲାଣ୍ଡର ସୃଷ୍ଟି – ଉଇଲିୟମ୍‌ଙ୍କ ରାଜତ୍ୱରେ ଜାତୀୟ ୠଣ (National Debt) ଆରମ୍ଭ ହୋଇଥିଲା । ଫ୍ରାନ୍ସ ସହିତ ଯୁଦ୍ଧ ଚଳାଇବା ପାଇଁ ଉଇଲିୟମ୍‌ ଅର୍ଥାଭାବ ବିଶେଷରୂପେ ଅନୁଭବ କରିଥିଲେ । ନୂତନ କର ଧାର୍ଯ୍ୟ କରି ପ୍ରଜାମାନଙ୍କଠାରୁ କୌଣସି ଅର୍ଥ ଆଦାୟ କରିବାର ଆଶା ନ ଦେଖି ସେ ଚାର୍ଲସ୍‌ମୂଣ୍ଟେ୍‌ଗୁ ନାମକ ଜଣେ ବିଚକ୍ଷଣ ଅର୍ଥସଚିବଙ୍କ ପରାମର୍ଶାନୁଯାୟୀ ନିଜ ନାମରେ ଋଣ ଗ୍ରହଣ ନ କରି ଗଭର୍ଣ୍ଣମେଣ୍ଟ ନାମରେ ଋଣ ଗ୍ରହଣ କଲେ । ଲୋକମାନେ ରାଜାଙ୍କ ପରିବର୍ତ୍ତେ ସରକାରଙ୍କୁ ଋଣ ଦେବା ନିରାପଦ ମନେକରି ବହୁ ଅର୍ଥ ଋଣ ସ୍ୱରୂପ ଦେଇଥିଲେ । ଏହି ପ୍ରକାରେ ଜାତୀୟ ଋଣ ସୃଷ୍ଟିର ହେଲା (ଖ୍ରୀ: ଅ: ୧୬୯୨) । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ସରକାରଙ୍କ ନାମରେ ଋଣ ଗ୍ରହଣ ପ୍ରଥା ଚଳି ଆସୁଛି ।

 

ଏହାଦ୍ୱାରା ଯୁଦ୍ଧବ୍ୟୟ ପାଇଁ ପ୍ରଚୁର ଅର୍ଥ ନ ମିଳିବାରୁ ପ୍ୟାଟରସେନ୍‌ ନାମକ ଜଣେ ଲୋକଙ୍କ ପରାମର୍ଶମତେ ଖ୍ରୀ: ଅ: ୧୬୯୪ ରେ ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ପ୍ରତିଷ୍ଠିତ ହେଲା ଏବଂ ଏହି ବ୍ୟାଙ୍କରୁ ରାଜାଙ୍କୁ ଅର୍ଥ ଯୋଗାଇବାର ବ୍ୟବସ୍ଥା ହେଲା । ଏହି ବ୍ୟାଙ୍କ ଯୋଗୁଁ ଇଂଲଣ୍ଡର ବାଣିଜ୍ୟ ବ୍ୟବସାୟ ପ୍ରସାରର ପଥ ସୁଗମ ହୋଇଅଛି । ବର୍ତ୍ତମାନ କାଳରେ ଗଭର୍ଣ୍ଣମେଣ୍ଟଙ୍କ ସମସ୍ତ ଅର୍ଥ ଏହି ବ୍ୟାଙ୍କରେ ଗଚ୍ଛିତ ରହୁଅଛି ।

 

ତୃତୀୟ ଉଇଲିୟମ୍‌ ଓ ଜାକୋବାଇଟ୍‌ଗଣ- ଖ୍ରୀ: ଅ: ୧୬୯୪ ରେ ମେରୀଙ୍କର ମୃତ୍ୟୁ ହେଲା । ଇଂରେଜମାନେ ତାଙ୍କୁ ବିଶେଷ ଶ୍ରଦ୍ଧା ଓ ଭକ୍ତି କରୁଥିଲେ । କିନ୍ତୁ ଉଇଲିୟମ୍‌ ଇଂରେଜମାନଙ୍କ ଅପେକ୍ଷା ଡଚ୍‌ମାନଙ୍କ ବିଶେଷ ପକ୍ଷପାତୀ ଥିଲେ । ତେଣୁ ଇଂରେଜମାନେ ତାଙ୍କ ଉପରେ ବିରକ୍ତ ହୋଇଥିଲେ । ସେ ଜନସାଧାରଣଙ୍କର ଏତେଦୂର ଅପ୍ରିୟ ହୋଇ ପଡ଼ିଲେ ଯେ ସେମାନେ ଦ୍ୱିତୀୟ ଜେମ୍‌ସ୍‌ଙ୍କୁ ପୁନର୍ବାର ଇଂଲଣ୍ଡର ସିଂହାସନରେ ବସାଇବାକୁ ଚେଷ୍ଟାକଲେ । ଦ୍ୱିତୀୟ ଜେମ୍‌ସ୍‌ଙ୍କ ଅନୁରାଗୀ ବ୍ୟକ୍ତିମାନେ ‘ଜାକୋବାଇଟ୍‌’ (Jacobite) ନାମରେ ପରିଚିତ ଥିଲେ । ଲାଟିନ୍‌ ଜାକୋବସ୍ (Jacobus) ଶବ୍ଦର ଅର୍ଥ ଜେମ୍‌ସ୍ । ଜାକୋବସ୍ ଶବ୍ଦରୁ ଜାକୋବାଇଟ୍‌ ଶବ୍ଦ ଉତ୍ପନ୍ନ ହୋଇଅଛି । ଫ୍ରାନ୍ସ ସମ୍ରାଟ ଲୁଇ ଜାକୋବାଇଟ୍‌ମାନଙ୍କୁ ସର୍ବଦା ସାହାର୍ଯ୍ୟ ଦେଉଥିଲେ । ଜାକୋବାଇଟ୍‌ମାନେ ଉଇଲିୟମ୍‌ଙ୍କୁ ମାରିବା ପାଇଁ କେତେକ ଷଡ଼ଯନ୍ତ୍ର କରିଥିଲେ । କିନ୍ତୁ ସେମାନଙ୍କର ସମସ୍ତ ଚେଷ୍ଟା ବିଫଳ ହୋଇଥିଲା । କିନ୍ତୁ ସେମାନଙ୍କର ସମସ୍ତ ଚେଷ୍ଟା ବିଫଳ ହୋଇଥିଲା । ସେମାନଙ୍କଦ୍ୱାରା ତୃତୀୟ ଉଇଲିୟମ୍‌ଙ୍କର କୌଣସି କ୍ଷତି ହୋଇ ନ ଥିଲା ।

 

ଇଂଲାଣ୍ଡର ଉତ୍ତରାଧିକାରୀ ନିର୍ଣ୍ଣୟ – (Act of Settlement) ଉଇଲିୟମ୍‌ଙ୍କ ପରେ ଇଂଲାଣ୍ଡ ସିଂହାସନ ଅଧିକାର ସମ୍ବନ୍ଧରେ ଗୋଟିଏ ସ୍ଥାୟୀ ନିଷ୍ପତ୍ତି କରିବା ପାଇଁ ଖ୍ରୀ: ଅ: ୧୭୦୧ରେ ପାର୍ଲାମେଣ୍ଟ୍ ଆକ୍ଟ ଅଫ୍‌ ସେଟଲ୍‌ମେଣ୍ଟ ‘‘Act of Settlement’’ ନାମକ ଆଇନ ପ୍ରଣୟନ କରିଥିଲେ । ଉଇଲିୟମ୍‌ ଓ ମେରୀଙ୍କର କୌଣସି ସନ୍ତାନ ନ ଥିବାରୁ ଏପରି ନିଷ୍ପତ୍ତି ଆବଶ୍ୟକ ହୋଇ ପଡ଼ିଲା, ଏହାଦ୍ୱାରା ସ୍ଥିରହେଲା ଯେ ଉଇଲିୟମ୍‌ଙ୍କ ଅନ୍ତେ ମେରୀଙ୍କ କନିଷ୍ଠା ଭଗ୍ନୀ ଏନ୍‌ ଇଂଲାଣ୍ଡ ସିଂହାସନରେ ଅଭିଷିକ୍ତ ହେବେ । ଏନ୍‌ଙ୍କ ସମସ୍ତ ପୁତ୍ର କନ୍ୟା ମରି ଯାଇଥିଲେ-। ତେଣୁ ତାଙ୍କ ପରେ ଜର୍ମାନୀ ଅନ୍ତର୍ଗତ ହାନୋଭର୍‌ର ଇଲେକ୍‌ଟ୍ରେସ୍‌ ସୋଫିୟା ଓ ତାଙ୍କର ପ୍ରୋଟେଷ୍ଟାଣ୍ଟ୍‌ ବଂଶଧରମାନେ ଇଂଲାଣ୍ଡ ସିଂହାସନ ଅଧିକାର କରିବା ମଧ୍ୟ ଏହାଦ୍ୱାରା ଧାର୍ଯ୍ୟ ହେଲା । ସୋଫିୟା ପ୍ରଥମ ଜେମ୍‌ସ୍‌ଙ୍କ ନାତୁଣୀ (ଫ୍ରେଡ଼େରିକ୍‌ଙ୍କ କନ୍ୟା) ଥିଲେ । ଏହି ଆଇନଦ୍ୱାରା ପାର୍ଲାମେଣ୍ଟର ଇଂଲାଣ୍ଡ ସିଂହାସନ ପାଇଁ ଉତ୍ତରାଧିକାରୀ ନିର୍ଣ୍ଣୟ କ୍ଷମତା ସାବ୍ୟସ୍ତ ହୋଇଥିଲା ।

 

ଆଉମଧ୍ୟ ବିଚାରପତିମାନେ ରାଜାଙ୍କ କ୍ଷମତାର ବହିର୍ଭୂତ ବୋଲି ଆଇନ ଦ୍ୱାରା ବିଧିବଦ୍ଧ ହେଲା । ସେମାନଙ୍କର ନିଯୁକ୍ତ ଓ ବିତାଡ଼ନ କ୍ଷମତା ରାଜାଙ୍କ ହସ୍ତରେ ନ ରହି ପାର୍ଲାମେଣ୍ଟ ହସ୍ତରେ ରହିଲା କୌଣସି ବିଚାରପତି ରାଜାଙ୍କ ବିରୁଦ୍ଧରେ ନ୍ୟାୟ ବିଚାର କଲେ ତାଙ୍କ ବିଚାରରେ ହସ୍ତକ୍ଷେପ କରିବା ଦୋଷାବହ ବୋଲି ବିବେଚିତ ହେଲା । ଏହାଦ୍ୱାରା ବିଚାରପତିମାନେ ନିର୍ଭୀକଭାବରେ ପକ୍ଷପାତଶୂନ୍ୟ ନ୍ୟାୟ ବିଚାର କରିବାର ବ୍ୟବସ୍ଥା ହୋଇଗଲା ।

 

ଅଭିନବ ଇଂଲଣ୍ଡ ଇତିହାସ ଦ୍ୱିତୀୟ ଖଣ୍ଡ

ସପ୍ତମ ଅଧ୍ୟାୟ

ରାଜ୍ଞୀ ଏନ୍ –(ଖ୍ରୀ:ଅ:୧୭୦୨- ୧୭୧୪)

 

ପ୍ରଧାନ ପ୍ରଧାନ ଘଟଣାର ସମୟ

ଖ୍ରୀ:ଅ: ୧୭୦୨-

ରାଜ୍ଞୀ ଏନ୍ ଙ୍କ ସିଂହାସନାରୋହଣ ।

ଖ୍ରୀ:ଅ: ୧୭୦୪-

ବ୍ଲେନ୍‌ହିମ୍ ଯୁଦ୍ଧ ଓ ଇଂରେଜମାନଙ୍କ ଦ୍ୱାରା ଜବ୍ରାଲ୍‌ଟର୍ ଅଧିକାର

ଖ୍ରୀ:ଅ: ୧୭୦୭-

ଇଂଲାଣ୍ଡ ଓ ସ୍କଟ୍ ଲାଣ୍ଡର ସଙ୍କଳନ ।

ଖ୍ରୀ:ଅ: ୧୭୧୩-

ଇଉଟ୍ରେଚ୍ ସନ୍ଧି ।

ଖ୍ରୀ:ଅ: ୧୭୧୪-

ରାଜ୍ଞୀ ଏନ୍ ଙ୍କ ମୃତ୍ୟୁ ।

 

ରାଜ୍ଞୀ ଏନ୍‌-ଆକ୍ଟ ଅଫ୍‌ ସେଟଲ୍‌ମେଣ୍ଟର ସର୍ତ୍ତ ଅନୁଯାୟୀ ଦ୍ୱିତୀୟ ଜେମ୍‌ସ୍‌ଙ୍କ କନ୍ୟା ଏନ୍‌ ଇଂଲାଣ୍ଡର ସିଂହାସନ ଅଧିକାର କରିଥିଲେ । ସେ ବିଶେଷ ବୁଦ୍ଧିମତୀ ବା ଚତୁର ନ ଥିଲେ । କିନ୍ତୁ ସେ ଅତ୍ୟନ୍ତ ସରଳ, ଦୟାକୁ ଉଦାର ଓ ପ୍ରଜାବସ୍ଥଳ ଥିଲେ । ସେ ପ୍ରଜାମାନଙ୍କର ବିଶେଷ ଶ୍ରଦ୍ଧା ଓ ଉକ୍ତିଭାଜନ ହୋଇଥିଲେ ଓ ପ୍ରଜାମାନେ ତାଙ୍କୁ ‘ଉତ୍ତମ ରାଣୀ ଏନ୍‌’ Good Queen Anne ବୋଲି କହୁଥିଲେ । ମାର୍ଲବରୋଙ୍କ ସ୍ତ୍ରୀଙ୍କ ସହିତ ଏନ୍‌ଙ୍କର ଘନିଷ୍ଠ ବନ୍ଧୁତା ଥିଲା । ତେଣୁ ସେ ସର୍ବଦା ଡିଉକ ଅଫ୍‌ ମାର୍ଲବରୋଙ୍କ ଦ୍ୱାରା ପରିଚାଳିତ ହେଉଥିଲେ । ମାର୍ଲବରୋ ଜଣେ ବିଚକ୍ଷଣ ରାଜନୀତିଜ୍ଞ ଓ ସେ ସମୟରେ ଇଂଲାଣ୍ଡର ସର୍ବଶ୍ରେଷ୍ଠ ସେନାପତି ଥିଲେ ।

 

ସ୍ପେନୀୟ ଉତ୍ତରାଧିକାରୀ ସଂକ୍ରାନ୍ତି ଯୁଦ୍ଧ- ( ଖ୍ରୀ: ଅ: ୧୭୦୨- ଖ୍ରୀ: ଅ: ୧୭୧୩)- ଏନ୍‌ ସିଂହାସନ ଆରୋହଣ କରିବା ମାତ୍ରେ ଫ୍ରାନ୍ସ ବିରୁଦ୍ଧରେ ଯୁଦ୍ଧ ଚଳାଇଲେ । ମାର୍ଲବରୋ ଇଂରେଜସେନାର ପ୍ରଧାନ ସେନାନାୟକରୂପେ ଯୁଦ୍ଧକ୍ଷେତ୍ରକୁ ପ୍ରେରିତ ହୋଇଥିଲେ । ସେ ଅପୂର୍ବ ବୀରତ୍ୱ ସହିତ ଫରାସୀମାନଙ୍କୁ ଅନେକ ଯୁଦ୍ଧରେ ପରାସ୍ତ କରିଥିଲେ । ସକଳ ଯୁଦ୍ଧ ମଧ୍ୟରେ ଜର୍ମାନର ବ୍ଳେନ୍‌ହିମ୍‌(Blenheim)ନାମକ ସ୍ଥାନରେ ଖ୍ରୀ: ଅ: ୧୭୦୪ ରେ ହୋଇଥିବା ଯୁଦ୍ଧ ଇତିହାସ ପ୍ରସିଦ୍ଧ । ଏହି ଯୁଦ୍ଧରେ ଜୟଲାଭ କରିବାକୁ ମାର୍ଲବରୋଙ୍କ ରଣଖ୍ୟାତି ସମଗ୍ର ଇଉରୋପରେ ବ୍ୟାପ୍ତ ହୋଇଗଲେ । ଏତେଦିନ ପର୍ଯ୍ୟନ୍ତ ଫରାସୀମାନେ ଅଜେୟ ବୋଲି ଯେଉଁ ବଦ୍ଧମୂଳ ଧାରଣା ଥିଲା ତାହା ଦୂର ହୋଇଗଲା । ଏହି ଯୁଦ୍ଧ ପରେ ମାର୍ଲବରୋ ହଲାଣ୍ଡ୍‌ ର ରାମିଲିଜ୍‌ (Ramilles), ଓଡ଼େନାର୍ଡ (Oudenarde) ଓ ମାଲ୍‌ପ୍ଳାକେଟ୍‌ (Malplaquet) ନାମକ ତିନୋଟି ସ୍ଥାନରେ ଯୁଦ୍ଧ କରି ଫରାସୀମାନଙ୍କୁ ପରାସ୍ତ କରିଥିଲେ । ଖ୍ରୀ: ଅ: ୧୭୦୪ ରେ ଜଣେ ଇଂରେଜ ପୋତ-ଚାଳକ ଭୂମଧ୍ୟସାଗରର ପ୍ରବେଶଦ୍ୱାର ସ୍ୱରୂପ ଜିବ୍ରାଲ୍‌ଟର୍‌ ବନ୍ଦର ସ୍ପେନ୍‌ଠାରୁ ଅଧିକାର କରିଥିଲେ । (ଇଂରେଜମାନେ ଏତେ ଯୁଦ୍ଧ କରି ମଧ୍ୟ ଚତୁର୍ଦ୍ଦଶ ଲୁଇଙ୍କ ପୌତ୍ର ସ୍ପେନ୍‌ର ସିଂହାସନ ଲାଭ ପକ୍ଷରେ କୌଣସି ବାଧା ଜନ୍ମାଇ ପାରିଲେ ନାହିଁ । ଦୀର୍ଘକାଳବ୍ୟାପୀ ଯୁଦ୍ଧଯୋଗୁଁ ଇଂଲଣ୍ଡର ଅଜସ୍ର ଅର୍ଥବ୍ୟୟିତ ହୋଇଥିଲା ଓ ଫ୍ରାନ୍ସ ସହିତ ସନ୍ଧି ସ୍ଥାପନ ପାଇଁ ଦେଶର ସର୍ବତ୍ର ଚିତ୍କାର ଉଠିଲା । ମାର୍ଲବରୋଙ୍କ ଦୁର୍ଦ୍ଦମନୀୟ ଅର୍ଥ ଲାଳସା ଓ ଯୁଦ୍ଧଯୋଗୁଁ ସେ କିପରି ଲାଭବାନ ହେଉଛନ୍ତି ତାହା ସର୍ବତ୍ର ପ୍ରଚାରିତ ହେଲା । ରାଜ୍ଞୀ ଏନ୍‌ ମଧ୍ୟ ଯୁଦ୍ଧର ପକ୍ଷପାତୀ ନ ଥିଲେ ଓ ମାର୍ଲବରୋଙ୍କ ସଙ୍ଗେ ତାଙ୍କର କଳହ ଆରମ୍ଭ ହେଲା । ତହୁଁ ସେ ଯୁଦ୍ଧ ସମର୍ଥକ ହୁଇଗ୍‌ ମନ୍ତ୍ରୀ ସଭା ଭାଙ୍ଗି ଯୁଦ୍ଧବିରୋଧୀ ଟୋରି ମନ୍ତ୍ରୀସଭା ଗଠନ କରିଥିଲେ । ମାର୍ଲବରୋ ପ୍ରଧାନ ମନ୍ତ୍ରୀ ଓ ସୌନ୍ୟଧ୍ୟକ୍ଷ ପଦରୁ ଅପସାରିତ ହେଲେ । ଟୋରି ମନ୍ତ୍ରୀସଭା ଯୁଦ୍ଧ ବନ୍ଦ କରିବାରୁ ଚେଷ୍ଟା କଲା-

 

ଇଉଟ୍ରେଚ୍‌ ସନ୍ଧି- (Treaty of Utrecht) ଖ୍ରୀ: ଅ: ୧୭୧୩ ରେ ଇଉଟ୍ରେଚ୍‌ ନାମକ ସ୍ଥାନରେ ଫରାସୀ ଓ ଇଂରେଜମାନଙ୍କ ମଧ୍ୟରେ ସନ୍ଧି ହୋଇଥିଲା । ଏହି ସନ୍ଧି ଫଳରେ ଇଂରେଜମାନେ ଜିବ୍ରାଲ୍‌ଟର, ମିନର୍କା, ନିଉଫାଉଣ୍ଡଲାଣ୍ଡ, ନୋଭାସ୍କଟିଆ ଓ ହଡ୍‌ସନ୍‌ ଉପସାଗର ନିକଟବର୍ତ୍ତୀ ରାଜ୍ୟ ପାଇଥିଲେ । ଜିବ୍ରାଲ୍‌ଟର୍‌ ଅଧିକାର ଦ୍ୱାରା ଭୂମଧ୍ୟସାଗର ପ୍ରବେଶଦ୍ୱାର ଇଂରେଜମାନଙ୍କର ହସ୍ତଗତ ହେଲା । ମିଲାନ୍‌, ନେପଲ୍‌ସ୍‌ ଓ ସ୍ପେନୀୟ ନିଦର୍‌ଲାଣ୍ଡ ଅଷ୍ଟ୍ରିୟାକୁ ପ୍ରଦତ୍ତ ହୋଇଥିଲା । ଲୁଇଙ୍କ ପୌତ୍ର ଫିଲିପ୍‌ ସ୍ପେନର ସିଂହାସନ ଓ ଆମେରିକାସ୍ଥ ସ୍ପେନ ଅଧିକୃତ ରାଜ୍ୟ ପାଇଲେ । ସେ ସ୍ପେନର ରାଜା ହୋଇ ପଞ୍ଚମ ଫିଲିପ୍ ନାମ ଗ୍ରହଣ କଲେ । କିନ୍ତୁ ସେ ଫ୍ରାନ୍ସ ସିଂହାସନ ଅଧିକାରରୁ ବଞ୍ଚିତ ହୋଇଥିଲେ । ଏହାଦ୍ୱାରା ଫରାସୀ ସମ୍ରାଟଙ୍କ ସ୍ପେନ ଓ ଫ୍ରାନ୍ସ ଏକ ଶାସନାଧୀନ କରିବାର କଳ୍ପନା ବିଫଳ ହୋଇଥିଲା । ଫ୍ରାନ୍ସ ସମ୍ରାଟ ଇଂଲଣ୍ଡର ଉତ୍ତରାଧିକାରୀ ନିର୍ଣ୍ଣୟକୁ ଗ୍ରହଣ କରିଥିଲେ ଓ ଦ୍ୱିତୀୟ ଜେମ୍‌ସ୍‌ଙ୍କ ବଂଶଧରମାନଙ୍କୁ ସାହାର୍ଯ୍ୟ ନ କରିବାକୁ ସ୍ୱୀକୃତ ହୋଇଥିଲେ । ଇଂରେଜମାନେ ଆମେରିକାକୁ କ୍ରୀତଦାସ ଯୋଗାଇବାର ଏକଚାଟିଆ ଅଧିକାର ପ୍ରାପ୍ତ ହୋଇଥିଲେ । ଏହି ସନ୍ଧି ଦ୍ୱାରା ଉତ୍ତର ଆମେରିକାର ଇଂରେଜ ସାମ୍ରଜ୍ୟ ବିସ୍ତୃତ ହୋଇଥିଲା ଓ ଇଂରେଜମାନଙ୍କର ନୌଶକ୍ତି ଓ ବାଣିଜ୍ୟ ବୃଦ୍ଧିଲାଭ କରିଥିଲା । କିନ୍ତୁ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ପ୍ରକୃତ ଶାନ୍ତ ସ୍ଥାପିତ ହୋଇ ଦୀର୍ଘକାଳବ୍ୟାପୀ ବିବାଦର ବୀଜ ବପନ କରାଗଲା ।

 

ଇଂଲାଣ୍ଡ ଓ ସ୍କଟ୍‌ଲାଣ୍ଡର ସମ୍ମେଳନ- (ଖ୍ରୀ: ଅ: ୧୭୦୭): ପ୍ରଥମ ଜେମ୍‌ସ୍‌ ଇଂଲଣ୍ଡର ରାଜା ହେବା ସମୟରୁ ଅର୍ଥାତ୍‌ ୧୬୦୩ ଖ୍ରୀଷ୍ଟାବ୍ଦରୁ ଇଂଲଣ୍ଡ ଓ ସ୍କଟ୍‌ଲାଣ୍ଡ ଏକ ରାଜାଙ୍କ ଅଧୀନରେ ଶାସିତ ହେଲେ ମଧ୍ୟ ଉଭୟ ରାଜ୍ୟ ମଧ୍ୟରେ ଶାସନତଥାଗତ ବହୁତ ପାର୍ଥକ୍ୟ ବିଦ୍ୟମାନ ଥିଲା । କେବଳ କ୍ରମଓୟେଲଙ୍କ ଶାସନ ବ୍ୟତୀତ ସର୍ବଦା ଦୁଇଟି ରାଜ୍ୟର ପୃଥକ୍‌ ପାର୍ଲାମେଣ୍ଟ ଥିଲା । ଉଭୟ ରାଜ୍ୟର ଲୋକମାନଙ୍କ ମଧ୍ୟରେ ନାନା କାରଣରୁ ବିଶେଷ ସଦ୍ଭାବ ନ ଥିଲା । ନୌଚାଳନ ଆଇନ (Navigation Acts) ଯୋଗୁଁ ସ୍କଚ୍‌ମାନେ ଇଂଲଣ୍ଡ କିମ୍ବା ଇଂରେଜ ଉପନିବେଶମାନଙ୍କରେ ଅବାଧ ବାଣିଜ୍ୟ କରିପାରୁ ନ ଥିଲେ । ସ୍କଚ୍‌ମାନେ ତୃତୀୟ ଉଇଲିୟମ୍‌ଙ୍କ ରାଜତ୍ୱରେ ପାନାମା ଯୋଜକଠାରେ ଡାରିୟନ୍‌ ଉପସାଗର ନିକଟରେ ଗୋଟିଏ ଉପନିବେଶ ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଇଂରେଜମାନେ ଏଥିରେ ବାଧା ଦେବାରୁ ସେମାନେ ବିଫଳ ମନୋରଥ ହୋଇ ଇଂରେଜମାନଙ୍କ ପ୍ରତି କ୍ରୁଦ୍ଧ ହୋଇଥିଲେ । ଧର୍ମ ସମ୍ୱନ୍ଧରେ ଉଭୟ ରାଜ୍ୟ ମଧ୍ୟରୁ ବହୁକାଳରୁ ବିବାଦ ଥିଲା । ଏହି ସମସ୍ତ କାରଣରୁ ଏନ୍‌ଙ୍କ ରାଜତ୍ୱରେ ଉଭୟ ରାଜ୍ୟ ମଧ୍ୟରେ ଯୁଦ୍ଧର ସମ୍ଭାବନା ଦେଖାଗଲା । ଏପରି ସମୟରେ କେତେକ ଇଂରେଜ ଓ ସ୍କଟ୍‌ ରାଜନୀତିଜ୍ଞ ସ୍ଥିରକଲେ ଯେ ଉଭୟ ରାଜ୍ୟର ପାର୍ଲାମେଣ୍ଟ ସମ୍ମିଳିତ ହୋଇଗଲେ ଓ ସ୍କଚ୍‌ମାନଙ୍କୁ ଧର୍ମ, ବାଣିଜ୍ୟ ଓ ଉପନିବେଶ ସ୍ଥାପନ ସମ୍ବନ୍ଧରେ ସୁବିଧା ଦେଲେ ଇଂରେଜ ଓ ସ୍କଚ୍‌ମାନଙ୍କ ମଧ୍ୟରେ ବିବାଦର କୌଣସି କାରଣ ରହିବ ନାହିଁ ।

 

ତେଣୁ ଖ୍ରୀ: ଅ: ୧୭୦୭ ରେ ପାର୍ଲାମେଣ୍ଟରେ ଆକ୍ଟ ଅଫ୍‌ ଇଉନିୟନ୍‌ (ସମ୍ମେଳନ ଆଇନ୍‌) ‘‘Act of Union’’ ଗୃହୀତ ହୋଇଥିଲା । ଏହାଫଳରେ ସ୍କଟ୍‌ଲାଣ୍ଡର ଲୋକମାନେ ହାଉସ୍‌ ଅଫ୍‌ କମନ୍ସକୁ ୪୫ ଜଣ ସଭ୍ୟ ଓ ହାଉସ୍ ଅଫ୍‌ ଲର୍ଡସ୍‌କୁ ୧୬ ଜଣ ସଭ୍ୟ ପଠାଇବାର ଅଧିକାର ପାଇଲେ । ଏ ପର୍ଯ୍ୟନ୍ତ ସ୍କଟ୍‌ଲାଣ୍ଡର ପାର୍ଲାମେଣ୍ଟ ଏଡିନ୍‌ବରା ନଗରୀରେ ବସୁଥିଲା । କିନ୍ତୁ ସମ୍ମିଳିତ ପାର୍ଲାମେଣ୍ଟ ବା ଗ୍ରେଟ୍‌ବ୍ରିଟେନ୍‌ର ପାର୍ଲାମେଣ୍ଟ ‘‘ଓୟେଷ୍ଟମିନିଷ୍ଟର୍‌ ଏବି’’ ରେ ବସିବାର ବ୍ୟବସ୍ଥା ହେଲା । ସ୍କଟ୍‌ଲାଣ୍ଡ ନିଜର ଆଇନ କାନୁନ ଓ ପ୍ରେସ୍‌ବିଟରିୟାନ୍‌ ଧର୍ମମତ ରଖିବାର ଧାର୍ଯ୍ୟ ହେଲା । ଉଭୟ ରାଜ୍ୟ ମଧ୍ୟରେ ଅବାଧ ବାଣିଜ୍ୟ ପ୍ରଚଳିତ ହେଲା ଓ ସ୍କଟମାନେ ଇଂରେଜ ଉପନିବେଶମାନଙ୍କରେ ସ୍ୱାଧୀନ ଭାବରେ ବାଣିଜ୍ୟ କରିବାର ଅଧିକାର ପାଇଲେ । ପ୍ରଥମେ ପ୍ରଥମେ ଏହି ମିଳନ ଲୋକପ୍ରିୟ ହୋଇ ନ ଥିଲେ ମଧ୍ୟ ଭବିଷ୍ୟତରେ ଉଭୟ ଦେଶ ପକ୍ଷେ ହିତକର ହୋଇଥିଲା ।

 

ଲର୍ଡ଼ ବଲିଂବ୍ରୋକଙ୍କ ବିଦ୍ରୋହ:- ଏନ୍‌ଙ୍କ ଜୀବିତାବସ୍ଥାରେ ତାଙ୍କର ସମସ୍ତ ସନ୍ତାନସନ୍ତତିଙ୍କର ମୃତ୍ୟୁ ଘଟିଥିଲା । ଏହି ସମୟରେ ହାନୋଭର୍‌ର ଇଲେକ୍‌ଟ୍ରେସ୍‌ ସୋଫିୟା ମଧ୍ୟ ପ୍ରାଣତ୍ୟାଗ କରିଥିଲେ । ଆକ୍ଟ ଅଫ୍‌ ସେଟଲ୍‌ମେଣ୍ଟ୍‌ ଅନୁଯାୟୀ ରାଜ୍ଞୀ ଏନ୍‌ଙ୍କ ମୃତ୍ୟୁ ପରେ ସୋଫିୟାଙ୍କ ପୁତ୍ର ଜର୍ଜଙ୍କର ଇଂଲଣ୍ଡ ସିଂହାସନ ପାଇବା ସ୍ଥିର ହୋଇଗଲା । ଲର୍ଡ଼ ବଲିଂବ୍ରୋକ ଏନ୍‌ଙ୍କ ରାଜତ୍ୱର ଶେଷ ତିନି ବର୍ଷରେ ଇଂଲଣ୍ଡର ପ୍ରଧାନ ମନ୍ତ୍ରୀ ଥିଲେ । ରାଣୀଙ୍କର ସ୍ୱାସ୍ଥ୍ୟ କ୍ରମଶଃ ଶୋଚନୀୟ ହେବାର ଦେଖି ସେ ତାଙ୍କ ଲାଭ ଦ୍ୱିତୀୟ ଜେମ୍‌ସ୍‌ଙ୍କ ପୁତ୍ରଙ୍କୁ ‘ଆକ୍ଟ ଅଫ୍‌ ସେଟେଲ୍‌ମେଣ୍ଟ୍‌ ଙ୍କୁ ଭଙ୍ଗକରି ଇଂଲଣ୍ଡର ସିଂହାସନର ବସାଇବାକୁ ଯତ୍ନ କରିଥିଲେ । କିନ୍ତୁ ଏହି ସମୟରେ ହଠାତ୍‌ ଏନ୍‌ଙ୍କର ମୃତ୍ୟୁ ଘଟିଥିଲା । ହୁଇଗ୍‌ମାନେ ହାନୋଭର୍‌ର ଜର୍ଜ୍ଜଙ୍କୁ ଇଂଲଣ୍ଡର ସିଂହାସନ ପ୍ରଦାନ କରିଥିଲେ । ଏଥିରେ କେହି ବିଶେଷ ଆପତ୍ତି କରି ନ ଥିଲେ । ଏନ୍‌ଙ୍କ ମୃତ୍ୟୁ ସଙ୍ଗେ ସଙ୍ଗେ ଇଂଲଣ୍ଡରୁ ଷ୍ଟୁଆର୍ଟ ରାଜବଂଶ ଲୋପ ପାଇଲା ଓ ଇଂଲଣ୍ଡର ହାନୋଭର୍‌ ରାଜବଂଶ ପ୍ରତିଷ୍ଠିତ ହେଲା ।

 

ଅଷ୍ଟମ ଅଧ୍ୟାୟ

ଷ୍ଟୁଆର୍ଟଯୁଗରେ ଇଂଲାଣ୍ଡର ଅବସ୍ଥା

 

ଇଂଲାଣ୍ଡର ରାଜ୍ୟ ବିସ୍ତାର : - ସାର ଉଆଲ ରରାଲେ ପ୍ରଥମ ଆମେରିକାରେ ଇଂରେଜ ଉପନିବେଶ ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ । ସେ ସାମ୍ରାଜ୍ଞୀ ଏଲିଜାବେଥ୍‌ଙ୍କଠାରୁ କୌଣସି ଖ୍ରୀଷ୍ଟିୟାନ୍‌ ଶକ୍ତିଦ୍ୱାରା ଅଧିକୃତ ନ ହୋଇଥିବା ଆମେରିକାର ଯେ କୌଣସି ଅଂଶରେ ରାଜ୍ୟ ସ୍ଥାପନ କରିବା ପାଇଁ ଅଧିକାର ପାଇଥିଲେ । ସେ ଉତ୍ତର ଆମେରିକାର ପୂର୍ବ ଉପକୂଳରେ ଥିବା ରୋଆନୋକ୍‌ (Roanoke) ଦ୍ୱୀପ ଅଧିକାର କରି ଏଲିଜାବେଥ୍‌ଙ୍କ ନାମାନୁସାରେ ତାହାର ନାମ ଭର୍ଜିନିୟା ଦେଇଥିଲେ । ପ୍ରଥମେ ରାଲେ ଏଠାକୁ ଶତାଧିକ ଲୋକ ପଠାଇଥିଲେ । କିନ୍ତୁ ସେମାନେ ସ୍ପେନୀୟ ଓ ଲୋହିତ ଭାରତୀୟମାନଙ୍କୁ ତଡ଼ି ଜଙ୍ଗଲ କାଟି ଚାଷବାସ କରି ବସତି ସ୍ଥାପନ କରିବାପାଇଁ ଅସମର୍ଥ ହୋଇଥିଲେ । ତେଣୁ ଏହି ପ୍ରଥମ ଉପନିବେଶ ସ୍ଥାପନ ଚେଷ୍ଟା ବିଫଳ ହୋଇଥିଲା । ଏହାପରେ ଖ୍ରୀ: ଅ: ୧୫୮୭ ରେ ଏହି ଦ୍ୱୀପକୁ ବାସୋପଯୋଗୀ କରିବା ପାଇଁ ଦ୍ୱିତୀୟବାର ଚେଷ୍ଟା ହୋଇଥିଲା । ଇଂଲଣ୍ଡର ଅନେକ ପରିବାର ସେଠାକୁ ବାସ କରିବାପାଇଁ ଯାଇଥିଲେ । କିନ୍ତୁ ଏଥର ମଧ୍ୟ ଖାଦ୍ୟ, ବସନ, ଅସ୍ତ୍ରଶସ୍ତ୍ରର ଅଭାବ ଓ ଲୋହିତ ଭାରତୀୟମାନଙ୍କର ନୃଶଂସ ଅତ୍ୟାଚାର ଯୋଗୁଁ ଏହି ଚେଷ୍ଟା ବିଫଳ ହୋଇଥିଲା । ଅଳ୍ପକାଳ ମଧ୍ୟରେ ସମସ୍ତ ଇଂରେଜ ପରିବାର ଧ୍ୱଂସ ହୋଇଥିଲେ । ପ୍ରଥମଜେମ୍‌ସ୍‌ଙ୍କ ରାଜତ୍ୱରେ ଖ୍ରୀ: ଅ: ୧୬୦୭ରେ ଭର୍ଜିନିୟା ସଂପୂର୍ଣ୍ଣରୂପେ ଅଧିକୃତ ହୋଇଥିଲା । ଜେମ୍‌ସ୍‌ଙ୍କ ନାମାନୁସାରେ ଏହାର ପ୍ରଥମ ନଗରର ନାମ ହେଲା ଜେମ୍‌ସ୍‌ ଟାଉନ ।

 

ପ୍ରଥମ ଜେମ୍‌ସ୍‌ଙ୍କ ରାଜତ୍ୱକାଳରେ ଅତ୍ୟାଚାରିତ ଓ ଉତ୍ପୀଡିତ ପ୍ରୋଟେଷ୍ଟାଣ୍ଟମାନେ ସ୍ୱଦେଶ ପରିତ୍ୟାଗ କରି ଭର୍ଜିନିୟାର ଉତ୍ତରରେ କେତେକ ଉପନିବେଶ ସ୍ଥାପନ କରିଥିଲେ । ସେଗୁଡ଼ିକର ନୂତନ ଇଂଲାଣ୍ଡ ‘New England’ ନାମକରଣ ହୋଇଥିଲା । ପ୍ରଥମ ଚାର୍ଲସ୍‌ଙ୍କ ରାଜତ୍ୱ ସମୟରେ ପ୍ରାୟ ୨୦ ହଜାର ପ୍ୟୁରିଟାନ୍‌ ନିଜ ରାଜ୍ୟ ପରିତ୍ୟାଗ କରି ଏଠାରେ ବସତି ସ୍ଥାପନ କରିଥିଲେ । ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ, ପ୍ରଗାଢ ଅଧ୍ୟବସାୟ ଓ ସହିଷ୍ଣୁତା ଯୋଗୁଁ ଅଳ୍ପକାଳମଧ୍ୟରେ ଏହି ଉପନିବେଶଗୁଡ଼ିକ ଉର୍ବର ଓ ସମୃଦ୍ଧିଶାଳୀ ହୋଇଥିଲା । ଏହି ଉପନିବେଶଗୁଡ଼ିକ ଉର୍ବର ଓ ସମୃଦ୍ଧିଶାଳୀ ହୋଇଥିଲା । ଏହି ଉପନିବେଶମାନଙ୍କ ମଧ୍ୟରେ ମାସାଚୁସେଟ୍‌ ପ୍ରଧାନ ଥିଲା ଓ ଏହାର ରାଜଧୀନୀ ବୋଷ୍ଟାନ୍‌ ପରବର୍ତ୍ତୀକାଳରେ ଗୋଟିଏ ପ୍ରସିଦ୍ଧ ବନ୍ଦର ହୋଇଥିଲା । ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜସ୍ଥ ବାର୍‌ବାଡ଼ସ୍‌ (Barbados) ଦ୍ୱୀପ ଖ୍ରୀ: ଅ: ୧୬୨୬ ରେ ଓ ଜେମେକା ଦ୍ୱୀପ କ୍ରମ୍‌ଓୟେଲ୍‌ଙ୍କ ରାଜତ୍ତ୍ୱ କାଳରେ ଇଂରେଜମାନଙ୍କ ହସ୍ତଗତ ହୋଇଥିଲା ।

 

ଦ୍ୱିତୀୟ ଚାର୍ଲସ୍‌ଙ୍କ ରାଜତ୍ୱକାଳରେ ଉତ୍ତର ଓ ଦକ୍ଷିଣ କରୋଲିନା (Corolina) ନାମକ ଉପନିବେଶ ଦ୍ୱୟ ସ୍ଥାପିତ ହୋଇଥିଲା । ଦ୍ୱିତୀୟ ଡଚ୍‌ଯୁଦ୍ଧରେ ଫଳସ୍ୱରୂପ ଇଂରେଜମାନେ ଡ଼ଚ ଅଧିକୃତ ନିଉ ଆମଷ୍ଟରଡାମ ନାମକ ଉପନିବେଶ ପାଇଥିଲେ । ଇଂରେଜମାନଙ୍କଦ୍ୱାରା ଏହାର ନିୟୁୟର୍କ (Newyork) ନାମକରଣ ହୋଇଥିଲା । ତାଙ୍କ ରାଜତ୍ୱରେ ନିଉଜରସି (New Jersey), ଡିଲାଓୟାର (Dealware) ପେନସିଲ୍‌ ଭେନିଆ (Pennsylvania) ପ୍ରଭୃତି ଉପନିବେଶ ସ୍ଥାପିତ ହୋଇଥିଲା ।

 

ସ୍ପେନୀୟ ଉତ୍ତରାଧିକାର ଯୁଦ୍ଧର ଫଳ ସ୍ୱରୂପ ଇଂରେଜମାନେ ମିନର୍କା, ନିଉଫାଉଣ୍ଡଲାଣ୍ଡ, ଜାଭାସ୍କଟିଆ ଓ ହଡସନ୍‌ ଉପସାଗର ନିକଟବର୍ତ୍ତୀ ରାଜ୍ୟ ପାଇଥିଲେ । ଷ୍ଟୁଆର୍ଟ ଯୁଗରେ ଉତ୍ତର ଆମେରିକାସ୍ଥ ଆଲିଘେନି ପର୍ବତର ପୂର୍ବଭାଗରେ ସେଣ୍ଟଲରେନ୍ସ ନଦୀ ଓ ଫ୍ଳୋରିଡା ମଧ୍ୟରେ ଥିବା ସମସ୍ତ ଅଞ୍ଚଳ ଏବଂ ନିଉଫାଉଣ୍ଡଲାଣ୍ଡ ଓ ହଡ଼ସନ୍‌ ଉପସାଗରର ଦକ୍ଷିଣ ତୀରବର୍ତ୍ତୀ କେତେକ ଅଞ୍ଚଳ ଇଂରେଜମାନଙ୍କର ଅଧିକାରଭୁକ୍ତ ହୋଇଥିଲା ।

 

ଏହି ଯୁଗରେ ଭାରତବର୍ଷରେ ଇଂରେଜସାମ୍ରାଜ୍ୟର ମୁଳଭିତ୍ତି ପ୍ରତିଷ୍ଠିତ ହୋଇଥିଲା । ଇଂରେଜ ବଣିକମାନେ ସୁରାଟ, ବମ୍ବେ, କଲିକତା, ବାଲେଶ୍ୱର, ମାନ୍ଦ୍ରାଜ ପ୍ରଭୃତି ସ୍ଥାନରେ ବାଣିଜ୍ୟକୋଠି ଓ ବସତି ସ୍ଥାପନ କରିଥିଲେ । ଏହିରୂପେ ପଶ୍ଚିମ ଓ ପୂର୍ବ ଗୋଲାର୍ଦ୍ଧରେ ବ୍ରିଟିଶ ସାମ୍ରାଜ୍ୟ ପ୍ରତିଷ୍ଠାର ସୂତ୍ରପାତ ହେଲା ।

 

ବାଣିଜ୍ୟର ପ୍ରସାର – ଏଲିଜାବେଥ୍‌ଙ୍କ ରାଜତ୍ୱରୁ ଇଂଲଣ୍ଡର ବାଣିଜ୍ୟ ବ୍ୟବସାୟ କ୍ରମଶଃ ବୃଦ୍ଧିଲାଭ କଲା । ନୌଚାଳନ ଆଇନ (Navigation Act) ଯୋଗୁଁ ଅଧିକାଂଶ ସାମୁଦ୍ରିକ ବାଣିଜ୍ୟ ବ୍ରିଟିଶ ପୋତମାନଙ୍କର ପରିଚାଳିତ ହେଲା । ବହୁ ଜଳଯୁଦ୍ଧରେ ଜୟଲାଭ କରିବାଦ୍ୱାରା ଇଂଲାଣ୍ଡର ନୌଶକ୍ତି କ୍ରମଶଃ ପ୍ରବଳତର ହେଲା ।

 

ଏହି ଯୁଗରେ ଇଂଲାଣ୍ଡର କାର୍ପାସ ଓ ସିଲ୍କ ବସ୍ତ୍ରବୟନ ଶିଳ୍ପ ବିଶେଷ ଉନ୍ନତି ଲାଭ କରିଥିଲା ଓ ରାଜ୍ୟର ନାନାସ୍ଥାନରେ ସମୃଦ୍ଧିଶାଳୀ ବୟନ- ଶିଳ୍ପକେନ୍ଦ୍ରମାନେ ପ୍ରତିଷ୍ଠିତ ହେଲା ।

 

ଭୋଗବିଳାସର ବୃଦ୍ଧି- ରାଜ୍ୟ ବିସ୍ତାର, ନୂତନ ଦେଶ ଆବିଷ୍କାର, ବୈଦେଶିକ ପୋତ – ଲୁଣ୍ଠନ ଓ ବାଣିଜ୍ୟ ବ୍ୟବସାୟର ପ୍ରସାର ଯୋଗୁଁ ଇଂଲାଣ୍ଡକୁ ଧନର ସ୍ରୋତ ପ୍ରବାହିତ ହେଲା । ଧନବୃଦ୍ଧି ସଙ୍ଗେ ସଙ୍ଗେ ଲୋକମାନଙ୍କର ସୁଖ, ଶାନ୍ତି ସ୍ୱାଚ୍ଛନ୍ଦ୍ୟ, ଭୋଗବିଳାସ ବଢିବାକୁ ଲାଗିଲା । ଏହି ଯୁଗରେ ଇଂଲାଣ୍ଡରେ ଚା ଓ କଫି ପାନ ବିଶେଷଭାବରେ ପ୍ରଚଳିତ ହେଲା । ରାଜ୍ୟର ଚାରିଆଡେ କଫି ହୋଟେଲର ପ୍ରସାର ହେଲା । ଏଗୁଡ଼ିକ ସର୍ବସାଧାରଣଙ୍କର ରାଜନୀତି ଚର୍ଚ୍ଚା, ସମ୍ବାଦ ସଂଗ୍ରହ ଓ ପ୍ରଚାର ଏବଂ ଗଳ୍ପ ଆମୋଦର ପ୍ରଧାନ କେନ୍ଦ୍ର ଥିଲା । ରଙ୍ଗମଞ୍ଚର ଜନପ୍ରିୟତା ବୃଦ୍ଧିଲାଭ କରିବାରୁ ସର୍ବତ୍ର ରଙ୍ଗମଞ୍ଚମାନ ନିର୍ମିତ ହେଲା । ଲୋକମାନଙ୍କୁ ଆନନ୍ଦ ଦେବାପାଇଁ ସର୍ବତ୍ର ଶତ ଶତ ନାଟକ ଅଭିନୀତ ହେବାକୁ ଲାଗିଲା । ଏଲିଜାବେଥ୍‌ ଯୁଗରେ ବାଳକମାନେ ସ୍ତ୍ରୀ ବେଶରେ ରଙ୍ଗମଞ୍ଚରେ ଅବତୀର୍ଣ୍ଣ ହେଉଥିଲେ । କିନ୍ତୁ ସେ ପ୍ରଥା ଉଠିଯାଇ ପୁରୁଷମାନଙ୍କ ସଙ୍ଗେ ସ୍ତ୍ରୀମାନେ ଅଭିନେତ୍ରୀରୂପେ ରଙ୍ଗମଞ୍ଚକୁ ମଣ୍ଡିତ କଲେ । ଦ୍ୱିତୀୟ ଚାର୍ଲସ୍‌ଙ୍କ ରାଜତ୍ୱରେ ଦେଶରେ ଭୋଗବିଳାସର ସ୍ରୋତ ପ୍ରବାହିତ ହେଲା । ବିଳାସିତା ଓ ଆମୋଦପ୍ରିୟତାର ବୃଦ୍ଧିଯୋଗୁଁ ଲୋକମାନଙ୍କର ନୈତିକ ଚରିତ୍ର କ୍ରମଶଃ କଳୁଷିତ ହେଲା । ଏ ଯୁଗରେ ଧନିକ ସମାଜରେ ମୂଲ୍ୟବାନ୍‌, ସୁନ୍ଦର, ଚିକ୍କଣ, ନାନାବର୍ଣ୍ଣରଞ୍ଜିତ ପୋଷକ ପରିଚ୍ଛଦର ବ୍ୟବହାର ପ୍ରସାର ଲାଭ କରିଥିଲା । ସ୍ତ୍ରୀ ଓ ପୁରୁଷ ଉଭୟ ମସ୍ତକର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କୃତ୍ରିମ

 

ନବମ ଅଧ୍ୟାୟ

ହାଜୋଭର ରାଜବଂଶ

ପ୍ରଥମ ଜର୍ଜ(ଖ୍ରୀ:ଅ: ୧୭୧୪-୧୭୨୭)

 

ପ୍ରଧାନ ପ୍ରଧାନ ଘଟଣାର ସମୟ-

ଖ୍ରୀ:ଅ: ୧୭୧୫-

ପ୍ରଥମ ଜାକୋବାଇଟ୍ ବିଦ୍ରୋହ ବା (The Fifteen)

ଖ୍ରୀ:ଅ: ୧୭୨୦-

ସାଉଥ୍ ସି ବବୁଲ୍ ।

ଖ୍ରୀ:ଅ: ୧୭୨୧-

ସାର୍ ରବର୍ଟ ଉଆଲପୋଲଙ୍କ ପ୍ରଧାନ ମନ୍ତ୍ରୀତ୍ୱ ଆରମ୍ଭ ।

ଖ୍ରୀ:ଅ:୧୭୨୭ -

ପ୍ରଥମ ଜର୍ଜ୍ଜଙ୍କ ମୃତ୍ୟୁ ।

 

ପ୍ରଥମ ଜର୍ଜ୍ଜ ଓ ହୁଇଗ୍‌ଦଳର ପ୍ରାଧାନ୍ୟ-ପ୍ରଥମ ଜର୍ଜ୍ଜ ଆକ୍ଟ ଅଫ୍‌ ସେଟେଲମେଣ୍ଟ ଅନୁଯାୟୀ ଇଂଲଣ୍ଡର ସିଂହାସନ ପ୍ରାପ୍ତ ହୋଇଥିଲେ । ହୁଇଗ୍‌ଦଳ ସାହାର୍ଯ୍ୟରେ ସେ ଇଂଲଣ୍ଡର ସିଂହାସନ ଅଧିକାର କରିଥିଲେ । ତେଣୁ ସେ ହୁଇଗ୍‌ମାନଙ୍କୁ ବିଶେଷ ଶ୍ରଦ୍ଧା କରୁଥିଲେ । ଇଂରେଜ ଭାଷା ଓ ଇଂଲଣ୍ଡର ରାଜନୀତି ସମ୍ବନ୍ଧରେ ତାଙ୍କର ଆଦୌ ଜ୍ଞାନ ନ ଥିଲା । ସେ ହୁଇଗ୍‌ ମନ୍ତ୍ରୀମାନଙ୍କ ହସ୍ତରେ ସମସ୍ତ ଶାସନଭାର ଛାଡ଼ି ଦେଇଥିଲେ ।

 

ସେ କେବେ କାବିନେଟ ବା ମନ୍ତ୍ରୀସଭା ବୈଠକରେ ଯୋଗଦାନ କରୁ ନ ଥିଲେ । ତାଙ୍କର ଅନୁପସ୍ଥିତିରେ ମନ୍ତ୍ରୀମାନଙ୍କ ମଧ୍ୟରୁ ଜଣେ ସଭାପତି ହୋଇ ମନ୍ତ୍ରୀସଭାର କାର୍ଯ୍ୟ ଚଳାଉଥିଲେ । ଉକ୍ତ ମନ୍ତ୍ରୀ ବା ପ୍ରଧାନ ମନ୍ତ୍ରୀ Prime minister ଆଖ୍ୟା ପ୍ରାପ୍ତ ହୋଇଥିଲେ । ଏହିରୂପେ ତାଙ୍କ ସମୟରେ ତୃତୀୟ ଉଇଲିୟମଙ୍କ ରାଜତ୍ୱରେ ଆରମ୍ଭ ହୋଇଥିବା କାବିନେଟ ଶାସନପ୍ରଣାଳୀ ବିକାଶ ଲାଭ କରିଥିଲା । ତାଙ୍କ ରାଜତ୍ୱ ଆରମ୍ଭରୁ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପର୍ଯ୍ୟନ୍ତ ପାର୍ଲାମେଣ୍ଟରେ ହୁଇଗ୍‌ଦଳର ପ୍ରଭାବ ଓ ପ୍ରତିପତ୍ତି ଅକ୍ଷୁର୍ଣ୍ଣ ରହିଲା । ହୁଇଗମନ୍ତ୍ରୀ ସଭା ଗଠିତ ହେବାରୁ ଲର୍ଡ଼ ଟାଉନସେଣ୍ଡ ପ୍ରଧାନ ମନ୍ତ୍ରୀ ହେଲେ ।

 

ପ୍ରଥମ ଜାକୋବାଇଟ୍‌ବିଦ୍ରୋହ ବା ଦି ଫପ୍‌ଟିନ୍‌ - ଖ୍ରୀ: ଅ: ୧୭୧୫ – ଲର୍ଡ଼ ବଂଲିବ୍ରୋକ୍‌ ଦ୍ୱିତୀୟ ଜେମ୍‌ସ୍‌ଙ୍କ ପୁତ୍ର ଜେମ୍‌ସ୍‌ ଏଡଉଆର୍ଡ ବା ତୃତୀୟ ଜେମ୍‌ସ୍‌ଙ୍କୁ ରାଜ୍ଞୀ ଏନ୍‌ଙ୍କ ମୃତ୍ୟୁପରେ ସିଂହାସନ ଦେବାକୁ ଚେଷ୍ଟା କରି ବିଫଳ ମନୋରଥ ହୋଇଥିଲେ । କିନ୍ତୁ ପ୍ରଥମ ଜର୍ଜ୍ଜ ଇଂଲାଣ୍ଡର ରାଜାହେବା ସଙ୍ଗେ ଜେମ୍‌ସ୍‌ ଏଡ୍‌ଉଆର୍ଡ଼ଙ୍କ ସମର୍ଥକ ବା ଜାକୋବାଇଟ୍‌ମାନେ ଖ୍ରୀ: ଅ: ୧୭୧୫ ରେ ଗୋଟିଏ ବିଦ୍ରୋହ କରିଥିଲେ । ଏହା ପ୍ରଥମ ଜାକୋବାଇଟ୍‌ ବିଦ୍ରୋହ ବା ‘ଦି ଫିପ୍‌ଟିନ୍‌’ ନାମରେ ବିଦିତ । ଲୋକମାନେ ଜେମ୍‌ସ୍‌ ଏଡ଼ଉଆର୍ଡ଼ଙ୍କୁ Old Pretender ବା ବୃଦ୍ଧ ପ୍ରତାରକ ଆଖ୍ୟା ପ୍ରଦାନ କରିଥିଲେ ।

 

ପ୍ରତାରକଙ୍କ ସିଂହାସନ ପ୍ରାପ୍ତି ନିମିତ୍ତ ସ୍କଟ୍‌ଲାଣ୍ଡର ପାର୍ବତ୍ୟ ପ୍ରଦେଶ ଇଂଲଣ୍ଡର ଉତ୍ତରାଞ୍ଚଳର ଅଧିବାସୀମାନେ ବିଦ୍ରୋହ କରିଥିଲେ । ସ୍କଟ୍‌ଲାଣ୍ଡର ପାର୍ବତ୍ୟ ପ୍ରଦେଶର ଅଧିବାସୀମାନେ ଷ୍ଟୁଆର୍ଟମାନଙ୍କର ବିଶେଷ ଅନୁଗତ ଥିଲେ । ସେମାନେ ବିଶେଷ ଯୁଦ୍ଧପଟୁ, ସାହସୀ ଓ ନୃଶଂସ ଥିଲେ । ସେମାନେ ଆର୍ଲ ଅଫ୍‌ ମାର୍‌“Eark of Mar”ଙ୍କ ନେତୃତ୍ତ୍ୱରେ ପ୍ରତାରକଙ୍କ ସପକ୍ଷରେ ବିଦ୍ରୋହ କରିଥିଲେ । କିନ୍ତୁ ଷେରିଫମୁର ନାମକ ସ୍ଥାନରେ ସେମାନେ ପରାସ୍ତ ହୋଇଥିଲେ । ଇଂଲଣ୍ଡର ଜାକୋବାଇଟ୍‌ମାନେ ପ୍ରେଷ୍ଟନ୍‌ ନାମକ ସ୍ଥାନରେ ଆତ୍ମସମର୍ପଣ କଲେ ।

 

ବିଦ୍ରୋହ ଦମନ ପରେ ବୃଦ୍ଧ ପ୍ରତାରକ ସ୍କଟ୍‌ଲାଣ୍ଡରେ ପଦାର୍ପଣ କରିଥିଲେ । ତାଙ୍କର ଯୁଦ୍ଧବିଦ୍ୟାରେ ଅପାରଗତା, ନିର୍ବୋଧତା ଓ ଦୀର୍ଘସୂତ୍ରତା ଦେଖି ଜାକୋବାଇଟ୍‌ମାନେ ତାଙ୍କ ଉପରେ ବିରକ୍ତ ହୋଇ ତାଙ୍କର ପକ୍ଷ ତ୍ୟାଗ କରିଥିଲେ । ପ୍ରତାରକ ସଂହାସନ ପ୍ରାପ୍ତିର କୌଣସି ଆଶା ନ ଦେଖି ଫ୍ରାନ୍ସକୁ ପଳାୟନ କଲେ ଓ ଅଳ୍ପଦିନ ମଧ୍ୟରେ ବିଦ୍ରୋହ ଶାନ୍ତ ହୋଇଥିଲା ।

 

ସପ୍ତ ବାର୍ଷିକ ଆଇନ୍:-ସାଧାରଣ ନିର୍ବାଚନରେ ଟୋରି ସଭ୍ୟମାନେ ଅଧିକ ସଂଖ୍ୟାରେ ପାର୍ଲାମେଣ୍ଟକୁ ନିର୍ବାଚିତ ହେବାର ଆଶଙ୍କା କରି ଖ୍ରୀ: ଅ: ୧୭୧୬ରେ ପାର୍ଲାମେଣ୍ଟ ସପ୍ତବାର୍ଷିକ ଆଇନ୍‌(Septennial Act) ପ୍ରଣୟନ କରିଥିଲେ । ଏହାଦ୍ୱାରା ପାର୍ଲାମେଣ୍ଟର ପରମାୟୁ ୩ବର୍ଷ ପରିବର୍ତ୍ତିରେ ୭ବର୍ଷ ବୋଲି ସ୍ଥିର ହେଲା ।

 

ପ୍ରଥମଜର୍ଜ୍ଳଙ୍କ ବୈଦେଶିକ ନୀତି:- ଚତୁର୍ଦ୍ଦଶ ଲୁଇ ଦୀର୍ଘ ୭୧ବର୍ଷ ରାଜତ୍ୱ ପରେ ପ୍ରାଣତ୍ୟାଗ କରିବାରୁ ପଞ୍ଚଦଶ ଲୁଇ ଫ୍ରାନସର ସିଂହାସନ ଅଧିକାର କଲେ । ରାଜା ହେବା ସମୟରେ ତାଙ୍କର ବୟସ ଥିଲା ଦଶବର୍ଷ । ଅର୍ଲିନ୍ସପ୍ରଦେଶର ଡ଼ିଉକ୍‌ ତାଙ୍କର ଅଭିଭାବକ ଥିଲେ । ପଞ୍ଚଦଶ ଲୁଇ ଅପୁତ୍ରକ ଅବସ୍ଥାରେ ପ୍ରାଣତ୍ୟାଗ କଲେ । ଫ୍ରାନ୍ସ ରାଜବଂଶ ସହିତ ନିକଟ ସଂପର୍କ ହେତୁ ଡ଼ିଉକ୍ ଅଫ୍‌ଅର୍ଲିନ୍‌ ଫ୍ରାନ୍ସର ସିଂହାସନପ୍ରାପ୍ତି ଆଶାରେ ଇଂଲଣ୍ଡ ସହିତ ସନ୍ଧିସୂତ୍ରରେ ଆବଦ୍ଧ ହୋଇଥିଲେ । ଜର୍ଜ୍ଜ ବୃଦ୍ଧ ପ୍ରତାରକ ଓ ଜାକୋବାଇଟ୍‌ମାନଙ୍କର ପ୍ରଧାନ ସମର୍ଥକ ଫ୍ରାନ୍ସକୁ ସ୍ୱପକ୍ଷକୁ ଆଣିବାପାଇଁ ଏହି ସନ୍ଧିରେ ଆଗ୍ରହରେ ଯୋଗ ଦେଇଥିଲେ । ସ୍ପେନ ଇଉଟ୍ରେଚ୍‌ ସନ୍ଧିରେ ଅସନ୍ତୁଷ୍ଟ ହୋଇ ସିସିଲି ଦ୍ୱୀପ ଆକ୍ରମଣ କରିଥିଲା । କିନ୍ତୁ ଇଂଲଣ୍ଡ ଦ୍ୱାରା ଗୋଟିଏ ଜଳଯୁଦ୍ଧରେ ପରାସ୍ତ ହେବାରୁ ସିସିଲି ଦ୍ୱୀପ ପରିତ୍ୟାଗ କରିବାକୁ ବାଧ୍ୟ ହେଲା ।

 

ସାଉଥ୍ ସି ବବଲ୍‌(South Sea Bubble )-ଖ୍ରୀ:ଅ: ୧୭୨- ଇଉଟ୍ରେଚ୍‌ ସନ୍ଧି ପରେ ବାଣିଜ୍ୟ ବ୍ୟବସାୟ ଦିଗରେ ଇଂଲାଣ୍ଡର ବିଶେଷ ଉନ୍ନତି ହୋଇଥିଲା । ଦେଶର ଲୋକେ ବ୍ୟବସାୟ ବାଣିଜ୍ୟଦ୍ୱାରା ପ୍ରଚୁର ଅର୍ଥ ଲାଭକଲେ । ଏହି ସମୟରେ ଇଂଲାଣ୍ଡର ଦଳେ ଲୋକେ ନିଜ ନିଜ ମଧ୍ୟରୁ ଅର୍ଥ ସଂଗ୍ରହ କରି ‘ସାଇଥ୍ ସି କମ୍ପାନୀ’ South Sea Company ନାମକ ଯୌଥ କାରବାର ପ୍ରତିଷ୍ଟା କରିଥିଲେ । ଏହି କମ୍ପାନୀ ଦକ୍ଷିଣ ଆମେରିକା ସହିତ ବାଣିଜ୍ୟ କରି ବିଶେଷ ଲାଭବାନ୍‌ ହୋଇଥିଲା । ଏହାର ଦେଖା ଦେଖି ଦେଶରେ ଆହୁରି ଅନେକ କମ୍ପାନୀ ଗଠିତ ହୋଇଥିଲା । ଏଥିମଧ୍ୟରୁ ଅଧିକାଂଶ ଜଳ ବୁଦ୍ବୁଦ କରି ପ୍ରତିଷ୍ଠା ସଙ୍ଗେ ସଙ୍ଗେ ବିଲୁପ୍ତ ହୋଇଥିଲା । ଏଥିଯୋଗୁଁ ଜନସାଧାରଣ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲେ । ଏପରି ଗଣ୍ଡଗୋଳ ହେବାରୁ ସାଉଥ୍ ସି କମ୍ପାନୀର ଅଂଶର ମୂଲ୍ୟ ମଧ୍ୟ ଯଥେଷ୍ଟ କମିଗଲା ଏବଂ ଅଳ୍ପ ସମୟ ମଧ୍ୟରେ କମ୍ପାନୀ ଦେଉଳିଆ ହୋଇ ଭାଙ୍ଗିଗଲା । ବହୁ ଅଂଶୀଦାର ଏଥିରେ ସର୍ବସ୍ୱାନ୍ତ ହୋଇଥିଲେ । ସାଉଥ୍‌ ସି କମ୍ପାନୀର ଏହି ଅକାଳ ବିଲୋପ ଇତିହାସରେ ‘ସାଉଥ୍‌ ସି ବବଲ୍‌’ ବା ଦାକ୍ଷିଣ ସାଗରର ଜଳ ବୁଦ୍ବୁଦ୍‌ ନାମରେ ପରିଚିତ । ଖ୍ରୀ: ଅ: ୧୭୨୦ ରେ ଏହି ଘଟଣା ଘଟିଥିଲା ।

 

ଉଆଲ ପୋଲଙ୍କ ମନ୍ତ୍ରୀତ୍ୱ- ଖ୍ରୀ: ଅ: ୧୭୨୧ ସାଉଥ୍ ସି କମ୍ପାନୀ ଭଙ୍ଗ ହେବା ପରେ କୌଣସି କୌଣସି ମନ୍ତ୍ରୀ କମ୍ପାନୀଠାରୁ ଲାଞ୍ଚ ନେଇଥିବାର ସଂବାଦ ସର୍ବତ୍ର ରାଷ୍ଟ୍ର ହୋଇଗଲା । ତେଣୁ ମନ୍ତ୍ରୀମାନଙ୍କ ବିରୁଦ୍ଧରେ ଦେଶରେ ଘୋର ଚିତ୍କାର ଉଠିଲା ଓ ମନ୍ତ୍ରୀମାନେ ପଦଚ୍ୟୁତ ହେଲେ । ସାର୍‌ ରବର୍ଟ ଉଆଲପୋଲ୍‌ ସମସ୍ତଙ୍କର ବିଶ୍ୱାସଭାଜନ ଥିଲେ । ସେ ଖ୍ରୀ: ଅ: ୧୭୨୧ ରେ ପ୍ରଧାନମନ୍ତ୍ରୀ ରୂପେ ନିର୍ବାଚିତ ହୋଇଥିଲେ । ସେ ଜଣେ ବିଚକ୍ଷଣ ଅର୍ଥନୀତିଜ୍ଞ ଥିଲେ । ସେ ମନ୍ତ୍ରୀ ହେବାମାତ୍ର ବଡ଼ ବିଚକ୍ଷଣତା ସହିତ ଆର୍ଥିକ ଗଣ୍ଡଗୋଳର ସମାଧାନ କରିଥିଲେ । ସେ ପ୍ରାୟ ୧୨ ବର୍ଷକାଳ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ରୂପେ ରହିଥିଲେ । ତାଙ୍କର ମନ୍ତ୍ରୀତ୍ୱ ଶେଷ ହେବା ପୂର୍ବରୁ ପ୍ରଥମ ଜର୍ଜ୍ଜ ଖ୍ରୀ:ଅ: ୧୭୨୭ ରେ ପ୍ରାଣତ୍ୟାଗ କଲେ ।

 

ଦ୍ୱିତୀୟ ଜର୍ଜ୍ଜ-(ଖ୍ରୀ: ଅ: ୧୭୨୭- ୧୭୨୭)

ପ୍ରଧାନ ପ୍ରଧାନ ଘଟଣାର ସମୟ –

ଖ୍ରୀ:ଅ: ୧୭୨୭-

ଦ୍ୱିତୀୟ ଜର୍ଜ୍ଜଙ୍କ ସିଂହାସନାରୋହଣ ।

ଖ୍ରୀ:ଅ: ୧୭୪୨-

ଉଆଲ ପୋଲଙ୍କ ମନ୍ତ୍ରୀତ୍ୱର ଅବସାନ ।

ଖ୍ରୀ:ଅ: ୧୭୪୦-

ଖ୍ରୀ:ଅ:୧୭୪୮ ଅଷ୍ଟ୍ରିୟା ଉତ୍ତରାଧିକାର ସଂକ୍ରାନ୍ତ ଯୁଦ୍ଧ ।

ଖ୍ରୀ:ଅ: ୧୭୪୫-

ଦ୍ୱିତୀୟ ଜାକୋବାଇଟ୍ ବିଦ୍ରୋହ ।

ଖ୍ରୀ:ଅ: ୧୭୪୮-

ଏଲା-ଚାପେଲ ସନ୍ଧି ।

ଖ୍ରୀ:ଅ: ୧୭୫୬-

ସପ୍ତବର୍ଷ ବ୍ୟାପୀ ଯୁଦ୍ଧର ପ୍ରାରମ୍ଭ ।

 

ଦ୍ୱିତୀୟ ଜର୍ଜ୍ଜ- ପ୍ରଥମ ଜର୍ଜ୍ଜଙ୍କ ପରେ ତାଙ୍କ ପୁତ୍ର ଦ୍ୱିତୀୟ ଜର୍ଜ୍ଜ ଇଂଲାଣ୍ଡର ରାଜା ହୋଇଥିଲେ । ପିତାଙ୍କ ପରି ସେ ଖାଣ୍ଟି ଜରମାନ୍‌ ଥିଲେ । ଇଂରେଜଭାଷାରେ ତାଙ୍କର ସାମାନ୍ୟ ଜ୍ଞାନ ଥିଲେ ମଧ୍ୟ ଇଂଲାଣ୍ଡ ପ୍ରତି ତାଙ୍କର ବିଶେଷ ସହାନୁଭୂତି ନ ଥିଲା । ସେ ଜଣେ ସୁଦକ୍ଷ ଯୋଦ୍ଧା ଥିଲେ । ତାଙ୍କର ରାଣୀ କାରୋଲିନ ଅତ୍ୟନ୍ତ ବୁଦ୍ଧିମାତୀ ଥିଲେ ଓ ଜର୍ଜ୍ଜ ସକଳ ବିଷୟରେ ତାଙ୍କ ଦ୍ୱାରା ପରିଚାଳିତ ହେଉଥିଲେ । ଉଆଲପୋଲଙ୍କ ପ୍ରତି ଜର୍ଜ୍ଜଙ୍କର ଆଦୌ ଶ୍ରଦ୍ଧା ନ ଥିଲା । କିନ୍ତୁ ରାଣୀ ତାଙ୍କର ପକ୍ଷ ସମର୍ଥନ କରିବାରୁ ସେ ଉଆଲପୋଲଙ୍କୁ ମନ୍ତ୍ରୀପଦରୁ ଅପସାରିତ କରି ନ ଥିଲେ ।

 

ଉଆଲପୋଲଙ୍କ ମନ୍ତ୍ରୀତ୍ୱ - (ଖ୍ରୀ: ଅ: ୧୭୨୧- ଖ୍ରୀ: ଅ: ୧୭୪୨) ଉଆଲପୋଲ ୧୭୦୨ ଖ୍ରୀଷ୍ଟାବ୍ଦରେ ପାର୍ଲାମେଣ୍ଟରେ ପ୍ରବେଶ କରିଥିଲେ । ତାଙ୍କର ବାଗ୍ମୀତା ଓ କର୍ମପଟୁତା ଯୋଗୁଁ ସେ ହୁଇଗ୍‌ ଦଳର ନେତାରୂପେ ନିର୍ବାଚିତ ହୋଇଥିଲେ । ସେ ଖ୍ରୀ: ଅ: ୧୭୨୧ରେ ପ୍ରଧାନ ମନ୍ତ୍ରୀତ୍ୱ ଗ୍ରହଣ କରିଥିଲେ । ପ୍ରଥମ ଓ ଦ୍ୱିତୀୟ ଜର୍ଜ୍ଜ ଉଭୟେ ଇଂରେଜୀ ଭାଷାରେ ଅନଭିଜ୍ଞ ଥିଲେ ଓ ଇଂଲାଣ୍ଡର ରାଜନୈତିକ ବ୍ୟାପାରରେ ହସ୍ତକ୍ଷେପ କରୁ ନ ଥିଲେ । ସେମାନେ ଉଆଲପୋଲ୍‌ଙ୍କ ଉପରେ ଶାସନଭାର ନ୍ୟସ୍ତ କରିଥିଲେ ଓ ପ୍ରାୟ ୨୦ବର୍ଷ କାଳ ସେ ଶାସନକାର୍ଯ୍ୟର ପ୍ରକୃତ ଓ ପ୍ରଧାନ ପରିଚାଳକ ଥିଲେ ।

 

ସେ ଶାନ୍ତନୀତିର ବିଶେଷ ପକ୍ଷପାତୀ ଥିଲେ । ସେ ଦେଖିଲେ ବହୁ ଯୁଦ୍ଧରେ ଯୋଗଦାନ କରିବା ଫଳରେ ଇଂଲାଣ୍ଡର ଆର୍ଥିକ ଅଭାବ ଓ ଅବନତି ଘଟୁଅଛି । ତେଣୁ ସେ ବୈଦେଶିକ ରାଜାମାନଙ୍କ ସହିତ ସନ୍ଧିସୂତ୍ରରେ ଆବଦ୍ଧ ରହି ଇଉରୋପରେ ଶାନ୍ତି ରକ୍ଷାଦ୍ୱାରା ଇଂଲାଣ୍ଡର ବାଣିଜ୍ୟ ବ୍ୟବସାୟର ଉନ୍ନତ କରିବାକୁ ପ୍ରାଣପଣ ଚେଷ୍ଟା କରୁଥିଲେ ।

 

ସେ ଦଳଗତ ଓ ଧର୍ମସଂକ୍ରାନ୍ତ କଳହକୁ ଆଦୌ ଭଲ ପାଉ ନ ଥିଲେ ଏବଂ ଏଗୁଡ଼ିକ ଶାନ୍ତ କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କରୁଥିଲେ । ସେ ଦ୍ୱିତୀୟ ଚାର୍ଲସ୍‌ଙ୍କ ରାଜତ୍ୱରେ ପ୍ରଣୀତ ଟେଷ୍ଟ ଆକ୍ଟ ଓ କର୍ପୋରେସନ୍‌ ଆକ୍ଟର ସର୍ତ୍ତସବୁ ମାନୁ ନ ଥିଲେ ଓ ଡିସେଣ୍ଟରମାନଙ୍କ ଉପରୁ ଚାକିରୀ ପାଇବା ବିଷୟରେ ବାଧା ଉଠାଇ ଦେଇଥିଲେ । ସେ ଦେଶରେ ବିଦ୍ରୋହ ବା ଅଶାନ୍ତି ସୃଷ୍ଟି କରିବାପାଇଁ ଏକାନ୍ତ ଅନିଚ୍ଛୁକ ଥିଲେ ।

 

ସେ ସେ ସମୟରେ ଇଂଲାଣ୍ଡରେ ଅଦ୍ୱିତୀୟ ଅର୍ଥନୀତିଜ୍ଞ ଥିଲେ । ଇଂଲାଣ୍ଡର ବାଣିଜ୍ୟ ବ୍ୟବସାୟର ଶ୍ରୀବୃଦ୍ଧି ସାଧନ କରିବା ତାଙ୍କ ଜୀବନର ମୁଖ୍ୟ ଲକ୍ଷ୍ୟ ଥିଲା । ସେ ଇଂଲାଣ୍ଡକୁ ଆମଦାନୀ ଓ ଇଂଲାଣ୍ଡରୁ ରପ୍ତାନୀ ହେଉଥିବା ଅନେକ ପଣ୍ୟଦ୍ରବ୍ୟ ଉପରୁ ଶୁଳ୍ପ ଉଠାଇ ଦେଇଥିଲେ । ସେ ବ୍ୟୟ ସଙ୍କୋଚ କରି ଜାତୀୟ ଚାପ କେତେକ ପରିମାଣରେ ପରିଶୋଧ କରିଥିଲେ । ସେ ମଦ୍ୟ ଓ ତମାଖୁ ବ୍ୟବସାୟକୁ ନିୟନ୍ତ୍ରିତ କରିବା ପାଇଁ ପାର୍ଲାମେଣ୍ଟରେ ଏକ୍‌ସାଇଜ୍‌ ବିଲ ‘Excise Bill’ ଆଗତ କରିଥିଲେ । କିନ୍ତୁ ବିପକ୍ଷଦଳ ଭୀଷଣ ପ୍ରତିରୋଧ କରିବାକୁ ସେ ତାହା ଉଠାଇନେଲେ ।

 

ଉଆଲ ପୋଲ୍ ଇଂଲାଣ୍ତର ସର୍ବପ୍ରଥମ ପ୍ରଧାନମନ୍ତ୍ରୀ ରୂପେ ସାଧାରଣରେ ପରିଚିତ । ସେ ପୃଥକ ମତାବଲମ୍ବୀ ମନ୍ତ୍ରୀମାନଙ୍କୁ ନିଜ ମନ୍ତ୍ରୀସଭାରୁ ତଡ଼ି ଦେଇଥିଲେ । ଏପରିକି ସେ ନିଜର ବନ୍ଧୁ ଟାଉନ୍ ସେଣ୍ତ (Townshend) ଙ୍କୁ ମଧ୍ୟ ନିଜ ମନ୍ତ୍ରୀ ସଭାରେ ରଖି ନ ଥିଲେ । ସେ ପାର୍ଲାମେଣ୍ଟର ମତାନୁଯାୟୀ ଶାସନକାର୍ଯ୍ୟ ପରିଚାଳନ କରୁଥିଲେ । କିନ୍ତୁ ସେ ସର୍ବାଧିକ ଦଳକୁ ହସ୍ତଗତ କରିବାପାଇଁ ଲାଞ୍ଚ ଓ ଅନ୍ୟାନ୍ୟ ଅସଦୁପାୟ ଅବଲମ୍ୱନ କରୁଥିଲେ । ସେ ନାନା କୌଶଳ କରି ନିର୍ବାଚନ ସମୟରେ ପାର୍ଲାମେଣ୍ଟକୁ ନିଜ ପକ୍ଷର ଲୋକଙ୍କୁ ନିର୍ବାଚିତ କରାଉଥିଲେ । ଏହିପରିଭାବରେ ସେ ଦୀର୍ଘ ୨୦ବର୍ଷ କାଳ ଇଂଲାଣ୍ତର ପ୍ରକୃତ ଶାସନ ଥିଲେ ।

 

ତାଙ୍କ ବିରୁଦ୍ଧରେ ପାର୍ଲାମେଣ୍ଟରେ ଗୋଟିଏ ସଂଗଠିତ ବିରୋଧି ଦଳ ଥିଲା । ଖ୍ରୀ: ଅ: ୧୭୩୩ରେ ରାଣୀ କାରୋଲିନ୍‌ଙ୍କ ମୃତ୍ୟୁ ହେବାର ସେ ସହାୟ ଦିହୀନ ହୋଇ ପଡ଼ିଲେ ଓ ବିପକ୍ଷ ଦଳ ଅଧିକ ଶକ୍ତିଶାଳୀ ହୋଇ ପଡ଼ିଲା । ତାଙ୍କର ଶାସ୍ତ୍ରନୀତି ତାଙ୍କ ପତନର ପ୍ରଧାନ କାରଣ ହେଲା-। ସେ ସ୍ପେନ ଓ ଫ୍ରାନ୍ସ ବିରୁଦ୍ଧରେ ବିଚକ୍ଷଣତା ସହିତ ଯୁଦ୍ଧ ନ ଚଳାଇ ପାରିବାରୁ ପ୍ରଥମ ଅବସ୍ଥାରେ ଇଂରେଜମାନେ କେତେକ ଯୁଦ୍ଧରେ ପରାସ୍ତ ହେଲେ । ଏହି ପରାଜୟ ପାଇଁ ଉଆଲ୍ ପୋଲ୍ ଏକମାତ୍ର ଦାୟୀ ବୋଲି ବିପକ୍ଷ ଦଳ ଘୋଷଣା କରିଥିଲେ । ତହୁଁ ସେ ଖ୍ରୀ: ଅ: ୧୭୪୨ରେ ପଦଚ୍ୟୁତ ହେଲେ ।

 

ସ୍ସେନ ସହିତ ଯୁଦ୍ଧ-ଖ୍ରୀ: ଅ: ୧୭୩୩ ରେ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ଗୋଟିଏ ସନ୍ଧି ହୋଇଥିଲା । ତାହା ପାରିବାରିକ ସନ୍ଧି ବା ‘Family Compact’ ନାମରେ ପରିଚିତ । ଏଥିରେ ସ୍ଥିର ହୋଇଥିଲା ଯେ ଇଂରେଜମାନଙ୍କ ହସ୍ତରୁ ସ୍ପେନ ଉପନିବେଶମାନଙ୍କରେ ବାଣିଜ୍ୟ କରିବାର କ୍ଷମତା କାଢି ନିଆଯାଇ ଫରାସୀମାନଙ୍କୁ ଦିଆହେବ ଏବଂ ଇଂରେଜମାନଙ୍କ ହସ୍ତରୁ ଜିବ୍ରାଲଟର ଉଦ୍ଧାର କରିବା ପାଇଁ ଫ୍ରାନ୍ସ ସ୍ପେନକୁ ସାହାଯ୍ୟ ଦେବ । ଆହୁରିମଧ୍ୟ ଇଂରେଜମାନେ ସ୍ପେନର ଉପନିବେଶମାନଙ୍କରେ ଇଉଟ୍ରେଚ୍ ସନ୍ଧିଦ୍ୱାରା ନିର୍ଦ୍ଦିଷ୍ଟ ପରିମାଣ ଅପେକ୍ଷା ଅଧିକ ପରିମାଣରେ ବାଣିଜ୍ୟ ଗୁପ୍ତଭାବରେ ଚଳାଉଥିଲେ । ସ୍ପେନର ବଣିକମାନେ ଏହା ଜାଣିପାରି ଇଂରେଜ ଜାହାଜମାନେ ବାରମ୍ୱାର ଅନୁସନ୍ଧାନ କରିବାକୁ ସମୟ ସମୟରେ ଇଂରେଜ ଓ ସ୍ପେନୀୟ ନାବିକମାନଙ୍କ ମଧ୍ୟରେ ବିବାଦ ଲାଗୁଥିଲା । ଥରେ ଜେନକିନ୍ସ ନାମକ ଜଣେ ପୋତାଧ୍ୟକ୍ଷ (Captain Jenckins) ସ୍ପେନୀୟ ବଣିକମାନେ ତାଙ୍କ କାନ କାଟିଦେଇ ଥିବାର ପାର୍ଲାମେଣ୍ଟରେ ଆପତ୍ତି କଲେ । ତାଙ୍କର ଦୁର୍ଦ୍ଦଶାକଥା ଶୁଣି ଇଂରେଜମାନେ ସ୍ପେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାପାଇଁ ଦାବୀ କଲେ । ତେଣୁ ଉଆଲ ପୋଲ ଘୋର ଅନିଚ୍ଛାସତ୍ତ୍ୱେ ଖ୍ରୀ: ଅ: ୧୭୩୯ରେ ସ୍ପେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ଏହା ‘War of Jenkin Ear’ ନାମରେ ବିଦିତ । ଏହାର କିଛିକାଳ ପରେ ଅଷ୍ଟ୍ରିୟାର ଉତ୍ତରାଧିକାର ସଂକ୍ରାନ୍ତ ଯୁଦ୍ଧ ଆରମ୍ଭ ହେବାରୁ ଫ୍ରାନ୍ସ୍ ସ୍ପେନ ସହିତ ଯୁଦ୍ଧରେ ଯୋଗଦାନ କଲା ।

 

ଅଷ୍ଟ୍ରିୟାର ଉତ୍ତରାଧିକାର ସଂକ୍ରାନ୍ତ ଯୁଦ୍ଧ :- ‘‘War of the Austrian Succession’’ ଖ୍ରୀ: ଅ: ୧୭୪୦ରେ ଅଷ୍ଟ୍ରେୟାର ସମ୍ରାଟ୍ ଷଷ୍ଠ ଚାର୍ଲସ୍ ମେରିୟା ଥେରସା ନାମ୍ନୀ ତାଙ୍କର ଏକମାତ୍ର କନ୍ୟାକୁ ରାଜ୍ୟର ଉତ୍ତରାଧିକାରିଣୀ ବୋଲି ସ୍ଥିର କରି ପ୍ରାଣତ୍ୟାଗ କଲେ-। କିନ୍ତୁ ସେ ମରିବା ପରେ ପ୍ରୂସିୟାର ଖ୍ରୀ: ଅ: ୧୭୫୬ରେ ଆମେରିକାସ୍ଥ ଫରାସୀ ଓ ଇଂରେଜ ଅଧିକୃତ ରାଜା ଫ୍ରେଡ଼େରିକ୍‌ ଅଷ୍ଟ୍ରିୟା ଅଧିକୃତ ସାଇଲେସିଆ ଓ ବାଭେରିଆର ରାଜା ଅଷ୍ଟ୍ରିୟା ଦାବୀ କଲେ । ତେଣୁ ଯୁଦ୍ଧ ଆରମ୍ଭ ହେଲା । ଏହି ଯୁଦ୍ଧରେ ଇଂଲାଣ୍ଡ ଓ ହଲାଣ୍ଡ ମେରିୟାଥେରସାଙ୍କ ପକ୍ଷ ଏବଂ ଫ୍ରାନ୍ସ ଓ ସ୍ପେନ ପକ୍ଷ ଗ୍ରହଣ କରିଥିଲେ । ଏହି ଯୁଦ୍ଧ ସମୟରେ ଇଂରେଜମାନେ ଆମେରିକାରେ ଫରାସୀ ଅଧିକୃତ ଲୁଇବର୍ଗ୍‌ ଓ ଫରାସୀମାନେ ଭାରତରେ ଇଂରେଜ ଅଧିକୃତ ମାନ୍ଦ୍ରାଜ ନଗର ଅଧିକାର କରିଥିଲେ । କିନ୍ତୁ ଖ୍ରୀ: ଅ: ୧୭୪୮ରେ ଏକ୍ସା-ଚାପେଲ୍‌ (Aix-la-Chapelle) ନାମକ ସ୍ଥାନରେ ସନ୍ଧି ହେବାରୁ ଯେ ଯାହାର ସ୍ଥାନ ଫେରି ପାଇଲେ । ମେରିୟା ଅଷ୍ଟ୍ରିୟା ସିଂହାସନ ଅଧିକାର କଲେ ଓ ସାଇଲେସିଆ ଫ୍ରେଡେରିକ୍‌ଙ୍କ ହସ୍ତଗତ ହେଲା ।

 

ସପ୍ତବର୍ଷ ଯୁଦ୍ଧ- ‘‘The Seven Years War’’ (ଖ୍ରୀ: ଅ: ୧୭୫୬-୧୭୬୩) ଆମେରିକା ଓ ଭାରତରେ ରାଜ୍ୟ ବିସ୍ତାର ଓ ବାଣିଜ୍ୟର ପ୍ରସାର ବିଷୟରେ ଭୀଷଣ ପ୍ରତିଦ୍ୱନ୍ଦିତା ଯୋଗୁଁ ଅଷ୍ଟ୍ରାଦଶ ଶତାବ୍ଦୀରେ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ବାରମ୍ବାର ଯୁଦ୍ଧ ଲାଗିଥିଲା । ସ୍ପେନୀୟ ଉତ୍ତରାଧୀକାର ସଂକ୍ରାନ୍ତ ଯୁଦ୍ଧ ଓ ଅଷ୍ଟ୍ରିୟା ଉତ୍ତରାଧିକାର ସଂକ୍ରାନ୍ତ ଯୁଦ୍ଧଦ୍ୱାରା ଏହି ଦୀର୍ଘକାଳବ୍ୟାପୀ କଳହର କୌଣସି ମୀମାଂସା ହୋଇ ପାରି ନ ଥିଲା । କିନ୍ତୁ ଏହି ସପ୍ତବର୍ଷବ୍ୟାପୀ ଯୁଦ୍ଧ ଫଳରେ ଆମୋରିକା ଓ ଏସିୟା ମହାଦେଶର ଫରାସୀ ଶକ୍ତିର ପତନ ଓ ଇଂରେଜମାନଙ୍କର ଆଧିପତ୍ୟ ସୁଦୃଢ ହୋଇଥିଲା ।

 

ଇଂରେଜମାନେ ଉତ୍ତର ଆମେରିକାରେ ଆଲିଘେନି ପର୍ବତ ମାଳାର ପୂର୍ବରେ ୧୩ଟି ଉପନିବେଶ ସ୍ଥାପନ କରିଥିଲେ । ଇଂରେଜ ରାଜ୍ୟର ଉତ୍ତରରେ କାନାଡ଼ା ଓ ଦକ୍ଷିଣ ପଶ୍ଚିମରେ ଲୁସିଆନା ଫରାସୀମାନଙ୍କର ଅଧିକୃତ ଥିଲା । ଆଲିଘେନି ପର୍ବତମାଳାର ପଶ୍ଚିମରେ ଆଦିମ ଅଧିବାସୀମାନେ ବାସ କରୁଥିଲେ ଓ ଇଂରେଜମାନେ ଉକ୍ତ ଅଞ୍ଚଳ ଅଧିକାର କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଫରାସୀମାନେ କାନାଡ଼ା ଓ ଲୁସିୟାନା ମଧ୍ୟରେ ଅନେକଗୁଡ଼ିଏ ସୁଦୃଢ ଦୁର୍ଗ ନିର୍ମାଣ କରି ଇଂରେଜମାନଙ୍କୁ ଆଲିଘେନି ପର୍ବତର ପଶ୍ଚିମ ଭାଗକୁ ଅଗ୍ରସର ହେବାରେ ବାଧା ଦେଲେ । ତେଣୁ ଆମେରିକାର ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲା । ଏହି ଯୁଦ୍ଧ ଆମେରିକା, ଇଉରୋପ ଓ ଭାରତରେ ବ୍ୟାପ୍ତ ହୋଇଥିଲା । ଇଉରୋପରେ ଫ୍ରାନ୍ସ ତାରାର ଚିରଶତ୍ରୁ ଅଷ୍ଟ୍ରିୟା ସହିତ ଯୋଗ ଦେବାରୁ ଇଂଲାଣ୍ଡ ପ୍ରୂସିୟାର ପକ୍ଷ ଅବଲମ୍ବନ କରିଥିଲା । ଭାରତବର୍ଷରେ ମଧ୍ୟ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ କର୍ଣ୍ଣାଟ ସମର ଲାଗିଗଲା । ଯୁଦ୍ଧର ପ୍ରଥମ ଦୁଇବର୍ଷ ଇଂରେଜମାନେ ସର୍ବତ୍ର ପରାସ୍ତ ଓ ଅପମାନିତ ହେଲେ ଓ ଇଂରେଜମାନଙ୍କର ପରାଜୟ ସୁନିଶ୍ଚିତ ପରି ଜଣାପଡ଼ିଲା ।

 

ବ୍ରିଟିଶ ସରକାର ଫରାସୀମାନଙ୍କୁ ଦମନ କରିବାପାଇଁ ବ୍ରାଡିକ ନାମକ ସେନାପତିଙ୍କୁ ୨୦୦୦ ସୈନ୍ୟ ସହ ଆମେରିକାକୁ ପଠାଇଥିଲେ । ସେ ଫରାସୀମାନଙ୍କର ଗୋଟିଏ ଦୁର୍ଗ ଅଧିକାର କରିବା ସମୟରେ ପରାସ୍ତ ଓ ନିହତ ହେଲେ । ଇଉରୋପରେ ଫରାସୀମାନେ ଇଂରେଜ ଅଧିକୃତ ମିନର୍କା ଦ୍ୱୀପ ଅଧିକାର କଲେ, । ଫ୍ରେଡ୍‌ରିକ୍‌ ଓ ଇଂରେଜ ସେନାଙ୍କୁ ମଧ୍ୟ ପରାସ୍ତ କଲେ । ଭାରତବର୍ଷରେ ମଧ୍ୟ ଇଂରେଜମାନଙ୍କର ଅବସ୍ଥା ଶୋଚନୀୟ ହୋଇପଡ଼ିଲା ।

 

ପିଟ୍‌- ଏହି ଜାତୀୟ ଦୁର୍ଗତି ସମୟରେ ଉଇଲିୟମ୍‌ ପିଟ୍‌ ଯୁଦ୍ଧବିଭାଗର ମନ୍ତ୍ରୀ ହୋଇ ଅବସ୍ଥାର ସଂପୂର୍ଣ୍ଣ ପରିବର୍ତ୍ତନ କରିଥିଲେ । ତାଙ୍କର ଅସାଧାରଣ ପ୍ରତିଭା, ରଣକୌଶଳ, ଦୂରଦର୍ଶିତା ଓ ଉତ୍ସାହ ଯୋଗୁଁ ଇଂରେଜମାନେ ନିଜର ନଷ୍ଟ ଗୌରବ ପୁନରୁଦ୍ଧାର ଓ ସ୍ୱୀୟ ଶକ୍ତି ପ୍ରତିଷ୍ଠା କରିବାକୁ ସମର୍ଥ ହୋଇଥିଲୋ । ସେ ଯୁଦ୍ଧ ପାଇଁ ଉପଯୁକ୍ତ ଲୋକ ନିର୍ବାଚିତ ଓ ଫଳପ୍ରଦ କର୍ମଯୋଜନା ପ୍ରସ୍ତୁତ କରି ପାରୁଥିଲେ । ସେ ଫ୍ରେଡ଼େରିକ୍‌ଙ୍କୁ ଯୁଦ୍ଧରେ ସାହାଯ୍ୟ କରିବାକୁ ସୈନ୍ୟ ପଠାଇ ତାଙ୍କୁ ଯୁଦ୍ଧ ପରିଚାଳନା ପାଇଁ ବାର୍ଷିକ ପ୍ରଚୁର ଅର୍ଥ ଦେବାର ବ୍ୟବସ୍ଥା କଲେ ।

 

ପିଟ୍‌ କମନ୍ସ ସଭାର ସଭ୍ୟ ଥିଲେ ଓ ପରେ ପ୍ରଧାନ ମନ୍ତ୍ରିତ୍ୱ ଲାଭ କରିଥିଲେ । ତେଣୁ ଲୋକେ ତାହାଙ୍କୁ ପିଟ୍‌ ଦି ‘ଗ୍ରେଟ୍‌ କମନର୍‌’ ବା କମନ୍ସ ସଭାର ଅଧିନେତା ବୋଲି କହନ୍ତି । ସେ ଜଣେ ବାଗ୍ମୀ, ରାଜନୀତି ବିଶାରଦ, ସ୍ୱଦେଶପ୍ରେମିକ ଓ ନିସ୍ୱାର୍ଥପର ନେତା ଥିଲେ । ଇଂରେଜ ଜନସାଧାରଣ ତାଙ୍କୁ ଭାରି ଭଲ ପାଉଥିଲେ । ସେ ‘ଆର୍ଲ୍‌ ଅଫ୍‌ ଚାଥାମ’ ଉପାଧି ଲାଭକରି ସମାନ୍ତ ପଦବୀକୁ ଉନ୍ନୀତ ହୋଇଥିଲେ ।ଦ୍ୱିତୀୟ ଜର୍ଜ୍ଜ ତାଙ୍କୁ ଭଲ ପାଉ ନ ଥିଲେ ।

 

ଫରାସୀମାନେ ପ୍ରୂସିୟା ସହିତ ଯୁଦ୍ଧରେ ସର୍ବଦା ରହିବା ଦେଖି ପିଟ୍‌ ସେହି ସୁଯୋଗରେ ଫରାସୀ ଉପନିବେଶମାନଙ୍କୁ ଆକ୍ରମଣ କରିବାକୁ ସୈନ୍ୟ ପଠାଇଥିଲେ । ଏଣେ ଫରାସୀମାନେ ଯେପରି ନିଜ ଉପନିବେଶମାନଙ୍କରୁ ଯଥେଷ୍ଟ ସାହାଯ୍ୟ ପାଇ ନ ପାରନ୍ତି ସେଥିପାଇଁ ସେ ଫ୍ରାନ୍ସ ଉପକୂଳରେ ଇଂରେଜ ଯୁଦ୍ଧ ଜାହାଜ ସବୁ ରଖାଇଥିଲେ । ପିଟ୍‌ ପ୍ରସିଦ୍ଧ ସେନାପତି ଉଲ୍‌ଫଙ୍କୁ ବହୁସଂଖ୍ୟକ ଇଂରେଜ ସୈନ୍ୟ ସହ ଆମେରିକାକୁ ପ୍ରେରଣ କରିଥିଲେ । ସେ ସେଠାରେ ଯାଇ କାନଡ଼ାର ରାଜଧାନୀ କୁଇବେକ୍‌ ଅଧିକାର କରିବା ପାଇଁ ଦୃଢସଂକଳ୍ପ ହୋଇଥିଲେ । ସେଣ୍ଟ ଲରେନ୍ସ ନଦୀ ଏହି ନଗରର ନୈସର୍ଗିକ ପରିଖାସ୍ୱରୂପ ଏବଂ ଏହାର ଏକ ପାର୍ଶ୍ୱରେ ପର୍ବତଶ୍ରେଣୀ ଥିବାରୁ ଏହା ସୁରକ୍ଷିତ ଥିଲା । ଏହା ବିପୁଳ ଫରାସୀ ସେନାଦ୍ୱାରା ରକ୍ଷିତ ହେଉଥିଲା । ଏହି ନଗରର ପଶ୍ଚିମକୁ ଉଚ୍ଚ ପର୍ବତଶ୍ରେଣୀ ଥିବାରୁ ଉକ୍ତ ଅଞ୍ଚଳ ନିରାପଦ ମନେକରି ଫରାସୀମାନେ ଏହାର ସୁରକ୍ଷା ପ୍ରତି ବିଶେଷ ଦୃଷ୍ଟି ଦେଇ ନ ଥିଲେ । ଉଲ୍‌ଫ ଏକଥା ଜାଣିପାରି ରାତ୍ରିର ନିବିଡ଼ ଅନ୍ଧକାର ମଧ୍ୟରେ ବହୁ ସୈନ ସହ ପର୍ବତ ଅତିକ୍ରମ କରି କୁଇବେକ୍‌ ଆକ୍ରମଣ କଲେ । ଫରାସୀମାନେ ଅତିର୍କିତ ଭାବରେ ଆକ୍ରନ୍ତ ହେବାରୁ ସୂର୍ଯ୍ୟୋଦୟ ପୂର୍ବରୁ ସମ୍ଫୂର୍ଣ୍ଣରୂପେ ପରାସ୍ତ ହୋଇଥିଲେ । ଏହି ଯୁଦ୍ଧ ଫଳରେ କାନଡ଼ା ରାଜ୍ୟ ଇଂରେଜମାନଙ୍କର ହସ୍ତଗତ ହୋଇଥିଲା (ଖ୍ରୀ: ଅ: ୧୭୫୯) । କିନ୍ତୁ ଏହି ଯୁଦ୍ଧରେ ସାଘାଂତିକ ଭାବରେ ଆହତ ହୋଇଥିବାରୁ ଉଲ୍‌ଫ ପ୍ରାଣତ୍ୟାଗ କଲେ ।

 

ଇଂରେଜମାନେ ପଲାସି ଓ ଉଆଣ୍ଡିଉଆସ ଯୁଦ୍ଧରେ ଜୟଲାଭ କରିବାରୁ ଭାରତରେ ଫରାସୀ ଶକ୍ତିର ଅବସାନ ଘଟିଲା ଓ ଇଂରେଜମାନଙ୍କର ଆଧିପତ୍ୟ କ୍ରମଶଃ ବିସ୍ତାର ଲାଭ କଲା । ଜଳଯୁଦ୍ଧରେ ମଧ୍ୟ ଫରାସୀମାନେ କ୍ୱିବେରନ୍‌ ଉପସାଗରରେ ପରାସ୍ତ ହୋଇଥିଲେ । ଇଂରେଜମାନେ ସର୍ବତ୍ର ଜୟଶ୍ରୀମଣ୍ଡିତ ହୋଇଥିଲେ । କିନ୍ତୁ ଏହିଯୁଦ୍ଧ ଶେଷ ହେବା ପୂର୍ବରୁ ଦ୍ୱିତୀୟ ଜର୍ଜ୍ଜ ଖ୍ରୀ: ଅ: ୧୭୬୦ ରେ ପ୍ରାଣତ୍ୟାଗ କଲେ । ଦ୍ୱିତୀୟ ଜର୍ଜ୍ଜଙ୍କ ପରେ ତାଙ୍କ ନାତି ତୃତୀୟ ଜର୍ଜ୍ଜ ଇଂଲାଣ୍ଡର ରାଜା ହେଲେ । ସେ ଯୁଦ୍ଧର ପକ୍ଷପାତୀ ନ ଥିଲେ । ତେଣୁ ଖ୍ରୀ: ଅ: ୧୭୬୩ରେ ପ୍ୟାରୀ ନଗରରେ ଗୋଟିଏ ସନ୍ଧି (Treaty of Paris) ହୋଇ ଏହି ଯୁଦ୍ଧ ବନ୍ଦହେଲା । ଏହି ସନ୍ଧି ଫଳରେ ଇଂରେଜମାନେ କାନଡ଼ା, ମିନର୍କା, କେପ୍‌ବ୍ରେଟେନ୍‌ ଦ୍ୱୀପ ଓ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜସ୍ଥ କେତେକ ଦ୍ୱୀପ ପାଇଲେ । ଇଂଲାଣ୍ଡ ସ୍ପେନକୁ ହାଭନା, ଫେରସ୍ତ ଦେଇ ଉତ୍ତର ଆମେରିକାସ୍ଥ ଫ୍ଳୋରିଡ଼ା ଅଧିକାର କଲେ । ଭାରତରୁ ଫରାସୀ କ୍ଷମତା ଲୁପ୍ତହେଲା ଏବଂ ଇଂଲାଣ୍ଡର ଔପନିବେଶିକ ସାମ୍ରାଜ୍ୟ ଓ ନୌଶକ୍ତି ଯଥେଷ୍ଟ ବୃଦ୍ଧିଲାଭ କଲା ।

 

ଦଶମ ଅଧ୍ୟାୟ

ତୃତୀୟ ଜର୍ଜ୍ଜ ( ଖ୍ରୀ:ଅ: ୧୭୬୦-୧୮୨୦)

 

ପ୍ରଧାନ ପ୍ରଧାନ ଘଟଣାର ସମୟ –

ଖ୍ରୀ: ଅ: ୧୭୬୦-

ତୃତୀୟ ଜର୍ଜ୍ଜଙ୍କ ସିଂହାସନାରୋହଣ

ଖ୍ରୀ: ଅ: ୧୭୬୫-

ଆମେରିକାର ଉପନିବେଶମାନଙ୍କରେ ଷ୍ଟାମ୍ପ ଆଇନ୍ ପ୍ରବର୍ତ୍ତନ ।

ଖ୍ରୀ: ଅ: ୧୭୭୫-

ଆମେରିକା ଉପନିବେଶମାନଙ୍କ ସହିତ ଯୁଦ୍ଧାରମ୍ଭ ।

ଖ୍ରୀ: ଅ: ୧୭୮୩-

ଭର୍ସେଲିସ୍ ସନ୍ଧି ଓ ଆମେରିକା ଯୁକ୍ତରାଷ୍ଟ୍ର ସ୍ୱାଧୀନତା ଲାଭ ।

ଖ୍ରୀ: ଅ: ୧୭୮୩-

ପିଟ୍‌ଙ୍କ ପ୍ରଧାନମନ୍ତ୍ରୀତ୍ୱ ଆରମ୍ଭ ।

ଖ୍ରୀ: ଅ: ୧୭୮୯-

ଫରାସୀ ରାଷ୍ଟ୍ରବିପ୍ଳବ ଆରମ୍ଭ ।

ଖ୍ରୀ: ଅ: ୧୮୦୦-

ଗ୍ରେଟ୍‌ବ୍ରିଟେନ ଓ ଆୟର୍ଲାଣ୍ଡ୍ ର ସମ୍ବିଳନ ।

ଖ୍ରୀ: ଅ: ୧୮୦୫-

ଟ୍ରାଫରଗାର ଯୁଦ୍ଧ ।

ଖ୍ରୀ: ଅ: ୧୮୧୫-

ଉଆଟାର୍ଲ ଯୁଦ୍ଧ ।

ଖ୍ରୀ: ଅ: ୧୮୨୦-

ତୃତୀୟ ଜର୍ଜ୍ଜଙ୍କ ମୃତ୍ୟୁ ।

ତୃତୀୟ ଜର୍ଜ୍ଜଙ୍କ ରାଜତ୍ୱର ବୈଶିଷ୍ଟ୍ୟ- ତୃତୀୟ ଜର୍ଜ୍ଜଙ୍କ ଦୀର୍ଘରାଜତ୍ୱ ମଧ୍ୟରେ ଇଂଲଣ୍ଡ ଇତିହାସରେ ଯୁଗାନ୍ତର ଉପସ୍ଥିତ ହୋଇଥିଲା । ଇଂରେଜ ବୈଜ୍ଞାନିକମାନେ ନୂତନ ନୂତନ ଯନ୍ତ୍ର ଆବିଷ୍କାର କରିବାରୁ ଓ ଦେଶର ଚାରିଆଡେ ବିଶାଳ କଳକାରଖାନାମାନ ପ୍ରତିଷ୍ଠିତ ହେବାରୁ ଇଂଲଣ୍ଡ ସମଗ୍ର ପୃଥିବୀର ଶିଳ୍ପ ବାଣିଜ୍ୟର କେନ୍ଦ୍ର ହୋଇ ପଡିଲା । ଇଂରେଜ ବଣିକମାନେ କୋଟି କୋଟି ଟଙ୍କାର କଳ ପ୍ରସ୍ତୁତ ସାମଗ୍ରୀ ପୃଥିବୀର ବିଭିନ୍ନ ଲାଭ କଲା । ତାଙ୍କ ରାଜତ୍ୱରେ ଇଂରେଜମାନେ ପଶ୍ଚିମ ଗୋଲାର୍ଦ୍ଧରେ ଗୋଟିଏ ବିଶାଳ ସାମ୍ରାଜ୍ୟ ହରାଇଲେ ସତ୍ୟ, କିନ୍ତୁ ପୂର୍ବରେ ତଦପେକ୍ଷା ବିଶାଳତର ସାମ୍ରାଜ୍ୟର ଅଧିକାରୀ ହୋଇଥିଲେ । ତାଙ୍କ ରାଜତ୍ୱରେ ଜଗତ ପ୍ରସିଦ୍ଧ ବୀର ନେପୋଲିୟନଙ୍କ କ୍ଷମତା ଚୂର୍ଣ୍ଣୀଭୂତ ହୋଇଥିଲା ।

 

ତୃତୀୟ ଜର୍ଜ୍ଜଙ୍କ ରାଜନୀତି- ଦ୍ୱିତୀୟ ଜର୍ଜ୍ଜଙ୍କ ଜୀବିତାବସ୍ଥାରେ ତାଙ୍କର ଜ୍ୟେଷ୍ଠପୁତ୍ର ଫ୍ରେଡ଼େରିକ୍‌ ପ୍ରାଣତ୍ୟାଗ କରିଥିବାରୁ ଦ୍ୱିତୀୟ ଜର୍ଜ୍ଜଙ୍କ ପୌତ୍ର ତୃତୀୟ ଜର୍ଜ୍ଜ ସିଂହାସନାରୋହଣ କରିଥିଲେ । ପ୍ରଥମ ଓ ଦ୍ୱିତୀୟ ଜର୍ଜ୍ଜଙ୍କ ରାଜତ୍ୱକାଳରେ ମନ୍ତ୍ରୀମାନଙ୍କର କ୍ଷମତା ଯଥେଷ୍ଟ ବୃଦ୍ଧିଲାଭ କରିଥିଲା । ତୃତୀୟ ଜର୍ଜ୍ଜଙ୍କୁ ଏହା ଭଲ ଲାଗୁ ନ ଥିଲା । ସେ ନିଜକୁ ଶକ୍ତିଶାଳୀ ଓ ଇଂରେଜ ରାଜନୀତିର କେନ୍ଦ୍ର କରିବାପାଇଁ ସର୍ବଦା ଚେଷ୍ଟା କରୁଥିଲେ । ସ୍ୱଇଚ୍ଛାରେ ମନ୍ତ୍ରୀ ନିଯୁକ୍ତି ଓ ବିତାଡ଼ନ କରିବାକୁ ସେ ସର୍ବଦା ସଚେଷ୍ଟା ଥିଲେ । ସେ ପାର୍ଲାମେଣ୍ଟର କେତେକ ସଭ୍ୟଙ୍କୁ ଅର୍ଥଦ୍ୱାରା ବଶକରି ନିଜର ଗୋଟିଏ ଦଳ ଗଢିଥିଲେ । ସେମାନେ ସବୁ ବିଷୟରେ ରାଜାଙ୍କୁ ସମର୍ଥନ କରିବାରୁ ରାଜବନ୍ଧୁ ‘King’s Friends’ ଆଖ୍ୟା ପ୍ରାପ୍ତ ହୋଇଥିଲେ । ହୁଇଗମାନଙ୍କ ପ୍ରତି ତାଙ୍କର ଆଦୌ ଶ୍ରଦ୍ଧା ନ ଥିଲା । ସେ ରାଜତ୍ୱର ପ୍ରଥମ ଦଶବର୍ଷ ମଧ୍ୟରେ ହୁଇଗ୍‌ଦଳର ପ୍ରାଧାନ୍ୟ ନଷ୍ଟ କରିଥିଲେ । କିନ୍ତୁ ସେ ବହୁ ଚେଷ୍ଟାକରି ମଧ୍ୟ ପାର୍ଲାମେଣ୍ଟର କ୍ଷମତାକୁ ସଙ୍କୁଚିତ କରିବାକୁ ସମର୍ଥ ହୋଇ ନ ଥିଲେ ।

 

ଉତ୍ତର ଆମେରିକାସ୍ଥ ଇଂରେଜ ଉପନିବେଶମାନଙ୍କ ବିଦ୍ରୋହ ଓ ସ୍ୱାଧୀନତା ଲାଭ – ସପ୍ତବର୍ଷବ୍ୟାପୀ ଯୁଦ୍ଧ ପରେ ଉତ୍ତର ଆମେରିକାସ୍ଥ ଇଂରେଜ ଉପନିବେଶମାନ ଇଂରେଜ ରାଜା ଓ ପାର୍ଲାମେଣ୍ଟର ଅଧୀନରେ ରହିବାକୁ ଅନିଚ୍ଛା ପ୍ରକାଶ କଲେ । କାନଡ଼ାରାଜ୍ୟ ଫରାସୀମାନଙ୍କ ଦ୍ୱାରା ଶାସିତ ହେଉଥିବା ପର୍ଯ୍ୟନ୍ତ ଇଂରେଜ ଉପନିବେଶମାନଙ୍କର ଅଧିବାସୀମାନେ ସର୍ବଦା ଫରାସୀ ଆକ୍ରମଣ ଭୟରେ ଆତଙ୍କିତ ଥିଲେ । କିନ୍ତୁ ସପ୍ତବର୍ଷବ୍ୟାପୀ ଯୁଦ୍ଧରେ ଫରାସୀ କ୍ଷମତା ଧ୍ୱଂସ ହେବାରୁ ସେମାନଙ୍କର ସେ ଭୟ ବିଦୂରିତ ହେଲା ।

 

ଇଂରେଜମାନେ ଏହି ଉପନିବେଶମାନଙ୍କରେ ଇଂଲଣ୍ଡ ପ୍ରସ୍ତୁତ ସାମଗ୍ରୀମାନ ଅବାଧରେ ବିକ୍ରୟ କରିବା ପାଇଁ ସେମାନଙ୍କର ଶିଳ୍ପ ଓ ବାଣିଜ୍ୟ ଉପରେ ନାନା ପ୍ରକାର କଟକଣା ରଖିଥିଲେ । ଇଂଲଣ୍ଡ ବ୍ୟତୀତ ଅନ୍ୟ ଦେଶ ସହିତ ଇଂଲଣ୍ଡ ଜାହାଜ ବ୍ୟତୀତ ଅନ୍ୟ ଦେଶର ଜାହାଜରେ ବାଣିଜ୍ୟ କରିବା ନିଷିଦ୍ଧ ହୋଇଥିଲା । ସେମାନେ ଲୌହରେ କୌଣସି ପଦାର୍ଥ ନିର୍ମାଣ କରିବାକୁ ଅନୁମତି ପାଉ ନ ଥିଲେ । ଇଂରେଜମାନଙ୍କର ଏହି ସ୍ୱାର୍ଥପର ବାଣିଜ୍ୟନୀତି ଦ୍ୱାରା ସେମାନଙ୍କର ଶିଳ୍ପ ବାଣିଜ୍ୟର ଘୋର କ୍ଷତି ହୋଇଥିଲା ଏବଂ ସେଗୁଡ଼ିକ ଆଦୌ ଉନ୍ନତି କରିପାରୁ ନ ଥିଲା । ସେପାନେ ଏହି ନୀତିର ଘୋର ବିରୋଧୀ ହେଲେ ଓ ଇଂଲଣ୍ଡଠାରୁ ପୂର୍ଣ୍ଣସ୍ୱାତନ୍ତ୍ର୍ୟ ଲାଭ କରିବା ପାଇଁ ସର୍ବଦା ସୁଯୋଗ ଖୋଜୁଥିଲେ ।

 

ଉପନିବେଶମାନଙ୍କରେ କରଧାର୍ଯ୍ୟ :- ସପ୍ତବର୍ଷବ୍ୟାପୀ ଯୁଦ୍ଧ ସମୟରେ ଫରାସୀବମାନଙ୍କ ହସ୍ତରୁ ଉପନିବେଶମାନଙ୍କୁ ରକ୍ଷା କରିବା ପାଇଁ ଇଂରେଜ ସରକାର ପ୍ରଭୂତ ଅର୍ଥବ୍ୟୟ କରିଥିଲେ । ଏଥିପାଇଁ ସରକାର ବିଶେଷ ଋଣଗ୍ରସ୍ତ ମଧ୍ୟ ହୋଇଥିଲେ । ଉପନିବେଶମାନଙ୍କରେ କର ଧାର୍ଯ୍ୟ କରି ଏହି ଯୁଦ୍ଧ ବ୍ୟୟର କେତେକାଂଶ ଆଦାୟ କରିବା ପାଇଁ ତୃତୀୟ ଜର୍ଜ୍ଜ ସ୍ଥିର କଲେ । ତେଣୁ ତାଙ୍କର ପ୍ରଧାନମନ୍ତ୍ରୀ ଗ୍ରେନଭିଲ୍‌ଖ୍ରୀ: ଅ: ୧୭୬୫ରେ ଷ୍ଟାମ୍ପ ଆଇନ ପ୍ରଣୟନ କରି ଉପନିବେଶମାନଙ୍କରେ ଚଳାଇଥିଲେ । ଏହି ଆଇନଦ୍ୱାରା ସେଠାରେ ଅଧିବାସୀମାନେ ଆଇନ ଅଦାଲତ ସମ୍ପର୍କୀୟ କାର୍ଯ୍ୟମାନଙ୍କରେ ଷ୍ଟାମ୍ପ ଯୁକ୍ତ କାଗଜ ବ୍ୟବହାର କରିବାକୁ ବାଧ୍ୟ ହୋଇଥିଲେ । ଉକ୍ତ ଷ୍ଟାମ୍ପସବୁ ଇଂଲାଣ୍ଡରୁ କ୍ରୟ କରିବାକୁ ହେଉଥିଲା । କିନ୍ତୁ ସେମାନେ ଇଂରେଜ ସରକାରଙ୍କ ଏହି କରଧାର୍ଯ୍ୟ ନୀତି ବିରୁଦ୍ଧରେ ଘୋର ପ୍ରତିବାଦ କଲେ । ସେମାନେ କହିଲେ, ‘‘ବ୍ରିଟିଶ ପାର୍ଲାମେଣ୍ଟରେ ଆମ୍ଭମାନଙ୍କ ଦ୍ୱାରା ନିର୍ବାଚିତ କୌଣସି ପ୍ରତିନିଧି ନାହାନ୍ତି, ତେଣୁ ଏହାଦ୍ୱାରା ନିର୍ଦ୍ଧାରିତ କୌଣସି କର ଦେବାକୁ ଆମ୍ଭେମାନେ ଆଦୌ ବାଧ୍ୟ ନୋହୁଁ ।’’ ସେମାନେ ଏହା ବିରୁଦ୍ଧରେ ତୀବ୍ର ଆନ୍ଦୋଳନ ଚଳାଇଲେ ଓ ଇଂଲାଣ୍ଡ ସହିତ ସମସ୍ତ ବାଣିଜ୍ୟ ସମ୍ପର୍କ ବନ୍ଦ କରିଦେଲେ । ତେଣୁ ବ୍ରିଟିଶ ସରକାର ଖ୍ରୀ: ଅ: ୧୭୬୬ରେ ଏହି ଆଇନ ଉଠାଇନେଲେ ।

 

ଏଥିରେ ଅକୃତକାର୍ଯ୍ୟ ହୋଇ ପାର୍ଲାମେଣ୍ଟ ଉପନିବେଶମାନଙ୍କରୁ କର ଆଦାୟ କରିବା କ୍ଷମତା ପ୍ରୟୋଗ କରିବାପାଇଁ ନୂତନ ଉପାୟ ଅବଲମ୍ବନ କଲା । ଖ୍ରୀ: ଅ: ୧୭୬୭ରେ ଇଂରେଜମନ୍ତ୍ରୀ ଟାଉନ୍‌ସେଣ୍ଡ ଉପନିବେଶମାନଙ୍କୁ ଆମଦାନୀ ହେଉଥିବା ଚାହା, କାଚ, କାଗଜ, ରଙ୍ଗ ଉପରେ ଆମଦାନୀ ଶୁଳ୍ପ (Import-duty) ବସାଇଲେ । ସେମାନେ ଏଥିରେ ଉତ୍ୟକ୍ତ ହୋଇ ଉକ୍ତ ଜିନିସମାନ ବର୍ଜନ କରିବାପାଇଁ ପୁନର୍ବାର ଆନ୍ଦୋଳନ ଚଳାଇଲେ । ଆନ୍ଦୋଳନର ତୀବ୍ରତା ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ଲର୍ଡ଼ ନର୍ଥ ଚାହା ବ୍ୟତୀତ ଅନ୍ୟାନ୍ୟ ପଦାର୍ଥମାନଙ୍କ ଉପରୁ ଆମଦାନୀ ଶୁଳ୍ପ ଉଠାଇ ନେଲେ । ଥରେ ଭାରତୀୟ ଚାହାପୂର୍ଣ୍ଣ ଗୋଟିଏ ଜାହାଜ ବୋଷ୍ଟନ ବନ୍ଦରରେ ଲାଗିଥିଲା । ଉକ୍ତ ଉପନିବେଶର ଦଳେ ଲୋକ ଲୋହିତ ଭାରତୀୟ ବେଶରେ ଜାହାଜରେ ପ୍ରବେଶ କରି ଜାହାଜର ସମସ୍ତ ଚାହା ସମୁଦ୍ର ଭିତରକୁ ଫୋପାଡ଼ି ଦେଲେ । ବ୍ରିଟିଶ ସରକାର ଏଥିରେ କ୍ରୁଦ୍ଧ ହୋଇ ବୋଷ୍ଟନ ବନ୍ଦରର ସମସ୍ତ ବାଣିଜ୍ୟ ବନ୍ଦ କରିଦେଲେ ଓ ବୋଷ୍ଟନ ବନ୍ଦରଠାରୁ ଶାସିତ ମାସାଚୁସେଟ୍‌ ଉପନିବେଶର ସ୍ୱାୟତ୍ତଶାସନ ଅଧିକାର କାଢି ନେଇ ତାହା ଇଂରେଜ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ବୋଲି ଘୋଷଣା କଲେ (ଖ୍ରୀ: ଅ: ୧୭୭୪) ।

 

ଏହା ଫଳରେ ଏହି ସଂଘର୍ଷ ଭୀଷଣ ଆକାର ଧାରଣ କଲା । ଏ ବିଷୟରେ ବିଚାର କରିବାପାଇଁ ୧୩ଟି ଇଂରେଜ ଉପନିବେଶମାନଙ୍କର ପ୍ରତିନିଧିମାନେ ଫିଲାଡ଼େଲ୍‌ଫିଆ ନାମକ ସ୍ଥାନରେ ଗୋଟିଏ କଂଗ୍ରେସ ବା ସମ୍ମିଳନୀ କରିଥିଲେ । ଏଠାରେ ଇଂଲାଣ୍ଡ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରାଗଲା (ଖ୍ରୀ: ଅ: ୧୭୭୫) । ଜର୍ଜ୍ଜ ଉଆସିଙ୍ଗଟନ୍‌ ନାମକ ଜଣେ ବିଚକ୍ଷଣ ବ୍ୟକ୍ତି ଆମେରିକା ସୈନ୍ୟମାନଙ୍କର ଅଧିନାୟକ ରୂପେ ଇଂରେଜମାନଙ୍କ ବିରୁଦ୍ଧରେ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହେଲେ । ସେ ଇଂରେଜ ସେନାପତିଙ୍କୁ ପରାସ୍ତ କରି ବୋଷ୍ଟନ ବନ୍ଦର ଅଧିକାର କଲେ । ଖ୍ରୀ: ଅ: ୧୭୭୬ରେ ଜର୍ଜ୍ଜ ଉଆସିଙ୍ଗଟନ୍‌ ଓ ଫ୍ରାଙ୍କଲିନ୍‌ ପ୍ରଭୁତିଙ୍କ ନେତୃତ୍ୱରେ ଏହି ଉପନିବେଶଗୁଡ଼ିକ ପୂର୍ଣ୍ଣ ସ୍ୱାଧିନତା ଘୋଷଣା କରିଥିଲେ (Declaration of Independence) ଏବଂ ଇଂଲାଣ୍ଡ ସହିତ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିବାପାଇଁ ସ୍ଥିର କଲେ । ଏହି ୧୩ଟି ଉପନିବେଶ ସମ୍ମିଳିତ ହୋଇ ‘ଇଉନାଇଟେଡ୍‌ ଷ୍ଟେଟସ୍‌’ ବା ‘ଯୁକ୍ତରାଷ୍ଟ୍ର’ ନାମ ଧାରଣା କଲା ।

 

ଖ୍ରୀ: ଅ: ୧୭୭୮ରେ ଇଂରେଜ ସୈନ୍ୟମାନେ ‘ସାରାଟୋଗା’ ନାମକ ସ୍ଥାନରେ ଆମେରିକାନ୍‌ମାନଙ୍କଦ୍ୱାରା ସଂପୂର୍ଣ୍ଣରୂପେ ପରାଜିତ ହୋଇଥିଲେ । ଇଂରେଜମାନଙ୍କର ଏହି ଘୋର ବିପତ୍ତି ସମୟରେ ଇଂଲାଣ୍ଡର ଚିର ଶତ୍ରୁ ଫ୍ରାନ୍ସ, ସ୍ପେନ ଓ ହଲାଣ୍ଡ ଔପନିବେଶମାନଙ୍କୁ ସାହାଯ୍ୟ ଦେଇଥିଲେ ଏବଂ ଏହି ଉପନିବେଶମାନଙ୍କର ସ୍ୱାଧୀନତାକୁ ସ୍ୱୀକାର କରିଥିଲେ । ସ୍ପେନୀୟମାନେ ଜିବ୍ରାଲ୍‌ଟର ବନ୍ଦର ଓ ଫରାସୀମାନେ ଇଂରେଜ ଅଧିକୃତ ପଶ୍ଚିମଭାରତୀୟ ଦ୍ୱୀପପୁଞ୍ଜର କେତୋଟି ଦ୍ୱୀପ ଅଧିକାର କରିଥିଲେ । ତେଣୁ ଇଂରେଜମାନଙ୍କୁ ଉପନିବେଶ ତଥା ଉପରୋକ୍ତ ଇଉରୋପୀୟ ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ପଡ଼ିଥିଲା । ଖ୍ରୀ: ଅ: ୧୭୮୧ରେ କର୍ଣ୍ଣଉଆଲିସ୍‌ ୪୦୦୦ ସୈନ୍ୟ ସହ ୟର୍କଟାଉନଠାରେ ଉଆସିଙ୍ଗଟନ୍‌ଙ୍କ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ପରାଜିତ ହୋଇ ଶତ୍ରୁ ହସ୍ତରେ ଆତ୍ମସମର୍ପଣ କଲେ । କିନ୍ତୁ ପୋତୃାଧ୍ୟକ୍ଷ ରୋଡ଼ନୀ (Rodney) ଫରାସୀମାନଙ୍କୁ ଗୋଟିଏ ଜଳଯୁଦ୍ଧରେ ପରାସ୍ତ କରିବାରୁ ଓ ଇଲିୟଟ୍‌ ଜିବ୍ରାଲ୍‌ଟରରୁ ସ୍ପେନୀୟମାନଙ୍କୁ ତଡ଼ିଦେବାରୁ ଇଂରେଜମାନଙ୍କର ସମ୍ମାନ ରକ୍ଷା ହେଲା । କିନ୍ତୁ ଉପନିବେଶମାନଙ୍କୁ ପରାସ୍ତ କରିବାର କୌଣସି ଆଶା ନ ଦେଖି ଇଂରେଜ ସରକାର ବାଧ୍ୟହୋଇ ଖ୍ରୀ: ଅ: ୧୮୮୩ରେ ସେମାନଙ୍କ ସହିତ ଭର୍ସେଲିସ୍‌ଠାରେ ଗୋଟିଏ ସନ୍ଧି (Treaty of Versailles) କରିଥିଲେ । ବ୍ରିଟିଶ ସରକାର ଉତ୍ତର ଆମେରିକାର ପୂର୍ବ ଉପକୂଳରେ ଥିବା ୧୩ଟି ଉପନିବେଶର ସ୍ୱାଧିନତା ସ୍ୱୀକାର କରିଥିଲେ-। କାନଡ଼ା, ନୋଭାସ୍ଥଟିଆ, ନିଉଫାଉଣ୍ଡଲାଣ୍ଡ ଓ ହଂଡ଼ସନ୍‌ ଉପସାଗର ନିକଟବର୍ତ୍ତୀ ରାଜ୍ୟ ଇଂରେଜମାନଙ୍କ ଅଧୀନରେ ରହିଲା । ସ୍ପେନ ଫ୍ଳୋରିଡ଼ା ଓ ମିନର୍କା ପାଇଲା । ଏହି ସନ୍ଧି ଫଳରେ ଦୁଇ ଶତାବ୍ଦୀର ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ପ୍ରତିଷ୍ଠିତ ପ୍ରଥମ ସାମ୍ରାଜ୍ୟ ଇଂରେଜ ସରକାର ହରାଇଥିଲେ । ଏହି ୧୩ଟି ସ୍ୱାଧୀନ ରାଜ୍ୟ ସହିତ ପରବର୍ତ୍ତୀ କାଳରେ ଅନ୍ୟାନ୍ୟ କେତେକ ରାଜ୍ୟ ମିଳିତ ହୋଇ ଆଧୁନିକ ଯୁକ୍ତରାଜ୍ୟ (U.S.A.) ଗଠିତ ହେଲା ।

 

ନୂତନ ଇଂରେଜ ସାମ୍ରାଜ୍ୟ ପ୍ରତିଷ୍ଠା :- ତୃତୀୟ ଜର୍ଜ୍ଜଙ୍କ ରାଜତ୍ୱରେ ଇଂରେଜମାନେ ପଶ୍ଚିମ ଗୋଲାର୍ଦ୍ଧରେ ଗୋଟିଏ ସାମ୍ରାଜ୍ୟ ହରାଇଥିଲେ ସତ୍ୟ, କିନ୍ତୁ ଇଂରେଜ ନାବିକ, ଆବିଷ୍କାରକ ଓ ଯୋଦ୍ଧାମାନେ ପୂର୍ବ ଗୋଲାର୍ଦ୍ଧରେ ନୂତନ ଇଂରେଜ ସାମ୍ରାଜ୍ୟର ମୂଳଭିତ୍ତି ପ୍ରତିଷ୍ଠା କରିଥିଲେ । କାପ୍ତାନ କୁକ୍‌ ନାମକ ଜଣେ ସାହସୀ ଓ ଦୂରଦର୍ଶୀ ଇଂରେଜ ନାବିକ ଅଷ୍ଟ୍ରେଲିୟା ଓ ନିଉଜିଲାଣ୍ଡର ଉପକୂଳ ପ୍ରଦେଶ ଆବିଷ୍କାର କରିଥିଲେ । ଖ୍ରୀ: ଅ: ୧୭୮୮ରେ ଦଳେ ଇଂରେଜ ସର୍ବପ୍ରଥମେ ଅଷ୍ଟ୍ରେଲିୟା ମହାଦେଶକୁ ପ୍ରେରିତ ହୋଇଥିଲେ । ସେମାନେ ନାନାବିଧ ଗୁରୁତର ଅପରାଧ ଯୋଗୁଁ କଠିନ ଦଣ୍ଡରେ ଦଣ୍ଡିତ ହୋଇଥିଲେ ଓ ଇଂରେଜ ସରକାର ସେମାନଙ୍କୁ ନିଜ ରାଜ୍ୟରେ ରଖିବା ନିରାପଦ ନୁହେଁ ବୋଲି ସ୍ଥିର କରି ସେଠାକୁ ପଠାଇଦେଲେ । ସେମାନେ ଏହି ନୂତନ ମହାଦେଶରେ ସୁଖ ସ୍ୱଚ୍ଛନ୍ଦରେ ବାସ କଲେ । ଏହିପରି ବହୁବର୍ଷ ପର୍ଯ୍ୟନ୍ତ ଅଷ୍ଟ୍ରେଲିୟା ଇଂରେଜ ସରକାରଙ୍କ ଦ୍ୱାରା ଦଣ୍ଡିତ ବ୍ୟକ୍ତିମାନଙ୍କର ଆବାସଭୂମି (Penal settlement) ରୂପେ ପରିଣତ ହୋଇଥିଲା । କିନ୍ତୁ କାଳକ୍ରମେ ଏଠାରେ ମେଷଚାରଣ ପାଇଁ ବିସ୍ତୀର୍ଣ୍ଣ ପ୍ରାନ୍ତର ଓ ସ୍ୱର୍ଣ୍ଣ ଖଣିମାନ ଆବିଷ୍କୃତ ହେବାରୁ ସହସ୍ର ସହସ୍ର ଇଂରେଜ ମହାଦେଶର ଉପନିବେଶ ସ୍ଥାପନ କଲେ ଏବଂ ଏହା ଏକ ସମୃଦ୍ଧିଶାଳୀ ରାଜ୍ୟରେ ପରିଣତ ହେଲା । ତେଣୁ ଏଠାକୁ ବନ୍ଦୀମାନେ ଆଉ ପ୍ରେରିତ ହେଲେ ନାହିଁ ।

 

ତୃତୀୟ ଜର୍ଜ୍ଜଙ୍କ ରାଜତ୍ୱ ଶେଷ ହେବା ପୂର୍ବରୁ ଇଂରେଜମାନେ ଭାରତରେ ବଙ୍ଗ, ବିହାର, ଓଡ଼ିଶା, ମାନ୍ଦ୍ରାଜ, ବମ୍ବେ ଓ ମଧ୍ୟପ୍ରଦେଶର ଅଧିକାଂଶ ଓ ଆହୁରି କେତେକ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟ ଅଧିକାର କରି ସାରିଥିଲେ । ତାଙ୍କ ରାଜତ୍ୱରେ ଭାରତରେ ଇଂରେଜ ଶକ୍ତି ସୁଦୃଢ ହୋଇଥିଲା ।

 

କାନଡ଼ାରାଜ୍ୟ ଉତ୍ତର ଆମେରିକାର ଅନ୍ୟାନ୍ୟ ଉପନିବେଶମାନଙ୍କ ସହିତ ସ୍ୱାଧିନତା ଯୁଦ୍ଧରେ ଯୋଗଦେଇ ନ ଥିବାରୁ ଏଠାରେ ବ୍ରିଟିଶ ଆଧିପତ୍ୟ ଅକ୍ଷୁଣ୍ଣ ରହିଲା । ଅଷ୍ଟାଦଶ ଶତାବ୍ଦୀର ଶେଷଭାଗରେ ଇଂରେଜମାନେ କଲମ୍ବିଆ ଅଞ୍ଚଳ ଓ ଭାଙ୍କୋଭର ଦ୍ୱୀପରେ ଇଂରେଜ ଉପନିବେଶ ସ୍ଥାପିତ ହୋଇଥିଲା । ତୃତୀୟ ଜର୍ଜ୍ଜଙ୍କ ରାଜତ୍ୱର ଶେଷଭାଗରେ ବହୁକାଳବ୍ୟାପୀ ଯୁଦ୍ଧପରେ ଫ୍ରାନ୍ସ ସହିତ ସନ୍ଧି ସ୍ଥାପିତ ହେବାରୁ ଉତ୍ତମାଶା ଅନ୍ତରୀପ, ସିଂହଳଦ୍ୱୀପ, ବ୍ରିଟିଶଗନି, ମୁରିସସ୍‌ଦ୍ୱୀପ, ମାଲଟାଦ୍ୱୀପ ଓ ହେଲିଗୋଲାଣ୍ଡ ପ୍ରଭୃତି ପ୍ରାପ୍ତ ହୋଇଥିଲେ । ଖ୍ରୀ: ଅ: ୧୮୧୯ରେ ସିଂଗାପୁର ଇଂରେଜ ଅଧିକାର ଭୁକ୍ତ ହେଲା । ତୃତୀୟ ଜର୍ଜ୍ଜଙ୍କ ରାଜତ୍ୱ କାଳରେ ଇଂରେଜମାନେ ଯୁକ୍ତରାଷ୍ଟ୍ର ହରାଇଲେ ମଧ୍ୟ ପୃଥିବୀର ସକଳ ମହାଦେଶରେ ନିଜ ଆଧିପତ୍ୟ ବିସ୍ତାର କରିବାକୁ ସମର୍ଥ ହୋଇଥିଲେ ।

 

ଉଇଲିୟମ ପିଟ୍‌ଙ୍କ ମନ୍ତ୍ରୀତ୍ୱ (Pitt the Younger)- ଖ୍ରୀ: ଅ: ୧୭୮୩- ଖ୍ରୀ: ଅ: ୧୮୦୧-ଆମେରିକାସ୍ଥ ଉପନିବେଶମାନ ହରାଇବା ପରେ ତୃତୀୟ ଜର୍ଜ୍ଜ ଜଣେ ବିଶ୍ୱସ୍ତ ପ୍ରଧାନ ମନ୍ତ୍ରୀଙ୍କ ସାହାଯ୍ୟରେ ଶାସନକାର୍ଯ୍ୟ ଚଳାଇବାକୁ ସ୍ଥିର କଲେ । ତହୁଁ ସେ ଚାଥାମର ଆର୍ଲ ପିଟ୍‌ ଦି ଏଲଡ଼ର୍‌ (Pitt the Elder) ଙ୍କ ଦ୍ୱିତୀୟ ପୁତ୍ର ଉଇଲିୟମ୍‌ ପିଟ୍‌ଙ୍କୁ ପ୍ରଧାନ ମନ୍ତ୍ରୀରୂପେ ନିଯୁକ୍ତ କଲେ । ସେ ପିଟ୍‌ ଦି ୟଙ୍ଗର ନାମରେ ସାଧାରଣରେ ପରିଚିତ ଥିଲେ । ସେ ୨୪ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଅଳ୍ପବୟସ୍କ ଥିବାରୁ ତାଙ୍କର ବିରୁଦ୍ଧଦଳ ତାଙ୍କୁ ସ୍କୁଲଛାତ୍ର ବୋଲି ବିଦ୍ରୂପ କରୁଥିଲେ । ସେ ଯୁବକ ହେଲେ ମଧ୍ୟ ଜଣେ ବିଜ୍ଞ, ବୁଦ୍ଧିମାନ, ସୁବକ୍ତା, ଓ ସୁଦକ୍ଷ ନେତା ଥିଲେ । ସେ ରାଜାଙ୍କ ହସ୍ତରେ ଅସ୍ତ୍ରରୂପେ ବ୍ୟବହୃତ ନ ହୋଇ ରାଜାଙ୍କ ଉପରେ ନିଜର ପ୍ରଭାବ ବିସ୍ତାର କରି ପାରିଥିଲେ । ସେ ରାଜା ତଥା ଜନସାଧାରଣଙ୍କର ଅତି ପ୍ରିୟମାତ୍ର ଥିଲେ ।

 

ତାଙ୍କ ମନ୍ତ୍ରୀତ୍ୱର ପ୍ରଥମ ଦଶବର୍ଷ ମଧ୍ୟରେ ଇଂଲାଣ୍ଡ ଶାନ୍ତିରେ ଥିଲେ । ସେ ହଲାଣ୍ଡ ଓ ପ୍ରୂସିୟା ସହିତ ସନ୍ଧି ସ୍ଥାପନ କରିଥିଲେ । ଆମେରିକାର ସ୍ୱାଧୀନତା ଯୁଦ୍ଧ ପରେ ଇଂଲାଣ୍ଡର ଜାତୀୟ ଋଣ ବିଶେଷ ବଢିଯିବାରୁ ପିଟ୍‌ ତାହା ପରିଶୋଧ କରିବାପାଇଁ ଗୋଟିଏ ନୂତନ ଉପାୟ ଉଦ୍ଭାବନ କରିଥିଲେ । ସେ ‘ସିଙ୍କିଙ୍ଗ୍‌ ଫଣ୍ଡ’ (Sinking fund) ସୃଷ୍ଟି କରି ପ୍ରତିବର୍ଷ ଋଣ ପରିଶୋଧ ପାଇଁ ୧୦ଲକ୍ଷ ପାଉଣ୍ଡ ଏହି ଫଣ୍ଡରେ ଜମା କରୁଥିଲେ । ସେ ନାନାବିଭାଗରେ ବ୍ୟୟ ସଙ୍କୋଚ କରି କେତେକ ଅର୍ଥ ସଞ୍ଚୟ କରିଥିଲେ । ଅବାଧ ବାଣିଜ୍ୟ (Free trade) ର ପକ୍ଷପାତୀ ଥିଲେ ଓ ଇଂଲାଣ୍ଡକୁ ଆମଦାନି ହେଉଥିବା ଅନେକ ପଣ୍ୟଦ୍ରବ୍ୟ ଉପରୁ ଆମଦାନୀ ଶୁଳ୍ପ ଉଠାଇ ଦେଇଥିଲେ । ସେ ଭାରତରେ ଇଷ୍ଟଇଣ୍ଡିଆ କମ୍ପାନୀ ଶାସନର ସୁପରିଚାଳନା ପାଇଁ ଖ୍ରୀ: ଅ: ୧୭୮୪ରେ ଗୋଟିଏ ଭାରତ ଆଇନ (Pitt’s India Act) ପ୍ରଣୟନ କରିଥିଲେ ।

 

ପାର୍ଲାମେଣ୍ଟର କମନ୍ସ ସଭାକୁ ଗାଣତାନ୍ତ୍ରିକ ବା ଅଧିକ ପ୍ରତିନିଧିମୂଳକ କରିବାପାଇଁ ସେ ଚେଣ୍ଟା କରିଥିଲେ । କିନ୍ତୁ ସେ ସମୟରେ ଫ୍ରାନ୍ସରେ ରାଷ୍ଟ୍ରବିପ୍ଳବ ଭୀଷଣ ଆକାର ଧାରଣ କଲାରୁ ସେ ଏଥିରୁ ବିରତ ହେଲେ । ଇଂଲାଣ୍ଡରେ ଏହି ବିଦ୍ରୋହ ଯେପରି ପ୍ରସାର ଲାଭ ନ କରେ ସେଥିପାଇଁ ସେ କଠୋର ଦମନ ନୀତି ପ୍ରୟୋଗ କରିଥିଲେ । ପିତାଙ୍କ ପରି ସେ ଜଣେ ସୁଦକ୍ଷ ଓ ବିଚକ୍ଷଣ ଯୁଦ୍ଧମନ୍ତ୍ରୀ ନ ଥିଲେ ମଧ୍ୟ ସେ ଫ୍ରାନ୍ସ ସହିତ ବହୁକାଳ ଯୁଦ୍ଧ ଚଳାଇ ନେପୋଲିୟନଙ୍କୁ ବାରମ୍ବାର ପ୍ରତିହତ କରିଥିଲେ । ଇଂଲାଣ୍ଡ ଓ ଆୟର୍ଲାଣ୍ଡର ସମ୍ମେଳନ ପରେ ସେ ଆୟର୍ଲାଣ୍ଡର କ୍ୟାଥଲିକ୍‌ମାନଙ୍କୁ କେତେକ ସୁବିଧା ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ରାଜା ସେଥିରେ ବାଧା ଦେବାରୁ ସେ ଖ୍ରୀ: ଅ: ୧୮୦୧ରେ ମନ୍ତ୍ରୀପଦ ତ୍ୟାଗ କରିଥିଲେ ।

 

ଫରାସୀ ରାଷ୍ଟ୍ର ବିପ୍ଳବ -[ଖ୍ରୀ: ଅ: ୧୭୮୯]- ଫରାସୀ ରାଷ୍ଟ୍ରବିପ୍ଳବ ସମଗ୍ର ପୃଥିବୀର ଇତିହାସରେ ଗୋଟିଏ ପ୍ରଧାନ ଘଟଣା । ଫ୍ରାନ୍ସ ରାଜ୍ୟରେ ରାଜା ଓ ସାମନ୍ତମାନେ ପ୍ରଜାମାନଙ୍କ ଉପରେ ବହୁକାଳଧରି ନାନାପ୍ରକାର ଅତ୍ୟାଚାର କରୁଥିଲେ । ସାମନ୍ତ ଓ ଉଚ୍ଚ ଶ୍ରେଣୀର ଧର୍ମଯାଜକମାନେ କୌଣସି ପ୍ରକାର କର ଦେଉ ନ ଥିଲେ ଓ ଦରିଦ୍ର ଜନସାଧାରଣ ନାନାବିଧ କରଭାରରେ ନିଷ୍ପେଷିତ ହେଉଥିଲେ । ଲବଣ କର ଓ ସମ୍ପତ୍ତିକର ଲୋକମାନଙ୍କୁ ବେଶୀ ବାଧୁଥିଲା । ସେମାନେ ବାଧ୍ୟ ହୋଇ ସାମନ୍ତମାନଙ୍କ ଘରେ ବେଠି ଖଟୁଥିଲା । ଦେଶର ସମସ୍ତ ଉଚ୍ଚକାର୍ଯ୍ୟ ସାମନ୍ତ ବଂଶୀୟମାନଙ୍କୁ ଦିଆ ହେଉଥିଲା । ସାଧାରଣ ଲୋକଙ୍କର ଶାସନ ସମ୍ବନ୍ଧରେ ପାଟି ଫିଟାଇବାର କ୍ଷମତା ନ ଥିଲା । ଏହି ସମୟରେ ଋଷୋ, ଭଲଟେୟାର ପ୍ରଭୃତି ପ୍ରସିଦ୍ଧ ଲେଖକମାନେ ଦେଶରେ ସ୍ୱାଧୀନତା, ସାମ୍ୟ, ମୈନ୍ତ୍ରୀର ଭାବ ପ୍ରଚାର କରିଥିଲେ । ଏହି ପ୍ରଚାର ଫଳରେ ଲୋକମାନଙ୍କ ମଧ୍ୟରେ ନୂତନ ଜାଗରଣ ଓ ଉନ୍ମାଦନା ଖେଳିଗଲା । ଫ୍ରାନ୍ସର ରାଜାମାନେ ଘୋର ସ୍ୱେଚ୍ଛାଚାରୀ ଓ ବିଳାସୀ ଥଲେ ଏବଂ ପ୍ରଜାମାନଙ୍କର ଦୁଃଖ ଦୁର୍ଦ୍ଦଶା ପ୍ରତି ଆଦୌ ଦୃଷ୍ଟି ଦେଉ ନ ଥିଲେ । ଭୋଗବିଳାସ ଓ ଯୁଦ୍ଧରେ ଅଜସ୍ର ଧନ ବ୍ୟୟ କରିବାରୁ ରାଜକୋଷ ଶୂନ୍ୟ ହୋଇଗଲା ଓ ଶାସନକାର୍ଯ୍ୟ ଅଚଳ ପ୍ରାୟ ହୋଇପଡ଼ିଲା । ତେଣୁ ଫ୍ରାନ୍ସ ରାଜା ଷୋଡ଼ଶ ଲୁକ (Louis XVI) ନୂତନ କର ଧାର୍ଯ୍ୟ କରି ଅର୍ଥ ଆଦାୟ କରିବା ନିମିତ୍ତ ଦୀର୍ଘ ୧୭୫ ବର୍ଷ ପରେ ଖ୍ରୀ: ଅ: ୧୭୮୯ରେ ଷ୍ଟେଟସ୍‌ ଜେନେରାଲ୍‌ (ପ୍ରଧାନ ସଭା) ଆହ୍ୱାନ କରିଥିଲେ । ସର୍ବସାଧାରଣଙ୍କ ପ୍ରତିନିଧିମାନେ ଏହାକୁ ଗୋଟିଏ ଜାତୀୟ ସଭା ‘‘National Assembly’’ ରେ ପରିଣତ କରିଥିଲେ । ଏହା ରାଜକ୍ଷମତା ଖର୍ବ କରିଥିଲା । ସାମନ୍ତ ଓ ଧର୍ମଯାଜକମାନଙ୍କର ସମସ୍ତ ସୁବିଧା ରଦ୍ଧ କରିଥିଲା । ଦେଶ ଶାସନ ପାଇଁ ସାଧାରଣ ବ୍ୟକ୍ତିଙ୍କଦ୍ୱାରା ଗଠିତ ଏକ ସଭା ପ୍ରତିଷ୍ଠିତ ହେଲା ।

 

ଇଂରେଜମାନେ ଏହି ବିଦ୍ରୋହଦ୍ୱାରା ଇଂଲାଣ୍ଡ ପରି ଫ୍ରାନ୍ସରେ ପ୍ରତିନିଧିମୂଳକ ଶାସନତନ୍ତ୍ର ପ୍ରତିଷ୍ଠିତ ହେବ ବୋଲି ଆଶାକରି ପ୍ରଥମେ ପ୍ରଥମେ ଏହି ବିଦ୍ରୋହକୁ ସମର୍ଥନ କରିଥିଲେ । କିନ୍ତୁ ବିଦ୍ରୋହୀମାନଙ୍କର ନୃଶଂସ ଓ ଭୟାବହ କାର୍ଯ୍ୟକଳାପ ଦେଖି ସେମାନଙ୍କର ମତିଗତି ବଦଳି ଯାଇଥିଲା । ବିଦ୍ରୋହୀମାନେ ଫ୍ରାନ୍ସର ପ୍ରଧାନ ଷ୍ଟେଟସ୍‌ ଜେନେରାଲ (States-General) ଇଂଲାଣ୍ଡର ପାର୍ଲାମେଣ୍ଟ ପରି । ସାମନ୍ତ, ଧର୍ମଯାଜକ ଓ ସର୍ବସାଧାରଣଙ୍କର ପ୍ରତିନିଧିମାନଙ୍କୁ ନେଇ ଏହା ଗଠିତ ହୋଇଥିଲା । ଏହା ରାଜ୍ୟର ତିନି ସଂପ୍ରଦାୟର ସଭା (The Assembly of the three estates of the Realm) ଥିଲା ।

 

ଜେଲ ଭାଙ୍ଗି ବନ୍ଦୀମାନଙ୍କୁ ମୁକ୍ତ କଲେ, ସାମନ୍ତମାନଙ୍କ ଗୃହ ସବୁ ପୋଡ଼ି ପକାଇଥିଲେ; ଶତ ଶତ ଲୋକଙ୍କୁ ହତ୍ୟା କରିଥିଲେ । ରାଜା ରାଣୀ ଓ ରାଜବଂଶୀୟ ଅନେକ ଲୋକଙ୍କୁ ବଧ କରିଥିଲେ । ଇଂଲାଣ୍ଡ ଓ ଇଉରୋପର ଅନ୍ୟାନ୍ୟ ରାଜ୍ୟରେ ବିପ୍ଳବ ସୃଷ୍ଟି କରିବାପାଇଁ ତୁମୁଳ ପ୍ରଚାର ଆରମ୍ଭ କଲେ । ଇଉରୋପର ବିଭନ୍ନ ରାଜ୍ୟ ଫ୍ରାନ୍ସ ରାଜାଙ୍କୁ ସାହାଯ୍ୟ ଦେବାକୁ ଚେଷ୍ଟା କରିବାରୁ ସେମାନେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ସେମାନେ ବେଲିଜିୟମ ଅଧିକାର କରି ଇଂଲାଣ୍ଡର ବନ୍ଧୁ ହଲାଣ୍ଡକୁ ଆକ୍ରମଣ କରିବାକୁ ଉଦ୍ୟତ ହେବାରୁ ଇଂଲାଣ୍ଡ ଫ୍ରାନ୍ସ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା ।

 

ଫ୍ରାନ୍ସ ସହିତ ଯୁଦ୍ଧ :- ପ୍ରଧାନ ମନ୍ତ୍ରୀ ପିଟ୍‌ ଫ୍ରାନ୍ସ ବିରୁଦ୍ଧରେ ଇଂଲାଣ୍ଡ, ଅଷ୍ଟ୍ରିୟା, ପ୍ରୂସିୟା, ହଲାଣ୍ଡ, ସ୍ପେନ ପ୍ରଭୃତି ରାଜ୍ୟକୁ ଏକତ୍ର କରି ଗୋଟିଏ ରାଜ୍ୟବ୍ୟୂହ (Coalition) ଗଠନ କରିଥିଲେ (ଖ୍ରୀ: ଅ: ୧୭୯୩-୯୭) । ସ୍ଥଳଯୁଦ୍ଧଗୁଡ଼ିକରେ ମିତ୍ର ଶକ୍ତିମାନେ ଫ୍ରାନ୍ସଦ୍ୱାରା ସର୍ବତ୍ର ପରାଜିତ ହେଲେ । କିନ୍ତୁ ଖ୍ରୀ: ଅ: ୧୭୯୪ରେ ଇଂରେଜମାନେ ଗୋଟିଏ ଜଳଯୁଦ୍ଧରେ ଫରାସୀମାନଙ୍କୁ ପରାସ୍ତ କରିଥିଲେ । ଏହି ସମୟରେ ଡଚ୍‌ମାନେ ଫରାସୀମାନଙ୍କ ପକ୍ଷ ଗ୍ରହଣ କରିବାରୁ ଇଂରେଜମାନେ ଡଚ୍‌ ଅଧିକୃତ ଉତ୍ତମାଶା ଅନ୍ତରୀପ, ସିଂହଳଦ୍ୱୀପ, ମାଲକା ଅଧିକାର କରିଥିଲେ । ମିତ୍ରଶକ୍ତିମାନେ ବାରମ୍ବାର ପରାଜିତ ହେବାରୁ ଇଂରେଜ ପକ୍ଷ ତ୍ୟାଗ କରିଥିଲେ । ଏହି ଯୁଦ୍ଧଯୋଗୁଁ ଇଂଲାଣ୍ଡର ପ୍ରଭୂତ ଅର୍ଥ ବ୍ୟୟିତ ଓ ବାଣିଜ୍ୟ ବ୍ୟବସାୟର ଘୋର କ୍ଷତି ହୋଇଥିଲା । ବ୍ୟାଙ୍କ ଅଫ୍‌ ଇଂଲାଣ୍ଡ ଦେବାଳିଆ ହୋଇଯିବା ଭୟରେ ନଗଦ ଟଙ୍କା କାରବାର ବନ୍ଦକରି ଦେଇଥିଲା । ପଦାର୍ଥମାନଙ୍କ ମୂଲ୍ୟ ଓ ଲୋକଙ୍କ କରଭାର ବଢି ଯାଇଥିଲା । ଆୟର୍ଲାଣ୍ଡର କ୍ୟାଥଲିକ୍‌ମାନେ ଫ୍ରାନ୍ସଠାରୁ ସାହାଯ୍ୟ ପାଇବା ଆଶାରେ ଇଂଲାଣ୍ଡ ବିରୁଦ୍ଧରେ ବିଦ୍ରୋହ କରିଥିଲେ-

 

ନେପୋଲିୟନ୍‌ ବୋନାପାର୍ଟ :- ନେପୋଲିୟନ ବୋନାପାର୍ଟ କର୍ସିକା ଦ୍ୱୀପର ଗୋଟିଏ ଦରିଦ୍ର ସମାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ନିଜର ଅଦମ୍ୟ ସାହସ, ଦୃଢ ପ୍ରତିଜ୍ଞା, ଅଧ୍ୟବସାୟ, ଅସାଧାରଣ ପ୍ରତିଭା ଓ ଅଦ୍ଭୁତ ଯୁଦ୍ଧ କୌଶଳ ପ୍ରଭୃତି ସଦ୍ରୁଣମାନଙ୍କ ଯୋଗୁଁ ୨୬ବର୍ଷ ବୟସରେ ବିଶାଳ ଫରାସୀ ସେନାର ପ୍ରଧାନ ସେନାନାୟକ ପଦ ପ୍ରାପ୍ତ ହୋଇଥିଲେ । ତାଙ୍କ ଯୋଗୁଁ ମିତ୍ରଶକ୍ତିମାନେ ବାରମ୍ବାର ପରାସ୍ତ ହୋଇଥଲେ । ଫ୍ରାନ୍ସର ପ୍ରଧାନ ଶତ୍ରୁ ଇଂଲାଣ୍ଡକୁ ଦମନ କରିବା ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା । ସେ ଖ୍ରୀ: ଅ: ୧୭୯୮ରେ ବହୁ ସୈନ୍ୟ ଓ ରଣତରୀ ସହିତ ମିସର ଦେଶରେ ପଦାର୍ପଣ କରିଥିଲେ । ମହାବୀର ଆଲେକ୍‌ଜାଣ୍ଡରଙ୍କ ପରି ମିସର, ସିରିୟା, ପାରସ୍ୟ ଓ ଭାରତ ଜୟ କରିବାକୁ ତାଙ୍କର ଅଭିଳାଷ ଥିଲା । ଭାରତ ଜୟ କରି ଏଠାରୁ ଇଂରେଜମାନଙ୍କୁ ତଡ଼ି ଏଠାରେ ଗୋଟିଏ ଫରାସୀ ରାଜ୍ୟ ସ୍ଥାପନ କରିବାପାଇଁ ସେ ଆଶା ପୋଷଣ କରିଥିଲେ । କିନ୍ତୁ ନେଲସନ୍‌ ନାମକ ଜଣେ ବିଚକ୍ଷଣ ଇଂରେଜ ପୋତାଧ୍ୟକ୍ଷ ତାଙ୍କର କର୍ମଯୋଜନା ପଣ୍ଡକରି ଏହି ଘୋର ଜାତୀୟ ବିପତ୍ତି ସମୟରେ ଇଂରେଜ ଜାତିର ସମ୍ମାନ ରକ୍ଷା କରିଥିଲେ ।

 

ନେପୋଲିୟନ ମିସର ଅଧିକାର କରି ନୀଳ ନଦୀ ମୁହାଣରେ ନିଜର ରଣତରୀମାନଙ୍କୁ ଲଙ୍ଗରପକ୍ସାଇ ରଖିଥିଲେ । ନେଲସନ୍‌ ଗୁପ୍ତଭାବରେ ସେଠାରେ ପହଞ୍ଚି ତାଙ୍କର ସମସ୍ତ ରଣତରୀକୁ ନଷ୍ଟକରି ଦେଇଥିଲେ । ଏହି ଯୁଦ୍ଧର ନାମ ନୀଳନଦୀ ଯୁଦ୍ଧ ବା ଆବକିର୍‌ ଉପସାଗର ଯୁଦ୍ଧ (Battle of Nile or Battle of Aboukir Bay) ଏହି ଯୁଦ୍ଧରେ ପରାସ୍ତ ହୋଇ ନେପୋଲିୟନ ଭାରତ ଆକ୍ରମଣ ଆଶା ପରିତ୍ୟାଗ କରିଥିଲେ ଓ ଅଳ୍ପ କେତେକ ଅନୁଚରଙ୍କ ସହ ଫ୍ରାନ୍ସକୁ ଫେରି ଆସିଥିଲେ । ଫ୍ରାନ୍ସକୁ ଆସି ସେ ସାଧାରଣ ତନ୍ତ୍ର ଶାସନ (Republic) ଧ୍ୱଂସକରି ନିଜର ପ୍ରତିଭା ଓ କୌଶଳ ବଳରେ ଫ୍ରାନ୍ସର ଏକଛତ୍ରାଧିପତି ହେଲେ । ଏହାପରେ ସେ ଅଷ୍ଟ୍ରିୟାକୁ ସଂପୂର୍ଣ୍ଣରୂପେ ପରାସ୍ତ ଓ ଦ୍ୱିତୀୟ ରାଜ୍ୟବ୍ୟୁହ ନଷ୍ଟ କରିଥିଲେ । ଇଂଲଣ୍ଡ ଦ୍ୱିତୀୟବାର ମିତ୍ରଶକ୍ତିମାନଙ୍କଦ୍ୱାରା ପରିତ୍ୟକ୍ତ ହୋଇ ଖ୍ରୀ: ଅ: ୧୮୦୨ରେ ଫ୍ରାନ୍ସ ସହିତ ଏମିନ୍‌ସ୍‌ ନାମକ ସ୍ଥାନରେ ସନ୍ଧି (Treaty of Amiens) ସ୍ଥାପନ କରିଥିଲେ ।

 

ଟ୍ରାଫଲଗାର ଯୁଦ୍ଧ - ଖ୍ରୀ: ଅ: ୧୮୦୫-ଇଂଲାଣ୍ଡ ଓ ଫ୍ରାନ୍ସ ମଧ୍ୟରେ ଶାନ୍ତି ବହୁକାଳ ସ୍ଥାୟୀ ହୋଇ ନ ଥିଲା । ନେପୋଲିୟନ ଏହା ଶାନ୍ତି ସମୟରେ ଇଂଲଣ୍ଡ ଆକ୍ରମଣ ପାଇଁ ଶକ୍ତି ସଞ୍ଚୟ କରୁଥିଲେ । ସେ ଭାବିଥିଲେ ଯଦି ସେ କୌଣସି ପ୍ରକାରର ଇଂଲାଣ୍ଡରେ ନିଜର ଅଜେୟ ସେନାସହ ପଦାର୍ପଣ କରିପାରନ୍ତେ, ତାହାହେଲେ ଇଂଲାଣ୍ଡର ପରାଜୟ ସୁନିଶ୍ଚିତ ହୁଅନ୍ତା । ଏହି ଅଶାରେ ସେ ଫରାସୀ ଓ ସ୍ପେନୀୟ ରଣତରୀମାନଙ୍କୁ ଏକତ୍ର କରି ଜଳପଥରେ ଇଂଲାଣ୍ଡ ଆକ୍ରମଣ କରିବାକୁ ଚେଷ୍ଟା କଲେ । କିନ୍ତୁ ସ୍ପେନ ଉପକୂଳବର୍ତ୍ତୀ ଟ୍ରାଫଲଗାର ନାମକ ସ୍ଥାନରେ ଇଂଲାଣ୍ଡର ପ୍ରସିଦ୍ଧ ପୋତାଧ୍ୟକ୍ଷ ନେଲ୍‌ସନ୍‌ ସମ୍ମିଳିତ ରଣତରୀନିବହକୁ ଧ୍ୱଂସ କରି ଇଂଲାଣ୍ଡକୁ ଫରାସୀ ଆକ୍ରମଣରୁ ରକ୍ଷା କରିଥିଲେ । ଏହି ଯୁଦ୍ଧରେ ନେଲ୍‌ସନ୍‌ ମାରାତ୍ମକ ଭାବରେ ଆହତ ହୋଇଥିଲେ ଓ ଏହି ସ୍ମରଣୀୟ ବିଜୟର କିଛିକାଳ ପରେ ପ୍ରାଣତ୍ୟାଗ କଲେ । ନେପୋଲିୟନଙ୍କ ଇଂଲାଣ୍ଡ ଆକ୍ରମଣ ଆଶା ଚୂର୍ଣ୍ଣ ହୋଇଗଲା ।

 

ଏହି ସମୟରେ ପିଟ୍‌ କିଛିକାଳ ପାଇଁ ପ୍ରଧାନ ମନ୍ତ୍ରୀ ଥିଲେ । ସେ ଫ୍ରାନ୍ସ ବିରୁଦ୍ଧରେ ତୃତୀୟ ରାଜ୍ୟବ୍ୟୁହ ରଚନା କଲେ । କିନ୍ତୁ ସ୍ଥଳଯୁଦ୍ଧରେ ନେପୋଲିୟନ ଅଜେୟ ଥିଲେ । ସେ ଖ୍ରୀ: ଅ: ୧୮୦୫ରେ ଅଷ୍ଟେରଲିଜ୍‌ (Austerlitz) ଯୁଦ୍ଧରେ ଅଷ୍ଟ୍ରିୟାଲ କ୍ଷମତାକୁ ଏକାବେଳକେ ଚୂର୍ଣ୍ଣ କରିଥିଲେ । ତାଙ୍କ ଜୀବନରେ ଏହା ଶ୍ରେଷ୍ଠ ବିଜୟ । ଏ ବିଜୟର ଖବର ପାଇ ଦୁଃଖ ଓ ନୈରାଶ୍ୟରେ ପିଟ୍‌ଙ୍କ ପ୍ରାଣବାୟୁ ଉଡ଼ିଗଲା । ମଲାବେଳେ ସେ କହିଥିଲେ, ‘‘My country How I leave my country ’’ । ଏହା ପରେ ନେପୋଲିୟନ ପ୍ରୂସିୟା (ଆଧୁନିକ ଜର୍ମାନୀ)ର ଶକ୍ତିକୁ ଖ୍ରୀ: ଅ: ୧୮୦୬ରେ ଯେନା ଯୁଦ୍ଧରେ ସମୂଳେ ଧ୍ୱଂସକରିଥିଲେ ।

 

ବର୍ଲିନ୍‌ଡିକ୍ରି:- ଯେନା ଯୁଦ୍ଧରେ ପ୍ରୂସିୟାର ଧ୍ୱଂସ ସାଧନ କରି ନେପୋଲିୟନ ସଗର୍ବରେ ଏହାର ରାଜଧାନୀ ବର୍ଲିନ୍‌ରେ ପ୍ରବେଶ କରି ତାଙ୍କର ଚିରଶତ୍ରୁ ଇଂଲାଣ୍ଡକୁ ଦମନ କରିବାପାଇଁ ଗୋଟିଏ ନୂତନ ଉପାୟ ଅବଲମ୍ବନ କରିଥିଲେ । ସେ ଖ୍ରୀ: ଅ: ୧୮୦୬ରେ ବର୍ଲିନ୍‌ଠାରେ ଘୋଷଣା କରିଥିଲେ । ଏହା ବର୍ଲିନ୍‌ ଡିକ୍ରି (Berlin Decrees) ନାମରେ ବିବିତ । ଏହାଦ୍ୱାରା ସେ ଫ୍ରାନ୍ସର ଅଧୀନସ୍ଥ ରାଜ୍ୟମାନଙ୍କୁ ଇଂଲାଣ୍ଡ ସହିତ କୌଣସି ବାଣିଜ୍ୟ ବ୍ୟବସାୟ ନ କରିବାକୁ ଆଦେଶ ଦେଇଥିଲେ । ସେ ଭାବିଥିଲେ ଏହା ସଫଳ ହେଲେ ଇଂରେଜ ଜାତିର ବାଣିଜ୍ୟ ବ୍ୟବସାୟ ଧ୍ୱଂସ ହୋଇଯିବ ଓ ସେମାନଙ୍କର ଶକ୍ତି କମିଯିବ । କିନ୍ତୁ ତାଙ୍କର ଏତେ ଚେଷ୍ଟା ବିଫଳ ହୋଇଥିଲା । ଇଂଲାଣ୍ଡର ନୌଶକ୍ତି ପ୍ରବଳ ଥିବାରୁ ଇଂଲାଣ୍ଡ ବାଣିଜ୍ୟ ବର୍ଜ୍ଜନ କାର୍ଯ୍ୟକାରୀ ହୋଇ ନ ଥିଲା । ପୁନଶ୍ଚ ସେ ସମୟରେ ଇଉରୋପର ଅଧିକାଂଶ ଜାତି ଇଂରେଜମାନଙ୍କଦ୍ୱାରା ଆନୀତ ପଦାର୍ଥମାନଙ୍କ ଉପରେ ନିର୍ଭର କରୁଥିଲେ । ନେପୋଲିୟନଙ୍କ ଏହି ଆଦେଶ ଦ୍ୱାରା ଇଂରେଜମାନେ ଗୁପ୍ତଭାବରେ ଇଉରୋପରେ ନିଜର ଜିନିସମାନ ବିକ୍ରୟ କରିବାକୁ ଲାଗିଲେ । ତେଣୁ ପଦାର୍ଥମାନଙ୍କର ମୂଲ୍ୟ ବଢିଗଲା ଓ ଇଉରୋପର ଲୋକେ ନେପୋଲିୟନଙ୍କ ଉପରେ ବିଶେଷ ବିରକ୍ତ ହେଲେ । ଏହି ଉପାୟ ଦ୍ୱାରା ଇଂଲାଣ୍ଡର କୌଣସି କ୍ଷତି ହୋଇ ନ ଥିଲା ।

 

୧୮୦୭ରେ ଋଷିଆ ଯୁଦ୍ଧରେ ପରାସ୍ତ ହୋଇ ନେପୋଲିୟନଙ୍କ ସଙ୍ଗେ ସନ୍ଧି କରିଥିଲେ-। ତଦନନ୍ତର ସେ ପର୍ତ୍ତୁଗାଲ ଜୟ କରିଥିଲେ ଓ ସ୍ପେନରାଜ୍ୟ ଅଧିକାର କରି ନିଜ ଭାଇ ଜୋସେଫ ବୋନାପାର୍ଟ୍‌ଙ୍କୁ ସ୍ପେନର ସିଂହାସନ ପ୍ରଦାନ କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ସ୍ପେନ ନେପୋଲିୟନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲା । ଇଂରେଜ ସରକାର ସାର୍‌ ଅର୍ଥର ଓୟେଲସ୍ଳିଙ୍କୁ ସ୍ପେନୀୟମାନଙ୍କ ସାହାଯ୍ୟାର୍ଥେ ପଠାଇଥିଲେ । ଇଂରେଜମାନେ ପ୍ରାୟ ୪ ବର୍ଷକାଳ ସ୍ପେନ ଓ ପର୍ତ୍ତୁଗାଲର ନାନା ସ୍ଥାନରେ ଫରାସୀମାନଙ୍କ ସହିତ ଯୁଦ୍ଧ କରିଥିଲେ । ପରିଶେଷରେ ଓୟେଲସ୍ଳି ଖ୍ରୀ: ଅ: ୧୮୧୩ରେ ଭିକୋରିଆ ଯୁଦ୍ଧରେ ଫରାସୀମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପରାସ୍ତ କରି ଜୋସେଫ୍‌ ବୋନାପାର୍ଟ୍‌ଙ୍କୁ ସ୍ପେନରୁ ତଡ଼ି ଦେଇଥିଲେ । ଟାଲାଭେରା ଯୁଦ୍ଧରେ ଜୟଲାଭ କରିବାରୁ ଓୟେଲସ୍ଳି ଡିଉକ୍‌ ଅଫ୍‌ ଓୟେଲଂଟନ୍‌ ଉପାଧି ପାଇଥିଲେ ।

 

ନେପୋଲିୟନଙ୍କ ମସ୍ପୋ ଅଭିଯାନ:- ଋଷିୟା ନେପୋଲିୟନଙ୍କ ବର୍ଲିନ୍ ଆଦେଶ ଅମାନ୍ୟ କରିବାରୁ ନେପୋଲିୟନ ତାକୁ ଦମନ କରିବାପାଇଁ ଖ୍ରୀ: ଅ: ୧୮୧୨ରେ ପ୍ରାୟ ୬ ଲକ୍ଷ୍ୟ ସୈନ୍ୟ ସହ ଋଷିୟାର ପୁରାତନ ରାଜଧାନୀ ମସ୍କୋ ଅଭିମୁଖରେ ଅଗ୍ରସର ହେଲେ । ଋଷିୟାନମାନେ ତାଙ୍କର ଆକ୍ରମଣ ସମ୍ବାଦ ପାଇ ମସ୍କୋ ନଗର ପରିତ୍ୟାଗ କରି ପଳାଇ ଯାଇଥିଲେ ଓ ଏହାର ଭସ୍ମୀଭୂତ କରିଦେଇଥିଲେ । ସେ ସମୟରେ ଶୀତଋତୁ ଆରମ୍ଭ ହେଉଥିଲା-। ସେ ମସ୍କୋରେ ପହଞ୍ଚିଲା ବେଳକୁ ଏହା ଜନଶୂନ୍ୟ ବିକଟ ଶ୍ମଶାନାକାର ଧାରଣ କରିଥିଲା । ତାଙ୍କର ଲକ୍ଷ ଲକ୍ଷ ସୈନ୍ୟ ମସ୍କୋରୁ ଫେରିଲାବେଳେ ଭୀଷଣ ଶୀତ, ତୁହିନପାତ, ଖାଦ୍ୟ ଓ ଆଶ୍ରୟ ଅଭାବରୁ ପ୍ରାଣତ୍ୟାଗ କରିଥିଲେ । ଏହି ଭୀଷଣ ଦୈବୀ ବିପତ୍ତି ଯୋଗୁଁ ନେପୋଲିୟନଙ୍କ ପତନର ପଥ ସୁଗମ ହୋଇଗଲା । ଏଣେ ନେପୋଲିୟନ ମସ୍କୋ ଅଭିଯାନରୁ ଫ୍ରାନ୍ସକୁ ଫେରିଲାବେଳକୁ ଫରାସୀ ସୈନ୍ୟମାନେ ସ୍ପେନ ଓ ପର୍ତ୍ତୁଗାଲରୁ ବିତାଡ଼ିତ ହୋଇ ସାରିଥିଲେ । ଏହି ସମସ୍ତ ବିପଦପାତ୍ ଯୋଗୁଁ ତାଙ୍କର ଶକ୍ତି ଓ ପରାକ୍ରମ କମିଗଲା ଓ ତାଙ୍କ ଭାଗ୍ୟରବି ଅସ୍ତମିତ ହେବାକୁ ଆରମ୍ଭ କଲା ।

 

ଖ୍ରୀ: ଅ: ୧୮୧୩ ରେ ଇଂଲଣ୍ଡ ପୂନର୍ବାର ପ୍ରୁସିୟା, ରୁଷିୟା, ସୁଇଡ଼େନ୍ ଓ ଅଷ୍ଟ୍ରିୟାକୁ ଏକତ୍ର କରି ଫ୍ରାନ୍ସ ବିରୁଦ୍ଧରେ ଚତୁର୍ଥ ରାଜ୍ୟବ୍ୟୁହ ସୃଷ୍ଟି କରିଥିଲା । ଲିପ୍ଜିଗ୍ ନାମକ ସ୍ଥାନରେ ଅଷ୍ଟ୍ରିୟା ଓ ପ୍ରୁସିୟାର ସୈନ୍ୟମାନେ ନେପୋଲିୟନଙ୍କୁ ପରାସ୍ତ କରିଥିଲେ । ଏହି ପରାଜୟ ପରେ ମିତ୍ରଶକ୍ତିମାନେ ପାର୍ଶ୍ୱ ନଗରୀରେ ପ୍ରବେଶ କରିଥିଲେ । ନେପୋଲିୟନ ଫ୍ରାନ୍ସ ଓ ଫ୍ରାନ୍ସର ସିଂହାସନ ପରିତ୍ୟାଗ କରି ଏଲ୍ବା ଦ୍ୱୀପରେ ଆଶ୍ରୟ ନେବାକୁ ବାଧ୍ୟ ହେଲେ । ଖ୍ରୀ: ଅ: ୧୮୧୪ ରେ କେତେକ ଇଉରୋପୀୟ ଶକ୍ତି ଭିଏନାଠାରେ ଗୋଟିଏ ସଭା (Congress of Vienna) କରି ଇଉରୋପୀୟ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କାରିଥିଲେ । ସେମାନେ ଅଷ୍ଟାଦଶ ଲୁଇ (Louis XVIII)ଙ୍କୁ ଫ୍ରାନ୍ସ ସିଂହାସନ ପ୍ରଦାନ କରିଥିଲେ ଓ ଇଉରୋପର ରାଜ୍ୟମାନଙ୍କୁ ନିଜ ନିଜ ମଧ୍ୟରେ ବଣ୍ଟନ କରିଥିଲେ ।

 

ଉଆଟାଲୁ ‘ଯୁଦ୍ଧ-(ଖ୍ରୀ: ଅ:୧୮୧୫) ନେପୋଲିୟନ କିଛିଦିନ ପରେ ଏଲ୍ଡ । ଦ୍ୱୀପରୁ ଫ୍ରାନ୍ସକୁ ଫେରିଆସି ପୂର୍ବ ସୈନ୍ୟମାନଙ୍କ ସାହାର୍ଯ୍ୟରେ ଆପଣାକୁ ଫ୍ରାନ୍ସର ସମ୍ରାଟ୍ ବୋଲି ଘୋଷଣା କଲେ । ସେତେବେଳକୁ ଭିଏନା ସଭାର ନିଷ୍ପତ୍ତି ଶେଷ ହୋଇ ନ ଥିଲା । ସେହିଠାରେ ନେପୋଲିୟନଙ୍କୁ ପ୍ରତ୍ୟାବର୍ତ୍ତନର ସମ୍ବାଦ ପାଇ ପ୍ରୁସିୟା, ରୁଷିଆ, ଅଷ୍ଟ୍ରିୟା ଓ ଇଂଲାଣ୍ଡ ପୁନର୍ବାର ତାଙ୍କ ବିରୁଦ୍ଧରେ ଯୁଦ୍ଧପାଇଁ ପ୍ରସ୍ତୁତ ହେଲେ । ଏପରି ଅବସ୍ଥାରେ ମଧ୍ୟ ସେ ଯଥାକ୍ରମେ ଦୁଇଟି ଯୁଦ୍ଧରେ ଇଂରେଜ ଓ ପ୍ରୁସିୟାନମାନଙ୍କୁ ପରାସ୍ତ କରିଥିଲେ । କିନ୍ତୁ ଉଆଟାର୍ଲ ଯୁଦ୍ଧରେ ସେ ସମ୍ମିଳିତ ଶକ୍ତିମାନଙ୍କଦ୍ୱାରା ଏକାବେଳକେ ପରାସ୍ତ ହୋଇଥିଲେ । ଏହି ଯୁଦ୍ଧରେ ଇଂରେଜ ସେନାପତି ଡିଉକ୍ ଅଫ୍ ଓୟେଲିଂଟନ୍ ଅସାଧାରଣ ବୀରତ୍ୱ ଓ ରଣ କୌଶଳ ପ୍ରଦର୍ଶନ କରିଥିଲେ । ନେପୋଲିୟନ ଇଂରେଜମାନଙ୍କ ଦ୍ୱାରା ବନ୍ଦୀ ହୋଇ ଦକ୍ଷିଣ ଆଫ୍ରିକା ଉପକୂଳର ଅଦୂରବର୍ତ୍ତୀ ସେଣ୍ଟ୍ ହେଲେନା ଦ୍ୱୀପକୁ ନିର୍ବାସିତ ହୋଇଥିଲେ । ସେଠାରେ ସେ ଜୀବନର ଶେଷଭାଗ କଟାଇ ଖ୍ରୀ: ଅ: ୧୮୨୧ ରେ ପ୍ରାଣତ୍ୟାଗ କରିଥିଲେ ।

 

ନେପୋଲିୟନ ନିର୍ବାସିତ ହେବା ପରେ ଭିଏନା କଂଗ୍ରେସ ପୁନର୍ବାର ନିଜର କାର୍ଯ୍ୟ ଆରମ୍ଭ କଲା । ଖ୍ରୀ: ଅ: ୧୮୧୫ରେ ପାର୍ଶ୍ୱ ନଗରୀରେ ଗୋଟଏ ସନ୍ଧି ହୋଇଥିଲା । ଏହି ସନ୍ଧି ଫଳରେ ଇଂଲାଣ୍ଡ ଡ଼ଚ୍ ଅଧିକୃତ ଉତ୍ତମାଶା ଅନ୍ତରୀପ, ସିଂହଳ ଦ୍ୱୀପ ଓ ଗିନି ପ୍ରଦେଶ; ଫରାସୀ ଅଧିକୃତ ମରିସସ୍ ଓ ମାଲଟାଦ୍ୱୀପ, ପଶ୍ଚୀମ ଭାରତୀୟ ଦ୍ୱୀପପୁଞ୍ଜସ୍ଥ କେତୋଟି ଦ୍ୱୀପ ଓ ଡ଼େନ୍ ଅଧିକୃତ ହେଲିଗୋଲାଣ୍ଡ ପ୍ରାପ୍ତ ହେଲା । ଇଂରେଜ ସାମ୍ରାଜ୍ୟର କଳେବର ବୃଦ୍ଧି ଲାଭକଲା । ବହୁକାଳବ୍ୟାପୀ ଯୁଦ୍ଧପରେ ଇଂଲାଣ୍ଡ ତଥା ଇଉରୋପ ଶାନ୍ତିଲାଭ କଲା । ବିପ୍ଳବ ପୂର୍ବରୂ ଥିବା ଫ୍ରାନ୍ସର ସୀମାନୁଯାୟୀ ଫ୍ରାନ୍ସର ସୀମା ନିର୍ଦ୍ଦିଷ୍ଟ ହେଲା ଓ ଇଉରୋପର ରାଜ୍ୟମାନଙ୍କର ପୁନର୍ବଣ୍ଟନ ହେଲା ।

 

ଗ୍ରେଟବିଟେନ୍ ଓ ଆୟର୍ଲାଣ୍ଡର ସମ୍ମିଳନ:- ଆୟର୍ଲାଣ୍ଡର ରାଜନୈତିକ ଓ ସାମାଜିକ ଅବସ୍ଥା-ତୃତୀୟ ଉଇଲିୟମଙ୍କ ଦ୍ୱାରା ଆୟର୍ଲାଣ୍ଡ ବିଜୟ ପରେ ଇଂରେଜ ସରକାର ଅତ୍ୟନ୍ତ କଠୋରତାର ସହିତ ଆୟର୍ଲାଣ୍ଡ ଶାସନ କରୁଥିଲେ । ଆୟର୍ଲାଣ୍ଡର ଅଧିକାଂଶ ଅଧିବାସୀ କ୍ୟାଥଲିକ୍ । କିନ୍ତୁ ସେଠା ପାର୍ଲାମେଣ୍ଟରେ ଇଂରେଜ ପ୍ରୋଟେଷ୍ଟାଣ୍ଟମାନଙ୍କର ପୂର୍ଣ୍ଣ ଆଧିପତ୍ୟ ଥିଲା-। କ୍ୟାଥଲିକମାନେ ପାର୍ଲାମେଣ୍ଟର ସଭ୍ୟ ହେବା ଦୂରେ ଥାଉ କୌଣସି ନିର୍ବାଚନରେ ଭୋଟ ସୁଦ୍ଧା ଦେଇ ପାରୁ ନଥିଲେ । କୌଣସି ବିଦ୍ୟାଳୟରେ ପାଠ ପଢିବା ବା କୌଣସି ବିଦ୍ୟାଳୟ ଚଳାଇବା ଅଧିକାର ସେମାନଙ୍କର ନ ଥିଲା । କ୍ୟାଥଲିକମାନେ ଜମି ଖରିଦ ବା ଦଖଲ କରିପାରୁ ନ ଥିଲେ । ସେମାନଙ୍କୁ ପ୍ରୋଟେଷ୍ଟାଣ୍ଟ୍ ଚର୍ଚ୍ଚମାନଙ୍କର ରକ୍ଷଣାବେକ୍ଷଣ ପାଇଁ କର ଦେବାକୁ ପଡ଼ୁଥିଲା-

 

ଆଇରିଶ୍ ପାର୍ଲାମେଣ୍ଟର କ୍ଷମତା ମଧ୍ୟ ସୀମାବଦ୍ଧ ଥିଲା । ଇଂଲାଣ୍ଡର ପ୍ରିଭିକାଉନସିଲର୍ ବିନାନୁମତିରେ ଆୟର୍ଲାଣ୍ଡ ପାଇଁ କୌଣସି ଆଇନ କରିବା କ୍ଷମତା ଏହାର ନ ଥିଲା । ଆୟର୍ଲାଣ୍ଡର ସମସ୍ତ ରାଜକାର୍ଯ୍ୟମାନଙ୍କରେ ଇଂରେଜମାନେ ନିଯୁକ୍ତ ହେଉଥିଲେ । ଆଇରିଶ୍ ପାର୍ଲାମେଣ୍ଟର ସେମାନଙ୍କ ଉପରେ କୌଣସି କର୍ତ୍ତୃତ୍ୱ ନ ଥିଲା ।

 

ଆୟର୍ଲାଣ୍ଡର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା । ଇଂଲଣ୍ଡର କୃଷି ଶିଳ୍ପର ଉନ୍ନତି ପାଇଁ ଆୟର୍ଲାଣ୍ଡର କୃଷି ଓ ଶିଳ୍ପକୁ ଧ୍ୱଂସ କରାଯାଇଥିଲା । ଇଂଲାଣ୍ଡ ବ୍ୟତୀତ ଅନ୍ୟ କୌଣସି ଦେଶକୁ ପଶମ (Wool) ପଠାଇବା ଏବଂ ପଶମ ତିଆରି ଜିନିସମାନ ରପ୍ତାନି କରିବା ନିଷିଦ୍ଧ ହୋଇଥିଲା । ଇଂରେଜମାନେ ଆୟର୍ଲାଣ୍ଡର ଅଧିକାଂଶ ଜମିର ମାଲିକ ଥିଲେ । ଆଇରିଶମାନଙ୍କର ଜମିରେ କୌଣସି ସ୍ୱତ୍ତ୍ୱ ନ ଥିଲା । ଜମିର ମାଲିକମାନେ ସର୍ବଦା ଇଂଲାଣ୍ଡରେ ରହିବାରୁ ମାରଫତଦାରମାନେ ସେମାନଙ୍କ ପାଇଁ ଖଜଣା ଅସୁଲ କରୁଥିଲେ । ସେମାନେ ଜୋର ଜୁଲମ କରି ଆଇରିଶମାନଙ୍କଠାରୁ ନାନା ଉପାୟରେ ଟଙ୍କା ଆଦାୟ କରୁଥିଲେ । ସେମାନେ କର ଦାଉରେ ପେସି ହୋଇ ଉପାସ ଭୋକରେ ଦିନ କାଟୁଥିଲେ । ଶେଷକୁ କେତେ ଲୋକ ପେଟ ପୋଷିବା ପାଇଁ ଘର ଦ୍ୱାର ଛାଡ଼ି ବିଦେଶକୁ ପଳାଇ ଗଲେ ।

 

ଆମେରିକାର ଉପନିବେଶମାନ ସ୍ୱାଧୀନତା ପାଇଁ ଯୁଦ୍ଧ ଚଳାଇଥିବା ସମୟରେ ଇଂରେଜ ସରକାର ଆୟର୍ଲାଣ୍ଡରେ ବିଦ୍ରୋହର ଆଶଙ୍କା କରି ଆଇରିଶମାନଙ୍କୁ କେତେକ ସୁବିଧା ଦେଇଥିଲେ-। କ୍ୟାଥଲିକମାନଙ୍କୁ ଜମି ଖରିଦ ଓ ଦଖଲ କରିବାର ଅଧିକାର ଦିଆଗଲା । ଆୟର୍ଲାଣ୍ଡର ଶିଳ୍ପ ବ୍ୟବସାୟ ଉପରୁ କଟକଣା ଉଠାଇ ନିଆଗଲା । ଆଇରଶପାର୍ଲାମେଣ୍ଟକୁ ସ୍ୱାଧୀନ ଭାବରେ ଆଇନ ଗଢିବାର କ୍ଷମତା ଦିଆଗଲା । ଫରାସୀ ରାଷ୍ଟ୍ରବିପ୍ଳବ ସମୟରେ କ୍ୟାଥଲିକମାନଙ୍କ ମଧ୍ୟରେ ନୂତନ ଜାଗରଣ ଦେଖାଗଲା । ସେମାନେ ଭୋଟ ଓ ପାର୍ଲାମେଣ୍ଟରେ ସଭ୍ୟ ହେବା ଅଧିକାର ପାଇବା ପାଇଁ ପ୍ରବଳ ଆନ୍ଦୋଳନ ଚଳାଇଲେ । ତେଣୁ ସେମାନଙ୍କୁ ଭୋଟ ଅଧିକାର ଦିଆଗଲା, କିନ୍ତୁ ସଭ୍ୟ ହେବାର ଅଧିକାର ଦିଆଗଲା ନାହିଁ ।

 

ଫରାସୀମାନେ ଆଇରିଶମାନଙ୍କୁ ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ପାଇଁ ସର୍ବଦା ଉତ୍ସାହିତ କରୁଥିଲେ । ଖ୍ରା: ଅ:୧୭୯୮ରେ ଆୟର୍ଲାଣ୍ଡରେ ଗୋଟିଏ ବିଦ୍ରୋହ ହୋଇଥିଲା-। ସେ ସମୟରେ ଇଂଲାଣ୍ଡ ଉପରେ ଘୋର ବିପତ୍ତି ପଡ଼ିଥିବାରୁ ପିଟ୍ ଏଥିରେ ବ୍ୟତିବ୍ୟସ୍ତ ହୋଇ ଗ୍ରେଟବିଟେନ୍ ଓ ଆୟର୍ଲାଣ୍ଡର ପାର୍ଲାମେଣ୍ଟକୁ ସମ୍ମିଳିତ କରିବାପାଇଁ ଚେଷ୍ଟା କଲେ । ଆଇରିଶମାନେ ଏହି ମିଳନର ଘୋର ବିରୋଧୀ ଥିଲେ । କିନ୍ତୁ ପିଟ୍ ପ୍ରୋଟେଷ୍ଟାଣ୍ଟମାନଙ୍କୁ ଅର୍ଥ ଓ ପଦବୀ ଦାନଦ୍ୱାରା ବଶୀଭୂତ କରି ଓ କ୍ୟାଥଲିକମାନଙ୍କୁ ସଭ୍ୟ ଓ ମନ୍ତ୍ରୀପଦ ପ୍ରାପ୍ତିର ଆଶା ଦେଖାଇ ଏଥିରେ ସ୍ୱୀକୃତ କରାଇଥିଲେ ।

 

ଏହି ଉଦ୍ଦେଶ୍ୟରେ ଖ୍ରୀ: ଅ: ୧୮୦୦ରେ ପାର୍ଲାମେଣ୍ଟରେ ସମ୍ମିଳନ ଆଇନ ‘‘Act of Union’’ ଗୃହୀତ ହୋଇଥିଲା । ଏହା ଫଳରେ ଆୟର୍ଲାଣ୍ଡର ସ୍ୱତନ୍ତ୍ର ପାର୍ଲାମେଣ୍ଟ ରହିଲା ନାହିଁ । ଆଇରିଶମାନେ ଲର୍ଡ଼ ସଭାକୁ ୨୮ ଜଣ ଲର୍ଡ଼, ୪ ଜଣ ବିଷପ ଓ କମନ୍ସ ସଭାକୁ ୧୦୦ ଜଣ ସାଧାରଣ ସଭ୍ୟ ପଠାଇବାର ଅଧିକାର ପାଇଲେ । ଆୟର୍ଲାଣ୍ଡ ନିଜ ନିୟମାନୁଯାୟୀ ଶାସିତ ହେବାକୁ ଲାଗିଲା ଏବଂ ଇଂଲାଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଅବାଧ ବାଣିଜ୍ୟ ପ୍ରଚଳିତ ହେଲା । କିନ୍ତୁ କ୍ୟାଥଲିକମାନେ ପିଟ୍ ପ୍ରତିଶ୍ରୁତି ମତେ କୌଣସି ରାଜନୈତିକ ଅଧିକାର ନ ପାଇବାରୁ ଏହି ମିଳନ ଦ୍ୱାରା ସେମାନଙ୍କର କୌଣସି ମଙ୍ଗଳ ହେଲା ନାହିଁ ଓ ପରବର୍ତ୍ତୀ କାଳରେ ଏହି ମିଳନ ରଦ୍ଦ କରିବାପାଇଁ ପ୍ରବଳ ଆନ୍ଦୋଳନ ଚାଲିଲା ।

 

ଶିଳ୍ପ ବିପ୍ଳବ ( Industrial Revolution )- ଶିଳ୍ପବିପ୍ଳବ ତୃତୀୟ ଜର୍ଜ୍ଜଙ୍କ ରାଜତ୍ୱର ଅନ୍ୟ ଏକ ପ୍ରସିଦ୍ଧ ଘଟଣା । ଇଂରେଜ ନାବିକ, ଯୋଦ୍ଧା ଓ ସୈନ୍ୟମାନେ ଯୁଦ୍ଧରେ ଜୟ ଲାଭକରି ନିଜର ସାମ୍ରାଜ୍ୟ ବୃଦ୍ଧି କରୁଥିବା ସମୟରେ ଇଂରେଜ ବୈଜ୍ଞାନିକମାନେ ନୂତନ ନୂତନ ଯନ୍ତ୍ର ଆବିଷ୍କାର କରି ଶିଳ୍ପର ବିଶେଷ ଉନ୍ନତି କରୁଥିଲେ । ଏହିମାନଙ୍କ ଯୋଗୁଁ ଇଂଲାଣ୍ଡ ସମଗ୍ର ପୃଥିବୀର ଶିଳ୍ପ ବାଣିଜ୍ୟରେ ଶ୍ରେଷ୍ଠସ୍ଥାନ ଅଧିକାର କଲା ଏବଂ ବହୁକାଳ ପର୍ଯ୍ୟନ୍ତ ଇଂରେଜ ବଣିକମାନେ ସମଗ୍ର ପୃଥିବୀକୁ ବସ୍ତ୍ର, ଯନ୍ତ୍ରପାତି ଓ ଅନ୍ୟାନ୍ୟ କଳ ପ୍ରସ୍ତୁତ ସାମଗ୍ରୀ ଯୋଗାଇବାକୁ ସମର୍ଥ ହୋଇଥିଲେ । ବସ୍ତ୍ର ବୟନ, ଲୌହ ଓ ଅନ୍ୟାନ୍ୟ ସାମଗ୍ରୀ ନିର୍ମାଣ ପ୍ରଣାଳୀରେ ଯେ ଘୋର ପରିବର୍ତ୍ତନ ଘଟିଥିଲା ତାକୁ ଶିଳ୍ପବିପ୍ଳବ କହନ୍ତି ।

 

ପୂର୍ବକାଳରେ ଆମ ଭାରତୀୟମାନଙ୍କ ପରି ଇଂରେଜମାନେ ଯନ୍ତ୍ର, କଳ ଇତ୍ୟାଦିର ବ୍ୟବହାର ଜାଣି ନ ଥିଲେ । ଲୋକମାନେ ଘରେ ବସି କୁଟୀର ଶିଳ୍ପଦ୍ୱାରା ସାଧାରଣ ପ୍ରୟୋଜନୀୟ ପଦାର୍ଥମାନ ଉତ୍ପାଦନ କରୁଥିଲେ । କିନ୍ତୁ କ୍ରମଶଃ ଇଂଲାଣ୍ଡର ସର୍ବତ୍ର ବହୁ ବ୍ୟୟସାପେକ୍ଷ କଳକାରଖାନା ଓ ଯନ୍ତ୍ରମାନ ପ୍ରତିଷ୍ଠିତ ହେବାରୁ ଅଳ୍ପ ସମୟ ଓ ଅଳ୍ପ ପରିଶ୍ରମରେ ବହୁଗୁଣ ଜିନିଷ ଉତ୍ପାଦିତ ହେଲା ।

 

ଶିଳ୍ପବିପ୍ଳବର ବିକାଶପାଇଁ ବିଶାଳ ସାମ୍ରାଜ୍ୟ, ପ୍ରଭୂତ ଅର୍ଥ, ବୈଜ୍ଞାନିକ ଶିକ୍ଷା ଓ ନୌଶକ୍ତି ଆବଶ୍ୟକ । କଳକାରଖାନାମାନଙ୍କରେ ହଜାର ହଜାର ଜିନିସ ଅକ୍ଳେଶରେ ପ୍ରସ୍ତୁତ ହୁଏ । ତେଣୁ ଦେଶ ଚାହିବା ( Demand ) ମୁତାବକ ଜିନିଷ ଯୋଗାଇ ବଳକା ଜିନିସମାନଙ୍କୁ ବିଦେଶରେ ବିକିବା ଆବଶ୍ୟକ ହୋଇପଡ଼େ । ବିଦେଶରେ ନିଜ ଜିନିସ ପାଇଁ ଅବାଧ କଟତି ପାଇବାକୁ ହେଲେ ଅଧୀନସ୍ଥ ରାଜ୍ୟ ଆବଶ୍ୟକ । ତୃତୀୟ ଜର୍ଜ୍ଜଙ୍କ ରାଜତ୍ୱରେ ଇଂଲାଣ୍ଡର ଏ ସମସ୍ତ ଅନୁକୂଳ ଅବସ୍ଥା ଥିଲା । ଇଂଲାଣ୍ଡର ସାମ୍ରାଜ୍ୟ କ୍ରମଶଃ ବୃଦ୍ଧିଲାଭ କରୁଥିଲା । ଇଂଲାଣ୍ଡର ବଣିକମାନେ ନୌବାଣିଜ୍ୟ କରି ପ୍ରଚୁର ଅର୍ଥ ପାଉଥିଲେ । ତେଣୁ ସେମାନେ ଆନନ୍ଦରେ କଳକାରଖାନାମାନଙ୍କରେ ପୁଞ୍ଜି (Capital) ଖଟାଇଲେ । ବୈଜ୍ଞାନିକ ଶିକ୍ଷା ମଧ୍ୟ ବିଶେଷ ପ୍ରସାର ଲାଭ କରିଥିଲା ଓ ଇଂଲାଣ୍ଡ ସେ ସମୟରେ ପୃଥିବୀର ଶ୍ରେଷ୍ଠ ନୌଶକ୍ତି ଥିଲା । ତେଣୁ ଶିଳ୍ପ ବିପ୍ଳବ ପାଇଁ ଇଂଲାଣ୍ଡରେ ଅନୁକୂଳ କ୍ଷେତ୍ର ମିଳିବାରୁ ଇଂଲାଣ୍ଡରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ଏଥିଯୋଗୁଁ ଇଂରେଜମାନେ ସମଗ୍ର ପୃଥିବୀର ଶିଳ୍ପ ବାଣିଜ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କଲେ ।

 

ବସ୍ତ୍ର-ଶିଳ୍ପର ଉନ୍ନତି- ଆମ ଦେଶ ପରି ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଇଂଲାଣ୍ଡରେ ଅରଟରେ ସୂତାକଟା ଓ ତନ୍ତରେ ଲୁଗାବୁଣା ହେଉଥିଲା । କିନ୍ତୁ ଅଷ୍ଟାଦଶ ଶତାବ୍ଦୀରେ ସୂତାକାଟିବା ପାଇଁ ନୂତନ ଯନ୍ତ୍ରମାନ ଆବିଷ୍କୃତ ହୋଇଥିଲା । ସେହି ଯନ୍ତ୍ରମାନଙ୍କ ମଧ୍ୟରେ ‘Spinning Jenny’ ‘Water-frame’. ‘Mule’ ପ୍ରଭୃତି ପ୍ରଧାନ । ଏମାନଙ୍କ ସାହାର୍ଯ୍ୟରେ ଅଳ୍ପ ପରିଶ୍ରମ ଓ ବ୍ୟୟରେ ମିନିଟକ ମଧ୍ୟରେ ନାନା ରଙ୍ଗର ଶହ ଶହ ଗଜ ସୂତା ଅକ୍ଳେଶରେ କଟାଯାଇ ପାରୁଥିଲା । କାର୍ଟରାଇଟ୍( Cartwright ) ନାମକ ଜଣେ ଲୋକ ଖ୍ରୀ: ଅ: ୧୭୮୫ ରେ କଳତନ୍ତ ( Power-loom ) ଆବିଷ୍କାର କରିଥିଲେ । ଜେମସ୍ ଓଆଟ ( James Walt ) ନାମକ ଜଣେ ଲୋକ ଷ୍ଟିମ୍ ଇଞ୍ଚିନ ( Steam Engine ) ଆବିଷ୍କାର କରିଥିଲେ । ତେଣୁ ଲୁଗା କଳକାରଖାନାମାନଙ୍କରେ ଷ୍ଟିମ୍ଇଞ୍ଚିନର ବ୍ୟବହାର ହେବାରୁ ଅଳ୍ପ ଲୋକଙ୍କ ଦ୍ୱାରା ଅକ୍ଳେଶରେ ବହୁତ ଲୋକଙ୍କ କାମ ଶୀଘ୍ର ଓ ଅଳ୍ପ ବ୍ୟୟରେ ହୋଇପାରିଲା । ଏହି ସମସ୍ତ ଯନ୍ତ୍ରର ଆବିଷ୍କାର ଯୋଗୁଁ ବସ୍ତ୍ରଶିଳ୍ପର ଅଦ୍ଭୁତପୂର୍ବ ଉନ୍ନତି ହୋଇଥିଲା ଓ ଇଂଲାଣ୍ଡ ସମଗ୍ର ପୃଥିବୀକୁ ବସ୍ତ୍ର ଯୋଗାଇବା ପାଇଁ କ୍ରମଶଃ ସମର୍ଥ ହେଲା ।

 

ଲୁହା ଓ ଇସ୍ପାତ ତରଳାଇବା ପାଇଁ କାଠକୋଇଲା ପରିବର୍ତ୍ତରେ ପଥରକୋଇଲା ବ୍ୟବହୃତ ହେଲା । ତେଣୁ ଲୁହାରେ ନାନାପ୍ରକାର ଯନ୍ତ୍ରପାତି, ରେଲ, କଡ଼ି, ବରଗା, ପାତ୍ର ପ୍ରଭୃତି ଅକ୍ଳେଶରେ ନିର୍ମିତ ହେଲା । ଲୌହ-ଶିଳ୍ପର ଉନ୍ନତି ନିମିତ୍ତ ଇଂଲାଣ୍ଡର କୋଇଲା ଖଣିମାନ ଖନିତ ହେବାକୁ ଲାଗିଲା । ଇଂଲାଣ୍ଡର କୋଇଲାଖଣି ଅଞ୍ଚଳମାନଙ୍କରେ ଥିବା ନଗରସବୁ କ୍ରମଶଃ କଳକାରଖାନା ପୂର୍ଣ୍ଣ, ଜନାକୀର୍ଣ୍ଣ ଓ ସମୃଦ୍ଧିଶାଳୀ ହୋଇପଡ଼ିଲା ଏବଂ କୋଇଲା ବ୍ୟବସାୟର ବିଶେଷ ଉନ୍ନତି ହେଲା । ଏହି ସମସ୍ତ ନଗରମାନଙ୍କୁ ଗମନାଗମନାର ସୁବିଧା ନିମିତ୍ତ ପକ୍କା ସଡ଼କ ଓ କେନାଲମାନ କରାଗଲା । ଚତୁର୍ଥ ଜର୍ଜ୍ଜଙ୍କ ରାଜତ୍ୱରେ ପ୍ରଥମେ ରେଲରାସ୍ତା ହୋଇ ରେଲଗାଡ଼ି ଚାଲିଲା । ଅତି ଅଳ୍ପଦିନ ମଧ୍ୟରେ ଇଂଲାଣ୍ଡର ଚାରିଆଡ଼କୁ ରେଲରାସ୍ତା ହୋଇଗଲା । ଖ୍ରୀ: ୧୮୧୨ ରେ ପ୍ରଥମ ବାଷ୍ପୀୟ ନୌକା ( Steam-boat ) ବ୍ୟବହୃତ ହୋଇଥିଲା । ସେହି ସମୟରୁ କ୍ରମଶଃ ବାଷ୍ପୀୟ ନୌକା ଓ ପୋତଗୁଡ଼ିକର ସଂଖ୍ୟା ବଢିବାକୁ ଲାଗିଲା । ଏହି ଯୁଗରେ ଗ୍ୟାସ୍ ଲାଇଟ୍ ମଧ୍ୟ ଆବିଷ୍କୃତ ହୋଇଥିଲା । ମୃତପାତ୍ର ଶିଳ୍ପର ମଧ୍ୟ ବିଶେଷ ଉନ୍ନତି ସାଧିତ ହୋଇଥିଲା ।

 

କୃଷିର ଉନ୍ନତି- ଶିଳ୍ପ ବିପ୍ଳବ ସଙ୍ଗେ ସଙ୍ଗେ ଇଂଲାଣ୍ଡର କୃଷିପ୍ରଣାଳୀରେ ମଧ୍ୟ ଘୋର ପରିବର୍ତ୍ତନ ଘଟିଥିଲା । ଟାଉନସେଣ୍ଡଙ୍କ ଦ୍ୱାରା ଦେଶରେ ନୂତନ କୃଷିପ୍ରଣାଳୀ ପ୍ରବର୍ତ୍ତିତ ହୋଇଥିଲା-। ଜମିରେ ଭଲ ଖତ ଦେଇ ଓ ଫସଲ ବଦଳାଇ ବର୍ଷକ ଭିତରେ ଜମିରୁ କିପରି ତିନିଟା ଫସଲ ଆଦାୟ କରାଯାଇପାରେ ତାହା ସେ ଶିଖାଇଥିଲେ । ପୁରୁଣାକାଳିଆ ଚାଷ ଛାଡ଼ି ଲୋକମାନେ ବୈଜ୍ଞାନିକ ପ୍ରଣାଳୀରେ ଚାଷ ଆରମ୍ଭ କଲେ । ନାନାପ୍ରକାର ଖତ ମଧ୍ୟ ବ୍ୟବହୃତ ହେଲା । ତେଣୁ ଜମିର ଉତ୍ପାଦିକା ଶକ୍ତି ମଧ୍ୟ ଖୁବ୍ ବଢିଗଲା । ପଡ଼ିଆ ଓ ଖାଲ ଜମିସବୁ ଚାଷର ଉପଯୋଗୀ କରାଗଲା । ଛୋଟ ଛୋଟ କୃଷିକ୍ଷେତ୍ର ପରିବର୍ତ୍ତରେ ପ୍ରାଚୀର ବେଷ୍ଟିତ ବଡ଼ ବଡ଼ କୃଷିକ୍ଷେତ୍ରମାନ ସର୍ବତ୍ର ପ୍ରତିଷ୍ଠିତ ହେଲା । ଏହାଦ୍ୱାରା ଗୋଟିଏ ପୁଞ୍ଜିପତି କୃଷକଶ୍ରେଣୀ ( Capitalist farmer ) ସୃଷ୍ଟି ହେଲା । ଅସଂଖ୍ୟ ଗ୍ରାମ ପ୍ରାଚୀରାନୃତ ହେବାରୁ ଧନୀମାନେ ଲାଭ ଆଶାରେ ଜମିସବୁ ଖରିଦ କରି ନେଇଗଲେ ଓ ଛୋଟ ଛୋଟ ଚାଷୀମାନେ ଚାଷ ଛାଡ଼ିଦେଇ କଳକାରଖାନାରେ କୁଲି କାମ ବା ଜମିରେ ମୂଲିଆକାମ କରି ପେଟ ପୋଷିବାକୁ ଲାଗିଲେ ।

 

ଏହି ସମୟରେ ମେଷ, ଗୋ, ଅଶ୍ୱ ପ୍ରଭୃତି ଗୃହପାଳିତ ପଶୁମାନଙ୍କର ମଧ୍ୟ ଉନ୍ନତି ସାଧିତ ହୋଇଥିଲା ।

 

ଶିଳ୍ପ ବିଳ୍ପବର ପରିଣାମ:- ଶିଳ୍ପବିପ୍ଳବ ଯୋଗୁଁ ଇଂଲାଣ୍ଡ ଓ ଅନ୍ୟାନ୍ୟ ଅନେକ ଦେଶର କୁଟୀରଶୀଳ୍ପ ଭୀଷଣ ପ୍ରତିଯୋଗିତାରେ ନ ପାରି ଧ୍ୱସଂ ହୋଇଗଲା । ଯେଉଁ ଗରିବମାନେ ଘରେ ବସି ହସ୍ତକର୍ମଦ୍ୱାରା ପେଟ ପୋଷୁଥିଲେ, ସେମାନଙ୍କର ଶିଳ୍ପସବୁ ଧ୍ୱଂସ ହେବାରୁ ସେମାନେ ବାଧ୍ୟହୋଇ ସହରକୁ ପଳାଇଗଲେ ଓ ସେଠାରେ କୁଲି ମଜୁରିଆ ରୂପେ ପେଟ ପୋଷିଲେ । ଗ୍ରାମଗୁଡ଼ିକ ଶ୍ରୀହୀନ ଓ ଶ୍ମଶାନ ପ୍ରାୟ ହୋଇଗଲା । ଦେଶର ନାନାସ୍ଥାନରେ ବଡ଼ ବଡ଼ ବାଣିଜ୍ୟକେନ୍ଦ୍ରମାନ ପ୍ରତିଷ୍ଠିତ ହେଲା । ଏହା ଫଳରେ ସମାଜରେ କାରଖାନା ମଜୁରିଆରୂପକ ଗୋଟିଏ ବଡ଼ ଗୋଷ୍ଠୀ ସୃଷ୍ଟି ହେଲା । ଧନୀ ଲୋକମାନେ କଳକାରଖାନାରେ ଧନ ଖଟାଇ ବିଶେଷ ଲାଭବାନ୍ ହେଲେ ଓ ସେମାନଙ୍କର ଧନ କ୍ଷିପ୍ରଗତିରେ ବଢିବାକୁ ଲାଗିଲା । ଏହି ପ୍ରକାରେ ସମାଜରେ ଦଳେ ପୁଞ୍ଜିପତି ( Capitalist ) ରହିଲେ । କଳକାରଖାନାମାନଙ୍କରେ ଲକ୍ଷ ଲକ୍ଷ ଜିନିସ ପ୍ରସ୍ତୁତ ହେବାରୁ ଦେଶର ବଳକା ଜିନିଷମାନ ବିଭିନ୍ନ ଦେଶରେ ବ୍ୟବସାୟର ପ୍ରସାର କରି ଯେ କୌଣସି ମତେ ବିକ୍ରୟ କରିବା ଏକାନ୍ତ ଆବଶ୍ୟକ ହୋଇପଡ଼ିଲା । ଏଥିପାଇଁ ନାନାଦେଶ ଅଧିକାର ଓ ଅଧିକୃତ ଦେଶମାନଙ୍କର ଶିଳ୍ପ ବ୍ୟବସାୟ ଧ୍ୱଂସ କରିବା ମଧ୍ୟ ଦରକାର ପଡ଼ିଲା । ବ୍ୟବସାୟର ପ୍ରସାର ପାଇଁ ସାମ୍ରାଜ୍ୟ ବିସ୍ତାର ବିଭିନ୍ନ ନ୍ୟସ୍ତସ୍ୱାର୍ଥ ଜାତି ମଧ୍ୟରେ ଯୁଦ୍ଧର ପ୍ରଧାନ କାରଣ ହେଲା ।

 

ପ୍ରଥମେ ପ୍ରଥମେ କଳକାରଖାନାଗୁଡ଼ିକ ବଡ଼ ଅସ୍ୱାସ୍ଥ୍ୟକର ଥିଲା । ଶ୍ରମିକମାନେ ଅନ୍ଧକାରମୟ, ଦୁର୍ଗନ୍ଧପୂର୍ଣ୍ଣ, କ୍ଷୁଦ୍ର ଗୃହମାନଙ୍କରେ ବାସ କରିବାକୁ ବାଧ୍ୟ ହେଲେ । ସେମାନଙ୍କର ମଜୁରୀ ଉଣା ଥିବାରୁ ସେମାନଙ୍କର ସ୍ତ୍ରୀ ଓ ଛୋଟ ପିଲାମାନେ ଘରକୁ ଦୁଇ ପଇସା ଅଧିକ ଆଣିବା ପାଇଁ କଳକାରଖାନାମାନଙ୍କରେ କାମ କଲେ । ଲୁଗାକଳମାନଙ୍କରେ ୫/୬ ବର୍ଷ ବୟସରେ ପିଲାମାନେ କାମ କରିବାର ଦେଖାଗଲା । ପୁରୁଷ ସ୍ତ୍ରୀ ଓ ବାଳକ ବାଳିକା ସମସ୍ତେ ପ୍ରାୟ ଦିନକୁ ୧୨/୧୪ ଘଣ୍ଟା କାମ କରୁଥିଲେ ।

 

ଏହି ଶ୍ରମିକମାନେ କ୍ରମଶଃ ସଂଘବାଦ୍ଧ ହୋଇ ସେମାନଙ୍କର ଦୁଃଖ ଦୁର୍ଦ୍ଦଶା ଦୂର କରିବା ପାଇଁ ପ୍ରବଳ ଆନ୍ଦୋଳନ ଚଳାଇଲେ ଏବଂ ପାର୍ଲାମେଣ୍ଟକୁ ସେମାନଙ୍କର ପ୍ରତିନିଧି ପଠାଇବା ପାଇଁ ଦାବୀ କଲେ । ଏହା ଫଳରେ ପରବର୍ତ୍ତୀ କାଳରେ ସେମାନଙ୍କ ଅବସ୍ଥାର ଉନ୍ନତି ନିମିତ୍ତ କାରଖାନା ଆଇନମାନ ( Factory Acts ) ଗଢା ହୋଇଥିଲା ଓ ସେମାନଙ୍କୁ ଭୋଟ ଅଧିକାର ଦିଆଯାଇଥିଲା । ଏହିପରି ଶିଳ୍ପ ବିପ୍ଳବ ଦ୍ୱାରା ଇଂଲାଣ୍ଡର ସମାଜ, ରାଜନୀତି, ଅର୍ଥନୀତି କ୍ଷେତ୍ରରେ ଘୋର ପରିବର୍ତ୍ତନ ଘଟିଥିଲା । ଏଥିଯୋଗୁଁ ଇଂଲାଣ୍ଡ ସମଗ୍ର ପୃଥିବୀରେ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଅଗ୍ରଣୀ ହେଲା ଓ ପୃଥିବୀର ସର୍ବାଞ୍ଚଳରୁ ଧନର ସ୍ରୋତ ଇଂଲାଣ୍ଡକୁ ପ୍ରବାହିତ ହୋଇ ତାକୁ ଶ୍ରେଷ୍ଠ ଧନଶାଳୀ ରାଜ୍ୟରେ ପରିଣତ କଲା ।

 

ତୃତୀୟ ଜର୍ଜ୍ଜଙ୍କ ରାଜତ୍ୱରେ ଅନ୍ୟାନ୍ୟ ପରିବର୍ତ୍ତନ- ସେ ସମୟରେ ଧର୍ମାୟାଜକ ଓ ଲୋକମାନଙ୍କ ନୈତିକ ଜୀବନରେ ଘୋର ଅଧଃପତନ ହୋଇଥିଲା । ଲୋକମାନଙ୍କର ନୈତିକ ଉନ୍ନତି ପାଇଁ ଅକ୍ସଫୋର୍ଡ଼ର ଜନ ଓୟେସଲେ ( John Weslay )ଏବଂ ଚାର୍ଲସ୍ ଓୟେସ୍ଲେ ( Charles Weslay ) ନାମକ ଦୁଇଜଣ ବ୍ୟକ୍ତି ଗୋଟିଏ ଆନ୍ଦୋଳନ ଚଳାଇଥିଲେ । ସେମାନେ ଲୋକମାନଙ୍କୁ ସରଳ, ସଂଯତ, ପବିତ୍ର ଓ ନିରାଡ଼ମ୍ବର ଜୀବନ କଟାଇ ଲୋକସେବା, ଧର୍ମଳୋରେ ସମୟ ବ୍ୟୟ କରିବାକୁ ଉପଦେଶ ଦେଇଥିଲେ । ସେମାନେ ଓ ସେମାନଙ୍କର ମତାବଲମ୍ବୀମାନେ ମେଥଡ଼ିଷ୍ଟ (Methodist) ନାମରେ ପରିଚିତ ଥିଲେ । ପ୍ରବଳ ଆନ୍ଦୋଳନ ଫଳରେ ଦାସବ୍ୟବସାୟ ( Slave trade) ଖ୍ରୀ: ଅ: ୧୮୦୭ ରେ ବନ୍ଦ ହୋଇଥିଲା ଏବଂ ଜେଲମାନଙ୍କର ମଧ୍ୟ ସଂସ୍କାର ହୋଇଥିଲା । ତାଙ୍କ ରାଜତ୍ୱରେ ସାହିତ୍ୟର ମଧ୍ୟ ଶ୍ରୀବୃଦ୍ଧି ସାଧିତ ହୋଇଥିଲା । ଏହି ସମୟରେ ଦେଶରେ ଅନେକ ସଂବାଦପତ୍ର ମଧ୍ୟ ପ୍ରକାଶିତ ହୋଇଥିଲା ।

 

ଅଭିନବ ଇଂଲଣ୍ଡ ଇତିହାସ ଦ୍ୱିତୀୟ ଖଣ୍ଡ

ଏକାଦଶ ଅଧ୍ୟାୟ

ଚତୁର୍ଥ ଜର୍ଜ୍ଜ ( ଖ୍ରୀ: ଅ: ୧୮୨୦-୧୮୩୦)

ଚତୁର୍ଥ ଉଇଲିୟମ ( ଖ୍ରୀ: ଅ: ୧୮୩୦-୧୮୩୭)

 

ପ୍ରଧାନ ପ୍ରଧାନ ଘଟଣାର ସମୟ-

ଖ୍ରୀ:ଅ: ୧୮୨୯-

ଆୟର୍ଲାଣ୍ଡ କ୍ୟାଥଲିକ୍‌ମାନଙ୍କର ରାଜନୈତିକ ଅଧିକାର ଲାଭ ।

ଖ୍ରୀ:ଅ: ୧୮୩୨-

ପ୍ରଥମ ସଂସ୍କାର ଆଇନ୍‌ପ୍ରଣୟନ ।

 

ଚତୁର୍ଥ ଜର୍ଜ୍ଜ- ତୃତୀୟ ଜର୍ଜ୍ଜଙ୍କ ମୃତ୍ୟୁପରେ ତାଙ୍କର ଜ୍ୟେଷ୍ଠପୁତ୍ର ଚତୁର୍ଥ ଜର୍ଜ୍ଜ ଇଂଲାଣ୍ଡର ରାଜା ହେଲେ । ସେ ମନ୍ଦ ଓ ଦୁର୍ବଳ ସ୍ୱଭାବର ଲୋକ ଥିଲେ । ପିତାଙ୍କ ପରି ସେ ପ୍ରଭୁତ୍ୱ ପାଇଁ ବ୍ୟାକୁଳ ନ ଥିଲେ । ତେଣୁ ତାଙ୍କ ରାଜତ୍ୱକାଳରେ ପାର୍ଲାମେଣ୍ଟ ପୁନର୍ବାର ଶକ୍ତିଶାଳୀ ହୋଇ ଉଠିଲା-। ତାଙ୍କ ରାଜତ୍ୱରେ ପୀଲ୍, ହସକିନସନ, କ୍ୟାନିଂ ପ୍ରଭୃତି ବିଭିନ୍ନ ଦିଗରେ ନାନାପ୍ରକାର ସଂସ୍କାର ପ୍ରବର୍ତ୍ତନ କରିଥିଲେ । ତେଣୁ ତାଙ୍କ ରାଜତ୍ୱରୁ ସଂସ୍କାର ଯୁଗ ଆରମ୍ଭ ହୋଇଥିଲା ।

 

ଜର୍ଜ୍ଜ କ୍ୟାନିଂ- ଚତୁର୍ଥ ଜର୍ଜ୍ଜଙ୍କ ରାଜତ୍ୱ କାଳରେ ଟୋରିମାନଙ୍କର ପ୍ରାଧାନ୍ୟ ଅକ୍ଷୁର୍ଣ୍ଣ ଥିଲା । ଏହି ଦଳର ପ୍ରଧାନ ନେତା ଜର୍ଜ୍ଜ କ୍ୟାନିଂ ଥିଲେ । ଅଳ୍ପଦିନ ମଧ୍ୟରେ ସେ ବିଶେଷ ପ୍ରାଧାନ୍ୟ ଲାଭ କରିଥିଲେ ଓ ଦେଶର ବହୁ କଲ୍ୟାଣ ସାଧନ କରିଥିଲେ । ବୈଦେଶିକ ବ୍ୟାପାରରେ ଇଂରେଜମାନଙ୍କ ସ୍ୱାର୍ଥରକ୍ଷା କରିବା ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା । ସେ ସମୟରେ ଆମେରିକାସ୍ଥ ସ୍ପେନର ଉପନିବେଶମାନ ସ୍ୱାଧୀନତା ଘୋଷଣା କରିବାରୁ କ୍ୟାନିଂ ସେମାନଙ୍କୁ ସମର୍ଥନ କରିଥିଲେ-। ଏହା ଫଳରେ ଇଂରେଜମାନେ ସେ ରାଜ୍ୟମାନଙ୍କରେ ଅବାଧରେ ବାଣିଜ୍ୟ କରିବାର ଅଧିକାର ପାଇଥିଲେ । ସେ ଭାରତକୁ ଜଳପଥ ନିରାପଦ କରିବା ପାଇଁ ଉକ୍ତ ପଥରେ ଅବସ୍ଥିତ ତୁରସ୍କ ସାମ୍ରାଜ୍ୟକୁ ହୀନବଳ କରିବା ପାଇଁ ସର୍ବଦା ଚେଷ୍ଟା କରୁଥିଲେ । ତେଣୁ ଗ୍ରୀକମାନେ ତୁରସ୍କ ବିରୁଦ୍ଧରେ ବିଦ୍ରୋହ କରିବାରୁ ସେ ସେମାନଙ୍କର ପକ୍ଷ ଅବଲମ୍ବନ କରିଥିଲେ । କିନ୍ତୁ ଗ୍ରୀକମାନେ ସ୍ୱାଧୀନତା ଲାଭ କରିବା ପୂର୍ବରୁ ସେ ମରିଯାଇଥିଲେ । ରୁଷିୟାର କ୍ଷମତାବୃଦ୍ଧି ଭାରତରେ ବ୍ରିଟିଶ ସାମ୍ରାଜ୍ୟ ପ୍ରତି ଗୋଟିଏ ବିପଦ ବୋଲି ମନେକରି ସେ ଏହାର ଶକ୍ତି ଖର୍ବ କରିବାକୁ ସର୍ବଦା ଯତ୍ନବାନ୍ ଥିଲେ ।

 

କ୍ୟାଥଲିମାକନଙ୍କର ରାଜନୈତିକ ଅଧିକାର ଲାଭ – ଆୟର୍ଲାଣ୍ଡର କ୍ୟାଥଲିକମାନେ ସେ ସମୟରେ ସେ ରାଜ୍ୟର ପ୍ରୋଟେଷ୍ଟାଣ୍ଟମାନଙ୍କ ପରି ପାର୍ଲାମେଣ୍ଟକୁ ସଭ୍ୟରୂପେ ନିର୍ବାଚିତ ହେବାପାଇଁ ଆନ୍ଦୋଳନ ଚଳାଇଥିଲେ । ସେମାନେ ପୂର୍ବରୁ ଭୋଟ ଦେବା ଅଧିକାର ପାଇଥିଲେ । କିନ୍ତୁ ପାର୍ଲାମେଣ୍ଟକୁ ସଭ୍ୟରୂପେ ନିର୍ବାଚିତ ହୋଇପାରୁ ନ ଥିଲେ । ‘ଡ଼େନିୟଲ୍ ଓ କନେଲ’ Daniel O’ Connell ନାମକ ଜଣେ ଆଇରିଶ୍ ଓକିଲ ଏହି ଆନ୍ଦୋଳନରେ ମୁଖ୍ୟ ନେତା ଥିଲେ । ସେମାନଙ୍କର ଆନ୍ଦୋଳନ କ୍ରମଶଃ ଭୀଷଣ ଆକାର ଧାରଣ କଲା । ସେ ସମୟରେ ଡ଼ିଉକ୍ ଅଫ୍ ଓୟେଲିଂଟନ୍ ଇଂଲାଣ୍ଡର ପ୍ରଧାନମନ୍ତ୍ରୀ ଥିଲେ । ସେ ଜଣେ ବିଖ୍ୟାତ ସୈନ୍ୟାଧ୍ୟକ୍ଷ ଓ ବିଚକ୍ଷଣ ରାଜନୀତିଜ୍ଞ ଥିଲେ । କିନ୍ତୁ ତାଙ୍କର କ୍ୟାଥଲିକ୍ ସମ୍ପ୍ରଦାୟ ପ୍ରତି ବିଶେଷ ସଂକୀର୍ଣ୍ଣତା ଓ ଅଶ୍ରଦ୍ଧା ଥିଲା । କ୍ୟାଥଲିକମାନଙ୍କର ବିଦ୍ରୋହ କ୍ରମଶଃ ପ୍ରବଳ ହେବାରୁ ସେ ଯୁଦ୍ଧର ଆଶଙ୍କା କରି କ୍ୟାଥଲିକମାନଙ୍କର ଦାବୀ ପୂରଣ କରିବାକୁ ବାଧ୍ୟ ହୋଇଥିଲେ । ସେ ଖ୍ରୀ: ଅ: ୧୮୨୯ ରେ ପାର୍ଲାମେଣ୍ଟରେ କ୍ୟାଥଲିକମାନଙ୍କର ରାଜନୈତିକ ଅଧିକାର ଲାଭ ଆଇନ ‘‘Catholic Emancipation Act’’ ପାସ କରାଇଥିଲେ । ଏହାଦ୍ୱାରା ସେମାନେ ପାର୍ଲାମେଣ୍ଟକୁ ସଭ୍ୟରୂପେ ନିର୍ବାଚିତ ହେବାର ଅଧିକାର ପ୍ରାପ୍ତ ହେଲେ । ଆଉମଧ୍ୟ ଏହାଦ୍ୱାରା କ୍ୟାଥଲିକମାନେ ରିଜେଣ୍ଟ, ଲର୍ଡ଼ ଚାନ୍ସେଲର ଓ ଆୟର୍ଲାଣ୍ଡର ଭାଇସରାୟ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ରାଜକାର୍ଯ୍ୟ ପାଇବା ସ୍ଥିର ହୋଇଥିଲା ଓ କନେଲ କିନ୍ତୁ ଏହି ସାମାନ୍ୟ କ୍ଷମତା ଲାଭରେ ସନ୍ତୁଷ୍ଟ ନ ହୋଇ ଆୟର୍ଲାଣ୍ଡର ପୂର୍ଣ୍ଣ ସ୍ୱାଧୀନତା ପାଇଁ ଆନ୍ଦୋଳନ ଚଳାଇଥିଲେ ।

 

ଏହାଛଡ଼ା ଚତୁର୍ଥ ଜର୍ଜ୍ଜଙ୍କ ରାଜତ୍ୱରେ ପୀଲ୍ ପୁଲିସ ବିଭାଗର ସଂସ୍କାର ଓ ଫୌଜଦାରୀ ଆଇନମାନଙ୍କର ସଂଶୋଧନ କରିଥିଲେ । ସେ ଖ୍ରୀ: ଅ: ୧୮୨୩ ରେ ସାମାନ୍ୟ ସାମାନ୍ୟ ଅପରାଧ ପାଇଁ ମୃତ୍ୟୁଦଣ୍ଡ ଉଠାଇ ଦେଇଥିଲେ । ଟେଷ୍ଟ୍ ଓ କର୍ପୋରେସନ୍ ଆଇନ ରଦ୍ଦ କରାଯାଇ ଡ଼ିସେଣ୍ଟରମାନଙ୍କୁ ଅନେକ ସୁବିଧା ଦିଆଯାଇଥିଲା । ଚତୁର୍ଥ ଜର୍ଜ୍ଜ ଖ୍ରୀ: ଅ: ୧୮୩୦ ରେ ପ୍ରାଣତ୍ୟାଗ କରିଥିଲେ ।

 

ଚତୁର୍ଥ ଉଇଲିୟମ୍- ଚତୁର୍ଥ ଜର୍ଜ୍ଜ ଅପୁତ୍ରିକ ଅବସ୍ଥାରେ ପ୍ରାଣତ୍ୟାଗ କରିବାରୁ ତାଙ୍କର ତୃତୀୟ ଭ୍ରାତା କ୍ମାରେନ୍ସର ଡ଼ିଉକ୍ ଚତୁର୍ଥ ଉଇଲିୟମ୍ ଆଖ୍ୟା ଧାରଣ କରି ଇଂଲାଣ୍ଡର ସିଂହାସନରେ ବସିଥିଲେ । ସେ ଅତ୍ୟନ୍ତ ଲୋକପ୍ରିୟ ଓ ସଂସ୍କାରର ଏକାନ୍ତ ପକ୍ଷପାତୀ ଥିଲେ । ଖୁବ୍ ବିଜ୍ଞ, ବିଚକ୍ଷଣ ଓ ଚତୁର ନ ଥିଲେ ମଧ୍ୟ ସେ ବଡ଼ ସରଳ ଥିଲେ । ତାଙ୍କ ରାଜତ୍ୱକାଳର ସର୍ବପ୍ରଧାନ ଘଟଣା ପାର୍ଲାମେଣ୍ଟର ସଂସ୍କାର ସାଧନ । ଏତଦ୍ ବ୍ୟତୀତ ଆହୁରି ଅନେକ ଲୋକହିତକର ଆଇନ ମଧ୍ୟ ତାଙ୍କ ରାଜତ୍ୱରେ ପ୍ରଣୀତ ହୋଇଥିଲେ ।

 

ପାର୍ଲାମେଣ୍ଟର ସଂସ୍କାର ପାଇଁ ଆନ୍ଦୋଳନ- ଫ୍ରାନ୍ସ ସହିତ ଦୀର୍ଘ ୨୩ବର୍ଷ ବ୍ୟାପୀ ଯୁଦ୍ଧ ପରେ ଇଂଲାଣ୍ଡ ଶାନ୍ତି ଲାଭକଲା ସତ୍ୟ, କିନ୍ତୁ ଇଂଲାଣ୍ଡର ଲୋକମାନଙ୍କର ଅବସ୍ଥା ଶୋଚନୀୟ ହୋଇପଡ଼ିଲା । ଯୁଦ୍ଧ ସମୟରେ ଇଉରୋପର ବିଭିନ୍ନ ଜାତି ମାନେ ଇଂଲାଣ୍ଡରୁ ଅନେକ ଜିନିସ କ୍ରୟ କରୁଥିଲେ । କିନ୍ତୁ ଯୁଦ୍ଧପରେ ସେ ସବୁ ଜିନିସର ଚାହିଦା କମିଯିବାରୁ ଦେଶରେ ଅନେକ କଳକାରଖାନା କାମ ବନ୍ଦ କଲେ । ତେଣୁ ଅନେକ ଶ୍ରମିକ ବେକାର ହୋଇପଡ଼ିଲେ । ଯୁଦ୍ଧ ସମୟରେ ନିଯୁକ୍ତି ସୈନିକ ଓ ନାବିକମାନେ ମଧ୍ୟ ଯୁଦ୍ଧ ପରେ ଅକର୍ମୀ ହୋଇ ବୁଲିଲେ । ନ୍ୟସ୍ତଯୁର୍ଥ କମି ମାଲିକମାନଙ୍କର ମଙ୍ଗଳ ପାଇଁ ଖ୍ରୀ: ଅ: ୧୮୧୫ର ଶସ୍ୟ ଆଇନ ଦ୍ୱାରା ଶସ୍ୟର ମୂଲ୍ୟ ନିର୍ଦ୍ଦିଷ୍ଟ ହୋଇଥିବାରୁ ଦରିଦ୍ର ଜନସାଧାରଣ ବିଶେଷ କଷ୍ଟ ପାଇଲେ । ଯୁଦ୍ଧ ସମୟରେ ଇଂରେଜ ସରକାର ବିଶେଷ ଋଣଗ୍ରସ୍ତ ହୋଇଥିବାରୁ ଯୁଦ୍ଧପରେ ଯୁଦ୍ଧ ଋଣ ପରିଶୋଧ କରିବା ନିମିତ୍ତ ଲୋକମାନଙ୍କ ଉପରେ ନୂତନ କରମାନ ଧାର୍ଯ୍ୟ ହଲା । ଏଣେ ଲୋକମାନଙ୍କର ଆୟ ଯଥେଷ୍ଟ କମିଯାଇଥିବାରୁ ସେମାନେ ଏଥିରେ ବିଶେଷ ବିରକ୍ତି ପ୍ରକାଶ କଲେ । ଶିଳ୍ପବିପ୍ଳବ ଫଳରେ ପ୍ରତିଷ୍ଠିତ ନୂତନ ଜନାକୀର୍ଣ୍ଣ ସହରମାନ ବିଶେଷ ଅସ୍ୱାସ୍ଥ୍ୟକର ଓ ପୁତିଗନ୍ଧମୟ ଥିଲା । ଏ ସମସ୍ତ ଅଭାବ ଅସୁବିଧା ତୀବ୍ର ହେବାରୁ ଦେଶର ଚାରିଆଡ଼େ ଅସନ୍ତୋଷ ଓ ବିଦ୍ରୋହର ଲକ୍ଷଣମାନ ଦେଖାଗଲା । ସେ ସମୟରେ ଦଳେ ରାଜନୀତିଜ୍ଞ ପାର୍ଲାମେଣ୍ଟ ସଭ୍ୟ ନିର୍ବାଚନ ପ୍ରଣାଳୀର ସଂସ୍କାର ପାଇଁ ଆନ୍ଦୋଳନ ଚଳାଇଲେ । ଶ୍ରମିକମାନେ ମଧ୍ୟ ସଭ୍ୟ ନିର୍ବାଚନ କ୍ଷମତା ପାଇଲେ ସେମାନଙ୍କର ଅଭାବ ଅସୁବିଧା ଦୂର ହୋଇଯିବ ବୋଲି ଭାବି ଏହି ଆନ୍ଦୋଳନରେ ଯୋଗଦେଲେ । ଉଇଲିୟମ୍ କବେଟ୍ William Cobbett ନାମକ ଜଣେ ଦରିଦ୍ର ଶ୍ରମିକ ଶ୍ରମିକମାନଙ୍କର ନେତା ଥିଲେ, ତାଙ୍କର ଲେଖା ଓ ବକ୍ତୃତା ଦ୍ୱାରା ଉତ୍ତେଜିତ ହୋଇ ଶ୍ରମିକମାନେ ପ୍ରତ୍ୟେକ ସାବାଳକ ବ୍ୟକ୍ତି ପାଇଁ ଭୋଟ ଅଧିକାର ଦାବୀ କରିଥିଲେ ।

 

ଇଂଲାଣ୍ଡର ରାଜନୈତିକ କ୍ଷେତ୍ରରେ ନାନାରୂପ ପରିବର୍ତ୍ତନ ହୋଇଥିଲେ ସୁଦ୍ଧା ପ୍ରାୟ ଦୁଇଶହ ବର୍ଷ ମଧ୍ୟରେ ପାର୍ଲାମେଣ୍ଟକୁ ସଭ୍ୟ ନିର୍ବାଚନ ପ୍ରଣାଳୀରେ କୌଣସି ପରିବର୍ତ୍ତନ ଘଟି ନ ଥିଲା । ପୂର୍ବପରି ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ଦୁଇଜଣ ପ୍ରତିନିଧି ପାର୍ଲାମେଣ୍ଟକୁ ନିର୍ବାଚିତ ହେଉଥିଲେ । ସେ ସମୟରେ ବର୍ମିଙ୍ଗ୍ ହାମ୍, ଲିଡ଼ସ୍, ମାଞ୍ଜେଷ୍ଟର ପ୍ରଭୃତି ଜନବହୁଳ ଶିଳ୍ପ ବାଣିଜ୍ୟର କେନ୍ଦ୍ରମାନଙ୍କରୁ କୌଣସି ସଭ୍ୟ ପାର୍ଲାମେଣ୍ଟକୁ ନିର୍ବାଚିତ ହେଉ ନ ଥିଲେ । ଅଥଚ ଅତି କ୍ଷୁଦ୍ର, ପରିତ୍ୟକ୍ତ ଓ ଜନଶୂନ୍ୟ ନିର୍ବାଚନମଣ୍ଡଳୀରୁ ପୂର୍ବପରି ଦୁଇଜଣ ଲେଖାଁଏ ସଭ୍ୟ ପଠା ହେଉଥିଲେ । ପୁନଶ୍ଚ ଅତି ଅଳ୍ପ ଲୋକଙ୍କର ଭୋଟ ଅଧିକାର ଥିବାରୁ ପ୍ରକୃତ ଲୋକପ୍ରତିନିଧି ନିର୍ବାଚିତ ହୋଇ ପାରୁ ନ ଥିଲେ । ସମୟ ସମୟରେ ପ୍ରତିପତ୍ତିଶାଳୀ ଧନୀ ଲର୍ଡ଼ମାନେ ନିଜର ମନୋନୀତ ସଭ୍ୟମାନଙ୍କୁ କମନ୍ସ ସଭାକୁ ପଠାଇପାରୁଥିଲେ । ତେଣୁ କମନ୍ସ ସଭା ଉପରେ ଲର୍ଡ଼ମାନଙ୍କର ବିଶେଷ ପ୍ରଭାବ ଥିଲା ।

 

ପ୍ରଥମ ସଂସ୍କାର ଆଇନ- (First Reform Act)-ପାର୍ଲାମେଣ୍ଟ ହୁଇଗ୍ ସଭ୍ୟମାନେ ସଂସ୍କାରର ପଷପାତୀ ଥିଲେ, କିନ୍ତୁ ଟୋରିମାନେ ବଡ଼ ରକ୍ଷଣଶୀଳ ଥିଲେ । ଚତୁର୍ଥ ଜର୍ଜ୍ଜଙ୍କ ରାଜତ୍ୱ ସମୟରେ ପ୍ରଧାନମନ୍ତ୍ରୀ ଓୟେଲିଂଟନଙ୍କ ବିରୋଧ ଯୋଗୁଁ ହୁଇଗମାନେ କୌଣସି ସଂସ୍କାର କରିପାରି ନଥିଲେ । କିନ୍ତୁ ଖ୍ରୀ: ଅ: ୧୮୩୦ ସାଧାରଣ ନିର୍ବାଚନରେ ହୁଇଗମାନେ କମନ୍ସ ସଭାର ଅଧିକାଂଶ ସ୍ଥାନ ଦଖଲ କରିଥିଲେ ଓ ସେମାନେ ଓୟେଲିଂଟନଙ୍କୁ କ୍ଷମତାଚ୍ୟୁତ କରିଥିଲେ । ଟୋରିମାନଙ୍କର ଦୀର୍ଘ ପଚାଶ ବର୍ଷ ବ୍ୟାପୀ ଯେ ପ୍ରଭାବ ଥିଲା ତାହା ନଷ୍ଟ ହେଲା । ହୁଇଗମାନେ ପ୍ରଥମ ରିଫର୍ମ୍ ବିଲ୍ ଆଗତ କଲେ । ଲର୍ଡ଼ମାନଙ୍କ ପ୍ରବଳ ପ୍ରତିରୋଧ ସତ୍ୱେ ଏହା ଖ୍ରୀ: ଅ: ୧୮୩୨ ଜୁନ୍ ମାସରେ ଆଇନରେ ପରିଣତ ହେଲା ଓ ତାହାର ନାମ ହେଲା ‘‘ପ୍ରଥମ ସଂସ୍କାର ଆଇନ’’ ବା ‘‘First Reform Act’’ ଏହି ଆଇନ ଅନୁଯାୟୀ ୫୬ଟି ପରିତ୍ୟକ୍ତ, ଜନଶୂନ୍ୟ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ନିର୍ବାଚନ କ୍ଷମତାରୁ ବଞ୍ଚିତ ହେଲେ; ୩୨ଟି ନିର୍ବାଚନମଣ୍ଡଳୀ ପ୍ରତ୍ୟେକ ଦୁଇଜଣ ପରିବର୍ତ୍ତରେ ଜଣେ ଲେଖାଏଁ ମେମ୍ବର ପଠାଇଲେ ଓ ବଡ଼ ବଡ଼ ସହରମାନ ପ୍ରତିନିଧି ପଠାଇବାର କ୍ଷମତା ପାଇଲେ । ପୂର୍ବରୁ କେବଳ ରୂମ୍ୟଧିକାରୀମାନଙ୍କର ଭୋଟ ଅଧିକାର ଥିଲା । ବର୍ତ୍ତମାନ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ମଧ୍ୟ ଭୋଟ ଅଧିକାର ପାଇଲେ । କିନ୍ତୁ ଯେଉଁ ଶ୍ରମିକମାନଙ୍କର ପ୍ରବଳ ଆନ୍ଦୋଳନ ଫଳରେ ଏହି ସଂସ୍କାର ଆଇନ ପ୍ରବର୍ତ୍ତିତ ହୋଇଥିଲା ସେମାନେ ଏ ଆଇନଦ୍ୱାରା ଭୋଟ ଅଧିକାର ପାଇ ପାରିଲେ ନାହିଁ । ଏହି ଆଇନ ଦ୍ୱାରା ଜମିଦାର ଶ୍ରେଣୀର କ୍ଷମତା ବିଶେଷଭାବରେ ଖର୍ବ ହୋଇଗଲା । ଏହି ଆଇନ ପ୍ରଣୀତ ହେବାପରେ ପାର୍ଲାମାଣ୍ଟ ବିଶେଷ ଉତ୍ସାହ ଓ ତତ୍ପରତା ସହିତ ନାନାପ୍ରକାର ସଂସ୍କାର ପ୍ରବର୍ତ୍ତନ କରିଥିଲା ।

 

ଦାସତ୍ୱ ପ୍ରଥାର ବିଲୋପ ସାଧନ- (Abolition of Slavery)- ଷୋଡ଼ଶ ଶତାବ୍ଦୀ ପ୍ରାରମ୍ଭରୁ ଇଂରେଜ ବ୍ୟବସାୟୀମାନେ ଆଫ୍ରିକାରୁ ନିଗ୍ରୋମାନଙ୍କୁ ଧରିନେଇ ଆମେରିକା ଓ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜର କୃଷକମାନଙ୍କୁ ବିକ୍ରୟ କରି ପ୍ରଭୂତ ଅର୍ଥ ଉପାର୍ଜ୍ଜନ କରୁଥିଲେ । କିନ୍ତୁ ଉଇଲବର୍ ଫୋର୍ସ (Wilber Force) ଙ୍କ ପରି କେତେକ ମହାନୁଭବ, ଉଦାରହୃଦୟ ଇଂରେଜନେତା ଏହି ଘୃଣ୍ୟ ପ୍ରଥାର ବିରୁଦ୍ଧରେ ତୀବ୍ର ଆନ୍ଦୋଳନ ଚଳାଇବାରୁ ୧୮୦୭ ଖ୍ରୀଷ୍ଟାବ୍ଦରେ କ୍ରୀତଦାସ ବିକ୍ରୟ ପ୍ରଥା ବନ୍ଦ କରାଗଲା । ତଥାପି ଇଂରେଜ ଉପନିବେଶମାନଙ୍କରେ ଖ୍ରୀ: ଅ: ୧୮୩୩ ବେଳକୁ ୭୫୦,୦୦୦ ଜଣ କ୍ରିତଦାସ ବାସ କରୁଥିଲେ । ଉଇଲବର୍ ଫୋର୍ସ ୭୫ ବର୍ଷ ବୟସରେ ମଧ୍ୟ ଏମାନଙ୍କର ମୁକ୍ତିପାଇଁ ପ୍ରବଳ ଆନ୍ଦୋଳନ ଚଳାଇଲେ । ବ୍ରୀଟିଶପାର୍ଲାମେଣ୍ଟ କ୍ରିତଦାସ ମାନଙ୍କର ମାଲିକମାନଙ୍କୁ କ୍ଷତିପୂରଣ ବାବାତ୍ ୨ କୋଟି ପାଉଣ୍ଡ ଦେଇ ସେମାନଙ୍କୁ ମୁକ୍ତି ଦେଇଥିଲେ । ମହାପୁରୁଷ ଉଇଲବର୍ ଫୋର୍ସଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରୁ ନିଗ୍ରୋଦାସମାନେ ସଂପୂର୍ଣ୍ଣ ସ୍ୱାଧୀନତା ଲାଭ କଲେ ।

 

କାରଖାନା ଆଇନ ବା (Factory Act):- ଶ୍ରମିକମାନଙ୍କର ହିତପାଇଁ ଖ୍ରୀ: ଅ: ୧୮୩୩ରେ କାରଖାନା ଆଇନ ପ୍ରଣୀତ ହୋଇଥିଲା । ଏହି ଆଇନ ଫଳରେ ୯ ବର୍ଷ ବୟସରୁ କମ୍ ପିଲାମାନଙ୍କୁ ଲୁଗାକଳମାନଙ୍କରେ କାମ କରାଇବା ନିଷିଦ୍ଧ କରାଗଲା । ୯ ଠାରୁ ୧୩ ବର୍ଷ ବୟସର ପିଲାମାନଙ୍କର ଦୈନିକ କାର୍ଯ୍ୟକାଳ ୮ ଘଣ୍ଟା ବୋଲି ନିର୍ଦ୍ଦିଷ୍ଟ ହେଲା । ଏହି ଆଇନ ଦ୍ୱାରା କଳକାରଖାନାମାନଙ୍କର ଅବସ୍ଥାର ବିଶେଷ ପରିବର୍ତ୍ତନ ନ ହେଲେ ମଧ୍ୟ ଏହାଦ୍ୱାରା ଅଳ୍ପ ବୟସ୍କ ଶ୍ରମିକମାନଙ୍କର (Child Labour) ଉପକାର ସାଧିତ ହୋଇଥିଲା ।

 

ଦରିଦ୍ର ଆଇନର ସଂଶୋଧନ (Reform of the poor Law)- ଆମ ଦେଶ ପରି ଇଂଲାଣ୍ଡରେ ଭିକ୍ଷାବୃତ୍ତିର ପ୍ରଚଳନ ନ ଥିଲା । ସେଠାରେ ଭିକ୍ଷାବୃତ୍ତି ବହୁ ଶତାବ୍ଦୀ ହେଲା ଆଇନ ଦ୍ୱାରା ନିଷିଦ୍ଧ କରାଯାଇଥିଲା । ସେଠାରେ ଗ୍ରାମର ଦରିଦ୍ର ଲୋକମାନେ ଅନ୍ୟାନ୍ୟ ଗ୍ରାମବାସୀମାନଙ୍କର ପ୍ରଦତ୍ତ ଅର୍ଥଦ୍ୱାରା ପ୍ରତିପାଳିତ ହେଉଥିଲେ । ଏହି ପ୍ରଥାଦ୍ୱାରା ସୁସ୍ଥ, ସବଳ, କାର୍ଯ୍ୟକ୍ଷମ ଲୋକମାନେ ଅନାୟାସରେ ଭରଣପୋଷଣ ନିମିତ୍ତ ଅର୍ଥ ପାଇ ଆଳସ୍ୟପରାୟଣ ହୋଇଗଲେ । ତେଣୁ ଖ୍ରୀ: ଅ: ୧୮୪୩ରେ ପ୍ରାଚୀନ ଦରିଦ୍ର ଆଇନର ସଂଶୋଧନ ହୋଇଥିଲା । ଏହା ଫଳରେ ଦରିଦ୍ର, ସବଳ ଓ କାର୍ଯ୍ୟକ୍ଷମ ଲୋକମାନେ ସାହାର୍ଯ୍ୟ ଲାଭରୁ ବଞ୍ଚିତ ହୋଇଥିଲେ ଓ ନିଜ ନିଜର ପରିପୋଷଣ ପାଇଁ କଳକାରଖାନାମାନଙ୍କରେ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥିଲେ-। କେବଳ ଅସମର୍ଥ ଲୋକମାନଙ୍କୁ ସାହାର୍ଯ୍ୟ ଦେବାର ବ୍ୟବସ୍ଥା ହେଲା ।

 

ମ୍ୟୁନିସିପାଲିଟି ସଂସ୍କାର ଆଇନ (Municipal Reform Act):- ଏହି ଆଇନଦ୍ୱାରା ପ୍ରତ୍ୟେକ ସହରରେ ବାସ କରୁଥିବା କରଦାତାମାନେ ମ୍ୟୁନିସିପାଲ କାଉନସିଲର ସଭ୍ୟ ନିର୍ବାଚନ କରିବାର କ୍ଷମତା ପାଇଲେ । କାଉନସିଲର କାର୍ଯ୍ୟକାଳ ତିନିବର୍ଷ ବୋଲି ଧାର୍ଯ୍ୟ କରାଗଲା । ଏହାର ସଭ୍ୟମାନଙ୍କ ହସ୍ତରେ ସହରର ସ୍ୱାସ୍ଥ୍ୟ, ଶିକ୍ଷା, ପରିଷ୍କାର ପରିଚ୍ଛନ୍ନତା ପ୍ରଭୃତିର ତତ୍ତ୍ୱାବଧାନ କରିବା କ୍ଷମତା ଦିଆଗଲା ।

 

ଚତୁର୍ଥ ଉଇଲିୟମଙ୍କ ରାଜତ୍ୱ ସମୟରୁ ହୁଇଗମାନେ ଲିବରଲ୍ ବା ଉଦାରନୀତି ଦଳ ଓ ଟୋରିମାନେ କନସାର୍ ଭେଟିଭ୍ ବା ରକ୍ଷଣଶୀଳ ଦଳନାମରେ ଅଭିହିତ ହେଲେ । ଏହି ନାମ ଆଜି ପର୍ଯ୍ୟନ୍ତ ମଧ୍ୟ ପ୍ରଚଳିତ ଅଛି । ଖ୍ରୀ: ଅ: ୧୮୩୭ରେ ଚତୁର୍ଥ ଉଇଲିୟମଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ରାଜତ୍ୱକାଳ ଅଳ୍ପକାଳ ସ୍ଥାୟୀ ହେଲେ ମଧ୍ୟ ନାନାଦିଗରେ ସଂସ୍କାର ଯୋଗୁଁ ଏହା ଚିରସ୍ମରଣୀୟ ।

 

ଦ୍ୱାଦାଶ ଅଧ୍ୟାୟ

ରାଣୀ ଭିକ୍ଟୋରିୟା- (ଖ୍ରୀ: ଅ: ୧୮୩୭ – ଖ୍ରୀ: ଅ: ୧୯୦୧)

 

ପ୍ରଧାନ ପ୍ରଧାନ ଘଟଣାର ସମୟ-

ଖ୍ରୀ: ଅ: ୧୮୪୧-

ପୀଲ୍‌ଙ୍କ ପ୍ରଦାନ ମନ୍ତ୍ରୀତ୍ୱ ଲାଭ ।

ଖ୍ରୀ: ଅ: ୧୮୪୬-

ଶସ୍ୟ-ଆଇନ୍‌ପ୍ରତ୍ୟାହାର ଓ ପୀଲ୍‌ଙ୍କ ମନ୍ତ୍ରୀପଦ ତ୍ୟାଗ

ଖ୍ରୀ: ଅ: ୧୮୫୪-

୫୬-କ୍ରିମିୟାଁ ଯୁଦ୍ଧ ।

ଖ୍ରୀ: ଅ: ୧୮୫୭-

ଭାରତରେ ସିପାହୀ ବିଦ୍ରୋହ ।

ଖ୍ରୀ: ଅ: ୧୮୬୭-

ଦ୍ୱିତତୀୟ ସଂସ୍କାର ଆଇନ

ଖ୍ରୀ: ଅ: ୧୮୭୮-

ବର୍ଲିନ୍‌ ସନ୍ଧି (Traty of Berlin) ।

ଖ୍ରୀ: ଅ: ୧୮୮୪ –

ତୃତୀୟ ସଂସ୍କାର ଆଇନ ।

ଖ୍ରୀ: ଅ: ୧୮୮୬-

ପ୍ରଥମ ହୋମ ରୁଲ୍‌ ବିଲ୍‌ ।

ଖ୍ରୀ: ଅ: ୧୮୯୩-

ଦ୍ୱିତୀୟ ହୋମ ରୁଲ୍‌ ବିଲ୍‌

ଖ୍ରୀ: ଅ: ୧୮୯୯-୧୯୦୨-

ବୁଅର ଯୁଦ୍ଧ ।

ଖ୍ରୀ: ଅ: ୧୯୦୨-

ଅଷ୍ଟ୍ରେଲିୟାକୁ ଔପନିବେଶିକ ସ୍ୱାଧୀନତା ପ୍ରଦାନ ।

 

ମହାରାଣୀ ଭିକ୍ଟୋରିୟା ଓ ଯୁବରାଜ ଏଲବାର୍ଟ୍‌:- ଚତୁର୍ଥ ଉଇଲିୟମ ନିଃସନ୍ତାନ ଥିବାରୁ ତାଙ୍କର ଭାଇ ଡିଉକ୍‌ ଅଫ୍‌ କେଣ୍ଟଙ୍କ କନ୍ୟା ଭିକ୍ଟୋରିୟା ଇଂଲଣ୍ତର ସିଂହାସନ ଅଧିକାର କଲେ । ସିଂହାସନାରୋହଣ ସମୟରେ ତାଙ୍କର ବୟସ ଅଠର ବର୍ଷ ମାତ୍ର ହୋଇଥିଲା । ଇଂଲାଣ୍ତର ରାଜା ଓ ରାଣୀମାନଙ୍କ ମଧ୍ୟରେ କେହି ଏପରି ଦୀର୍ଘକାଳ ରାଜତ୍ୱ କରି ନ ଥିଲେ । ସେ ନାରୀ ହେଲେ ମଧ୍ୟ ତାଙ୍କର ଚରିତ୍ରରେ ଦୃଢତା ଓ କର୍ମଦକ୍ଷତା ପ୍ରକାଶ ପାଉଥିଲା । ରାଣୀ ହୋଇ ମଧ୍ୟ ଭିକ୍ଟୋରିୟା ସାହସ, ଗାମ୍ଭୀର୍ଯ୍ୟ ଓ ଆତ୍ମମର୍ଯ୍ୟାଦା ରକ୍ଷାକରି ଚଳିପାରୁଥିଲେ । ସେ ସୁଚାରୁରୂପେ ରାଜକାର୍ଯ୍ୟ ପରିଚାଳନ ଓ ସୁଖରେ ପ୍ରଜାପାଳନ କରି ସମଗ୍ର ପୃଥିବୀର ଭକ୍ତିଭାଜନ ଓ ନମସ୍ୟ ହୋଇଥିଲେ ।

 

ସେ ଜର୍ମାନୀ ଅନ୍ତର୍ଗତ ସେକ୍ସକୋବର୍ଗର (Saxe-Coburg) ରାଜପୁତ୍ର ଏଲବାର୍ଟ୍‌ଙ୍କୁ ବିବାହ କରିଥିଲେ । ପତ୍ନିବତ୍ସଳ ସ୍ୱାମୀ, ସୁପୁରୁଷ ଓ ବୁଦ୍ଧିମାନ୍‌ ବ୍ୟକ୍ତି ବୋଲି ଏଲବାର୍ଟ୍‌ଙ୍କର ବେଶ୍‌ ସୁନାମ ଥିଲା । ତାଙ୍କର ସ୍ୱାମୀ ତାଙ୍କୁ ରାଜ୍ୟକାର୍ଯ୍ୟ ପରିଚାଳନାରେ ସର୍ବଦା ସାହାର୍ଯ୍ୟ କରୁଥିଲେ ।

 

ଭିକ୍ଟୋରିୟା ହାନୋଭର ବଂଶୀୟ ରାଣୀ ଥିଲେ । କିନ୍ତୁ ହାନୋଭର ପ୍ରଦେଶର ଆଇନ ଅନୁଯାୟୀ କୌଣସି ନାରୀ ସେ ପ୍ରଦେଶର ସିଂହାସନର ଅଧିକାରିଣୀ ହୋଇ ପାରିବ ନାହିଁ । ତେଣୁ ରାଣୀ ଭିକ୍ଟୋରିୟା ଇଂଲାଣ୍ତର ସିଂହାସନରେ ବସିବା ସଙ୍ଗେ ସଙ୍ଗେ ହାନୋଭର ପ୍ରଦେଶ ଇଂରେଜମାନଙ୍କ ହସ୍ତଚ୍ୟୁତ ହେଲା ।

 

ଭିକ୍ଟୋରିୟାଙ୍କ ରାଜତ୍ୱର ପ୍ରଥମ ଭାଗ ଆଦୌ ଶାନ୍ତିପୂର୍ଣ୍ଣ ନ ଥିଲା । କାନାଡାର ଲୋକମାନେ ଇଂରେଜ ସରକାର ବିରୁଦ୍ଧରେ ବିଦ୍ରୋହ କରିଥିଲେ । ଓ-କନଲ୍‌ ନାମକ ଆଇରିଶ୍‌ ନେତା ଇଂଲାଣ୍ତ ଓ ଆୟର୍ଲାଣ୍ତର ସମ୍ମିଳନକୁ ନଷ୍ଟକରି ଆୟର୍ଲାଣ୍ତରେ ସ୍ୱତନ୍ତ୍ର ପାର୍ଲାମେଣ୍ଟ ପ୍ରତିଷ୍ଡା କରିବା ପାଇଁ ରିପିଲାର୍ସ (Repealers) ନାମକ ଗୋଟିଏ ଦଳ ସୃଷ୍ଟିକରି ପ୍ରବଳ ଆନ୍ଦୋଳନ କରିଥିଲେ । ପୂର୍ବରେ ଚୀନ୍‌ ଓ ଇଂଲାଣ୍ତ ମଧ୍ୟରେ ଖ୍ରୀ ଅ: ୧୮୪୦ ରେ ଯୁଦ୍ଧ ଲାଗିଥିଲା ଓ ଯୁଦ୍ଧରେ ଇଂରେଜମାନେ ଜୟଲାଭ କରିଥିଲେ । ସନ୍ଧି ଫଳରେ ହଂକଂବନ୍ଦର ଇଂରେଜମାନଙ୍କ ଅଧିକାରକୁ ଆସିଲା ଓ ଇଂରେଜମାନେ ଚୀନ୍‌ର ଅନ୍ୟାନ୍ୟ ୫ଟି ବନ୍ଦରରେ ବାଣିଜ୍ୟ କରିବାର ଅଧିକାର ପାଇଲେ । ସେ ସମୟରେ ମିସରର ପାଶା ଫରାସୀମାନଙ୍କ ସାହାଯ୍ୟରେ ତୁରସ୍କ ଅଧିକୃତ ସିରିୟା ରାଜ୍ୟ ଅଧିକାର କରିବାକୁ ଚେଷ୍ଟା କରୁଥିଲେ । ଇଂଲାଣ୍ତ, ଅଷ୍ଟ୍ରିଆ ଓ ତୁରସ୍କ ସହିତ ମିଳିତ ହୋଇ ପାଶାଙ୍କୁ ଖ୍ରୀ: ଅ: ୧୮୪୦ରେ ପରାଜିତ କରିବାରୁ ସେ ସିରିୟା ପରିତ୍ୟାଗ କରି ଚାଲିଗଲେ ।

 

ଚାର୍ଟିଷ୍ଟ୍‌ ମାନଙ୍କ ଆନ୍ଦୋଳନ (Chartism)-ସେ ସମୟରେ ଲୋକସାଧାରଣଙ୍କ ଅବସ୍ଥା ଖରାପ ଥିଲା ଓ ‘‘କର୍ନ୍ନ-ଲ’’ ବା ‘‘ଶସ୍ୟ ଆଇନ’’ ଯୋଗୁଁ ଖାଦ୍ୟଦ୍ରବ୍ୟାଦି ଦୁର୍ମୂଲା ହୋଇପଡିଲା । ତେଣୁ ଲୋକ ସାଧାରଣଙ୍କ ମଧ୍ୟରେ ଗୋଟିଏ ଅଶାନ୍ତର ଭାବ ବିଦ୍ୟମାନ ଥିଲା । ଏହି ସମୟରେ ଚାର୍ଟିଷ୍ଟ୍‌ ନାମକ ଗୋଟିଏ ସମ୍ପ୍ରଦାୟର ଅଭ୍ୟୁଦୟ ହେଲା । ପାର୍ଲାମେଣ୍ଟର ଆମୂଳ ସଂସ୍କାର ସାଧନ କରିବା ଉଦ୍ଦେଶ୍ୟରେ ଚାର୍ଟିଷ୍ଟ୍‌ ସମ୍ପ୍ରଦାୟ ପିପୁଲ୍‌ସ୍‌ ଚାର୍ଟାର ‘People’s Charter’ ନାମକ ଗୋଟିଏ ସଂସ୍କାରପଦ୍ଧତି ସଙ୍କଳନ କରି ତାହା ପ୍ରବର୍ତ୍ତନ କରିବାକୁ ଦାବୀ କଲେ । ପ୍ରଥମ ପାର୍ଲାମେଣ୍ଟ ସଂସ୍କାର ଆଇନରେ ଶ୍ରମଜୀବୀଗଣ ବିଶେଷ ଅସନ୍ତୁଷ୍ଟ ଥିଲେ । ସେମାନେ ଚାର୍ଟିଷ୍ଟମ୍‌ ନାମରେ ପରିଚିତ । ଏହି ଆନ୍ଦୋଳନରେ ସେମାନେ ବିଶେଷ ଭାବରେ ଯୋଗ ଦେଇଥିଲେ । ସେମାନଙ୍କର ମଜୁରୀ ଅଳ୍ପ ଥିଲା ଓ ଶସ୍ୟ ଆଇନ ଯୋଗୁଁ ସେମାନେ ବିଶେଷ କ୍ଷତିଗ୍ରସ୍ତ ହେଉଥିଲେ । ଚାର୍ଟିଷ୍ଟ୍‌ ମାନେ ପାର୍ଲାମେଣ୍ଟଠାରେ ନିମ୍ନଲିଖିତ କେତେକ ଦାବୀ ଉପସ୍ଥାପିତ କରିଥିଲେ । (କ) ବୟଃପ୍ରାପ୍ତ (ସାବାଳକ) ପ୍ରତ୍ୟେକ ଇଂରେଜ ପାର୍ଲାମେଣ୍ଟ ସଭ୍ୟ ନିର୍ବାଚନରେ ଭୋଟ ଦେଇ ପାଇବେ । (ଖ) ପ୍ରତ୍ୟେକ ବର୍ଷ ପାର୍ଲାମେଣ୍ଟ ନିର୍ବାଚନ ହେବ । (ଗ) ଭୋଟଦାତାମାନଙ୍କ ଭୋଟ ଦେବା ବିଷୟ ଗୋପନ ରହିବ । କେହି ଭୟ ଦେଖାଇ ଅନ୍ୟାୟ ଭାବରେ ଭୋଟ ଆଦାୟ କରିପାରିବେ ନାହିଁ । (ଘ) ଧନୀ ନ ହେଲେ ମଧ୍ୟ ପାର୍ଲାମେଣ୍ଟ ସଭ୍ୟ-ନିର୍ବାଚନ ଅଧିକାର ରହିବ । (ଙ) ପାର୍ଲାମେଣ୍ଟର ସଭ୍ୟଗଣ ସରକାରଙ୍କଠାରୁ ବେତନ ପାଇବେ । (ଚ) ଲୋକସଂଖ୍ୟା ଅନୁସାରେ ସମଗ୍ର ଦେଶକୁ ସମାନ ନିର୍ବାଚନମଣ୍ତଳୀରେ ବିଭକ୍ତ କରି ପାର୍ଲାମେଣ୍ଟର ସଭ୍ୟ-ନିର୍ବାଚନରେ ସମସ୍ତଙ୍କୁ ସମାନ ଅଧିକାର ଦେବାକୁ ହେବ । ଖ୍ରୀ: ଅ: ୧୮୪୮ ରେ ଇଉରୋପର ନାନାସ୍ଥାନରେ ବିପ୍ଲବ ହେବାରୁ ଚାର୍ଟିଷ୍ଟ୍‌ ମାନେ ସେମାନଙ୍କର ଏହି ସମସ୍ତ ଦାବୀ ହାସଲ କରିବାପାଇଁ ଗଣ୍ତଗୋଳ ଆରମ୍ଭ କରିଥିଲେ । କିନ୍ତୁ ଏହା ବିଶେଷ ଫଳପ୍ରଦ ହୋଇ ନ ଥିଲା । ସେ ସମୟରେ ସେମାନଙ୍କର ଅଭିପ୍ରାୟାନୁସାରେ କାର୍ଯ୍ୟ ନ ହୋଇ ଥିଲେ ମଧ୍ୟ ସମୟର ପରିବର୍ତ୍ତନ ସହିତ ସେମାନଙ୍କର ଅଧିକାଂଶ ଦାବୀ ଗୃହୀତ ହୋଇଥିଲା ।

 

ଶସ୍ୟ-ଆଇନ ପ୍ରତ୍ୟାହାର-ସେ ସମୟରେ ଇଂଲାଣ୍ତରେ ଗୋଟିଏ କର୍ନ୍ନ୍‌-ଲ ବା ଶସ୍ୟ-ଆଇନ ପ୍ରଚଳିତ ଥିଲା । ଏହି ଆଇନ ଦ୍ୱାରା ଶ୍ରମଜୀବୀମାନଙ୍କର ବିଶେଷ କ୍ଷତି ହେଉଥିଲା । ଇଂଲାଣ୍ତକୁ ବିଦେଶୀ ଶସ୍ୟ ଆମଦାନି ଉପରେ ଗୋଟିଏ ଶୁକ୍ଳ ବସିଥିବାରୁ ଶସ୍ୟର ମୂଲ୍ୟ ଖୁବ୍‌ ବଢି ଯାଇଥିଲା । ଏହାଦ୍ୱାରା ଧନୀ, କୃଷକ ଓ ଜମିଦାର ସଂପ୍ରଦାୟର ଉପକାର ହେଉଥିଲା ସତ୍ୟ; କିନ୍ତୁ ଶ୍ରମିକମାନେ ପ୍ରତ୍ୟହ ଅତିରିକ୍ତ ମୂଲ୍ୟ ଦେଇ ଖାଦ୍ୟପଦାର୍ଥ କିଣି ପାରୁ ନ ଥିଲେ । ଏହି ଆଇନ ଉଠିଗଲେ ବିଦେଶରୁ ଶସ୍ୟ ଆମଦାନି ହୋଇ ଶସ୍ତାରେ ବିକ୍ରି ହୋଇ ପାରନ୍ତା ଓ ପ୍ରଜାସାଧାରଣଙ୍କର ବିଶେଷ ସୁବିଧା ହୋଇଥାନ୍ତା । ତେଣୁ ଏହି ଆଇନ ରଦ୍ଦ କରିବା ପାଇଁ ଖ୍ରୀ:ଅ: ୧୮୩୯ରେ ମ୍ୟାଞ୍ଚେଷ୍ଟର ସହରରେ ‘‘ଶସ୍ୟ ଆଇନ ବିରୋଧୀ ସମିତି’’ ‘Anti-Corn-Law-League’ ନାମକ ଗୋଟିଏ ସମିତି ପ୍ରତିଷ୍ଠିତ ହୋଇଥିଲା । ଏହାର ଶାଖାମାନ ଦେଶର ନାନାସ୍ଥାନରେ ପ୍ରତିଷ୍ଠିତ ହୋଇଥିଲା । ସେମାନେ ଶସ୍ୟ-ଆଇନ ଉଠାଇ ଦେବାପାଇଁ ସର୍ବତ୍ର ଆନ୍ଦୋଳନ ଚଳାଇଲେ । ରିଚାର୍ଡ କବ୍‌ଡେନ (Richard Cobden) ଓ ଜନ୍‌ ବ୍ରାଇଟ୍‌ (John Bright) ନାମକ ଦୁଇଜଣ ବାଗ୍ମୀ ନେତା ଏହି ଆନ୍ଦୋଳନର କର୍ଣ୍ଣଧାର ଥିଲେ । ସେମାନେ ନାନାସ୍ଥାନରେ ସଭା ସମିତି କରି ଲୋକମାନଙ୍କୁ ଶସ୍ୟ-ଆଇନର ଅପକାରିତା ବୁଝାଇଲେ ।

 

ସାର୍‌ରବର୍ଟ୍‌ପୀଲ୍‌ଙ୍କ ମନ୍ତ୍ରୀତ୍ୱ- ( ଖ୍ରୀ:ଅ: ୧୮୪୧- ଖ୍ରୀ:ଅ: ୧୮୪୬)-କନସାରଭେଟିଭ୍‌ ବା ରକ୍ଷଣଶୀଳ ସଂପ୍ରଦାୟର ନେତା ସାର୍‌ରବର୍ଟ୍‌ପୀଲ୍‌ ଖ୍ରୀ:ଅ:୧୮୪୧ରେ ପ୍ରଧାନ ମନ୍ତ୍ରୀ ହେଲେ । ସେ ପ୍ରଥମେ ପ୍ରଥମେ ଏ ଆନ୍ଦୋଳନ ପ୍ରତି ବିଶେଷ ଦୃଷ୍ଟି ଦେଇ ନ ଥିଲେ । କିନ୍ତୁ ଖ୍ରୀ: ଅ: ୧୮୪୧ ରେ ଆୟର୍ଲାଶରେ ଗୋଟିଏ ଝଡ ଦୁର୍ଭିକ୍ଷ ପଡିଥିଲା । ଶସ୍ୟ-ଆଇନ ଯୋଗୁଁ ସେ ରାଜ୍ୟର ଅନେକ ଲୋକ ଖାଦ୍ୟଭାବରୁ ପ୍ରାଣତ୍ୟାଗ କରିଥିଲେ । ଏହା ଦେଖି ପୀଲ୍‌ ଖ୍ରୀ: ଅ: ୧୮୪୬ ରେ ଶସ୍ୟ-ଆଇନ ପ୍ରତ୍ୟାହାର କରିଥିଲେ । ଏହା ଫଳରେ ଇଂଲାଣ୍ତରେ ଶସ୍ୟର ଅବାଧ ବାଣିଜ୍ୟ ଚାଲିଲା । ଅର୍ଥାତ୍‌ ବିନା ଶୁଳ୍କରେ ବିଦେଶରୁ ଶସ୍ୟ ଆମଦାନି ହୋଇ ଇଂଲାଣ୍ତରେ ବିକ୍ରି ହେଲା । ତେଣୁ ଲୋକମାନେ ସୁଲଭ ମୂଲ୍ୟରେ ଶସ୍ୟ କିଣି ପାରିଲେ । ପୀଲ୍‌ଙ୍କ ଦଳର ସଭ୍ୟମାନେ ଶସ୍ୟ-ଆଇନ ପ୍ରତ୍ୟାହାର କରିବାକୁ ଆଦୌ ଇଚ୍ଛୁକ ନ ଥିଲେ । ପୀଲ୍‌ ଏହି ଆଇନ ପ୍ରତ୍ୟାହାର କରିବାରୁ ତାଙ୍କ ଦଳର ଅଧିକାଂଶ ସଭ୍ୟ ତାଙ୍କର ବିରୋଧୀ ହେଲେ ତେଣୁ ପୀଲ୍‌ ଖ୍ରୀ: ଅ: ୧୮୪୬ ରେ ମନ୍ତ୍ରୀପଦ ପରିତ୍ୟାଗ କରିଥିଲେ ।

 

ପୀଲ୍‌ ବଡ ବିଚକ୍ଷଣତା ସହିତ ଦେଶ ଶାସନ କରିଥିଲେ । ସେ ଜଣେ ପ୍ରବୀଣ ଅର୍ଥନୀତିଜ୍ଞ ଥିଲେ । ଦେଶର ଅର୍ଥସଂକଟ ଦୂର କରିବାପାଇଁ ଆୟକର (Income-tax) ବସାଇଥିଲେ । ସେ ବହୁ ବାଣିଜ୍ୟ ଦ୍ରବ୍ୟର ଶୁଳ୍କ ଉଠାଇ ଦେଇଥିଲେ ଓ କେତେକର ଶୁଳ୍କ କମାଇଥିଲେ । ସେ ଅବାଧ ବାଣିଜ୍ୟର ପକ୍ଷପାତୀ ଥିଲେ । ତାଙ୍କର ଏହି ନୀତିଦ୍ୱାରା ଇଂରେଜ ବାଣିଜ୍ୟର ଯଥେଷ୍ଟ ଉନ୍ନତି ହୋଇଥିଲା ।

 

କ୍ରିମିୟା ଯୁଦ୍ଧ- ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ତୁରସ୍କ ସାମ୍ରାଜ୍ୟ ଇଉରୋପର ଡାନିଉବ୍‌ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଏହି ସାମ୍ରାଜ୍ୟର ଅଧିକାଂଶ ଅଧିବାସୀ ଖ୍ରୀଷ୍ଟିୟାନ୍‌ ଥିଲେ ଓ ଖ୍ରୀଷ୍ଟିୟାନ୍‌ମାନଙ୍କ ପୁଣ୍ୟତୀର୍ଥ ଜେରୁଜାଲେମ୍‌ ମଧ୍ୟ ତୁରସ୍କର ସୁଲତାନଙ୍କ ଅଧୀନରେ ଥିଲା । ସୁଲତାନ୍‌ ନିଜର ଖ୍ରୀଷ୍ଟିୟାନ୍‌ ପ୍ରଜାମାନଙ୍କ ଉପରେ ନୃଶଂସ ଅତ୍ୟାଚାର କରୁଥିଲେ । ଏହାର ପ୍ରତିବିଧାନ କରିବାପାଇଁ ଋଷିୟା ତୁରସ୍କରାଜ୍ୟ ଧ୍ୱଂସ କରିବା ନିମିତ୍ତ ଖ୍ରୀ:ଅ: ୧୮୫୨ରେ ଯୁଦ୍ଧଘୋଷଣା କରିଥିଲା । ସେ ସମୟରେ ଋଷିୟା ଏସିୟା ମହାଦେଶର ପୂର୍ବ ଭାଗରେ ଧୀରେ ଧୀରେ ନିଜର ଅଧିକାର ବିସ୍ତାର କରୁଥିଲା ଓ କ୍ରମଶଃ ଇଉରୋପର ଗୋଟିଏ ପ୍ରଧାନ ଶକ୍ତ ହୋଇ ଉଠୁଥିଲା । ଇଂରେଜ ଓ ଫରାସୀମାନେ ଭାବୁଥିଲେ ଋଷିୟା ତୁରସ୍କକୁ ପରାସ୍ତ କଲେ ବଲକାନ୍‌ ଉପଦ୍ୱୀପରେ ତାହାର କ୍ଷମତା ବିଶେଷ ବଢିଯିବ । ଏହାଦ୍ୱାରା ଭାରତକୁ ଜଳପଥ ସଙ୍କଟପୂର୍ଣ୍ଣ ହେବ ଭାବି ଇଂରେଜମାନେ ବିଶେଷ ଆତଙ୍କିତ ହୋଇଥିଲେ ।

 

କୃଷ୍ଣସାଗର ମଧ୍ୟବର୍ତ୍ତୀ କ୍ରିମିୟା ଉପଦ୍ୱିପରେ ଏହି ଯୁଦ୍ଧ ହୋଇଥିଲା । ଏଠାରେ ଇଂଲାଣ୍ତ, ଫ୍ରାନ୍ସ ଓ ତୁରସ୍କ ଋଷିୟା ବିରୁଦ୍ଧରେ ଯୁଦ୍ଧ କରିଥିଲେ । ଏହି ଉପଦ୍ୱୀପରେ ଋଷିୟାର ସିବାସ୍ତୋପଲ (Sebastopol) ନାମକ ଗୋଟିଏ ଦୁର୍ଭେଦ୍ୟ ଦୁର୍ଗ ଥିଲା । ସମ୍ମିଳିତ ଫରାସୀ ଓ ଇଂରେଜ ସେନା ପ୍ରଥମେ ବହୁକାଳ ଏହି ଦୁର୍ଗ ଅଧିକାର କରି ପାରି ନ ଥିଲେ । କିନ୍ତୁ ଇଙ୍କର ମ୍ୟାନ୍‌ ଯୁଦ୍ଧ (Battle of lnkerman) ରେ ସମ୍ମିଳିତ ବାହିନୀ ଋଷସେନାକୁ ପରାସ୍ତ କରି ଏହି ଦୁର୍ଗ ଅବରୋଧ କରିଥିଲେ । ଋଷ୍‌ମାନେ ନିରୁପାୟ ହୋଇ ସନ୍ଧି କରିଥିଲେ । ଖ୍ରୀ:ଅ: ୧୮୫୬ରେ ପାରିସ୍‌ଠାରେ ଗୋଟିଏ ସନ୍ଧି (Treaty of Paris) ହୋଇ ଏହି ଯୁଦ୍ଧର ଅବସାନ ହେଲା । ଏହି ସନ୍ଧି ଫଳରେ ତୁରସ୍କ ଇଉରୋପର ମିତ୍ରଶକ୍ତି ରୂପେ ଗୃହୀତ ହେଲା ଓ ସୁଲତାନ୍‌ ତାଙ୍କର ଖ୍ରୀଷ୍ଟିୟାନ ପ୍ରଜାମାନଙ୍କ ପ୍ରତି ଭଲ ବ୍ୟବହାର କରିବେ ବୋଲି ପ୍ରତିଶ୍ରୁତ ହୋଇଥିଲେ । ଋଷିୟା କୃଷ୍ଣସାଗରରେ ରଣତରୀ ନ ରଖିବ ବୋଲି ସ୍ୱୀକୃତ ହେଲା । ବଲକାନ୍‌ ଉପଦ୍ୱୀପରେ ରଷିୟାର ଅଧିକାର ବିସ୍ତାର କଳ୍ପନା ଏହି ଯୁଦ୍ଧଦ୍ୱାରା ଚୂର୍ଣ୍ଣ ହୋଇଥିଲା । ମାତ୍ର ଇଂରେଜମାନଙ୍କର ଏହି ଯୁଦ୍ଧରେ ବିଶେଷ କିଛି ଲାଭ ହୋଇ ନ ଥିଲା ।

 

କୁମାରୀ ଫ୍ଲୋରେନ୍ସ ନାଇଟିଙ୍ଗେଲ୍‌- କ୍ରିମିୟା ଯୁଦ୍ଧ ସମୟରେ ଫୋରେନ୍ସ ନାଇଟିଙ୍ଗେଲ୍‌ ନାମକ ଜଣେ ପୁଣ୍ୟବତୀ ଇଂରେଜ ରମଣୀ ଯୁଦ୍ଧକ୍ଷେତ୍ରରେ ଓ ବହୁ ଶୁଶ୍ରୂଷାକାରିଣୀଙ୍କ ସହିତ ସ୍ଫୁଟାରି ହାସପାତାଳରେ ଆହତ ସୈନିକମାନଙ୍କର ସେବା ଶୁଶ୍ରୂଷା କରି ଅପୂର୍ବ ସେବାପରାୟଣତାର ପରିଚୟ ଦେଇଥିଲେ । ସେ ସେଠାରେ ସୈନିକମାନଙ୍କର ଭୋଜନ, ଶୟନ, ରନ୍ଧନ, ଔଷଧ ପ୍ରୟୋଗ, ସେବା ପ୍ରଭୃତିର ସୁବନ୍ଦୋବସ୍ତ କରିଥିଲେ । ତାଙ୍କର କୋମଳ ମଧୁର ବଚନ, ଦୟା, ଶ୍ରଦ୍ଧା, ସ୍ନେହ ଓ ସେବା ଫଳରେ ଶତ ଶତ ଆହତ ସୈନିକ ମୃତ୍ୟୁ ମୁଖରୁ ରକ୍ଷା ପାଇଥିଲେ । ସେମାନେ କହୁଥିଲେ, ‘‘ନାଇଟିଙ୍ଗେଲ ସ୍ୱର୍ଗର ଦେବୀ, ତାଙ୍କର ଛାୟା ପଡିଲେ ମନୁଷ୍ୟ ପବିତ୍ର ହୋଇଯିବ’’ । ଯୁଦ୍ଧ ଶେଷରେ ଦେଶବାସୀ ତାଙ୍କୁ ବିପୁଳ ସମ୍ମାନ ପ୍ରଦର୍ଶନ କରିଥିଲେ । ସ୍ୱୟଂ ମହାରାଣୀ ଭିକ୍ଟୋରିୟା ମଧ୍ୟ ତାଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ତାଙ୍କର ମହତ୍‌ ଆଦର୍ଶରେ ପ୍ରଣୋଦିତ ହୋଇ ଇଂଲଣ୍ତର ସମ୍ଭ୍ରାନ୍ତ ବଂଶୀୟ ମହିଳାମାନେ ବିଭିନ୍ନ ରଣକ୍ଷେତ୍ରରେ ଏହି ଭାବରେ ସେବା କରି ଆସୁଅଛନ୍ତି ।

 

ପାମାର ଷ୍ଟୋନ୍‌ଙ୍କମନ୍ତ୍ରୀତ୍ୱ- ପାମାରଷ୍ଟୋନ୍‌ ଇଂରେଜ ବୈଦେଶିକ ରାଜନୀତିରେ ବଡ ଧୁରନ୍ଧର ଥିଲେ । ସେ ପ୍ରାୟ ୫୦ ବର୍ଷକାଳ ମନ୍ତ୍ରୀ ହୋଇଥିଲେ । ସେଥିମଧ୍ୟରୁ ଦଶବର୍ଷ (ଖ୍ରୀ: ଅ: ୧୮୫୫-୧୮୫୮- ଓ ଖ୍ରୀ: ଅ: ୧୮୫୯-୧୮୬୫) କାଳ ସେ ଇଂଲାଣ୍ତର ପ୍ରଧାନ ମନ୍ତ୍ରୀ ଥିଲେ । ସେ ପୃଥୀବୀର ସର୍ବତ୍ର ଇଂଲାଣ୍ତର ପ୍ରଭୃତ୍ୱ ଓ ଗୌରବ ରକ୍ଷାକରିବାକୁ ସର୍ବଦା ଚେଷ୍ଟା କରୁଥିଲେ । କ୍ରିମିୟା ଯୁଦ୍ଧ ସମୟରେ ଇଂରେଜ ସେନାପତି ଓ ମନ୍ତ୍ରୀମାନଙ୍କର ତ୍ରୁଟି ଓ ବିଚ୍ୟୁତି ଯୋଗୁଁ ଇଂରେଜ ସୈନ୍ୟମାନଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିଲା । କିନ୍ତୁ ଲର୍ଡ ପାମାରଷ୍ଟୋନ୍‌ଙ୍କ ସୁବ୍ୟବସ୍ଥା ଫଳରେ ସୈନ୍ୟମାନଙ୍କର ଦୁର୍ଦ୍ଦଶା ଘୁଞ୍ଚିଥିଲା ଓ ଯୁଦ୍ଧର ଶାନ୍ତିପୂର୍ଣ୍ଣ ପରିସମାପ୍ତି ହୋଇଥିଲା । ଖ୍ରୀ:ଅ: ୧୮୫୬ରେ ଚୀନ ସହିତ ଦ୍ୱିତୀୟ ବାର ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ଫାନ୍ସ ଇଂଲାଣ୍ତର ପକ୍ଷ ଗ୍ରହଣ କରିଥିଲା । ଚୀନ୍‌ ଯୁଦ୍ଧରେ ପରାସ୍ତ ହୋଇଥିଲା । ଏହି ଯୁଦ୍ଧ ଫଳରେ ଚୀନ୍‌ଦେଶର କେତୋଟି ବନ୍ଦରରେ ବୈଦେଶିକମାନେ ଅବାଧ ବାଣିଜ୍ୟ କରିବାର ଅଧିକାର ପାଇଥିଲେ ଓ ଚୀନ୍‌ ରାଜଧାନୀ ପେକିଂ ସହରରେ ଇଂରେଜ ଓ ଫରାସୀ ରାଜଦୂତ ରହିବାର ବ୍ୟବସ୍ଥା ହେଲା । ଖ୍ରୀ: ଅ: ୧୮୫୭ରେ ଭାରତରେ ସିପାହୀ ବିଦ୍ରୋହ ହୋଇଥିଲା । ଏହା ଫଳରେ ଭାରତ ଶାସନଭାର କମ୍ପାନୀ ହାତରୁ କାଢି ନିଆଯାଇ ଇଂରେଜ ସରକାରଙ୍କ ଅଧୀନସ୍ଥ କରାଗଲା ।

 

ପାମାରଷ୍ଟୋନ୍‌ସର୍ବଦା ଇଉରୋପରେ ଅତ୍ୟାଚାରିତ ଜାତିମାନଙ୍କର ପକ୍ଷ ସମର୍ଥନ କରୁଥିଲେ । ସେ ସମୟରେ ଇଟାଲୀୟମାନେ ଅଷ୍ଟ୍ରିୟାର ପରାଧୀନତା ପାଶରୁ ମୁକ୍ତି ପାଇବାପାଇଁ ଯୁଦ୍ଧ କରୁଥିଲେ । ପାମାରଷ୍ଟୋନ୍‌ ଇଟାଲୀୟମାନଙ୍କ ସାହାଯ୍ୟାର୍ଥେ ସୈନ୍ୟ ପଠାଇ ନ ଥିଲେ । ମାତ୍ର ବକ୍ତୃତା ଛଳରେ ଓ ବୈଦେଶିକ ନୀତିର ସହାୟତା ମୂଳକ ନିୟନ୍ତ୍ରଣରେ ସେମାନଙ୍କୁ ଯଥେଷ୍ଟ ସାହାଯ୍ୟ କରୁଥିଲେ । ଇଂରେଜ ଜାତିର ସାହାଯ୍ୟରେ ଇଟାଲୀୟମାନେ ଅଳ୍ପ କେତେକ ବର୍ଷ ମଧ୍ୟରେ ସ୍ୱାଧୀନ ହୋଇ ଏକ ଶାସନାଧୀନ ହୋଇଥିଲେ । ସେ ଆମେରିକା ଯୁକ୍ତରାଜ୍ୟ (U.S.A)ର ଅନ୍ତର୍ବିପ୍ଲବ ସମୟରେ ନିରପେକ୍ଷତା ଅବଲମ୍ୱନ କରିଥିଲେ । ସମସ୍ତେ ତାଙ୍କୁ ଆଦର ଓ ଶ୍ରଦ୍ଧା କରୁଥିଲେ । ବୈଦେଶିକ ନୀତି ସମ୍ୱନ୍ଧରେ ସେ ଉଦାର ଥିଲେ ମଧ୍ୟ ନିଜ ରାଜ୍ୟର ବିଭିନ୍ନ ସମସ୍ୟା ସମ୍ୱନ୍ଧରେ ବଡ ରକ୍ଷଣଶୀଳ ଥିଲେ । ସେ ଶ୍ରମିକ ଶ୍ରେଣୀକୁ ଭୋଟଅଧିକାର ଦେବାର ଆଦୌ ପକ୍ଷପାତୀ ନ ଥିଲେ ।

 

ଦ୍ୱିତୀୟ ସଂସ୍କାର ଆଇନ - (Second Reform Act)- ଖ୍ରୀ: ଅ:୧୮୬୭-ପ୍ରଥମ ସଂସ୍କାର ଆଇନରେ ଇଂଲାଣ୍ତର ଅଧିକାଂଶ ଅଧିବାସୀ, ବିଶେଷତଃ ଶ୍ରମିକଗଣ, ବିଶେଷ ଅସନ୍ତୁଷ୍ଟ ଥିଲେ । ତେଣୁ ଡିସ୍‌ରେଲଙ୍କ ପ୍ରଧାନ ମନ୍ତ୍ରୀତ୍ୱ ସମୟରେ ଖ୍ରୀ: ଅ: ୧୮୬୭ରେ ଦ୍ୱିତୀୟ ସଂସ୍କାର ଆଇନ ପ୍ରଣୀତ ହୋଇଥିଲା । ଏହି ଆଇନ ଅନୁଯାୟୀ କେତେକ ଅପ୍ରଧାନ ନିର୍ବାଚନମଣ୍ତଳୀର ପ୍ରତିନିଧି ସଂଖ୍ୟା କମାଇ ଦିଆଯାଇ ନୂତନ ସହରମାନଙ୍କୁ ପାର୍ଲାମେଣ୍ଟକୁ ପ୍ରତିନିଧି ନିର୍ବାଚନ କ୍ଷମତା ଦିଆଯାଇଥିଲା । ଏଥର କଳକାରଖାନାରେ କାମ କରୁଥିବା ଶ୍ରମିକମାନେ ଭୋଟ ଅଧିକାର ପାଇଲେ । ଏହା ଫଳରେ ଶାସନ କ୍ଷମତା ସର୍ବସାଧାରଣଙ୍କ ହସ୍ତକୁ ଚାଲିଗଲା ଓ ଜମିଦାର ଶ୍ରେଣୀର ପ୍ରତିପତ୍ତି ଏକାବେଳେକେ ନଷ୍ଟ ହୋଇଥିଲା ।

 

ଗ୍ଲାଡ୍‌ଷ୍ଟୋନ୍‌ଙ୍କ ପ୍ରଥମ ମନ୍ତ୍ରୀତ୍ୱ- (ଖ୍ରୀ: ଅ: ୧୮୬୮- ଖ୍ରୀ: ଅ: ୧୮୭୪)- ଗ୍ଲାଡ୍‌ଷ୍ଟୋନ୍‌ ଇଂଲାଣ୍ତର ଜଣେ ଶ୍ରେଷ୍ଠ ରାଜନୀତିଜ୍ଞ ଓ ନେତା ଥିଲେ । ତାଙ୍କର ଅସାଧାରଣ ପ୍ରତିଭା, ବାଗ୍ମିତା, ଉଦାର ସ୍ୱଭାବ, ଧୈର୍ଯ୍ୟ ଓ ଅଧ୍ୟବସାୟ ଯୋଗୁଁ ସେ ଚାରିଥର ଇଂଲାଣ୍ତର ପ୍ରଧାନ ମନ୍ତ୍ରୀପଦ ଅଳଙ୍କୃତ କରିଥିଲେ । ପ୍ରତ୍ୟେକ ଥର ସେ ବହୁ ଲୋକହିତକର ଆଇନ ପ୍ରଣୟନ କରିଥିଲେ । ସେ ଜଣେ ପଣ୍ତିତ ଥିଲେ ଓ ବହୁ ମୂଲ୍ୟବାନ ପୁସ୍ତକ ମଧ୍ୟ ରଚନା କରିଥିଲେ । ସେ ପ୍ରଥମେ ପ୍ରଧାନମନ୍ତ୍ରୀ ସାର୍‌ରବର୍ଟପୀଲ୍‌ଙ୍କ ସହକର୍ମୀରୂପେ ପାର୍ଲାମେଣ୍ଟରେ ପ୍ରବେଶ କରିଥିଲେ । କିନ୍ତୁ ନିଜର ଅଧ୍ୟବସାୟ ଓ ପ୍ରତିଭା ବଳରେ ସେ ଉଦାରନୈତିକ (Liberal) ଦଳର ପ୍ରଧାନ ନେତା ହୋଇଥିଲେ ।

 

ସେ ପ୍ରଥମଥର ଖ୍ରୀ: ଅ: ୧୮୬୮ ରୁ ଖ୍ରୀ: ଅ:୧୮୭୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ । ସେତେବେଳେ ଆୟର୍ଲାଣ୍ତର ଅବସ୍ଥା ଅତ୍ୟସ୍ତ ଶୋଚନୀୟ ଥିଲା । ତେଣୁ ସେ ପ୍ରଥମଥର ସରକାର ପ୍ରତିଷ୍ଠା କଲାବେଳେ କହିଥିଲେ, ’ଆୟର୍ଲାଣ୍ତକୁ ସନ୍ତୁଷ୍ଟ କରିବା ମୋ ଜୀବନର ଲକ୍ଷ୍ୟ ।’ ଦ୍ୱିତୀୟ ହେନେରୀଙ୍କ ସମୟରୁ ଆୟର୍ଲାଣ୍ତ ଇଂରେଜମାନଙ୍କ ଦ୍ୱାରା ଅଧିକୃତ ହୋଇଥିଲା । ସେହି ସମୟରୁ ଧୀରେ ଧିରେ ଆୟର୍ଲାଣ୍ତର ଅଧିକାଂଶ ଜମିବାଡି ଇଂରେଜମାନଙ୍କ ଦ୍ୱାରା ଅଧିକୃତ ହେଲା ଓ ଆଇରିଶ୍‌ମାନେ ଇଂରେଜ ଜମିଦାରଙ୍କ ଅଧିନରେ ମୂଲିଆ ଓ କୁଲିଗିରି କରି ଜୀବନ ଯାପନ କରୁଥିଲେ । ଇଂରେଜ ଜମିଦାରମାନେ ସର୍ବଦା ସ୍ୱଦେଶରେ ରହୁଥିଲେ ଓ ଆଇରିଶ୍‌ ପ୍ରଜାମାନଙ୍କର ଭଲମନ୍ଦ ହାରିଗୁହାରି ଆଦୌ ବୁଝୁ ନ ଥିଲେ । ସେମାନଙ୍କର କର୍ମଚାରୀମାନେ ଅଇରିଶ୍‌ ପ୍ରଜାମାନଙ୍କ ଉପରେ ଅତ୍ୟାଚାର କରି ନାନାପ୍ରକାର କର ଆଦାୟ କରୁଥିଲେ । ଏହି ଉତ୍କଟ କରଭାର ଯୋଗୁଁ ସେମାନେ ଚିରକାଳ ଗରିବ ହୋଇ ନାନା ଦୁଃଖ କଷ୍ଟ ଭୋଗୁଥିଲେ । ଆଇରିଶ୍ ପ୍ରଜାମାନଙ୍କର ଜମିରେ ବିଶେଷ ଅଧିକାର ନ ଥିଲା ଜମିଦାର ଇଚ୍ଛାକଲେ ସେମାନଙ୍କୁ ଅକ୍ଲେଶରେ ଜମିରୁ ବେଦଖଲ କରିପାରୁଥିଲେ । ଆୟାର୍ଲାଣ୍ତରେ ଶିଳ୍ପ ବାଣିଜ୍ୟ ଅବହେଳା ଓ ଭୀଷଣ ପ୍ରତିଯୋଗିତା ଯୋଗୁଁ ଧ୍ୱଂସ ପାଇଲା ।

 

ଦୀର୍ଘ ୭୦୦ବର୍ଷ (ଖ୍ରୀ: ଅ: ୧୧୬୯-ଖ୍ରୀ: ଅ: ୧୮୬୯) ଇଂରେଜ ରାଜତ୍ୱ ମଧ୍ୟରେ ଇଂରେଜ ଜମିଦାରମାନଙ୍କ ସ୍ୱାର୍ଥରକ୍ଷାପାଇଁ ଅନେକ ଆଇନ ପ୍ରଣୀତ ହୋଇଥିଲା । କିନ୍ତୁ ଆଇରିଶ୍‌ ପ୍ରଜାମାନଙ୍କୁ ଜମିଦାରମାନଙ୍କ ଉତ୍ପୀଡନରୁ ରକ୍ଷାକରିବାପାଇଁ ଇଂରେଜସରକାର କୌଣସି ଆଇନ ପ୍ରଣୟନ କରି ନ ଥିଲେ । ଆୟର୍ଲାଣ୍ତ୍‌ ଅଧିବାସୀ ମୃଷ୍ଟିମେୟ ଇଂରେଜ, ପ୍ରୋଟେଷ୍ଟାଣ୍ଟ୍‌ ଧର୍ମାବଲମ୍ୱୀ ଥିଲେ । କିନ୍ତୁ ଆୟର୍ଲାଣ୍ତର ଅଧିକାଂଶ ଅଧିବାସୀ କ୍ୟାଥଲିକ୍‌ ଧର୍ମାବଲମ୍ୱୀ ଥିଲେ । କିନ୍ତୁ ଏହି କ୍ୟାଥଲିକ୍‌ମାନଙ୍କୁ ମୁଷ୍ଟିମେୟ ପ୍ରୋଟେଷ୍ଟାଣ୍ଟମାନଙ୍କର ଧର୍ମମନ୍ଦିର ରକ୍ଷାପାଇଁ ଗୋଟିଏ ଶୁଳ୍କ ଦେବାକୁ ପଡୁଥିଲା । ଏହିସବୁ କାରଣରୁ ଆଇରିଶ୍‌ମାନେ ଇଂଲାଣ୍ତ ଓ ଆୟର୍ଲାଣ୍ତର ସମ୍ମିଳନିକୁ ନଷ୍ଟକରି ସ୍ୱାଧୀନ ହେବାକୁ ସର୍ବଦା ଚେଷ୍ଟା କରୁଥିଲେ । ଏଥିପାଇଁ ସେମାନେ ବାରମ୍ୱାର ଆନ୍ଦୋଳନ କରିଥିଲେ । କିନ୍ତୁ ଇଂରେଜ ସରକାରଙ୍କ ଭୀଷଣ ଦମନଯୋଗୁଁ ସେମାନେ କୃତକାର୍ଯ୍ୟ ହୋଇ ନ ଥିଲେ । ଦେଶରେ ଅସନ୍ତୋଷ ଓ ଅଶାନ୍ତି ଦିନକୁ ଦିନ ବଢିବାକୁ ଲାଗିଲା । ଗ୍ଲାଡ୍‌ଷ୍ଟୋନ୍‌ ପ୍ରଧାନ ମନ୍ତ୍ରୀ ହେବା ସଙ୍ଗେ ସଙ୍ଗେ ସେମାନଙ୍କର ଅଭାବ ଅସୁବିଧା ଦୂରକରି ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଥିଲେ ।

 

ସେ ଖ୍ରୀ: ଅ: ୧୮୬୯ରେ ପ୍ରୋଟେଷ୍ଟାଣ୍ଟ୍‌ ଗୀର୍ଜ୍ଜାମାନଙ୍କର ବୃତ୍ତିରହିତ କରିବାପାଇଁ ଗୋଟିଏ ଆଇନ ପ୍ରଣୟନ କରିଥିଲେ । ସେ ପ୍ରୋଟେଷ୍ଟାଣ୍ଟ୍‌ ଗୀର୍ଜ୍ଜାର ଅନେକ ସମ୍ପତ୍ତି ବାଜେୟାପ୍ତ କରିଥିଲେ ଓ ଆଇରିଶ୍‌ ସରକାରଙ୍କ ସହିତ ପ୍ରୋଟେଷ୍ଟାଣ୍ଟ୍‌ ଗୀର୍ଜ୍ଜାର ସଂପର୍କ ଛିନ୍ନ କରିଥିଲେ । ସେହି ସମୟରୁ ଆଇରିଶ୍‌ କ୍ୟାଥଲିକ୍‌ମାନେ ପ୍ରୋଟେଷ୍ଟାଣ୍ଟ୍‌ ଗୀର୍ଜ୍ଜାମାନଙ୍କ ପରିଚାଳନାପାଇଁ ଦେଉଥିବା କରରୁ ଅବ୍ୟାହତି ପାଇଲେ ।

 

ସେ ଖ୍ରୀ: ଅ: ୧୮୭୦ରେ ଆଇରିଶ୍‌ ଜମିଜମା ଆଇନ (Irish Land Act) ପ୍ରଣୟନ କରିଥିଲେ । ଏହି ଆଇନ ଅନୁଯାୟୀ ଜମିଦାରମାନଙ୍କର ଆଇରିଶ୍‌ କୃଷକମାନଙ୍କୁ ହଠାତ୍‌ ଜମିରୁ ବେଦଖଲ କରିବା କ୍ଷମତା ରହିତ ହେଲା । ସେମାନଙ୍କୁ ଜମିରୁ ବେଦଖଲ କଲେ ଉପଯୁକ୍ତ କ୍ଷତିପୂରଣ ଦେବାର ଏହି ଆଇନରେ ବିଧାନ ରହିଲା । ଏହି ଆଇନ ଫଳରେ ଆଇରିଶ୍‌ କୃଷକମାନେ ଜମିଦାରମାନଙ୍କ କବଳରୁ କେତେକ ପରିମାଣରେ ରକ୍ଷା ପାଇଲେ । ସେ ଆଇରିଶ କ୍ୟାଥଲିକମାନଙ୍କ ପାଇଁ ଗୋଟିଏ ଜାତୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଇଂରେଜମାନଙ୍କର ଭୀଷଣ ପ୍ରତିରୋଧ ଯୋଗୁଁ ସେ ଏହା ପରିତ୍ୟାଗ କରିଥିଲେ । ଗ୍ଲାଡ୍‌ଷ୍ଟୋନ୍‌ଙ୍କର ଏହି ସମସ୍ତ କାର୍ଯ୍ୟକଳାପ ଆଇଶ୍‌ମାନଙ୍କୁ କିଛିକାଳପାଇଁ ସନ୍ତୁଷ୍ଟ କରିପାରିଥିଲା । କିନ୍ତୁ ସେମାନେ ସ୍ୱାଧୀନତା ଆନ୍ଦୋଳନ ବନ୍ଦ କରି ନ ଥିଲେ ।

 

ଇଂଲାଣ୍ତରେ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷାର ପ୍ରବର୍ତ୍ତନ- ଗ୍ଲାଡ୍‌ଷ୍ଟୋନ୍‌ ଦେଶରୁ ନିରକ୍ଷରତା ଦୂର କରିବାପାଇଁ ଖ୍ରୀ: ୧୮୭୦ରେ ପ୍ରାଥମିକ ଶିକ୍ଷାବିଧାୟକ ଆଇନ (Elementary Education Act) ପ୍ରବର୍ତ୍ତନ କରାଯାଇଥିଲେ । ଏହି ଆଇନର ବିଧାନ ଅନୁଯାୟୀ ଦେଶର ସର୍ବତ୍ର ପ୍ରାଥମିକ ବିଦ୍ୟାଳୟମାନ ପ୍ରତିଷ୍ଠିତ ହୋଇଥିଲା । ପ୍ରତ୍ୟକ ନିଜନିଜର ପୁତ୍ରକନ୍ୟାମାନଙ୍କୁ ଶିକ୍ଷାଦେବାକୁ ବାଧ୍ୟ ହୋଇଥିଲା । ଏହି ଆଇନ ଚଳିବା ପୂର୍ବରୁ ଧନୀ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ବ୍ୟତୀତ ସାଧାରଣ ଦରିଦ୍ର ଲୋକମାନେ ଉଚ୍ଚହାରରେ ବେତନ ଯୋଗାଇ ଓ ଆନୁସଙ୍ଗିକ ଶିକ୍ଷାର ବ୍ୟୟଭାର ବହନ କରି ପୁତ୍ର କନ୍ୟାମାନଙ୍କୁ ଶିକ୍ଷାଦେଇ ପାରୁ ନ ଥିଲେ । ଦେଶରେ ଭଲ ପ୍ରାଥମିକ ବିଦ୍ୟାଳୟର ସଂଖ୍ୟା ମଧ୍ୟ ଅତି ଅଳ୍ପ ଥିଲା ଓ ଦେଶର ସର୍ବତ୍ର ଏକପ୍ରକାର ଶୀକ୍ଷାପ୍ରଣାଳୀ ପ୍ରଚଳିତ ଥିଲା । କିନ୍ତୁ ଏହି ଆଇନଦ୍ୱାରା ଏ ସବୁ ଅଭାବ ଅସୁବିଧା ଅନେକାଂଶରେ ଦୂରୀଭୂତ ହୋଇଥିଲା ଖ୍ରୀ: ଅ: ୧୮୯୧ରେ ଗୋଟିଏ ଆଇନଦ୍ୱାରା ପ୍ରାଥମିକ ଶିକ୍ଷା ଅବୈତନିକ କରାଗଲା ।

 

ଗ୍ଲାଡ୍‌ଷ୍ଟୋନ୍‌ଙ୍କର ଅନ୍ୟାନ୍ୟ ସଂସ୍କାର- ପୂର୍ବେ ଅକ୍ସଫୋର୍ଡ ଓ କ୍ୟାମ୍ୱିଜ୍‌ ବିଶ୍ୱବିଦ୍ୟାଳୟରେ ଇଂଲାଣ୍ତର ପ୍ରତିଷ୍ଠିତ ଗୀର୍ଜ୍ଜାର ମତାବଲମ୍ୱୀମାନଙ୍କ ବ୍ୟତୀତ ଅନ୍ୟାନ୍ୟମାନଙ୍କର ପ୍ରବେଶାଧିକାର ନ ଥିଲା । ସେ ଗୋଟିଏ ଆଇନ ଦ୍ୱାରା ଏହି ବାଧା ଉଠାଇଦେଇ ବିଶ୍ୱବିଦ୍ୟାଳୟ ଦ୍ୱାର ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ କରିଥିଲେ । ସେ ସମୟରେ ସୈନ୍ୟ ବିଭାଗର ଉଚ୍ଚପଦସମୂହ ଧନୀ ସନ୍ତାନମାନେ ଅର୍ଥ ପ୍ରଦାନଦ୍ୱାରା କ୍ରୟ କରି ପାରୁଥିଲେ । ତେଣୁ ଅନୁପଯୁକ୍ତ ବ୍ୟକ୍ତି ମଧ୍ୟ କେବଳ ଅର୍ଥ ବିନିମୟଦ୍ୱାରା କର୍ଣ୍ଣେଲ ପଦ ପର୍ଯ୍ୟନ୍ତ ଲାଭ କରି ପାରୁଥିଲା । ଗ୍ଲାଡ୍‌ଷ୍ଟୋନ୍‌ ଏହି ପଦକ୍ରୟ ପ୍ରଥା (Purchase System) ବିଦୂରିତ କରି ଯୋଗ୍ୟତାନୁଯାୟୀ ଲୋକମାନଙ୍କୁ ସୈନ୍ୟବିଭାଗରେ କାର୍ଯ୍ୟ ଦେବାର ବିଧାନ କଲେ । ଖ୍ରୀ: ଅ: ୧୮୭୨ର ବ୍ୟାଲଟ୍‌ ଆଇନ (Ballot Act) ଦ୍ୱାରା ପାର୍ଲାମେଣ୍ଟର ସଭ୍ୟ ନିର୍ବାଚନରେ ଭୋଟ୍‌ ଦେବା ଗତି ପ୍ରଚଳିତ ହେଲା । ଏହି ବ୍ୟବସ୍ଥା ଦ୍ୱାରା ସମସ୍ତଙ୍କୁ ସ୍ୱାଧୀନ ଓ ଗୁପ୍ତଭାବରେ ଭୋଟ୍‌ ଦେବାର ଅଧିକାର ମିଳିଲା ।

 

ଫ୍ରାଙ୍କୋ ଜର୍ମାନ ଯୁଦ୍ଧ- ସେ ସମୟରେ ଜର୍ମାନୀ ତାହାର ବିଚକ୍ଷଣ ମନ୍ତ୍ରୀ କାଉଣ୍ଟ୍‌ ବିସ୍‌ମାର୍କଙ୍କ ମନ୍ତ୍ରଣା ଓ କୌଶଳ ଯୋଗୁଁ ବିଶେଷ କ୍ଷମତାଶାଳୀ ହୋଇଥିଲା । ଖ୍ରୀ: ଅ: ୧୮୭୦ରେ ଫ୍ରାନ୍ସ ଓ ଜର୍ମାନୀ ଭିତରେ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ଫରାସୀମାନେ ପରାସ୍ତ ହେବାରୁ ଆଲସେସ୍‌ ଓ ଲୋରେନ୍‌ (Alsace and Lorraine) ନାମକ ଦୁଇଟି ପ୍ରଦେଶ ଜର୍ମାନୀ ଅଧିକାର କରିଥିଲା । ଏହି ଯୁଦ୍ଧ ଫଳରେ ଫ୍ରାନ୍ସରୁ ରାଜତନ୍ତ୍ର ଲୋପ ହୋଇ ଗଣତନ୍ତ୍ର ପ୍ରତିଷ୍ଟିତ ହେଲା । ଇଂରେଜମାନେ ଏହି ଯୁଦ୍ଧରେ ନିରପେକ୍ଷ ରହିଥିଲେ । ଫରାସୀମାନଙ୍କୁ ପରାଜୟ କରି ଜର୍ମାନ୍‌ମାନେ ଇଉରୋପରେ ପ୍ରବଳ ପରାକ୍ରାନ୍ତ ହୋଇ ପଡିଲେ ।

 

ଡିସରେଲି ବା ବେକନ୍ସଫିଲ୍ଡଙ୍କ ମନ୍ତ୍ରୀତ୍ୱ- (ଖ୍ରୀ:ଅ: ୧୮୭୪- ଖ୍ରୀ:ଅ: ୧୮୮୦)- ଇଂଲାଣ୍ତର ରାଜନୀତି କ୍ଷେତ୍ରରେ ଡିସରେଲି ଗ୍ଲାଡ୍‌ଷ୍ଟୋନ୍‌ଙ୍କର ପ୍ରଧାନ ପ୍ରତିଦ୍ୱନ୍ଦୀ ଥିଲେ । ସେ ଜାତୀରେ ଇହୁଦୀ Jew ଥିଲେ । ସେ କୌଣସି ବିଶ୍ୱବିଦ୍ୟାଳୟରେ ଶିକ୍ଷାଲାଭ କରି ନ ଥିଲେ । ସେ ବହୁଦେଶ ଭ୍ରମଣ କରି ବିଭିନ୍ନ ଜାତି ସମ୍ୱନ୍ଧରେ ଅଭିଜ୍ଞତା ଅର୍ଜ୍ଜନ କରୁଥିଲେ । ଗ୍ଲାଡ୍‌ଷ୍ଟୋନ୍‌ଙ୍କ ପରି ସେ ଜଣେ ପ୍ରସିଦ୍ଧ ଲେଖକ ଥିଲେ । ଗ୍ଲାଡ୍‌ଷ୍ଟୋନ୍‌ ସଂଯତ, ଶାନ୍ତ ଓ ଧୀରସ୍ୱଭାବ ଲୋକ ଥିଲେ । କିନ୍ତୁ ଡିସରେଲି ରସିକ ଓ ପ୍ରେମିକ ଥିଲେ । ଗ୍ଲାଡ୍‌ଷ୍ଟୋନ୍‌ ଯୁଦ୍ଧର ପକ୍ଷପାତୀ ନ ଥିଲେ । କିନ୍ତୁ ଡିସରେଲି ପୃଥିବୀର ସର୍ବତ୍ର ଇଂଲାଣ୍ତର ପ୍ରଭାବ ବିସ୍ତାର କରିବାପାଇଁ ପ୍ରାଣାପଣ ଯତ୍ନ କରୁଥିଲେ ଓ ସେଥିପାଇଁ ଦେଶକୁ ଯୁଦ୍ଧରେ ଲିପ୍ତ କରିବାକୁ ମଧ୍ୟ କୁଣ୍ଠିତ ନ ଥିଲେ । ଖ୍ରୀ: ଅ: ୧୮୭୪ରେ ଅଧିକ ସଂଖ୍ୟାରେ ରକ୍ଷଣଶୀଳ ଦଳର ସଭ୍ୟ ନିର୍ବାଚିତ ହେବାରୁ ଏ ଦଳର ନେତା ଡିସରେଲି ପ୍ରଧାନମନ୍ତ୍ରୀ ହୋଇଥିଲେ। ଏଥିପୂର୍ବରୁ ସେ ଖ୍ରୀ: ଅ: ୧୮୬୮ରେ କେତେକ ମାସପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ତାଙ୍କର ବୈଦେଶିକ ନୀତିଯୋଗୁଁ ସେ ବିଶେଷ ଖ୍ୟାତି ଅର୍ଜ୍ଜନ କରିଥିଲେ ।

 

ଡ଼ିସରେଲିଙ୍କ ସାମ୍ରାଜ୍ୟବାଦ ନୀତି-ସେ ମନ୍ତ୍ରୀ ହେବା ମାତ୍ରେ ପ୍ରଥମେ ବିଶେଷ ଦୂରଦର୍ଶିତାର ପରିଚୟ ଦେଇଥିଲେ । ସେ ସମୟରେ ସୁଏଜ୍‌ କେନାଲର ଖନନ ବ୍ୟବସ୍ଥା ହେଉଥିଲା । ଡିସରେଲି ଖ୍ରୀ: ଅ: ୧୮୭୫ ରେ ବହୁଅର୍ଥ ବ୍ୟୟ କରି ସୁଏଜ୍‌ କେନାଲ୍ କମ୍ପାନୀରେ ଅଧିକାଂଶ ଅଂଶ କ୍ରୟ କରିଥିଲେ । ଏହାଦ୍ୱାରା ଭାରତବର୍ଷକୁ ଗମନାଗମନପଥ ସଂପୂର୍ଣରୂପେ ଇଂରେଜମାନଙ୍କର କରାୟତ୍ତ ହେଲା; ଇଂଲାଣ୍ତ ଲାଭବାନ ହେଲା ଓ ରାଜନୈତିକକ୍ଷେତ୍ରରେ ଗୋଟିଏ ବଡ ଅଧିକାର ଇଂରେଜମାନଙ୍କ ହସ୍ତରେ ରହିଲା । ଡିସରେଲି ମିସର ବା ଇଜିପ୍ଗ ଅଧିକାର ବିନା ଭାରତକୁ ଜଳପଥ ନିରାପଦ ନୁହେଁ ବୋଲି ଭଲଭାବରେ ହୃଦୟଙ୍ଗମ କରିଥିଲେ । ସେ ସମୟରେ ମିସରର ଶାସନକର୍ତ୍ତା ‘‘ ଖେଦିବ୍‌’’ ବିଶେଷ ଅମିତବ୍ୟୟୀ ଥିଲେ ଓ ତାଙ୍କର ଆର୍ଥିକଅବସ୍ଥା ଆଦୌ ଭଲ ନ ଥିଲା । ସେ ଫରାସୀ ଓ ଇଂରେଜମାନଙ୍କଠାରୁ ପ୍ରଭୂତ ଅର୍ଥ ଋଣ କରିଥିଲେ । କିନ୍ତୁ ଦେଶର ଶାସନକାର୍ଯ୍ୟ ପରିଚାଳନ ଆଦୌ ସନ୍ତୋଷଜନକ ନ ଥିଲା ଓ ତାଙ୍କ ପକ୍ଷରେ ଋଣଭାରରୁ ମୁକ୍ତିପାଇବା ସମ୍ଭବପର ନ ଥିଲା । ତହୁଁ ଇଂଲାଣ୍ତ ଓ ଫ୍ରାନ୍ସ ମିଳିମିଶି ଖେଦିବ୍‌ଙ୍କୁ ପଦଚ୍ୟୁତ କରି ଖ୍ରୀ: ଅ: ୧୮୭୬ରେ ମିସରର ଶାସନଭାର ଗ୍ରହଣ କରିଥିଲେ । ପରେ ଗ୍ଲାଡ୍‌ଷ୍ଟୋନ୍‌ଙ୍କ ଦ୍ୱିତୀୟ ମନ୍ତ୍ରୀତ୍ୱ ସମୟରେ ଏହା ଇଂରେଜମାନଙ୍କ ଦ୍ୱାରା ଅଧିକୃତ ହେଲା ।

 

ଡିସ୍‌ରେଲିଙ୍କ ବୈଦେଶିକ ନୀତି-ଋଷିଆ ଓ ତୁରସ୍କ ମଧ୍ୟରେ ଯୁଦ୍ଧ (ଖ୍ରୀ: ଅ: ୧୮୭୬- ଖ୍ରୀ: ଅ: ୧୮୭୮)- ଡିସରେଲି ସର୍ବଦା ଋଷିଆକୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ଓ ତାକୁ ଇଂରେଜ ସାମ୍ରାଜ୍ୟର ପ୍ରଧାନ ଶତ୍ରୁ ବୋଲି ଭାବିଥିଲେ । ଖ୍ରୀ: ଅ: ୧୮୭୬ରେ ପୁନର୍ବାର ଋଷିଆ ଓ ତୁରସ୍କ ମଧ୍ୟରେ ଯୁଦ୍ଧ ଲାଗିଲା । ତୁରସ୍କର ସୁଲତାନ୍‌ ବୁଲ୍‌ଗେରିୟା ରାଜ୍ୟର ଖ୍ରୀଷ୍ଟିୟାନ୍‌ ପ୍ରଜାମାନଙ୍କ ଉପରେ ବିଶେଷ ଅତ୍ୟାଚାର ଓ ନିର୍ଯ୍ୟାତନ ଚଳାଇଥିଲେ । ଇଉରୋପର ଖ୍ରୀଷ୍ଟିୟାନ୍‌ ଶକ୍ତିମାନଙ୍କ ମଧ୍ୟରୁ କେହି ଏହି ଅତ୍ୟାଚାର ନିବାରଣ ପାଇଁ ଚେଷ୍ଟା କରି ନ ଥିଲେ । ଶେଷରେ ଋଷିଆ ବାଧ୍ୟହୋଇ ତୁରସ୍କ ବିରୁଦ୍ଧରେ ଯୁଦ୍ଧଘୋଷଣା କରିଥିଲେ ।

 

ତୁରସ୍କ ଋଷିଆଦ୍ୱାରା ପରାସ୍ତ ହୋଇ ଋଷିଆ ସହିତ ସାନ୍‌ଷ୍ଟିଫେନ ସନ୍ଧି      (Treaty of Sanstefano) କରିବାକୁ ପ୍ରସ୍ତୁତ ଥିଲା । ଏହି ସନ୍ଧି ଗୃହୀତ ହୋଇଥିଲେ ବଲକାନ୍‌ ଉପଦ୍ୱୀପରୁ ତୁରସ୍କର କ୍ଷମତା ଲୁପ୍ତ ହୋଇଥାନ୍ତା । ଡିସରେଲି ଭାବିଲେ ଯେ ଏହି ସନ୍ଧିଦ୍ୱାରା ଋଷିଆର କ୍ଷମତା ଯଥେଷ୍ଟ ବୃଦ୍ଧିଲାଭ କରିବ ଓ ଭାରତକୁ ଜଳପଥ ସଙ୍କଟମୟ ହେବ । ତେଣୁ ସେ ଏହି ସନ୍ଧି ଗ୍ରହଣ ନ କରି ଋଷିଆ ସଙ୍ଗେ ଯୁଦ୍ଧ କରିବାକୁ ଆୟୋଜନ କଲେ । କିନ୍ତୁ ଇଉରୋପର କେତେକ ଶକ୍ତିଙ୍କ ଯତ୍ନରେ ଯୁଦ୍ଧ ବନ୍ଦହୋଇ ଖ୍ରୀ: ଅ: ୧୮୭୮ରେ ବର୍ଲିନ୍‌ ସହରରେ ଋଷିଆ ଓ ତୁରସ୍କ ମଧ୍ୟରେ ସନ୍ଧି (Treaty of Berlin) ହୋଇ କଳହ ନିଷ୍ପତ୍ତି ହୋଇଥିଲା । ସନ୍ଧିଫଳରେ ବୁଲଗେରିୟା ସ୍ୱାଧୀନତା ଲାଭକଲା । ତୁରସ୍କର ସୁଲତାନ୍‌ ତାଙ୍କ ରାଜ୍ୟର ଖ୍ରୀଷ୍ଟିୟାନ୍‌ ପ୍ରଜାମାନଙ୍କ ଉପରେ କୌଣସି ପ୍ରକାର ଅତ୍ୟାଚାର କରିବେ ନାହିଁ ବୋଲି ପ୍ରତିଶ୍ରୃତି ଦେଲେ । ସାଇପ୍ରମ୍‌ ଦ୍ୱୀପ ଇଂରେଜମାନଙ୍କର ଅଧିକାରଭୁକ୍ତ ହେଲା । ଡିସରେଲି ଏହି ସନ୍ଧି ସମ୍ପର୍କରେ ବିଶେଷ ନେତୃତ୍ୱ ଗ୍ରହଣ କରିଥିଲେ । ସେ ଇଂଲାଣ୍ତକୁ ଫେରି ଆସି ଗର୍ବରେ କହିଲେ ଯେ ସେ ଋଷିଆ ଓ ତୁରସ୍କ ମଧ୍ୟରେ ସନ୍ଧି ଇଂଲାଣ୍ତ ପ୍ରତି ସମ୍ମାନ ଓ ଗୌରବର ସହିତ ସମ୍ପନ୍ନ କରୁଥିଲେ (Peace with honour to England) ତାଙ୍କ ମନ୍ତ୍ରୀତ୍ୱ ସମୟରେ ଦକ୍ଷିଣ ଆଫ୍ରିକାନିବାସୀ ଜୁଲମାନେ ପରାସ୍ତ ହୋଇଥିଲେ ଓ ଜୁଲମାନଙ୍କ ରାଜ୍ୟରେ ଇଂରେଜମାନଙ୍କ ଆଧିପତ୍ୟ ପ୍ରତିଷ୍ଠିତ ହୋଇଥିଲା-

 

ଗ୍ଲାଡ୍‌ଷ୍ଟୋନ୍‌ଙ୍କ ଦ୍ୱିତୀୟବାର ମନ୍ତ୍ରୀତ୍ୱ- (ଖ୍ରୀ: ଅ: ୧୮୮୦-ଖ୍ରୀ: ଅ: ୧୮୮୫)-ଖ୍ରୀ: ଅ: ୧୮୮୦ରେ ଗ୍ଲାଡ୍‌ଷ୍ଟୋନ୍‌ ଦ୍ୱିତୀୟବାର ଇଂଲାଣ୍ତର ପ୍ରଧାନ ମନ୍ତ୍ରୀ ହୋଇଥିଲେ । ସେ ଆଇରିଶ୍‌ମାନଙ୍କୁ ସନ୍ତୁଷ୍ଟ କରିବାପାଇଁ ଖ୍ରୀ: ଅ: ୧୮୮୨ରେ ଦ୍ୱିତୀୟ ଆଇରିଶ୍‌ ଜମିଜମା ଆଇନ ପ୍ରବର୍ତ୍ତନ କରିଥିଲେ । ଏହାଦ୍ୱାରା ଆଇରିଶ୍‌ ପ୍ରଜାମାନଙ୍କର ଜମି ଉପରେ ଅଧିକାର ବା ସ୍ୱତ୍ୱ ସ୍ୱୀକୃତ ହୋଇଥିଲା ଓ କର ଧାର୍ଯ୍ୟ ସମ୍ୱନ୍ଧରେ ଗୋଟିଏ ନିୟମ ପ୍ରଣୀତ ହୋଇଥିଲା । କିନ୍ତୁ ସେମାନେ ଏଥିରେ ସନ୍ତୁଷ୍ଟ ନ ହୋଇ ପୂର୍ବପରି ସ୍ୱାଧିନତା ଆନ୍ଦୋଳନ ଚଳାଇ ଥିଲେ ।

 

ଖ୍ରୀ: ଅ: ୧୮୮୪ରେ ସେ ତୃତୀୟ ସଂସ୍କାର ପ୍ରଣୟନ କରିଥିଲେ । ଏହି ଆଇନ ଫଳରେ ମଫସଲର ଶ୍ରମିକମାନେ ଭୋଟ୍‌ ଅଧିକାର ପ୍ରାପ୍ତ ହୋଇଥିଲେ । ଇଂଲଣ୍ତର ପ୍ରତ୍ୟେକ ପ୍ରଦେଶକୁ ସମାନ ଲୋକସଂଖ୍ୟା ବିଶିଷ୍ଟ ନିର୍ବାଚନ ମଣ୍ତଳୀରେ ବିଭକ୍ତ କରାଗଲା ଓ ପ୍ରତ୍ୟେକ ମଣ୍ତଳୀରୁ ପାର୍ଲାମେଣ୍ଟକୁ ଜଣେ ଲେଖାଏଁ ପ୍ରତିନିଧି ନିର୍ବାଚନ କରିବାର ବ୍ୟବସ୍ଥା ହେଲା । ଏହି ଆଇନଦ୍ୱାରା ଇଂଲାଣ୍ତରେ ପ୍ରକୃତ ଗଣତନ୍ତ୍ର ଶାସନ ପ୍ରତିଷ୍ଠିତ ହେଲା ।

 

ଆୟାର୍ଲାଣ୍ତରେ ହୋମରୁଲ୍‌ ଆନ୍ଦୋଳନ :- ଆଇରିଶ୍‌ମାନେ ଇଂରେଜ ଶାସନରେ ଘୋର ଅସନ୍ତୁଷ୍ଟ ହୋଇ ହୋମରୁଲ୍‌ ବା ସ୍ୱରାଜ୍ୟ ପାଇବାପାଇଁ ପ୍ରଚଳ ଆନ୍ଦୋଳନ ଚଳାଇଥିଲେ । ଚାର୍ଲସ୍‌ ଷ୍ଟୁଆର୍ଟ୍‌ ପାର୍ନେଲ୍‌ ଏହି ଆନ୍ଦୋଳନରେ ମୁଖ୍ୟ ନେତା ଥିଲେ । ଆୟାର୍ଲାଣ୍ତକୁ ଇଂରେଜମାନଙ୍କଠାରୁ ସ୍ୱାଧୀନ କରି ଆୟାର୍ଲାଣ୍ତର ରାଜଧାନୀ ଡବଲିନୁଠାରେ ସ୍ୱତନ୍ତ୍ର ପାର୍ଲାମେଣ୍ଟ ପ୍ରତିଷ୍ଠା କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା । ବ୍ରିଟିଶ୍‌ ପାର୍ଲାମେଣ୍ଟରେ ଆଇରିଶ୍‌ ସଭ୍ୟମାନେ ହୋମରୁଲ୍‌ ଦାବୀ ସମ୍ୱନ୍ଧରେ ଦୀର୍ଘ ବକ୍ତୃତାମାନ ଦେଇ ପାର୍ଲାମେଣ୍ଟର ବହୁକାର୍ଯ୍ୟ ପଣ୍ତ କରୁଥିଲେ । ପାର୍ନେଲ୍‌ପ୍ରଜାମାନେ ଜମିରେ ପୂର୍ଣ୍ଣ ଅଧିକାର ଲାଭ ନିମିତ୍ତ ଆନ୍ଦୋଳନ ଚଳାଇବାପାଇଁ ଗୋଟିଏ ଲାଣ୍ତ ଲିଗ୍‌ (Land League) ଗଠନ କରିଥିଲେ । କିନ୍ତୁ ଏହି ସମିତି ନାନାସ୍ଥାନରେ ହତ୍ୟାକାଣ୍ତ କରିବାରୁ ଇଂରେଜ ସରକାର ଭୀଷଣ ଦମନ ଚଳାଇଲେ । ଗ୍ଲାଡ୍‌ଷ୍ଟୋନ୍‌ ଏହି ସମିତିକୁ ଭାଙ୍ଗି ପାର୍ନେଲ୍‌ ଓ ଅନ୍ୟାନ୍ୟ ଆଇରିଶ୍‌ ନେତାମାନଙ୍କୁ ବନ୍ଦୀ କରିଥିଲେ । କିନ୍ତୁ କିଛିଦିନ ପରେ ସେମାନଙ୍କୁ ଜେଲରୁ ଖଲାସ କରାଗଲା ଓ ଆଇରିଶ୍‌ମାନଙ୍କୁ କେତେକ ସୁବିଧା ଦିଆଯାଇଥିଲା । କିନ୍ତୁ ସେଥିରେ ସେମାନେ ସନ୍ତୁଷ୍ଟ ହୋଇ ନ ଥିଲେ ।

 

ଗ୍ଲାଡ୍‌ଷ୍ଟୋନ୍‌ଙ୍କ ତୃତୀୟ ଓ ଚତୁର୍ଥବାର ମନ୍ତ୍ରୀତ୍ୱ:- ଖ୍ରୀ: ଅ: ୧୮୮୬ରେ ଗ୍ଲାଡ୍‌ଷ୍ଟୋନ୍‌ ତୃତୀୟବାର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଆୟାର୍ଲାଣ୍ତକୁ ସୀମାବଦ୍ଧ ସ୍ୱାଧୀନତା ଦେଇ ଆଇରିଶ୍‌ମାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଥିଲେ । ଏଥିପାଇଁ ସେ କମନ୍ସ ସଭାରେ ପ୍ରଥମ ହୋମରୁଲ୍‌ ବିଲ୍‌ ଆଗତ କରିଥିଲେ । କିନ୍ତୁ ଏହା ତିରିଶଟି ଅଧିକ ଭୋଟରେ ଅଗ୍ରାହ୍ୟ ହୋଇଥିଲା-। ଖ୍ରୀ: ଅ: ୧୮୯୨ରେ ଗ୍ଲାଡ୍‌ଷ୍ଟୋନ୍‌ ଚତୁର୍ଥଥର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ପୁନର୍ବାର ପାର୍ଲାମେଣ୍ଟରେ ଖ୍ରୀ: ଅଃ: ୧୮୫୩ରେ ଦ୍ୱିତୀୟ ହୋମରୁଲ୍‌ ବିଲ୍‌ ଆଗତ କରିଥିଲେ । ଏହି ବିଲ୍‌କମନ୍ସ ସଭାଦ୍ୱାରା ଗୃହୀତ ହୋଇଥିଲା । କିନ୍ତୁ ଲର୍ଡସଭା ଏହି ବିଲକୁ ଏକାବେଳକେ ଅଗ୍ରାହ୍ୟ କରିଥିଲା । ଏଥିରେ ଗ୍ଲାଡ୍‌ଷ୍ଟୋନ୍‌ଙ୍କ ପ୍ରାଣରେ ଦାରୁଣ ଆଘାତ ଲାଗିଲା ଓ ସେ ଖ୍ରୀ: ଅ: ୧୮୯୪ ରେ ମନ୍ତ୍ରୀ ପଦରୁ ଅବସର ଗ୍ରହଣ କରିଥିଲେ । ଏହି ବିଲ୍‌ ଆଗତ କରିବା ଯୋଗୁଁ ତାଙ୍କ ଦଳର ଅନେକ ସଭ୍ୟ ତାଙ୍କ ଉପରେ ବିରକ୍ତ ପ୍ରକାଶକରି ଇଉନିୟନିଷ୍ଟ ଦଳ (Unionist Party) ନାମକ ଗୋଟିଏ ସ୍ୱତନ୍ତ୍ର ଦଳ ସୃଷ୍ଟି କରିଥିଲେ । ଗ୍ଲାଡ୍‌ଷ୍ଟୋନ୍‌ ବହୁକାଳ ଜନ୍ମଭୂମିର ସେବାକରି ଖ୍ରୀ: ଅ: ୧୮୯୪ରେ ପ୍ରାଣତ୍ୟାଗ କରିଥିଲେ । ତାଙ୍କ ମତ୍ୟୃର ବହୁକାଳ ପରେ ଖ୍ରୀ: ଅ: ୧୯୨୧ରେ ଆୟର୍ଲାଣ୍ଡର ଅଧିକାଂଶ ଅଂଶ ଗୋଟିଏ ସ୍ୱାଧୀନ ରାଜ୍ୟରେ ପରିଣତ ହେଲା ।

 

ସାଲିସବରିଙ୍କ ମନ୍ତ୍ରୀତ୍ୱ :- ସେ ଖ୍ରୀ: ଅ: ୧୮୮୫ରେ ପ୍ରଥମବାର ଅଳ୍ପକାଳ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ଦ୍ୱିତୀୟଥର ସେ ଖ୍ରୀ: ଅ: ୧୮୮୬-୧୮୯୨ ପର୍ଯ୍ୟନ୍ତ ଇଂଲଣ୍ତର ପ୍ରଧାନମନ୍ତ୍ରୀ ଥିଲେ । ଏହି ସମୟରେ ଆୟାର୍ଲାଣ୍ତର ଆନ୍ଦୋଳନ ଦମନ କରିବାପାଇଁ ସେ ଆଇରିଶ୍ ଦଣ୍ତବିଧି ଆଇନ (Irish Crimes Act) ଓ ଇଂଲଣ୍ତର ପ୍ରଦେଶମାନଙ୍କରେ ସ୍ୱାୟତ୍ତଶାସନ ପ୍ରତିଷ୍ଠା କରିବା ପାଇଁ କଣ୍ଟ୍ରି କାଉନ୍‌ସିଲ ଆଇନ୍ (Country Council Act) ପ୍ରଣୟନ କରିଥିଲେ । ସେ ଖ୍ରୀ: ଅ: ୧୮୯୧ରେ ଗୋଟିଏ ଆଇନ ଦ୍ୱାରା ଇଂଲଣ୍ତରେ ପ୍ରଚଳିତ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷାକୁ ଅବୈତନିକ କରିଥିଲେ । ସେ ଇଂଲାଣ୍ତର ଉପନିବେଶମାନଙ୍କ ସହିତ ବନ୍ଧୁତା ସୁଦୃଢ କରିବାପାଇଁ ସ୍ୱାୟତ୍ତଶାସନ ପ୍ରାପ୍ତ ଇଂରେଜ ଉପନିବେଶମାନଙ୍କର ପ୍ରତିନିଧିମାନଙ୍କୁ ଲଣ୍ତନର ଗୋଟିଏ ସମ୍ମିଳନୀକୁ ଆହ୍ୱାନ କରିଥିଲେ । ଏହି ସମ୍ମିଳନୀ ବିଶେଷ ଫଳପ୍ରଦ ହୋଇଥିଲା । ସାଲିସବରି ଖ୍ରୀ: ଅ: ୧୮୯୫-୧୯୦୨ ପର୍ଯ୍ୟନ୍ତ ତୃତୀୟଥର ପାଇଁ ଇଂଲାଣ୍ତର ସ୍ୱାର୍ଥରକ୍ଷା ଓ ବାଣିଜ୍ୟ ବ୍ୟବସାୟର ପ୍ରସାର ପାଇଁ ବିଶେଷ ଯତ୍ନ କରିଥିଲେ ।

 

ଦକ୍ଷିଣ ଆଫ୍ରିକାରେ ବ୍ରିଟିଶ ସାମ୍ରାଜ୍ୟ ପ୍ରତିଷ୍ଠା – ନେପୋଲିୟନଙ୍କ ସଙ୍ଗେ ଯୁଦ୍ଧସମୟରେ ଇଂରେଜମାନେ ଡ଼ଚମାନଙ୍କଠାରୁ ଉତ୍ତମାଶା ଅନ୍ତଦୀପ ( Cape Colony ) ନିକଟବର୍ତ୍ତୀ ରାଜ୍ୟ ଅଧିକାର କରିଥିଲେ । ସେଠାରେ ଡ଼ଚ ଅଧିବାସୀମାନେ ବୁଅର (Boer) ନାମରେ ପରିଚିତ ଥିଲେ । ଇଂରେଜମାନେ ଖ୍ରୀ: ଅ: ୧୮୩୩ରେ କ୍ରୀତଦାସମାନଙ୍କୁ ମୁକ୍ତ ଦେବାରୁ ସେମାନଙ୍କବିନା କୃଷିକାର୍ଯ୍ୟ ଚଳାଇବା ବୁଅରମାନଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଲା । ତେଣୁ ସେମାନେ କ୍ରୋଧ ଓ ବିରକ୍ତିରେ ଇଂରେଜ ରାଜ୍ୟ ପରିତ୍ୟାଗ କରି ସ୍ତ୍ରୀ, ପୁତ୍ର, ଧନ ସମ୍ପତ୍ତି ସଙ୍ଗରେ ଘେନି ଉତ୍ତର ଦିଗକୁ ନୂତନରାଜ୍ୟ ସନ୍ଧାନରେ ପଳାଇଗଲେ । ସେମାନଙ୍କ ମଧ୍ୟରୁ କେତେକ ନେଟାଲ ନାମକ ରାଜ୍ୟ, କେତେକ ଅରେଞ୍ଜ ଓ ଭାଲ ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ଅରେଞ୍ଜଫ୍ରିଷ୍ଟେଟ୍ ନାମକ ରାଜ୍ୟ ଓ ଅନ୍ୟ କେତେକ ଭାଲ ନଦୀ ଅତିକ୍ରମ କରି ଟ୍ରାନ୍ପଭାଲ୍ ନାମକ ଗଣତନ୍ତ୍ର (Republic) ପ୍ରତିଷ୍ଠା କରିଥିଲେ । କିନ୍ତୁ ୧୮୪୩ ଖ୍ରୀଷ୍ଟାବ୍ଦରେ ଇଂରେଜମାନେ ନେଟାଲ ରାଜ୍ୟ ଅଧିକାର କରିଥିଲେ । ଅରେଞ୍ଜିଫ୍ରିଷ୍ଟେଟ୍ ଓ ଟ୍ରାନ୍ସଭାଲ୍ ବୁଅରମାନଙ୍କ ଅଧୀନରେ ରହିଲା ଓ ଇଂରେଜ ସରକାର ପ୍ରଥମେ ସେମାନଙ୍କର ସ୍ୱାଧୀନତା ସ୍ୱୀକାର କରିଥିଲେ । କିମୂର୍ଲି ନିକଟରେ ହୀରାଖଣିମାନ ଆବିଷ୍କୃତ ହେବାରୁ ଅନେକ ଇଂରେଜ ଉକ୍ତ ରାଜ୍ୟରେ ବସତି ସ୍ଥାପନ କରିବାକୁ ଲାଗିଲେ । ଏଥିଯୋଗୁଁ ବୁଅର ଓ ଇଂରେଜମାନଙ୍କ ମଧ୍ୟରେ ସର୍ବଦା କଳହ ଲାଗିଲା । ଶେଷକୁ ଇଂରେଜମାନେ ଖ୍ରୀ: ଅ: ୧୮୭୭ରେ ଟ୍ରାନ୍ସଭାଲ୍ ରାଜ୍ୟ ଅଧିକାର କରିଥିଲେ ।

 

ଦକ୍ଷିଣ ଆଫ୍ରିକାରେ ଜୁଲୁ ନାମକ ଏକ ଯୁଦ୍ଧ ନିରୁଣ ଜାତି ବାସ କରୁଥିଲେ । ଇଂରେଜମାନଙ୍କର ଟ୍ରାନ୍ସଭାଲ୍ ଅଧିକାର କରିବା ସମୟରେ ଜୁଲୁମାନଙ୍କ ସଙ୍ଗେ ମନୋମାଳିନ୍ୟ ଘଟିଥିଲା । ତେଣୁ ୧୮୭୯ରେ ଜୁଲୁମାନଙ୍କ ସଙ୍ଗେ ଯୁଦ୍ଧ ହେଲା । ଯୁଦ୍ଧରେ ଜୁଲୁମାନେ ପରାସ୍ତ ହୋଇଗଲେ ଓ ଜୁଲୁ ରାଜ୍ୟରେ ଇଂରେଜ ଆଧିପତ୍ୟ ପ୍ରତିଷ୍ଠିତ ହେଲା । ଖ୍ରୀ: ଅ: ୧୮୮୭ରେ ସମଗ୍ର ଜୁଲୁରାଜ୍ୟ ବ୍ରିଟିଶ ସାମ୍ରାଜ୍ୟଭୁକ୍ତ ହୋଇଥିଲା ।

 

ବୁଅର ଯୁଦ୍ଧ- ଜୁଲୁମାନେ ଇଂରେମାନଙ୍କ ଦ୍ୱାରା ପରାସ୍ତ ହେବା ପରେ ବୁଅରମାନେ ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ, ଓ ଇଂରେଜମାନଙ୍କୁ ଖ୍ରୀ: ଅ: ୧୮୮୧ରେ ପରାସ୍ତ କରିଥିଲେ । ତେଣୁ ଗ୍ଳାଡ଼୍‌ଷ୍ଟୋନ୍ ସେମାନଙ୍କୁ ସ୍ୱାୟତ୍ତଶାସନ ପ୍ରଦାନ କରିଥିଲେ । କିନ୍ତୁ ଟ୍ରାନ୍ସଭାଲ୍ ରାଜ୍ୟରେ ସ୍ୱର୍ଣ୍ଣଖଣି ଆବିଷ୍କୃତ ହେବାରୁ ଅନେକ ଇଂରେଜ ଉକ୍ତ ରାଜ୍ୟରେ ବସତି ସ୍ଥାପନ କରିଥିଲେ । ବୁଅରମାନେ ସେମାନଙ୍କ ଉପରେ ଉଚ୍ଚ କରଧାର୍ଯ୍ୟ କରିଥିଲେ କିନ୍ତୁ ସେମାନଙ୍କୁ ସାଧାରଣତନ୍ତ୍ରରେ କୌଣସି ଅଧିକାର ପ୍ରଦାନ କରି ନ ଥିଲେ । ଇଂରେଜମାନେ ଏହା ବିରୁଦ୍ଧରେ ଖ୍ରୀ: ଅ: ୧୮୯୫ରେ ଜେମସେନ୍ ନାମକ ଜଣେ ଇଂରେଜ କମ୍ପାନୀ କର୍ମଚାରୀ ଦ୍ୱାରା ଟ୍ରାନ୍ସଭାଲ୍ ଆକ୍ରମଣ କରିଥିଲେ । କିନ୍ତୁ ସେ ପରାସ୍ତ ହୋଇ ଆତ୍ମସମର୍ପଣ କରିଥିଲେ । ଖ୍ରୀ: ଅ: ୧୮୯୮ରେ ଟ୍ରାନ୍ସଭାଲ୍ ଓ ଅରେଞ୍ଜଫ୍ରିଷ୍ଟେଟ୍ ମିଳିତ ହୋଇ ଇଂଲାଣ୍ତ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ । ପ୍ରଥମେ ପ୍ରଥମେ ବୁଅରମାନେ ଇଂରେଜମାନଙ୍କୁ ସର୍ବତ୍ର ପରାସ୍ତ କରିଥିଲେ । ତେଣୁ ଲର୍ଡ଼ ରବର୍ଟସ (Lord Roberts) ପ୍ରାୟ ଦୁଇଲକ୍ଷ ସୈନ୍ୟ ସହ ଆଫ୍ରିକାକୁ ପ୍ରେରିତ ହେଲେ । ସେ ଉକ୍ତ ଦୁଇ ରାଜ୍ୟର ରାଜଧାନୀ ଅଧିକାର କରିଥିଲେ । ତଥାପି ବୁଅରମାନେ ବହୁକାଳ ଯୁଦ୍ଧ ଚଳାଇଥିଲେ । ଏହି ଯୁଦ୍ଧ ସମୟରେ କାନାଡ଼ା, ଅଷ୍ଟ୍ରେଲିୟା ଓ ନିଉଜିଲାଣ୍ତ ଇଂରେଜମାନଙ୍କୁ ସାହାଯ୍ୟ କରିବାପାଇଁ ଦକ୍ଷିଣ ଆଫ୍ରିକାକୁ ସୈନ୍ୟ ପଠାଇଥିଲେ । ଲର୍ଡ଼ରବର୍ଟସ୍‌ଙ୍କ ପରେ ଲର୍ଡ଼ କିଚ୍‌ନର ଇଂରେଜ ସେନାପତି ରୂପେ ସେଠାକୁ ଗଲେ । ସେ ବୁଅରମାନଙ୍କୁ ପରାସ୍ତ କରିଥିଲେ । ଖ୍ରୀ: ଅ: ୧୯୦୨ରେ ସେମାନଙ୍କ ସହିତ ସନ୍ଧି ହୋଇଥିଲା । ଖ୍ରୀ: ଅ: ୧୯୦୬ରେ ସେମାନଙ୍କୁ ସ୍ୱାୟତଶାସନ ପ୍ରଦତ୍ତ ହୋଇଥିଲା ଓ ଖ୍ରୀ: ଅ: ୧୯୦୯ରେ ଦକ୍ଷିଣ ଆଫ୍ରିକାସ୍ଥ ଚାରୋଟି ଇଂରେଜ ଉପନିବେଶ ( ନେଟାଲ, କେପ୍ ଅଫ୍ ଗୁଡ଼ହୋପ୍, ଟ୍ରାନ୍ସଭାଲ୍ ଓ ଅରେ୍ଞ୍ଜଫ୍ରିଷ୍ଟେଟ୍ ) ମିଳିତ ହୋଇ ଦକ୍ଷିଣ ଆଫ୍ରିକା ସମ୍ମେଳନ (South Africa Union ) ଗଠିତ ହେଲା ।

 

ଊନବିଂଶ ଶତାବ୍ଦୀର ମଧ୍ୟଭାଗରୁ ଇଂରେଜ, ଜର୍ମାନ୍, ଫରାସୀ ପ୍ରଭୃତି ଇଉରୋପୀୟ ଜାତିମାନେ ମଧ୍ୟ ଆଫ୍ରିକାରେ ନିଜ ନିଜର ଆଧିପତ୍ୟ ବିସ୍ତାର କରିବାପାଇଁ ପ୍ରତିଦ୍ୱନ୍ଦିତା ଆରମ୍ଭ କଲେ । ଖ୍ରୀ: ଅ: ୧୮୮୬ -୧୮୮୯ ମଧ୍ୟରେ ନାଇଜର କମ୍ପାନୀ (Niger Company ) ବ୍ରିଟିଶ ପୂର୍ବ ଆଫ୍ରିକା କମ୍ପାନୀ; (British East Africa Company) ଓ ବ୍ରିଟିଶ ଦକ୍ଷିଣ ଆଫ୍ରିକା କମ୍ପାନୀ (British South Afica Company) ଆଫ୍ରିକାର ଉପରୋକ୍ତ ରାଜ୍ୟମାନଙ୍କରେ ଇଂରେଜ ଆଧିପତ୍ୟ ବିସ୍ତାର କରିଥିଲେ । ଇଂରେଜମାନେ ଖ୍ରୀ: ଅ: ୧୮୯୬ ପୂର୍ବରୁ ନିୟାସାଲାଣ୍ତ, ଉଗାଣ୍ତା, ଜାଞ୍ଜିବର ପ୍ରଭୃତିରେ ମଧ୍ୟ ଆଧିପତ୍ୟ ବିସ୍ତାର କରିଥିଲେ ।

 

ଇଜିପ୍ଟ (ମିସର) ଓ ସୁଦାନରେ ଇଂରେଜ ଆଧିପତ୍ୟ ପ୍ରତିଷ୍ଟା- ଖ୍ରୀ: ଅ: ୧୮୭୬ରେ ଇଂଲାଣ୍ତ ଓ ଫ୍ରାନ୍ସ ମିଳିତ ହୋଇ ମିସର ଶାସକ ଖେଦିବ୍‌ଙ୍କୁ ପଦଚ୍ୟୁତ କରି ମିସରର ଶାସନଭାର ଗ୍ରହଣ କରିଥିଲେ । ମିସରର ଲୋକମାନେ ଏହି ବ୍ୟବସ୍ଥାରେ ବିଶେଷ ଅସନ୍ତୁଷ୍ଟ ହୋଇଥିଲେ । ଖ୍ରୀ: ଅ: ୧୮୮୨ରେ ଆରବୀପାଶା ନାମକ ଜଣେ ସେନାନାୟକ ବିଦେଶୀମାନଙ୍କୁ ତଡ଼ିବାପାଇଁ ବିଦ୍ରୋହ କରିଥିଲେ । କିନ୍ତୁ ସେ ଇଂରେଜମାନଙ୍କ ଦ୍ୱାରା ପରାସ୍ତ ହୋଇଥିଲେ । କିନ୍ତୁ ଏହି ବିପଦ ସମୟରେ ଫରାସୀମାନେ ଇଂରେଜମାନଙ୍କୁ କୌଣସି ସାହାଯ୍ୟ କରି ନ ଥିବାରୁ ଖ୍ରୀ: ଅ: ୧୮୮୨ରୁ ମିସରରେ ଫରାସୀମାନଙ୍କର କୌଣସି କ୍ଷମତା ରହିଲା ନାହିଁ ଓ ଏହା ଇଂରେଜ ଅଧିକୃତ ହେଲା ?

 

ମିସର ଇଂରେଜ ପ୍ରାଧାନ୍ୟ ପ୍ରତିଷ୍ଠିତ ହେବାରୁ ସୁଦାନର ଲୋକମାନେ ମାହଦି (Mahdi) ଉପାଧିଧାରୀ ଜଣେ ବ୍ୟକ୍ତିଙ୍କ ଅଧୀନରେ ଇଂରେଜମାନଙ୍କ ବିରୁଦ୍ଧରେ ଅସ୍ତ୍ରଧାରଣ କରିଥିଲେ । ଜେନେରାଲ ଗର୍ଡ଼ନ୍ ସେମାନଙ୍କର ବିଦ୍ରୋହ ଦମନ କରିବା ପାଇଁ ପ୍ରେରିତ ହୋଇଥିଲେ । କିନ୍ତୁ ଖ୍ରୀ: ଅ; ୧୮୮୫ରେ ସେ ପରାସ୍ତ ଓ ନିହିତ ହୋଇଥିଲେ । ଏହି ଘଟନାର ୧୩ବର୍ଷ ପରେ ଲର୍ଡ଼ କିଚ୍‌ନର ମାହାଦିଙ୍କ ଉତ୍ତରାଧିକାରୀଙ୍କୁ ପରାସ୍ତ ଓ ନିହିତ କରି ସୁଦାନ୍ ଅଧିକାର କରିଥିଲେ । ଏହି ପ୍ରକାରେ ଭିକ୍ଟୋରିୟାଙ୍କ ଦୀର୍ଘ ରାଜତ୍ୱ ମଧ୍ୟରେ ଆଫ୍ରିକାରେ ବିଶାଳ ଇଂରେଜ ସାମ୍ରାଜ୍ୟ ପ୍ରତିଷ୍ଠିତ ହୋଇଥିଲା ।

 

କାନାଡ଼ାକୁ ଔପନିବେଶିକ ସ୍ୱାୟତ୍ତଶାସନ ପ୍ରଦାନ- ସପ୍ତବର୍ଷବ୍ୟାପୀ ଯୁଦ୍ଧ ପରେ କାନାଡ଼ା ଇଂରେଜ ଅଧିକୃତ ହେଲା । ଖ୍ରୀ: ଅ: ୧୭୯୧ରେ କାନାଡ଼ା ଅଣ୍ଟାରିଓ ଓ କୁଇବେକ୍ ନାମକ ଦୁଇଟି ପ୍ରଦେଶରେ ବିଭକ୍ତ ହୋଇଥିଲା । ଅଣ୍ଟାରିଓରେ ଇଂରେଜ ପ୍ରୋଟେଷ୍ଟାଣ୍ଟ୍‌ ମାନେ ଓ କୁଇବେକ୍‌ରେ ଫରାସୀ କ୍ୟାଥଲିକ୍‌ମାନେ ବେଶି ସଂଖ୍ୟାରେ ବାସ କରୁଥିଲେ । ଭିକ୍ଟୋରିୟାଙ୍କ ରାଜତ୍ୱ ଆରମ୍ଭରେ କାନାଡ଼ା ଅଧିବାସୀ ଫରାସୀମାନେ ବିଦ୍ରୋହ କରିଥିଲେ । ସେଠାରେ ଇଂରେଜ ଅଧିବାସୀମାନେ ଇଂରେଜ ସରକାରଙ୍କ ପ୍ରତି ବିରକ୍ତ ଥିଲେ । ଖ୍ରୀ: ଅ: ୧୮୩୮ରେ ଲର୍ଡ଼ ଡ଼ର୍‌ହାମ୍ ଏହି ବିଷୟ ଅନୁସନ୍ଧାନ କରିବା ପାଇଁ କାନାଡ଼ାକୁ ପଠା ହୋଇଥିଲେ । ସେ କାନାଡ଼ାର ବିଭାଗ ଦ୍ୱୟକୁ ଏକତ୍ର କରି ସେମାନଙ୍କୁ ସ୍ୱାୟତ୍ତଶାସନ ଦେବାପାଇଁ ପରାମର୍ଶ ଦେଇଥିଲେ । ବ୍ରିଟିଶ୍ ସରକାର ତାଙ୍କର ପରାମର୍ଶ ଗ୍ରହଣ କରିଥିଲେ । ବ୍ରିଟିଶ୍ ସାମ୍ରାଜ୍ୟ ମଧ୍ୟରେ କାନାଡ଼ା ପ୍ରଥମେ ଖ୍ରୀ: ଅ: ୧୮୪୭ରେ ଔପନିବେଶିକ ସ୍ୱାୟତ୍ତଶାସନ ପ୍ରାପ୍ତ ହୋଇଥିଲା । ପରେ ଏହି ବିଭାଗ ଦୁଇଟି ସହିତ ନୋଭାସ୍କୋସିଆ, ନିଉବ୍ରନ୍ସଉଇକ୍, କଲମ୍ୱିଆ, ପ୍ରିନ୍ସ୍ଏଡ଼ଉଆର୍ଡ଼, ଆଇଲାଣ୍ତ୍, ଆଲବର୍ଟା, ସାସ୍କାଚୟେନ ବିଭାଗମାନ ମିଳିତ ହୋଇ ଆଧୁନିକ କାନାଡ଼ା ରାଷ୍ଟ୍ରସଙ୍ଘ (Federation) ଗଠିତ ହୋଇଥିଲା ।

 

ଅଷ୍ଟ୍ରେଲିୟାମହାଦେଶରେ ଇଂରେଜ ଆଧିପତ୍ୟ ବିସ୍ତାର :- ତୃତୀୟ ଜର୍ଜ୍ଜଙ୍କ ରାଜତ୍ୱରୁ ଇଂରେଜମାନେ ଅଷ୍ଟ୍ରେଲିୟାର ନାନାସ୍ଥାନରେ ବାସ କରିବାକୁ ଲାଗଲେ । ଖ୍ରୀ: ଅ: ୧୮୫୦ରେ ଅଷ୍ଟ୍ରେଲିୟାରେ ବାଲର୍ଟ ଓ ବିଣ୍ତିଗୋ ନାମକ ଦୁଇଟି ବୃହତ୍ ସ୍ୱର୍ଣ୍ଣଖଣି ଆବିଷ୍କୃତ ହେବାରୁ ଶତ ଶତ ଇଂରେଜ ବଣିକ, ନାବିକ, କିରାଣୀ, କୃଷକ, କୁଲି ସ୍ୱର୍ଣ୍ଣ ଲାଭକରି ହଠାତ୍ ଧନୀ ହୋଇଯିବା ଆଶାରେ ସେଠାକୁ ପଳାଇଲେ      । ଅଳ୍ପ କେତେକଙ୍କର ଭାଗ୍ୟୋଦୟ ହୋଇଥିଲା; କିନ୍ତୁ ଅଧିକାଂଶ ଅଷ୍ଟ୍ରେଲିୟାରେ କୃଷକ ଓ ମେଷପାଳକ ରୂପେ ବାସ କଲେ । ପାଞ୍ଚବର୍ଷ ମଧ୍ୟରେ ଅଷ୍ଟ୍ରେଲିୟାର ଲୋକ ସଂଖ୍ୟା ଦ୍ୱିଗୁଣିତ ହୋଇଗଲା ଓ ଅଷ୍ଟ୍ରେଲିୟା ଅନେକ ଛୋଟ ଛୋଟ ପ୍ରଦେଶରେ ବିଭକ୍ତ ହୋଇଥିଲା । ବ୍ରିଟିଶ୍ ସରକାର ଏହି ପ୍ରଦେଶମାନଙ୍କରେ କ୍ରମଶଃ ସ୍ୱାୟତ୍ତଶାସନ ପ୍ରବର୍ତ୍ତନ କରିଥିଲେ । ଖ୍ରୀ: ଅ: ୧୯୦୧ରେ ଅଷ୍ଟ୍ରେଲିୟାର ୬ଟି ପ୍ରଦେଶ ନିଉସାଉଥ୍ ଓୟେଲ୍‌ସ୍, ଭିକ୍ଟୋରିୟା, କୁଇନ୍ସ୍‌ ଲାଣ୍ତ୍,, ସାଉଥ୍ ଅଷ୍ଟ୍ରେଲିୟା, ଓୟେଷ୍ଟର୍ଣ୍ଣ୍ ଅଷ୍ଟ୍ରେଲିୟା ଓ ଟାସ୍‌ମାନିଆକୁ ସମ୍ମିଳିତ କରି ଅଷ୍ଟ୍ରେଲିଆ ପ୍ରଜାତନ୍ତ୍ର (Commonwealth of Australia) ନାମକ ରାଷ୍ଟ୍ରସଂଘ ପ୍ରତିଷ୍ଠିତ ହେଲା । ଭିକ୍ଟୋରିୟାଙ୍କ ରାଜତ୍ୱର ପ୍ରଥମ ଭାଗରେ ନିଉଜିଲାଣ୍ତ୍ ଦ୍ୱୀପରେ ଇଂରେଜ ଉପନିବେଶ ପ୍ରତିଷ୍ଠିତ ହୋଇଥିଲା । ଖ୍ରୀ: ଅ: ୧୯୦୬ରେ ଏହି ଦ୍ୱୀପକୁ ଔପନିବେଶିକ ସ୍ୱାୟତ୍ତଶାସନ ପ୍ରଦତ୍ତ ହେଲା ।

 

ଭାରତବର୍ଷ- ଭିକ୍ଟୋରିୟାଙ୍କରାଜତ୍ୱରେ ଭାରତରେ ଇଂରେଜ ସାମ୍ରାଜ୍ୟ ପୂର୍ଣ୍ଣାଙ୍ଗ ହେଲା । ଖ୍ରୀ: ଅ: ୧୮୫୮ରୁ ଭାରତର ଶାସନଭାର ଇଂରେଜ ସରକାର କଂପାନୀ ହସ୍ତରୁ ନେଇଯାଇ ନିଜେ ପରିଚାଳନ କରୁଛନ୍ତି । ଭିକ୍ଟୋରିୟାଙ୍କ ଦୀର୍ଘ ରାଜତ୍ୱ ମଧ୍ୟରେ ପୃଥିବୀର ସର୍ବାଞ୍ଚଳରେ ଇଂରେଜମାନଙ୍କ ସାମ୍ରାଜ୍ୟ ପ୍ରତିଷ୍ଠିତ ହୋଇଥିଲା ଓ ଇଂରେଜ ଜାତି ପୃଥିବୀର ଶକ୍ତିମାନଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କଲେ । ମହାରାଣୀ ଭିକ୍ଠୋରିୟା ଖ୍ରୀ: ଅ: ୧୯୦୧ରେ ସମଗ୍ର ଜଗତକୁ ଶୋକାଭିଭୂତ କରି ପରଲୋକ ଗମନ କଲେ ।

 

ଭିକ୍ଟୋରିୟାଙ୍କ ରାଜତ୍ୱରେ ଇଂଲାଣ୍ତର ବହୁବିଧ ଉନ୍ନତି- ମହାରାଣୀ ଭିକ୍ଟୋରିୟାଙ୍କ ଦୀର୍ଘ ୬୩ବର୍ଷ ରାଜତ୍ୱକାଳ ମଧ୍ୟରେ ଇଂଲାଣ୍ତ ବିଜ୍ଞାନ, ସାହିତ୍ୟ, ଦର୍ଶନ ପ୍ରଭୃତି ପ୍ରତ୍ୟେକ ବିଷୟରେ ଅସାଧାରଣ ଉନ୍ନିତ କରିଥିଲା । ତାଙ୍କ ରାଜତ୍ୱରେ ଇଂଲାଣ୍ତରେ ଅନେକ ରେଲରାସ୍ତା ନିର୍ମିତ ହେବାରୁ ବାଣିଜ୍ୟ ବ୍ୟବସାୟର ବିଶେଷ ଶ୍ରାବୃଦ୍ଧି ସାଧିତ ହୋଇଥିଲା । ଖ୍ରୀ: ଅ: ୧୮୩୮ରେ ପ୍ରଥମେ ତିନୋଟି ବାଷ୍ପୀୟ ପୋତ ଇଂଲାଣ୍ତ ଓ ନିଉୟର୍କ୍ ମଧ୍ୟରେ ଯାତାୟାତ କରିଥିଲା । ପରେ ଶତ ଶତ ବାଷ୍ପୀୟ ପୋତ ନିର୍ମିତ ହେବାରୁ ପୃଥିବୀର ସର୍ବତ୍ର ଇଂରେଜ ବାଣିଜ୍ୟ ବ୍ୟବସାୟ ପ୍ରସାର ଲାଭ କରିଥିଲା । ଖ୍ରୀ: ଅ: ୧୮୩୯ରେ ସାର୍ ରୋଲାଣ୍ତ୍ ହିଲ୍ ସୁଲଭ ମୂଲ୍ୟରେ ପତ୍ର ପ୍ରେରଣ ପ୍ରଥା ଚଳାଇଥିଲେ । ଏହାଦ୍ୱାରା ସର୍ବସାଧାରଣ ବିଶେଷ ଉପକୃତ ହୋଇଥିଲେ । ଜର୍ଜ୍ଜ ମେରିଡ଼ିଥ୍, ଡ଼ିକେନ୍ସ, ଥ୍ୟାକାରେ, ଜର୍ଜ୍ ଇଲିୟଟ୍ ପ୍ରଭୃତି ଔପନ୍ୟାସିକ ଏବଂ ଟେନିସନ୍, ବ୍ରାଉନିଂ ପ୍ରଭୃତି ବିଖ୍ୟାତ କବିଙ୍କ ଦ୍ୱାରା ଇଂରେଜ ସାହିତ୍ୟରେ ବିଶେଷ ଉନ୍ନତି ହୋଇଥିଲା । ଏ ଯୁଗର ଦାର୍ଶନିକମାନଙ୍କ ମଧ୍ୟରେ ଜନ୍ ଷ୍ଟୁୟାର୍ଟ୍‌ମିଲ୍, ଇର୍ବାର୍ଟସ୍ପେନର, ଡ଼ାର୍‌ଉଇନ୍ ପ୍ରଭୃତି ପ୍ରଧାନ । ମାଇକେଲଫାରାଡ଼େ ଏ ଯୁଗର ଶ୍ରେଷ୍ଠ ବୈଜ୍ଞାନିକ । ବୈଦୁତିକ ଶକ୍ତି ( Electricity) ସମ୍ୱନ୍ଧରେ ସେ ଅନେକ ନୂତକ ତଥ୍ୟ ପ୍ରକାଶ କରିଥିଲେ । ତାଙ୍କ ରାଜତ୍ୱରେ ଟେଲିଫୋନ୍, ତାରବିହୀନ- ତଡ଼ିତବାର୍ତ୍ତାବହ, ବ୍ୟୋମଯାନ, ମୋଟରକାର, ବୈଦ୍ୟୁତିକଆଲୋକ, ବୁଡ଼ାଜାହାଜ ପ୍ରଭୃତି ବିବିଧ ବୈଜ୍ଞାନିକ ଯନ୍ତ୍ରର ଆବିଷ୍କାର ଦ୍ୱାରା ମାନବଜାତିର ପରମକଲ୍ୟାଣ ସାଧିତ ହେଉଅଛି । ଏଣୁ ‘‘ଭିକ୍ଟୋରିୟା ଯୁଗ’’ ଇଂଲାଣ୍ତ ତଥା ପୃଥିବୀର ଇତିହାସରେ ଅମରାକ୍ଷରରେ ଲିପିବଦ୍ଧ ହୋଇ ରହିବ-

 

ତ୍ରୟୋଦଶ ଅଧ୍ୟାୟ

ସପ୍ତମ ଏଡ଼୍ ଉଆର୍ଡ (ଖ୍ରୀ:ଅ: ୧୯୦୧-୧୯୧୦)

 

ପ୍ରଧାନ ପ୍ରଧାନ ଘଟଣାର ସମୟ-

ଖ୍ରୀ: ଅ: ୧୯୦୧-

ସପ୍ତମ ଏଡ଼୍‌ଉଆର୍ଡଙ୍କ ସିଂହାସନାରୋହଣ ।

ଖ୍ରୀ: ଅ: ୧୯୦୨-

ଗ୍ରେଟ୍‌ବ୍ରଟେନ୍‌ର ଜାପାନ ସହିତ ସନ୍ଧି ।

ଖ୍ରୀ: ଅ: ୧୯୦୪-

ଇଂଲାଣ୍ଡ ଓ ଫ୍ରାନ୍ସ ମଧ୍ୟରେ ମିତ୍ରତା ସ୍ଥାପନ ।

ଖ୍ରୀ: ଅ: ୧୯୦୭-

ଇଂଲାଣ୍ଡ ଓ ଋଷିୟା ମଧ୍ୟରେ ବନ୍ଧୁତା ପ୍ରତିଷ୍ଠା ।

ଖ୍ରୀ: ଅ: ୧୯୦୯-

ପାର୍ଲାମେଣ୍ଟର ଲର୍ଡ ଓ କମନ୍ସ ସଭା ମଧ୍ୟରେ କଳହ ଆରମ୍ଭ ।

ଖ୍ରୀ: ଅ: ୧୯୧୦-

ସପ୍ତମ ଏଡ଼୍‌ଉଆର୍ଡଙ୍କ ମୃତ୍ୟୁ ।

 

ଶାନ୍ତିସ୍ଥାପକ ଏଡ଼ଉଆର୍ଡ଼- ମହାରାଣୀଭିକ୍ଟୋରିୟାଙ୍କ ମୃତ୍ୟୁ ପରେ ତାଙ୍କର ଜ୍ୟେଷ୍ଠପୁତ୍ର ସପ୍ତମ ଏଡ଼୍ଉଆର୍ଡ଼ ପ୍ରାୟ ୬୨ବର୍ଷ ବୟସରେ ଇଂଲାଣ୍ତର ରାଜା ହୋଇଥିଲେ । ସେ ଜଣେ ବିଦ୍ୱାନ୍, ବୁଦ୍ଧିମାନ୍, ବିଚକ୍ଷଣ, ଦୟାଳୁ, ସହାନୁଭୂତିସମ୍ପନ୍ନ ଓ ପରିଶ୍ରମୀ ସମ୍ରାଟ୍ ଥିଲେ । ସେ ପୃଥିବୀର ନାନା ସ୍ଥାନରେ ପରିଭ୍ରମଣ କରିଥିଲେ । ତାଙ୍କ ରାଜତ୍ୱରେ ଆରମ୍ଭରେ ଇଂଲାଣ୍ତର ଅନ୍ୟ କୌଣସି ରାଜଶକ୍ତି ସହିତ ବିଶେଷ ସଦ୍ଭାବ ନ ଥିଲେ । କ୍ରିମିୟା ଯୁଦ୍ଧ ସମୟରୁ ଋଷିୟା ଓ ଇଂଲାଣ୍ତ ମଧ୍ୟରେ ଶତ୍ରୁତା ଥିଲା । ଇଂଲାଣ୍ତ ଏକାକୀ ମିଶର ଅଧିକାର କରିବାରୁ ଫ୍ରାନ୍ସ ଓ ଇଂଲାଣ୍ତ ମଧ୍ୟରେ ମତାନ୍ତର ଘଟିଥିଲା । ସେ ସମୟରେ ଜର୍ମାନୀ ତାହାର ସୈନ୍ୟ ଓ ରଣତରୀ ସଂଖ୍ୟା ଅତି କ୍ଷିପ୍ରଭାବରେ ବୃଦ୍ଧି କରୁଥିଲା । ଇଂରେଜମାନେ ତାହାର ଏହି ଭୀଷଣ ଋଣ ସଜ୍ଜାକୁ ସର୍ବଦା ସନ୍ଦେହ ଚକ୍ଷୁରେ ଦେଖୁଥିଲେ । ସପ୍ତମ ଏଡ଼ଉଆର୍ଡ଼ ସାକ୍ଷାତ୍‌ଭାବେ ପରିଚିତ ହୋଇ ବା ରାଜ୍ୟ ପରିଦର୍ଶନ କରି ଇଉରୋପର ଅଧିକାଂଶ ରାଜାଙ୍କ ସହିତ ମିତ୍ରତା ସ୍ଥାପନ କରିଥିଲେ । ବିଭିନ୍ନ ଦେଶର ରାଜା ଓ ପ୍ରେସିଡ଼େଣ୍ଟମାନେ ତାଙ୍କର ଭ୍ରମଣର ମର୍ଯ୍ୟାଦା ରକ୍ଷାନିମିତ୍ତ ଲଣ୍ତନ ସହରକୁ ଆଗମନ କରିଥିଲେ । ପୃଥିବୀରୁ ଯୁଦ୍ଧ ଲୋପ କରି ଶାନ୍ତ ସ୍ଥାପନ କରିବା ତାଙ୍କ ଜୀବନର ପ୍ରଧାନ ଲକ୍ଷ୍ୟ ଥିଲା ।

 

ଏସିୟା ମହାଦେଶର ପୂର୍ବଭାଗରେ ଜାପାନ ଅତି ଅଳ୍ପ ସମୟ ମଧ୍ୟରେ ପାଶ୍ଚାତ୍ୟ ଭାଗରେ ଅନୁପ୍ରାଣିତ ହୋଇ ଓ ପାଶ୍ଚାତ୍ୟ ଋଣ ଶିକ୍ଷାରେ ଶିକ୍ଷିତ ହୋଇ ପ୍ରବଳ ପ୍ରତାପଶାଳୀ ହୋଇ ଉଠୁଥିଲା । ବ୍ରିଟିଶ୍ ସରକାର ଏହା ବହୁ ଦିନରୁ ଲକ୍ଷ୍ୟ କରିଥିଲେ ଓ ପୂର୍ବଭାଗରେ ଋଷିୟାର ପ୍ରାଧାନ୍ୟ ନଷ୍ଟ କରିବା ପାଇଁ ଖ୍ରୀ: ଅ: ୧୯୦୨ରେ ବ୍ରିଟେନ୍ ଜାପାନ ସହିତ ସନ୍ଧି ବନ୍ଧନରେ ଆବଦ୍ଧ ହୋଇଥିଲା । ଖ୍ରୀ: ଅ: ୧୯୦୩-୧୯୦୪ ମଧ୍ୟରେ ଇଂଲଣ୍ତ ଓ ଫ୍ରାନ୍ସ ମଧ୍ୟରେ ସନ୍ଧି ( Anglo-French Convention ) ସ୍ୱାକ୍ଷରିତ ହୋଇ ଉଭୟ ରାଜ୍ୟ ମଧ୍ୟରେ ବନ୍ଧୁତା ସ୍ଥାପିତ ହେଲା । ଇଂଲାଣ୍ତ ଓ ଋଷିୟା ମଧ୍ୟରେ ମଧ୍ୟ ମିତ୍ରତା (Anglo-Russian Convention) ପ୍ରତିଷ୍ଠିତ ହୋଇଥିଲା । ପରେ ଇଂଲାଣ୍ତ, ଫ୍ରାନ୍ସ ଓ ଋଷିୟା ମଧ୍ୟରେ କ୍ରୟୀଶକ୍ତିର ସନ୍ଧିବନ୍ଧନ (Triple Entente) ପ୍ରତିଷ୍ଠିତ ହୋଇଥିଲା । ଏହି ସନ୍ଧି ଯୋଗୁଁ ଜର୍ମାନୀର ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ଅସନ୍ତୋଷର କାରଣ ଦୂର କରିବା ପାଇଁ ଏଡ଼୍ଉଆର୍ଡ଼ ଜର୍ମାନୀ ସମ୍ରାଟ୍ କାଇଜରଙ୍କୁ ଇଂଲାଣ୍ତକୁ ନିମନ୍ତ୍ରଣକରି ଅଭ୍ୟର୍ଥନା କରିଥିଲେ ଓ ନିଜେ ଖ୍ରୀ: ଅ: ୧୯୦୯ରେ ରାଜ୍ଞୀଙ୍କ ସହିତ ବର୍ଲିନ୍ ନଗରକୁ ଗମନ କରିଥିଲେ । ଏହି ରୂପେ ଗମନାଗମନ ଫଳରେ ଉଭୟ ଦେଶ ମଧ୍ୟରେ ଅଶାନ୍ତର କାରଣ ଅନେକାଂଶରେ ଦୂରୀଭୂତ ହୋଇଥିଲା । ଏହି ରୂପେ ଇଉରୋପର ବିଭିନ୍ନ ଜାତି ମଧ୍ୟରେ ଶାନ୍ତି ସଂସ୍ଥାପନର ଚେଷ୍ଟା କରି ସପ୍ତମ ଏଡ଼୍ଉଆର୍ଡ଼ ପୃଥିବୀର ସର୍ବତ୍ର ‘ଶାନ୍ତି ସ୍ଥାପନ ଏଡ଼୍ଉଆର୍ଡ଼’ (Edward, the Peace-maker) ନାମରେ ଅଭିହିତ ହୋଇଥିଲେ ।

 

ବେଲ୍‌ଫୋରଙ୍କ ମନ୍ତ୍ରୀତ୍ୱ- ଖ୍ରୀ: ଅ: ୧୯୦୨ରୁ ରକ୍ଷଣଶୀଳ ଦଳର ନେତା ଏ, ଜେ, ବେଲ୍‌ଫୋର୍ (A . J . Balfour) ତିନିବର୍ଷ ପାଇଁ ଇଂଲାଣ୍ତର ପ୍ରଧାନ ମନ୍ତ୍ରୀ ହୋଇଥିଲେ । ସେତେବେଳେ ଶୃଳ୍କସଂସ୍କାର (Tariff reform) ଇଂଲାଣ୍ତର ପ୍ରଧାନ ସମସ୍ୟା ଥିଲା । ପ୍ରଧାନ ମନ୍ତ୍ରୀ ପୀଲ୍‌ଙ୍କ ସମୟରୁ ଇଂଲଣ୍ତ ଅବାଧ ବାଣିଜ୍ୟ (Free Trade) ନୀତିର ପକ୍ଷପାତୀ ଥିଲା । ପ୍ରଥମେ ପ୍ରଥମେ ଏହା ଇଂଲଣ୍ତର ବାଣିଜ୍ୟ ପ୍ରସାର ପକ୍ଷରେ ବିଶେଷ ସୁବିଧାଜନକ ଥିଲା । କିନ୍ତୁ ପୃଥିବୀର ଅନ୍ୟାନ୍ୟ ଜାତିମାନେ ବାଣିଜ୍ୟ କ୍ଷେତ୍ରରେ ଇଂଲାଣ୍ତ ସହିତ ଭୀଷଣ ପ୍ରତିଯୋଗିତା କରିବାରୁ ଅବାଧ ବାଣିଜ୍ୟ ନୀତି ଯୋଗୁଁ ଇଂଲାଣ୍ତର କ୍ଷତି ହେଲା । ସେ ସମୟରେ ଜୋସେଫ୍ ଚାମ୍ୱରଲେନ୍ ଔପନିବେଶିକ ସେକ୍ରେଟେରୀ (Colonial Secretary) ଥିଲେ । ସେ ଏହି ନୀତି ବଦଳାଇ ଇଂଲାଣ୍ଡକୁ ଆମଦାନୀ ହେଉଥିବା କେତେକ ଜିନିଷ ଉପରେ ଶୁଳ୍ପ ବସାଇବାକୁ ଓ ଇଂରେଜ ଉପନିବେଶମାନଙ୍କୁ ଅର୍ଥନୈତିକ ବନ୍ଧନରେ ବାନ୍ଧିବାକୁ ପ୍ରସ୍ତାବ କରିଥିଲେ । ତାଙ୍କର ଉଦ୍ଦେଶ୍ୟ ଥିଲା, ଇଂରେଜ ଅନଧିକୃତ ରାଜ୍ୟମାନଙ୍କ ଜିନିସ ଉପରେ ଅଧିକ ଶୁଳ୍ପ ବସାଇ ଉପନିବେଶର ପଦାର୍ଥମାନଙ୍କୁ ଶୁଳ୍ପ ଭାରରୁ ରକ୍ଷାକରିବା । କିନ୍ତୁ ତାଙ୍କର ଏହି ପ୍ରସ୍ତାବ ଗୃହୀତ ନ ହେବାରୁ ସେ ଖ୍ରୀ: ଅ: ୧୮୦୩ରେ ତାଙ୍କ କାର୍ଯ୍ୟ ଇସ୍ତଫା ଦେଇଥିଲେ ।

 

ଋଷଜାପାନ ଯୁଦ୍ଧ- ଏସିଆ ମହାଦେଶର ପ୍ରଶାନ୍ତ ମହାସାଗର ଉପକୂଳରେ ଋଷିୟା କ୍ରମଶଃ ଶକ୍ତିଶାଳୀ ହୋଇ ଉଠୁଥିଲା । ଖ୍ରୀ: ଅ: ୧୯୦୪ରେ ଋଷିୟା କୋରିୟା ଉପଦ୍ୱୀପ ଓ ମାଞ୍ଚୁରିୟାରେ ନିଜ ଆଧିପତ୍ୟ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଥିଲା । ଜାପାନ ସେଥିରେ ବାଧା ଦେଇଥିଲା । ଏହି ଯୁଦ୍ଧରେ ଇଂଲାଣ୍ଡ ଅନ୍ୟାନ୍ୟ ଶକ୍ତିମାନଙ୍କୁ ଋଷିୟାର ପକ୍ଷ ନେବାରେ ବାଧାଦେଇ ନିଜେ ଜାପାନକୁ ସାହାଯ୍ୟ ଦେଇଥିଲା । ଜାପାନୀମାନେ ଯୁଦ୍ଧରେ ଅସାଧାରଣ ବୀରତ୍ୱ ପ୍ରଦର୍ଶନ କରିଥିଲେ । ଜଳଯୁଦ୍ଧରେ ଜାପାନୀମାନେ ଋଷ ନୌବହରକୁ ସଂପୂର୍ଣ୍ଣରୂପେ ଧ୍ୱଂସକରି ଋଷିୟାର ଅଭେଦ୍ୟ ଦୁର୍ଗ ପୋର୍ଟ୍‌ ଅର୍ଥାର୍‌ ଅଧିକାର କରିଥିଲେ । ଯୁକ୍ତରାଷ୍ଟ୍ର ପ୍ରେସିଡ଼େଣ୍ଟ୍‌ ରୁଜଭେଲ୍ଟ୍‌ ମଧ୍ୟବର୍ତ୍ତୀ ହୋଇ ଜାପାନ ଓ ଋଷିୟା ମଧ୍ୟରେ ଖ୍ରୀ: ଅ: ୧୯୦୫ରେ ସନ୍ଧି ସ୍ଥାପନ କରିଥିଲେ । ଋଷିୟା ମାଞ୍ଚୁରିଆ ପରିତ୍ୟାଗ କରିଥିଲା ଓ ପୋର୍ଟ ଅର୍ଥାର ଜାପାନୀମାନଙ୍କର ହସ୍ତଗତ ହେଲା ।

 

ଆସ୍‌କୁଇଥ୍‌ଙ୍କ ମନ୍ତ୍ରୀତ୍ୱ - ଖ୍ରୀ: ଅ: ୧୯୦୫ରେ ବେଲ୍‌ଫୋର୍‌ ପଦତ୍ୟାଗ କଲାପରେ ଉଦାର ନୈତିକଦଳ ମନ୍ତ୍ରୀପରିଷଦରେ ପ୍ରାଧାନ୍ୟ ଲାଭ କରିଥିଲେ । ଖ୍ରୀ: ଅ: ୧୯୦୮ରେ ଏହି ଦଳର ନେତା ଆସକୁଲଥ (Asquith) ପ୍ରଧାନମନ୍ତ୍ରୀ ହୋଇଥିଲେ । ଖ୍ରୀ: ଅ: ୧୯୦୫ରୁ ସେ ସହକାରୀ ମନ୍ତ୍ରୀରୂପେ ରହିଥିଲେ । ଲୟେଡ଼୍‌ ଜର୍ଜ୍ଜ (Mr.Lloyd George) ସେ ସମୟରେ ଅର୍ଥସଚିବ ହୋଇଥିଲେ । ପାର୍ଲାମେଣ୍ଟର ସଂସ୍କାର ଆଇନମାନଙ୍କ ଫଳରେ ଶ୍ରମିକମାନେ ବହୁସଂଖ୍ୟାରେ ଭୋଟର ହୋଇ ପାରିଥିଲେ । ତେଣୁ ସେମାନଙ୍କଦ୍ୱାରା ନିର୍ବାଚିତ ଶ୍ରମିକସଭ୍ୟଙ୍କ ସଂଖ୍ୟା ପାର୍ଲାମେଣ୍ଟରେ କ୍ରମଶଃ ବୃଦ୍ଧିପ୍ରାପ୍ତ ହେଉଥିଲା । ଶ୍ରମିକଦଳ ସର୍ବଦା ଉଦାର ନୈତିକ ଦଳକୁ ସମର୍ଥନ କରୁଥିଲେ । ସେ ସହକାରୀ ଓ ପ୍ରଧାନମନ୍ତ୍ରୀ ରୂପେ ଶ୍ରମିକମାନଙ୍କ ହତାର୍ଥେ ଅନେକ ଆଇନ ପ୍ରଣୟନ କରୁଥିଲେ । ଦରିଦ୍ରମାନଙ୍କୁ ଚୋର, ଅତ୍ୟଧିକ ପରିଶ୍ରମ, ଦାରିଦ୍ର୍ୟ ଓ ଆକସ୍ମିକ ଦୁର୍ଘଟଣାରୁ ରକ୍ଷାକରିବା, ଶ୍ରମିକମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ଓ ସଂଗଠନ ଦ୍ୱାରା ସେମାନଙ୍କର ହିତ ସାଧନ, ଧନୀମାନଙ୍କ ଉପରେ ଅତ୍ୟଧିକ କର ବସାଇ ଦରିଦ୍ରମାନଙ୍କର ସାହାଯ୍ୟ ବିଧାନ ତାଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା ।

 

ସେ ବାଣିଜ୍ୟ ସମିତିମାନ (Trade-Board) ବସାଇ ସିଲାଇ, କାର୍ଯ୍ୟ ଓ ବାକ୍ସ, ଫିତା, କାର୍ଡ଼୍‌ ବୋର୍ଡ଼୍‌, ବ୍ଳାଉସ୍‌ ପ୍ରଭୃତି ନିର୍ମାଣ କାର୍ଯ୍ୟରେ ନିଯୁକ୍ତି ଶ୍ରମିକମାନଙ୍କର ସର୍ବନିମ୍ନ ବେତନହାର ଧାର୍ଯ୍ୟ କରିଥିଲେ । ଆଉ ଗୋଟିଏ ଆଇନଦ୍ୱାରା ନିର୍ଦ୍ଦିଷ୍ଟ ହେଲା ଯେ କୌଣସି ଶ୍ରମିକ କଳକାରଖାନାରେ କାମକରିବା ସମୟରେ ଆକସ୍ମିକ ଭାବରେ ଆଘାତପ୍ରାପ୍ତ ହେଲେ, ଆହତ ବ୍ୟକ୍ତିକୁ କାରଖାନାର ମାଲିକ କ୍ଷତିପୂରଣ ଦେବା । ସେ ଖ୍ରୀ: ଅ: ୧୯୦୮ରେ ‘Old Age Pensions Act’ ନାମକ ଆଇନ ପ୍ରଣୟନ କରିଥିଲେ । ଏହା ଅନୁଯାୟୀ ୭୦ବର୍ଷରୁ ଅଧିକ ବୟସ୍କ ଓ ବାର୍ଷିକ ଆୟ ୩୧ ପାଉଣ୍ଡ ୧୦ ଶିଲିଙ୍ଗରୁ କମ୍‌ଥିବା ବୃଦ୍ଧମାନଙ୍କର ଭରଣ ପୋଷଣ ନିମିତ୍ତ ସରକାର ତରଫରୁ ପେନ୍‌ସନ୍ ଦେବାର ବିଧାନ ହେଲା । ସେ ଶ୍ରମିକ ଓ ବେକାର ସମସ୍ୟା ସମାଧାନ କରିବାପାଇଁ ‘Labour Exchange Act’ ନାମକ ଆଇନ ତିଆରି କରିଥିଲେ । ଅନ୍ୟ ଗୋଟିଏ ଆଇନଦ୍ୱାରା କୋଇଲା ଖଣିରେ ଶ୍ରମିକମାନେ ଦିନକେ ୮/ ଘଣ୍ଟା କାମକରିବା ଧାର୍ଯ୍ୟ ହେଲା ।

 

ପାର୍ଲାମେଣ୍ଟର ତଳ ଓ ଉପର ବ୍ୟବସ୍ଥାସଭା ମଧ୍ୟରେ କଳହ - ଖ୍ରୀ: ଅ: ୧୯୦୯ରେ ହାଉସ୍‌ ଅଫ୍‌ କମନ୍ସ୍‌ ଓ ହାଉସ୍‌ ଅଫ୍‌ ଲର୍ଡ଼ସ୍‌ ମଧ୍ୟରେ ଭୀଷଣ କଳହ ଉପସ୍ଥିତ ହୋଇଥିଲା । ତଳ ବ୍ୟବସ୍ଥା ସଭା (କମନ୍ସ ସଭା) ଜନସାଧାରଣଙ୍କର ପ୍ରତିନିଧିମାନଙ୍କୁ ନେଇ ଗଠିତ, କିନ୍ତୁ ଉପର ବ୍ୟବସ୍ଥା ସଭାରେ ଲର୍ଡ ବା ସାମନ୍ତମାନେ ବଂଶ ପରମ୍ପରାକ୍ରମେ ସଦସ୍ୟ ରୂପେ ବସି ଆସୁଛନ୍ତି । ଦେଶରେ ଗାଣତନ୍ତ୍ରିକ ଭାବର ପ୍ରସାର ଯୋଗୁଁ ଲୋକମତ ଏହି ପ୍ରାଚୀନ, ପରଂପରାଗତ, ଲୋକସାଧାରଣଙ୍କ ସଙ୍ଗେ ସଂପର୍କହୀନ ଓ ଦାୟିତ୍ୱଶୂନ୍ୟ ଉପର ବ୍ୟବସ୍ଥା ସଭାର ଘୋର ବିରୋଧୀ ହୋଇ ଉଠୁଥିଲା । ଅନେକ ସମୟରେ ଏହି ଦୁଇ ବ୍ୟବସ୍ଥାସଭା ମଧ୍ୟରେ ନୀତିଗତ ପାର୍ଥକ୍ୟ ଯୋଗୁଁ ମତାନ୍ତର ଘଟିଥାଏ; କିନ୍ତୁ ଏଥର ମତାନ୍ତର ଭୀଷଣ ଆକାର ଧାରଣ କରିଥିଲା । ଖ୍ରୀ: ଅ: ୧୯୦୯ରେ ଅର୍ଥସଚିବ ବଜେଟ୍‌ ପେଶ୍‌ କଲାବେଳେ ଧନୀମାନଙ୍କ ଉପରେ ଭୂମିକର (Land Tax) ଧାର୍ଯ୍ୟ କରିବାପାଇଁ ପ୍ରସ୍ତାବ କରିଥିଲେ । ଏତଦ୍ୱାରା ସେମାନଙ୍କ ସ୍ୱାର୍ଥରେ ବାଧାପଡ଼ିବାର ଆଶଙ୍କା କରି ଲର୍ଡ଼୍‌ମାନେ ଏହି ବଜେଟ୍‌ ଆଦୌ ଗ୍ରହଣ କରି ନ ଥିଲେ; କିନ୍ତିୁ ତଳ ବ୍ୟବସ୍ଥାସଭା ନିଜ ଅଭୀଷ୍ଟ ସିଦ୍ଧପାଇଁ ଅଚଳ ଅଟଳ ରହିବାରୁ ଲର୍ଡ଼ମାନେ ନିରୂପାୟ ହୋଇ ସ୍ୱୀକୃତି ଜଣାଇଲେ ଓ ବଜେଟ୍‌ ଗୃହୀତ ହୋଇଗଲା । ଉଭୟ ବ୍ୟବସ୍ଥାସଭା ମଧ୍ୟରେ ଏହି ସଂଘର୍ଷ ଚାଲିଥିଲା ବେଳେ ସପ୍ତମ ଏଡ଼୍‌ଉଆର୍ଡ ଖ୍ରୀ: ଅ: ୧୯୧୦ରେ ପ୍ରାଣତ୍ୟାଗ କରିଥିଲେ ।

 

ଚତୁର୍ଥ ଅଧ୍ୟାୟ

ସମ୍ରାଟ୍‌ ପଞ୍ଚମ ଜର୍ଜ୍ଜ (ଖ୍ରୀ: ଅ: ୧୯୧୦-୧୯୩୬ ) ଓ

ସମ୍ରାଟ ଷଷ୍ଠ ଜର୍ଜ୍ଜ (ଖ୍ରୀ: ଅ: ୧୯୩୬-)

 

ପ୍ରଧାନ ପ୍ରଧାନ ଘଟଣାର ସମୟ-

ଖ୍ରୀ: ଅ: ୧୯୧୧-

ପାର୍ଲାମେଣ୍ଟ ଆକ୍ଟ ।

ଖ୍ରୀ: ଅ: ୧୯୧୪-

ହୋମରୁଲ ଆକ୍ଟ ।

ଖ୍ରୀ: ଅ: ୧୯୧୪-

ଇଉରୋପୀୟ ମହାସମର ଆରମ୍ଭ ।

ଖ୍ରୀ: ଅ: ୧୯୧୮-

ଇଉରୋପୀୟ ମହାସମର ଶେଷ

ଖ୍ରୀ: ଅ: ୧୯୧୯-

ଭାର୍ସେଲିସ୍‌ ସନ୍ଧି ।

 

ସମ୍ରାଟ୍‌ ସପ୍ତମ ଏଡ଼୍‌ଉଆର୍ଡ଼ଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ସମ୍ରାଟ୍‌ ପଞ୍ଚମ ଜର୍ଜ୍ଜ୍‌ ଖ୍ରୀ: ଅ: ୧୯୧୦ରେ ଇଂଲାଣ୍ଡର ସିଂହାସନ ଆରୋହଣ କରିଥିଲେ । ସେ ନିଜକୁ ଉଲଣ୍ଡପର୍‌ ରାଜବଂଶଧର (Descendant of the House of Windsor) ବୋଲି ପରିଚିତ କରାଇଲେ ।

 

ପାର୍ଲାମେଣ୍ଟ ଆକ୍ଟ - ଖ୍ରୀ: ଅ: ୧୯୧୧-ସପ୍ତମ ଏଡ଼୍‌ଉଆର୍ଡଙ୍କ ମୃତ୍ୟୁ ସମୟକୁ ପାର୍ଲାମେଣ୍ଟର ତଳ ଓ ଉପର ବ୍ୟବସ୍ଥା ସଭା ମଧ୍ୟରେ ଯେଉଁ ସଂଘର୍ଷ ଚାଲିଥିଲା ତାହା ପୁନର୍ବାର ଆରମ୍ଭ ହେଲା । ପ୍ରଧାନ ମନ୍ତ୍ରୀ ଆସ୍‌କୁଇଥ୍‌ଙ୍କ ଦ୍ୱାରା ଆଗତ ପାର୍ଲାମେଣ୍ଟ ବିଲ୍‌ ଲର୍ଡ଼ମାନଙ୍କର ଭୀଷଣ ପ୍ରତିରୋଧ ସତ୍ତ୍ୱେ ଆଇନରେ ପରିଣତ ହୋଇଥିଲା । ଏହାଦ୍ୱାରା ନିମ୍ନୋକ୍ତ ମତେ ସ୍ଥିର ହୋଇଥିଲା ।

 

(କ) ଅର୍ଥ ସଂକ୍ରାନ୍ତ କୌଣସି ବିଲ୍‌ରେ ଲର୍ଡ଼ସଭା ହନ୍ତକ୍ଷେପ କରି ପାରିବେ ନାହିଁ । ଏହା ସେମାନଙ୍କ ଦ୍ୱାରା ଗୃହୀତ ନ ହୋଇ ମଧ୍ୟ ରାଜାଙ୍କ ସମ୍ମତି ପାଇଲେ ସଙ୍ଗେ ସଙ୍ଗେ ଆଇନରେ ପରିଣତ ହୋଇ ଯିବ ।

 

(ଖ) ଯଦି ଅନ୍ୟ କୌଣସି ବିଲ୍‌ କ୍ରମାନ୍ୱୟରେ ତିନି ଅଧିବେଶନରେ କମନ୍ସସଡ଼ ଦ୍ୱାରା ଗୃହୀତ ହୁଏ, ତାହାହେଲେ ଲର୍ଡସଭା ତାହାର ବିରୋଧୀ ହେଲେ ମଧ୍ୟ ତାହା ଆଇନରେ ପରିଣତ ହୋଇଯିବ ।

 

(ଗ) ହାଉସ୍‌ଅଫ୍‌ କମନ୍ସ୍‌ ର ସ୍ଥିତିକାଳ ୭ବର୍ଷ ପରିବର୍ତ୍ତରେ ପାଞ୍ଚବର୍ଷ ହେବ ।

(ଘ) ପାର୍ଲାମେଣ୍ଟ ସଭ୍ୟମାନେ ବାର୍ଷିକ ୪୦୦ ପାଉଣ୍ଡ ବେତନ ପାଇବେ ।

 

ଏହି ଆଇନ ଗୃହୀତ ହେବା ଫଳରେ ଅର୍ଥନୈତିକ ସମସ୍ତ ବିଲ୍‌ରେ ଲର୍ଡ଼ସଭାର ହସ୍ତକ୍ଷେପ କ୍ଷମତା ରହିତ ହେଲା ଏବଂ ସାଧାରଣ ବିଲ୍‌କୁ କେବଳ ସଂଶୋଧନ କରିବାର କ୍ଷମତା ରହିଲା ।

 

ହୋମ୍‌ରୁଲ୍‌ ଆକ୍ଟ୍‌ - ଖ୍ରୀ: ଅ: ୧୯୧୪-ପ୍ରଧାନ ମନ୍ତ୍ରୀ ଆସ୍‌କୁଇଥ୍‌ ଆଇରିଶ୍‌ ଜାତୀୟବାଦୀମାନଙ୍କୁ ସନ୍ତୁଷ୍ଟ ‘‘କରିବା ପାଇଁ ଖ୍ରୀ: ଅ: ୧୯୧୨ରେ ହୋମ୍‌ରୁଲ୍‌ ବିଲ୍‌ ପୁନର୍ବାର ପାର୍ଲାମେଣ୍ଟରେ ଆଗତ କଲେ । ଳର୍ଡ଼ ସଭା ଏହା ବିରୁଦ୍ଧରେ ତୀବ୍ର ପ୍ରତିବାଦ କଲେହେଁ ଏହା କମନ୍ସ୍‌ ସଭାରେ ଉପର୍ଯ୍ୟୁପରି ତିନିଥର ଗୃହୀତ ହେବାରୁ ଆଇନରେ ପରିଣତ ହେଲା । ରାଜା ମଧ୍ୟ ଏଥିରେ ସ୍ୱୀୟ ସମ୍ମତି ପ୍ରଦାନ କରିଥିଲେ । ଏହି ଆଇନ ପ୍ରତିର୍ତ୍ତିତ ହେବା ସଙ୍ଗେ ସଙ୍ଗେ ଆୟର୍ଲାଣ୍ଡର ଅଲ୍‌ଷ୍ଟର୍‌ ପ୍ରଦେଶର ପ୍ରୋଟେଷ୍ଟାଣ୍ଟ୍‌ ମାନେ ଡ଼ବ୍‌ଲିନ୍‌ ଠାରେ ପ୍ରତିଷ୍ଠିତ ଆଇରିଶ୍‌ ପାର୍ଲାମେଣ୍ଟ ଦ୍ୱାରା ଶାସିତ ହେବାକୁ ଆଦୌ ସମ୍ମତ ହେଲେ ନାହିଁ । ସେମାନେ ଏଥିପାଇଁ ଯୁଦ୍ଧ କରିବାକୁ ମଧ୍ୟ ପ୍ରସ୍ତୁତ ହୋଇଗଲେ । ଆଇରିଶ୍‌ ଜାତୀୟ ଦଳ ଏହି ଆଇନ ପ୍ରବର୍ତ୍ତନ କରାଇବା ପାଇଁ ବଦ୍ଧପରିକର ହେଲେ । ଏହି ଦୁଇ ଦଳ ଭିତରେ ମତଭେଦ ଭୀଷଣାକାର ଧାରଣ କଲା ଓ ଆୟାର୍ଲାଣ୍ଡ୍‌ ରେ ଅର୍ନ୍ତଯୁଦ୍ଧ ଆସନ୍ନ ହୋଇପଡ଼ିଲା । ଏହି ସମୟରେ ଇଉରୋପୀୟ ମହାସମର ଆରମ୍ଭ ହୋଇ ଯିବାରୁ ଆୟର୍ଲାଣ୍ଡରେ ଏହି ଆଇନ ପ୍ରବର୍ତ୍ତିତ ହୋଇପାରିଲା ନାହିଁ ।

 

ଇଉରୋପୀୟ ମହାସମରର କାରଣମାନ :- ଖ୍ରୀ: ଅ: ୧୮୭୦ରେ ଜର୍ମାନୀ ଫ୍ରାନ୍ସକୁ ପରାସ୍ତ କରି ଇଉରୋପରେ ବିଶେଷ ଶକ୍ତିଶାଳୀ ହୋଇପଡ଼ିଲା । ଏହି ବିଜୟ ପରେ ଜର୍ମାନୀ ସମଗ୍ର ପୃ୍ଥିବୀରେ ନିଜ ପ୍ରାଧାନ୍ୟ ବିସ୍ତାର କରିବା ପାଇଁ ମନୋଯୋଗୀ ହେଲା । ଏହି ଉଦ୍ଦେଶ୍ୟ ସାଧନ ନିମିତ୍ତ ସେ ଅଷ୍ଟ୍ରିୟା ଓ ଇଟାଲୀ ସହିତ ମିତ୍ରତା ସ୍ଥାପନ କରିଥିଲା । ଏହା ତ୍ରିଶକ୍ତି ସମ୍ମେଳନ (Triple Alliance) ନାମରେ ଖ୍ୟାତ । ଫ୍ରନ୍ସ ଓ ଋଷିୟା ଜର୍ମାନୀର ଗତିବିଧିରେ ଆତଙ୍କିତ ହୋଇ ବନ୍ଧୁତା ସ୍ଥାପନ କରିଥିଲେ । ଏହା ଦ୍ୱିଶକ୍ତି ସମ୍ମେଳନ ବା ‘Dual Alliance’ ନାମରେ ଅଭିହିତ ହେଲା । ଇଂଲାଣ୍ଡ ପ୍ରଥମେ ପ୍ରଥମେ ଏହି ଉଭୟ ବିରୁଦ୍ଧ ପକ୍ଷ ସହିତ ବନ୍ଧୁ ଭାବରେ ଚଳୁଥିଲା । ସେ ସମୟରେ ଜର୍ମାନୀ ପ୍ରଶାନ୍ତ ମହାସାଗର ଓ ଆଫ୍ରିକା ମହାଦେଶରେ ଉପନିବେଶମାନ ପ୍ରତିଷ୍ଠା କରୁଥିଲା । ବ୍ୟବସାୟ ଓ ବାଣିଜ୍ୟରେ ଏହା ଅନ୍ୟାନ୍ୟ ଦେଶ ସହିତ ଭୀଷଣ ପ୍ରତିଯୋଗିତା ଆରମ୍ଭ କଲା । ଜର୍ମାନୀ ବିରାଟ ନୌବହର ଗଠନ, ସୈନ୍ୟସଂଖ୍ୟା କ୍ଷିପ୍ରଭାବରେ ବୃଦ୍ଧି ଓ ନାନାବିଧ ମାରଣାସ୍ତ୍ର ଉଦ୍ଭାବନ କରିବାରୁ ଇଂରେଜମାନେ ଆତଙ୍କିତ ହୋଇଥିଲେ । ତେଣୁ ସେମାନେ ଫରାସୀମାନଙ୍କ ସହିତ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇଥିଲେ । ପୁନଶ୍ଚ ଜର୍ମାନୀ ଅଷ୍ଟ୍ରିୟା ସାହାଯ୍ୟରେ ବଲକାନ୍‌ ଉପଦ୍ୱୀପର କ୍ଷୁଦ୍ର କ୍ଷୁଦ୍ର ରାଜ୍ୟମାନଙ୍କ ଉପରେ ନିଜର ପ୍ରାଧାନ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଥିଲା । ଆଉ ମଧ୍ୟ ଭାରତବର୍ଷ ଆକ୍ରମଣ ନିମିତ୍ତ ସହଜ ପଥ ପାଇବା ପାଇଁ ତୁରସ୍କ ସହିତ ମିତ୍ରତା ସ୍ଥାପନ କରିଥିଲା । ଏହି ଅଭୀଷ୍ଟ ସିଦ୍ଧି ନିମିତ୍ତ ଜର୍ମାନୀ ବର୍ଲିନ୍‌ଠାରୁ ବାଗ୍‌ଦାଦ୍‌ ପର୍ଯ୍ୟନ୍ତ ଗୋଟିଏ ରେଳପଥ ନିର୍ମାଣ କରିବାର ସକଳ ଆୟୋଜନ କରିଥିଲା ।

 

ଯୁଦ୍ଧାରମ୍ଭ:- ଖ୍ରୀ: ଅ: ୧୯୧୪ ଜୁନ୍‌ମାସରେ ଅଷ୍ଟ୍ରିୟା ରାଜ୍ୟର ଭାବିଉତ୍ତରାଧିକାରୀ ଆର୍କ୍‌ ଡ଼ିଉକ୍‌ ଫାର୍ଡ଼ନାଣ୍ଡ୍‌ ବୋସ୍‌ନିୟା ପ୍ରଦେଶର ରାଜଧାନୀ ସେରାଜେଭୋରେ ହତ୍ୟାକାରୀ କର୍ତ୍ତୃକ ନିହତ ହୋଇଥିଲେ । ଅଷ୍ଟ୍ରିୟା ଏହି ହତ୍ୟାପାଇଁ ବଲ୍‌କାନ୍‌ ଉପଦ୍ୱୀପର ଏକ କ୍ଷୁଦ୍ର ରାଜ୍ୟ ସର୍ବିୟାକୁ ଦୋଷୀ ସାବ୍ୟସ୍ତ କରିଥିଲା । ଜର୍ମାନ୍‌ ସମ୍ରାଟ୍‌ ସର୍ବିୟାକୁ ଦମନ କରିବା ପାଇଁ ଅଷ୍ଟ୍ରିୟାକୁ ସାହାଯ୍ୟ ଦେଲେ । ତେଣୁ ସର୍ବିୟାର ବନ୍ଧୁ ଋଷିୟା ସର୍ବିୟାକୁ ସାହାଯ୍ୟ ଦେଲା । ତହୁଁ ଜର୍ମାନୀ ଅଷ୍ଟ୍ରିୟା ଏକତ୍ର ହୋଇ ଋଷିୟା ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ ଓ ଫ୍ରାନ୍ସ ତାହାର ମିତ୍ର ଋଷିୟା ସହିତ ଯୁଦ୍ଧରେ ଯୋଗଦେଲା ।

 

ଜର୍ମାନୀ ପ୍ରଥମେ ଫ୍ରାନ୍ସକୁ ଧ୍ୱଂସକରି ପରେ ଋଷିୟାକୁ ଦମନ କରିବା ପାଇଁ ସ୍ଥିର କରିଥିଲା । ଏହି ଉଦ୍ଦେଶ୍ୟରେ ଜର୍ମାନୀ ଜବରଦସ୍ତି ବେଲ୍‌ଜିୟମ୍‌ ମଧ୍ୟଦେଇ ଫ୍ରାନ୍ସରେ ପ୍ରବେଶ କଲା । ପୂର୍ବରୁ ଇଉରୋପୀୟ ଶକ୍ତିମାନେ ଯୁଦ୍ଧ ସମୟରେ ବେଲ୍‌ଜିୟମ୍‌କୁ ନିରପେକ୍ଷ ରାଜ୍ୟ ବୋଲି ଗ୍ରହଣ କରିବାକୁ ପ୍ରତିଜ୍ଞା କରିଥିଲେ । ବର୍ତ୍ତମାନ ଜର୍ମାନୀ ପୂର୍ବ ପ୍ରତିଶ୍ରୁତି ଭଙ୍ଗକରି ବେଲ୍‌ଜିୟମ୍‌ ଧ୍ୱଂସକରି ଫ୍ରାନ୍ସ ଆକ୍ରମଣ କରିବାକୁ ଇଂଲାଣ୍ଡ ବାଧ୍ୟହୋଇ ଜର୍ମାନୀ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା ।

 

ଜର୍ମାଜୀ ବେଲ୍‌ଜିୟମ୍‌ ଧ୍ୱଂସକରି ସଙ୍ଗେ ସଙ୍ଗେ ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ ଆକ୍ରମଣ କରିବାକୁ ସୈନ୍ୟ ପ୍ରେରଣ କରିଥିଲା । ଏଥିରେ ବାଧା ଦେବା ପାଇଁ ବ୍ରିଟିଶ୍‌ ସୈନ୍ୟମାନେ ଫ୍ରାନ୍ସକୁ ପଠାହେଲେ । ଇଂରେଜ ଓ ଫରାସୀ ସୈନ୍ୟମାନେ ଏକତ୍ର ହୋଇ ପ୍ୟାରିସ୍‌ ଠାରୁ ଚାଳିଶ ମାଇଲ ଦୂରବର୍ତ୍ତୀ ମାର୍ଣ୍ଣ୍‌ (Marne) ନାମକ ସ୍ଥାନରେ ଜର୍ମାନ୍‌ସେନାର ଗତିରୋଧ କରିଥିଲେ । ପୂର୍ବଭାଗରେ (Eastern Front) ଜର୍ମାନୀ ସୈନ୍ୟମାନେ ଋଷିୟାର ଆକ୍ରମଣକାରୀ ସୈନ୍ୟବାହିନୀକୁ ପରାସ୍ତ କରିଥିଲେ । କିନ୍ତୁ ଋଷିୟା ଅଷ୍ଟ୍ରିୟାକୁ ପରାସ୍ତ କରି ତାହାର କେତେକାଂଶ ଅଧିକାର କରିବାକୁ ସମର୍ଥ ହୋଇଥିଲା । ସେହିବର୍ଷ ତୁରସ୍କ ଜର୍ମାନୀର ପକ୍ଷ ଗ୍ରହଣ କରିଥିଲା । ଖ୍ରୀ: ଅ: ୧୯୧୫ରେ ବୁଲ୍‌ଗେରିୟା ମଧ୍ୟ ଜର୍ମାନୀ ସହିତ ମିଶିଗଲା । ଏହିପରି ଜର୍ମାନୀ, ଅଷ୍ଟ୍ରିୟା-ହଙ୍ଗେରି, ତୁରସ୍କ, ବୁଲ୍‌ଗେରିୟା ଏକ ଦଳଭୁକ୍ତ ହେଲେ ଓ ସେମାନେ କେନ୍ଦ୍ରଶକ୍ତି ଗୋଷ୍ଠୀ ନାମରେ ଅଭିହିତ ହେଲେ । ଇଂଲାଣ୍ଡ, ଫ୍ରାନ୍ସ, ପ୍ରଭୃତି ମିତ୍ରଶକ୍ତିଗୋଷ୍ଠୀ ନାମରେ ପରିଚିତ ହେଲେ । ମିତ୍ରଶକ୍ତି ଗଣ ଖ୍ରୀ: ଅ: ୧୯୧୫ରେ ଇଟାଲୀକୁ ଜର୍ମାନୀ ପକ୍ଷରୁ ନିଜ ପକ୍ଷରୁ ଘେନି ଆସିବାଦ୍ୱାରା ସର୍ବାପେକ୍ଷା ବିଚକ୍ଷଣତାର କାର୍ଯ୍ୟ କରିଥିଲେ ।

 

ଖ୍ରୀ: ଅ: ୧୯୧୫ରେ ଇଂରେଜମାନେ ଅସ୍ତ୍ରଶସ୍ତ୍ରର ଅଭାବ ଯୋଗୁଁ ବିଶେଷ କୃତକାର୍ଯ୍ୟ ହୋଇ ନ ଥିଲେ । ସେହି ବର୍ଷ ଲୟେଡ଼ ଜର୍ଜ୍ଜ ଇଂଲାଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ କ୍ଷିପ୍ର ଭାବରେ ସହସ୍ର ସହସ୍ର ଅସ୍ତ୍ରଶସ୍ତ୍ର ନିର୍ମାଣ କରାଇଥିଲେ । ତଥାପି ଇଂରେଜମାନେ ବିଶେଷ ସାଫଲ୍ୟ ଲାଭ କରି ନ ଥିଲେ । ସର୍ବିୟାସମ୍ପୂର୍ଣ୍ଣ ରୂପେ ବିଧ୍ୱସ୍ତ ଓ ଜର୍ମାନ୍‌ମାନଙ୍କର କରତଳଗତ ହୋଇଥିଲା । ଋଷିୟାର ସୈନ୍ୟମାନେ ବାରମ୍ବାର ପରାଜିତ ହୋଇଥିଲା । ମେସୋପୋଟାମିୟାରେ ବ୍ରିଟିଶ୍‌ ଅଭିଯାନ ବିଫଳ ହୋଇଥିଲା । ମିତ୍ରଶକ୍ତିମାନେ ସ୍ଥଳଯୁଦ୍ଧରେ ଅକୃତକାର୍ଯ୍ୟ ହେଲେ ମଧ୍ୟ ନୌଯୁଦ୍ଧରେ ଇଂରେଜମାନେ ଜର୍ମାଜୀର ନୌଶକ୍ତିକୁ ଦମନ କରିଥିଲେ-। ଖ୍ରୀ: ଅ: ୧୯୧୬ରେ ଉତ୍ତର ମହାସାଗରସ୍ଥ ଜୁଟ୍‌ଲାଣ୍ଡ୍‌ ନିକଟରେ ହୋଇଥିବା ନୌଯୁଦ୍ଧରେ ଜର୍ମାନ୍‌ମାନେ ଭୀଷଣ ବୀରତ୍ୱ ଓ ବିଚକ୍ଷଣ ବୁଦ୍ଧିର ପରିଚୟ ଦେଇଥିଲେ ମଧ୍ୟ ପରିଶେଷରେ ପରାସ୍ତ ହୋଇଥିଲେ । ଜର୍ମାନୀ ଶତ ଶତ ବୁଡାଜାହାଜ ବ୍ୟବହାର କରି ଇଂଲାଣ୍ଡର ନୌବାଣିଜ୍ୟ ଓ ନୌଶକ୍ତି ଧ୍ୱଂସ କରିବାକୁ ପ୍ରାଣପଣ ଚେଷ୍ଟା କରିଥିଲା କିନ୍ତୁ କୃତକାର୍ଯ୍ୟ ହୋଇ ନ ଥିଲା ।

 

ଖ୍ରୀ: ଅ: ୧୯୧୭ରେ ଦୁଇଟି ପ୍ରଧାନ ଘଟଣା ଯୋଗୁଁ ଯୁଦ୍ଧର ଗତି ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତିତ ହୋଇଗଲା । ସେ ବର୍ଷ ଋଷିୟାରେ ଗୋଟିଏ ଭୀଷଣ ରାଷ୍ଟ୍ରବିପ୍ଳବ ଘଟିଥିଲା । ଏହି ବିପ୍ଳବ ଫଳରେ ଋଷିୟାର ସମ୍ରାଟ୍‌ ‘‘ଜାର୍‌’’ ସିଂହାସନଚ୍ୟୁତ ଓ ନିହତ ହୋଇଥିଲେ ଓ ‘‘ବଲ୍‌ ସେଭିକ୍‌’’ ଦଳ ଦେଶରେ ସାଧାଣଣ ତନ୍ତ୍ର ଶାସନ ପ୍ରଣାଳୀ ପ୍ରବର୍ତ୍ତନ କରିଥିଲେ । ଋଷିୟାର ବଲସେଭିକ୍‌ ସରକାର ଜର୍ମାନୀ ସହିତ ଖ୍ରୀ: ଅ: ୧୯୧୮ରେ ସନ୍ଧି କରିଥିଲେ । ଏହା ଫଳରେ ଜର୍ମାନୀ ପଶ୍ଚିମ ଭାଗରେ (Western Front) ନିଜର ବିରାଟ ରଣବାହିନୀ ପଠାଇ ଯୁଦ୍ଧ କରିବା ପାଇଁ ସୁଯୋଗ ପାଇଲା । ଜର୍ମାନୀ ନିରପେକ୍ଷ ରାଜ୍ୟମାନଙ୍କର ଜାହାଜଗୁଡ଼ିକୁ ବୁଡ଼ାଜାହାଜ ଇତ୍ୟାଦି ଦ୍ୱାରା ନଷ୍ଟ କରିବାରୁ ଆମେରିକା ଯୁକ୍ତ-ରାଷ୍ଟ୍ରର ପ୍ରେସିଡ଼େଣ୍ଟ୍‌ ଉଡ଼୍ର ଉଇଲ୍‌ସନ୍‌ (Widrow Wilson) ଖ୍ରୀ: ଅ: ୧୯୧୭ରେ ଜର୍ମାନୀ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ । ଆମେରିକା ଯୁଦ୍ଧରେ ଯୋଗଦାନ କରିବାରୁ କ୍ୟୁବା, ପାନାମା, ଗ୍ରୀସ୍‌, ଶ୍ୟାମ, ସାଇବେରିୟା ଚୀନ୍‌, ବ୍ରାଜିଲ୍‌ ପ୍ରଭୃତି ଜର୍ମାନୀ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ଜର୍ମାନୀର ପରାଜୟର ପଥ ସୁଗମ ହୋଇଗଲା ।

 

ଖ୍ରୀ: ଅ: ୧୯୧୭ରେ ହେଜାଜ୍‌ (Hedjaz) ର ଇଂରେଜ ଓ ଆରବ ସୈନ୍ୟମାନେ ପାଲେଷ୍ଟାଇନ୍‌ରେ ତୁର୍କୀମାନଙ୍କୁ ପରାସ୍ତକରି ଜେରୁଜେଲାମ୍‌ ଅଧିକାର କରିଥିଲେ । ଖ୍ରୀ: ଅ: ୧୯୧୮ ବେଳକୁ ମେସୋପୋଟାମିୟା, ସିରିୟା, ଆରବ ପ୍ରଭୃତି ତୁଭସ୍କ ସାମ୍ରାଜ୍ୟ ଭୁକ୍ତ ରାଜ୍ୟବୃନ୍ଦ ଇଂରେଜମାନଙ୍କ ସାହାଯ୍ୟରେ ତୁରସ୍କ ଅଧୀନରୁ ମୁକ୍ତହୋଇ ସ୍ୱାଧୀନତା ଲାଭକରିଥିଲେ-। ଏଣେ ଇଉରୋପରେ ମିତ୍ରଶକ୍ତିମାନେ ବାରମ୍ବାର ଜର୍ମାନି କତ୍ତୃକ ପରାଜିତ ହେବାରୁ ଲୟଡ଼ ଜର୍ଜ୍ଜ୍‌ ମିତ୍ରଶକ୍ତିମାନଙ୍କର ସମୂଦାୟ ସୈନ୍ୟ ଜଣେ ସୈନ୍ୟାଧ୍ୟକ୍ଷଙ୍କ ନେତୃତ୍ୱରେ ପରିଚାଳନ କରିବା ଅଧିକ ଫଳପ୍ରଦ ହେବ ବୋଲି ସ୍ଥିରକଲେ । ତାଙ୍କର ପରାମର୍ଶ ଅନୁଯାୟୀ ଫ୍ରାନ୍ସର ରଣ ନିପୂଣ ବିଖ୍ୟାତ ସେନାପତି ମାର୍ଶାଲ୍‌ ଫକ୍‌( Marshal Foch ) ମିତ୍ରଶକ୍ତି ବୃନ୍ଦଙ୍କ ସମୁଦାୟ ସୈନ୍ୟ ପରିଚାଳନାଭାର ଗ୍ରହଣ କରି ପ୍ରଧାନ ସେନାପତି ହେଲେ । ଏହି ବ୍ୟବସ୍ଥା ଫଳରେ ମିତ୍ରଶକ୍ତିଙ୍କ ସୈନ୍ୟମାନେ ଜର୍ମାନ୍‌ ସୈନ୍ୟମାନଙ୍କୁ ଦ୍ୱିତୀୟ ମାର୍ଣ ଯୁଦ୍ଧରେ ( ୧୯୧୮ ଜୁଲାଇ ) ସଂପୂର୍ଣ୍ଣରୂପେ ପରାସ୍ତକରି ଫ୍ରାନ୍ସର ଉତ୍ତରାଞ୍ଚଳ ବେଲଜିୟମକୁ ଜର୍ମାନ ଅଧିକାରରୁ ମୁକ୍ତ କରିଥିଲେ । ସେହିବର୍ଷ ବୁଲ୍‌ଗେରିୟା, ତୁରସ୍କ ଓ ଅଷ୍ଟ୍ରିୟା ପରାସ୍ତହୋଇ ସନ୍ଧିଭିକ୍ଷା କରିଥିଲେ ।

 

ଜର୍ମାନ ଉପନିବେଶମାନଙ୍କରେ ଯୁଦ୍ଧ- ଖ୍ରୀ: ଅ: ୧୯୧୪ରେ ଯୁଦ୍ଧ ଆରମ୍ଭ ହେଉ ହେଉ ଜାପାନ୍‌ ସାହାଯ୍ୟରେ ଇଂରେଜମାନେ ପ୍ରଶାନ୍ତ ମହାସାଗରରେ ଥିବା ସମସ୍ତ ଜର୍ମାନ୍‌ ଅଧିକୃତ ଦ୍ୱୀପ ଅଧିକାର କରିଥିଲେ । ଜାପାନ୍‌ ଜର୍ମାନୀ ଅଧୀନସ୍ଥ ଚୀନ୍‌ ଦେଶର କାୟଚୋ ବନ୍ଦର ଅଧିକାର କଲା । ସମ୍ମିଳିତ ଇଂରେଜ ଓ ଫରାସୀ ସେନା ଦ୍ୱାରା ଆଫ୍ରିକାରୁ ଜର୍ମାନୀ ଶାସିତ ଟୋଗୋଲାଣ୍ଡ୍‌ ଅଧିକୃତ ହୋଇଥିଲା । ଖ୍ରୀ: ଅ: ୧୯୧୬ରେ ଇଂରେଜମାନେ ଜର୍ମାନୀ ଶାସିତ କାମେରୁନ୍‌ ଓ ଜର୍ମାନ୍‌ ଦକ୍ଷିଣ ପଶ୍ଚିମ ଆଫ୍ରିକା ଅଧିକାର କରିଥିଲେ । ଖ୍ରୀ: ଅ: ୧୯୧୮ରେ ଜର୍ମାନ୍‌ ଶାସିତ ଦକ୍ଷିଣ ପୂର୍ବ ଆଫ୍ରିକା ଇଂରେଜମାନଙ୍କ ଅଧିକାର ଭୂକ୍ତ ହେଲା । ଏହିରୂପେ ଯୁଦ୍ଧ ଶେଷ ହେବା ପୂର୍ବରୁ ଜର୍ମାନୀ ନିଜର ସମସ୍ତ ଉପନିବେଶ ହରାଇଥିଲା ।

 

ଜର୍ମାନୀର ପରାଭବ ଓ ଉର୍ସେଲିସ୍‌ ସନ୍ଧି :- ନିଜର ମିତ୍ର ରାଜ୍ୟମାନଙ୍କ ଦ୍ୱାରା ପରିତ୍ୟକ୍ତ ହୋଇ, ନିଜର ସମୁଦାୟ ଉପନିବେଶ ହରାଇ, ବିଦେଶରୁ କୌଣସି ଖାଦ୍ୟପଦାର୍ଥ ନ ପାଇ ଓ ଚତୁର୍ଦ୍ଦିଗରେ ପ୍ରବଳଶତ୍ରୁ ଦ୍ୱାରା ଆକ୍ରାନ୍ତ ହୋଇ ଜର୍ମାନୀ ବାଧ୍ୟ ହୋଇ ଯୁଦ୍ଧ ପରିତ୍ୟାଗ କରିଥିଲା । ଖ୍ରୀ: ଅ: ୧୯୧୮ ନଭେମ୍ବର ୧୧ ତାରିଖରେ ଜର୍ମାନୀ ଯୁଦ୍ଧ-ବିରତି ପତ୍ରରେ ସ୍ୱାକ୍ଷର କରିଥିଲା । ତେଣୁ ସେହି ଦିନୁଁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷର ନଭେମ୍ବର ମାସ ୧୧ ତାରିଖ ଯୁଦ୍ଧ ବନ୍ଦ ଦିବସ ( Armistice Day ) ରୂପେ ପ୍ରତିପାଳିତ ହୁଏ ।

 

ଖ୍ରୀ: ଅ: ୧୯୧୯ର ଜୁନ୍‌ମାସ ୨୮ ତାରିଖରେ ଭାର୍ସେଲିସ୍‌ ନଗରରେ ସ୍ଥାୟୀ ସନ୍ଧିପତ୍ର ସ୍ୱାକ୍ଷରିତ ହୋଇଥିଲା । ଜର୍ମାନୀ ଅନନ୍ୟଗତିକ ହୋଇ ମିତ୍ର ଶକ୍ତିମାନଙ୍କର ପ୍ରଦତ୍ତ ସକଳ ସର୍ତ୍ତ ଗ୍ରହଣ କରିଥିଲା । ଏହାର କେତେକ ସର୍ତ୍ତ ନିମ୍ନରେ ପ୍ରଦତ୍ତ ହେଲା ।

 

(କ) ଜର୍ମାନୀ କେବଳ ରାଜ୍ୟରକ୍ଷାପାଇଁ ଉପଯୁକ୍ତ ଓ ଅଳ୍ପସଂଖ୍ୟକ ସୈନ୍ୟ ଓ ରଣତରୀ ରଖିପାରିବ । (ଖ) ଯୁଦ୍ଧପାଇଁ ଉପଯୁକ୍ତ କ୍ଷତିପୂରଣ ଟଙ୍କା ଜର୍ମାନୀ ମିତ୍ର ଶକ୍ତିମାନଙ୍କୁ ପ୍ରଦାନ କରିବ-। (ଗ) ଆଲ୍‌ସେସ୍ ଓ ଲାରେନ୍‌ ପ୍ରଦେଶ ଫ୍ରାନ୍ସ ପୁନର୍ବାର ଫେରି ପାଇଲା । (ଘ) ଜର୍ମାନୀର କେତେକାଂଶ ପୋଲାଣ୍ଡ୍‌ ରାଜ୍ୟର ଅନ୍ତର୍ଭୁକ୍ତ ହେଲା । (ଙ) ଜର୍ମାନ୍‌ ଉପନିବେଶ ସମୂହ ମିତ୍ରଶକ୍ତିମାନଙ୍କର ଅଧିକାର ଭୂକ୍ତ ହେଲା । (ଚ) ଅଷ୍ଟ୍ରିୟା ଓ ହଙ୍ଗେରୀ ଦୁଇଟି ସ୍ୱତନ୍ତ୍ର ସାଧାରଣ ତନ୍ତ୍ର ରାଜ୍ୟରୂପେ ପରିଗଣିତ ହେଲା । (ଛ) ଯେକୋସ୍ଳୋଭାକିୟା ଓ ଯୁଗୋସ୍ଳାଭିୟା ନାମକ ଦୁଇଟି ନୂତନ ରାଜ୍ୟ ଗଠିତ ହେଲା ଏବଂ ଟ୍ରାନ୍ସିଲ୍‌ଭେନିୟା ରୋମାନିୟା ସହିତ ମିଳିତ ହେଲା । ଏହି ସନ୍ଧି ଛଡ଼ା ଆହୁରି ଅନେକ ଛୋଟ ଛୋଟ ସନ୍ଧି ହୋଇଥିଲା ।

 

ଭାର୍ସେଲିସ ସନ୍ଧି ଫଳରେ ଜର୍ମାନୀର ଶକ୍ତି ଚୂର୍ଣ୍ଣୀଭୂତ ହେଲା ଓ ଜର୍ମାନୀ ତାହାର ଉପନିବେଶମାନ ହରାଇଲା । ଅଷ୍ଟ୍ରିୟା ଓ ତୁରସ୍କର ସାମ୍ରାଜ୍ୟ ଧ୍ୱଂସ ହେଲା । ଇଂଲାଣ୍ଡ ଓ ଫ୍ରାନ୍ସ୍‌ ଇଉରୋପରେ ସର୍ବଶ୍ରେଷ୍ଠ ଶକ୍ତି ହେଲେ ।

 

ବିଶ୍ୱ ଜାତି ସଂଘ ‘‘The League of Nationas’’-ଯୁକ୍ତରାଜ୍ୟର ସଭାପତି ଉଡ଼୍ରୋଉଇଲ୍‌ସନ୍‌ଙ୍କ ପରାମର୍ଶାନୁଯାୟୀ ପୃଥିବୀରେ ଭବିଷ୍ୟତରେ ଯୁଦ୍ଧବିଗ୍ରହ ନିବାରଣ, ଆନ୍ତର୍ଜାତିକ ବିଧିବିଧାନମାନଙ୍କର ସୁନିୟନ୍ତ୍ରଣ ପୃଥିବୀର ବିଭିନ୍ନ ଜାତି ମଧ୍ୟରେ ଶାନ୍ତି ଓ ସହଯୋଗିତା ପ୍ରତିଷ୍ଠା ନିମିତ୍ତ ଖ୍ରୀ: ଅ: ୧୯୨୦ରେ ଜେନେଭା ନଗରୀରେ ବିଶ୍ୱଜାତି ସଙ୍ଘ ପ୍ରତିଷ୍ଠିତ ହୋଇଥିଲା । ଜାତିସଙ୍ଘ ଦ୍ୱାରା ଆଦିଷ୍ଟ ହୋଇ ମିତ୍ର ଶକ୍ତିଗଣ ତୁରସ୍କ ଓ ଜର୍ମାନୀଠାରୁ ଅଧିକୃତ ପ୍ରଧାନ ପ୍ରଧାନ ରାଜ୍ୟର ଶାସନ ଭାର (Mandate) ପାଇଥିଲେ । ମେସୋପୋଟାମିୟା, ପାଲେଷ୍ଟାଇନ୍, ଜର୍ମାନ୍‌ପୂର୍ବଆଫ୍ରିକା, ଟୋଗୋଲାଣ୍ଡ୍‌, କାମେରୁନ୍‌ ପ୍ରଦେଶର ଶାସନଭାର ଇଂରେଜ ସରକାର ଉପରେ ସମର୍ପିତ ହେଲା । ଫ୍ରାନ୍ସ୍‌ ସିରିୟା ଓ ଆଫ୍ରିକାସ୍ଥ କେତେକ ଜର୍ମାନ୍‌ ଉପନିବେଶ ଲାଭ କରିଥିଲା । ଜର୍ମାନୀ-ଅଧିକୃତ ଦକ୍ଷିଣପଶ୍ଚିମ ଆଫ୍ରିକା ଇଂରେଜ ଶାସିତ ଦକ୍ଷିଣ ଆଫ୍ରିକା ସମ୍ମେଳନ ସହିତ ମିଳିତ ହୋଇଥିଲା । ଜର୍ମାନୀ-ଅଧିକୃତ ପ୍ରଶାନ୍ତ ମହାସାଗରସ୍ଥ ଦ୍ୱୀପପୁଞ୍ଜର ଶାସନଭାର ଅଷ୍ଟ୍ରେଲିୟା ଗ୍ରହଣ କରିଥିଲା । ଜାପାନ୍‌ କାୟୋଚୋ ବନ୍ଦର ଓ ପ୍ରଶାନ୍ତମହାସାଗରସ୍ଥ କେତୋଟି ଦ୍ୱୀପ ପ୍ରାପ୍ତହେଲା ।

 

ସ୍ତ୍ରୀମାନଙ୍କର ଭୋଟ୍‌ ଅଧିକାର ଲାଭ- ସ୍ତ୍ରୀମାନେ ଯୁଦ୍ଧ ସମୟରେ ଅସ୍ତ୍ର ଶସ୍ତ୍ର ନିର୍ମାଣ କରି ଓ ରଣକ୍ଷେତ୍ରରେ ଆହତ ସୈନିକମାନଙ୍କର ସେବାକରି ଦେଶର ପ୍ରଭୂତ ଉପକାର ସାଧନ କରିଥିଲେ । ସ୍ତ୍ରୀମାନଙ୍କ ମଧ୍ୟରେ ଶିକ୍ଷାର ବିସ୍ତାର ଯୋଗୁଁ ସେମାନେ ଶାସନ କାର୍ଯ୍ୟରେ ଅଧିକାର ପାଇବା ପାଇଁ ଦାବୀ କରୁଥିଲେ । ସେମାନଙ୍କୁ ସନ୍ତୁଷ୍ଟ କରିବାପାଇଁ ପ୍ରଧାନମନ୍ତ୍ରୀ ଲୟଡ଼୍‌ ଜର୍ଜ୍ଜ ଭୀଷଣ ଯୁଦ୍ଧବିଗ୍ରହର ଅଶାନ୍ତି ମଧ୍ୟରେ ମଧ୍ୟ ଖ୍ରୀ: ଅ: ୧୯୧୮ରେ ଗୋଟିଏ ଆଇନ କରିଥଲେ । ଏହା ଫଳରେ ଏକବିଂଶ ବର୍ଷ ବୟସ୍କ ବା ତଦୁର୍ଦ୍ଧ୍ୱ ବୟସର ପୁରୁଷାମାନେ ଓ ତ୍ରିଂଶବର୍ଷ ବୟସର ବା ତଦୁର୍ଦ୍ଧ୍ୱ ବୟସର ସ୍ତ୍ରୀମାନେ ଭୋଟର ଶ୍ରେଣୀଭୁକ୍ତ ହେଲେ । ଏହାଦ୍ୱାରା ପ୍ରାୟ ୯୦ ଲକ୍ଷ ସ୍ତ୍ରୀ ଲୋକ ଭୋଟ୍‌ଦେବାର ଅଧିକାର ପାଇଲେ । ଏହି ଆଇନ ପ୍ରଣୟନ କରି ଲୟଡ଼୍‌ ଜର୍ଜ୍ଜ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲେ ।

 

ଆୟର୍ଲାଣ୍ଡର ସ୍ୱାଧୀନତା ଆନ୍ଦୋଳନ- ମହାଯୁଦ୍ଧ ଯୋଗୁଁ ଆୟାର୍ଲାଣ୍ଡରେ ତୃତୀୟ ହୋମ୍‌ରୁଲ୍‌ ଆଇନ ପ୍ରବର୍ତ୍ତିତ ହୋଇପାରି ନ ଥିଲା । ଯୁଦ୍ଧ ସମୟରେ ଏହାର ଅବସ୍ଥା ଭୀଷଣ ବିପଜ୍ଜନକ ଥିଲା । ସିନ୍‌ଫିନ୍‌( Sinn Fein) ନାମକ ଗୋଟିଏ ଚରମ ପନ୍ଥୀଦଳ ଡ଼ି.ଭ୍ୟାଲେରା ନାମକ ଜଣେ ନେତାଙ୍କ ଅଧୀନରେ ଦେଶରେ ସ୍ୱାଧୀନ ଗଣତନ୍ତ୍ର ଶାସନ ପ୍ରତିଷ୍ଠା କରିବା ପାଇଁ ପ୍ରବଳ ଆନ୍ଦୋଳନ ଚଳାଇ ଥିଲେ । ସେମାନେ ମହାସମର ପାଇଁ ସୈନ୍ୟ ସାହାଯ୍ୟ ବନ୍ଦ କରିଥିଲେ ଓ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଜର୍ମାନ୍‌ମାନଙ୍କୁ ମଧ୍ୟ ଆହ୍ୱାନ କରିଥିଲେ । ଖ୍ରୀ: ଅ: ୧୯୧୬ରେ ଡ଼ବ୍‌ଲିନ୍‌ଠାରେ ସେମାନେ ଗୋଟିଏ ବିଦ୍ରୋହ କରିଥିଲେ । ବ୍ରିଟିଶ୍‌ ସରକାର ଅଶେଷ କ୍ଳେଶ ଓ ବହୁ ରକ୍ତପାତ ପରେ ଏହି ବିଦ୍ରୋହ ଦମନ କରିବାକୁ ସମର୍ଥ ହୋଇଥିଲେ । ସେମାନଙ୍କର ନେତା ଡ଼ି.ଭ୍ୟାଲେରୀ ଶତ ଦମନ ସତ୍ତ୍ୱେ ନିବୃତ୍ତ ନ ହୋଇ ସ୍ୱାଧୀନତାର ସଂଗ୍ରାମ ଚଳାଇଥିଲେ । ପ୍ରଧାନମନ୍ତ୍ରୀ ଲୟଡ଼୍‌ ଜର୍ଜ୍ଜ ଆୟାର୍ଲାଣ୍ଡକୁ ସନ୍ତୁଷ୍ଟ କରିବା ପାଇଁ ଖ୍ରୀ: ଅ: ୧୯୨୦ରେ ‘‘ ଆୟାର୍ଲାଣ୍ଡ୍‌ ଶାସନ ଆଇନ’’ (The Government of Ireland Act) ପ୍ରଣୟନ କରିଥିଲେ । କିନ୍ତୁ ସିନ୍‌ଫିନ୍‌ଗଣ ଏହି ଶାସନ-ବିଧାନ ବିରୁଦ୍ଧରେ ତୀବ୍ର ଆନ୍ଦୋଳନ ଚଳାଇବାରୁ ଏହା କାର୍ଯ୍ୟରେ ପରିଣତ ହୋଇ ପାରିଲା ନାହିଁ । ବହୁ ଦମନ ସତ୍ତ୍ୱେ ଆୟାର୍ଲାଣ୍ଡର ସ୍ୱାଧୀନତା ଆନ୍ଦୋଳନ ବନ୍ଦ ନ ହେବାରୁ ଶେଷକୁ ଖ୍ରୀ: ଅ: ୧୯୨୨ରେ ଡ଼ି.ଭ୍ୟାଲେରାଙ୍କ ସହିତ ନିମ୍ନଲିଖିତ ସର୍ତ୍ତାନୁସାରେ ଗୋଟିଏ ସନ୍ଧି ହୋଇଥିଲା ।

 

(୧) ଆୟାର୍ଲାଣ୍ଡ କାନାଡ଼ା ଓ ନିଉଜିଲାଣ୍ଡ୍ ପରି ଔପନିବେଶିକ ସ୍ୱାୟତ୍ତଶାସନ ପାଇ ଆଇରିଶ୍‌ ଫ୍ରିଷ୍ଟେଟ୍‌ ନାମରେ ଅଭିହିତ ହେବ । (୨) କାନାଡ଼ା ପରି ଏଠାରେ ରାଜପ୍ରତିନିଧି ରହିବେ-। (୩) ଆଇରିଶ୍ ପାର୍ଲାମେଣ୍ଟର ସଭ୍ୟଗଣ ରାଜଭକ୍ତ ପ୍ରଜା ବୋଲି ଶପଥ ଗ୍ରହଣ କରିବେ-। (୪) ଆୟାର୍ଲାଣ୍ଡ୍‌ ଇଂଲାଣ୍ଡ ସହିତ ତାହାର ଲୋକସଂଖ୍ୟାର ଅନୁପାତାନୁଯାୟୀ ସୈନ୍ୟସଂଖ୍ୟା ରଖି ପାରିବ । ଆୟାର୍ଲାଣ୍ଡର ଉତ୍ତରରେ ଥିବା ଅଲ୍‌ଷ୍ଟର୍‌ ପ୍ରଦେଶ ସ୍ୱତନ୍ତ୍ର ହୋଇ ରହିଲା । ବର୍ତ୍ତମାନ ଫ୍ରିଷ୍ଟେଟ୍‌ର ସଭାପତି ଡ଼ି. ଭ୍ୟାଲେରା ଏହି ସନ୍ଧିର କେତେକ ସର୍ତ୍ତ ଭଙ୍ଗକରି ଆୟାର୍ଲାଣ୍ଡକୁ ପ୍ରାୟ ପୂର୍ଣ୍ଣ ସ୍ୱାଧୀନ ରାଜ୍ୟ କରି ସାରିଲେଣି ।

 

ମିଶର ବା ଇଜିପ୍‌ଟରେ ସ୍ୱାଧୀନତା ଆନ୍ଦୋଳନ :- ମହାଯୁଦ୍ଧର ଆରମ୍ଭ ସଙ୍ଗେ ସଙ୍ଗେ ଇଂରେଜ ସରକାର ମିଶରର ଶାସନକର୍ତ୍ତାଙ୍କୁ ତୁରସ୍କ ସୁଲତାନ୍‌ଙ୍କ ନାମମାତ୍ର ଅଧୀନତାରୁ ମୁକ୍ତକରି ଇଂଲାଣ୍ଡର ଆଶ୍ରିତରାଜ୍ୟ ବୋଲି ଘୋଷଣା କଲେ ଏବଂ ତାଙ୍କୁ ‘ସୁଲତାନ୍‌’ ଉପାଧି ପ୍ରଦାନ କରିଥିଲେ । କିନ୍ତୁ ମିଶରର ଲୋକମାନେ ଏହି ବ୍ୟବସ୍ଥା ବିରୁଦ୍ଧରେ ଆନ୍ଦୋଳନ କରିବାରୁ ବ୍ରିଟିଶ୍‌ ସରକାର ଖ୍ରୀ: ଅ: ୧୯୨୩ରେ ମିଶରରେ ନିୟାମାନୁବର୍ତ୍ତୀ ରାଜତନ୍ତ୍ର (Constitutional Monarchy) ପ୍ରତିଷ୍ଠା କରିଥିଲେ ଓ ଦେଶ ଶାସନର ଭାର ଗୋଟିଏ ପାର୍ଲାମେଣ୍ଟ ହସ୍ତରେ ଅର୍ପଣ କରିଥିଲେ । ଏଥିରେ ମିଶରବାସୀ ସନ୍ତୁଷ୍ଟ ନ ହୋଇ ଜାତୀୟ ଦଳର ନେତା ଜଗଲଲ୍‌ପାଶାଙ୍କ ନେତୃତ୍ୱରେ ଏହି ବ୍ୟବସ୍ଥା ବିରୁଦ୍ଧରେ ଆନ୍ଦୋଳନ ଚଳାଇଲେ । ବହୁ ଗଣ୍ଡଗୋଳ ପରେ ଜଗଲଲ୍ ଖ୍ରୀ: ଅ: ୧୯୨୪ରେ ପ୍ରଧାନମନ୍ତ୍ରୀ ପଦ ପ୍ରାପ୍ତ ହୋଇଥିଲେ । ତାଙ୍କର ମୃତ୍ୟୁପରେ ନାହାସ୍‌ପାସାଙ୍କ ଦଳ ସ୍ୱାଧୀନତା ଆନ୍ଦୋଳନ ଚଳାଇଲେ । ବର୍ତ୍ତମାନ ତାଙ୍କ ଦଳର ପତନ ଘଟିଲାଣି । ମିଶର ସମସ୍ୟାର ଏ ପର୍ଯ୍ୟନ୍ତ କୌଣସି ସନ୍ତୋଷଜନକ ସମାଧାନ ହୋଇନାହିଁ । ତଥାପି ମିଶରବାସୀ ଇଂରେଜସରକାରଙ୍କଠାରୁ ଅନେକ ଅଧିକାର ପାଇଲେଣି ।

 

ଇଂଲାଣ୍ଡରେ ଶ୍ରମିକ ଦଳର ଅଭ୍ୟୁତାନ :- ଲୟଡ଼୍‌ ଜର୍ଜ୍ଜ ଖ୍ରୀ: ଅ: ୧୯୨୨ ପର୍ଯ୍ୟନ୍ତ ଇଂଲାଣ୍ଡର ପ୍ରଧାନମନ୍ତ୍ରୀ ଥିଲେ । ଖ୍ରୀ: ଅ: ୧୯୨୩ର ସାଧାରଣ ନିର୍ବାଚନରେ ପାର୍ଲାମେଣ୍ଟରେ ଶ୍ରମିକ ସଭ୍ୟମାନଙ୍କ ସଂଖ୍ୟା ବୃଦ୍ଧି ଲାଭ କରିବାରୁ ଶ୍ରମିକ ଦଳର ନେତା ସମ୍‌ସେମ୍ୟାକ୍‌ଡୋନାଲ୍ଡ୍ ପ୍ରଥମ ଶ୍ରମିକ ସରକାର ଗଠନ କରିଥିଲେ । କିନ୍ତୁ ତାଙ୍କ ସରକାର ଅଳ୍ପକାଳ ସ୍ଥାୟୀ ହୋଇଥିଲା । ଖ୍ରୀ: ଅ: ୧୯୨୯ରେ ପୁନର୍ବାର ଶ୍ରମିକଦଳ ପାର୍ଲାମେଣ୍ଟରେ ଶକ୍ତିଶାଳୀ ହେବାରୁ ମ୍ୟାକ୍‌ଡ଼ୋନାଲ୍ଡ୍‌ ପୁନର୍ବାର ଶ୍ରମିକ ସରକାର ଗଠନ କରିଥିଲେ । କିନ୍ତୁ ଖ୍ରୀ: ଅ: ୧୯୩୧ରେ ନାନାକାରଣ ବଶତଃ ଶ୍ରମିକ ସରକାର ଭାଙ୍ଗି ଦେଇ ସବୁ ଦଳର ଲୋକଙ୍କୁ ମିଶାଇ ଜାତୀୟ ସରକାର ଗଠନ କରାଗଲା-। ବର୍ତ୍ତମାନ ଚେମ୍ବର୍‌ଲେନ୍‌ ଇଂଲାଣ୍ଡର ପ୍ରଧାନ ମନ୍ତ୍ରୀ ପଦରେ ନିଯୁକ୍ତି ହୋଇଛନ୍ତି ।

 

ଖ୍ରୀ: ଅ: ୧୯୩୫ ମେ ମାସ ୫/୬ ତାରିଖରେ ସମ୍ରାଟ୍‌ ପଞ୍ଚମ ଜର୍ଜ୍ଜଙ୍କ ରାଜତ୍ୱର ୨୫ ବର୍ଷ ପୂର୍ଣ୍ଣହେବାରୁ ବ୍ରିଟିଶ୍‌ ସାମ୍ରଜ୍ୟର ସର୍ବତ୍ର ରୌପ୍ୟ ଜୁବିଲି ଉତ୍ସବ ମହାସମାରୋହରେ ପାଳିତ ହୋଇଥିଲା । ଏହି ଉତ୍ସବର ଅଳ୍ପ କେତେକ ମାସ ପରେ ଖ୍ରୀ: ଅ: ୧୯୩୬ ଜାନୁଆରୀ ତା ୨୦ ରିଖରେ ସମ୍ରାଟ୍‌ ଇହଧାମ ପରିତ୍ୟାଗ କରିଥିଲେ ।

 

ସମ୍ରାଟ୍‌ ଷଷ୍ଠଜର୍ଜ୍ଜ (ଖ୍ରୀ: ଅ: ୧୯୩୭-):- ସମ୍ରାଟ୍‌ ପଞ୍ଚମ ଜର୍ଜ୍ଜଙ୍କ ମୃତ୍ୟୁପରେ ତାଙ୍କର ଜ୍ୟେଷ୍ଠପୁତ୍ର ଅଷ୍ଟମ ଏଡ଼ଓ୍ୟାର୍ଡ଼ ନାମ ଗ୍ରହଣ କରି ସମ୍ରାଟ୍‌ ହୋଇଥିଲେ । କିନ୍ତୁ ତାଙ୍କର ଯଥାବିଧି ରାଜ୍ୟାଭିଷେକ ନ ହେଉଣୁ ନାନାକାରଣ ବଶତଃ ସେ ଇଂଲାଣ୍ଡର ସିଂହାସନ ପରିତ୍ୟାଗ କରି ଚାଲିଗଲେ । ତେଣୁ ତାଙ୍କର କନିଷ୍ଠ ଭ୍ରାତା ଷଷ୍ଠ ଜର୍ଜ୍ଜ ନାମ ଗ୍ରହଣ କରି ସମଗ୍ର ବ୍ରିଟିଶ୍‌ ସାମ୍ରାଜ୍ୟର ଅଧୀଶ୍ୱର ହୋଇଛନ୍ତି । ତାଙ୍କର ରାଜ୍ୟାଭିଷେକ ଇତିହାସ ପ୍ରସିଦ୍ଧ ଉୟେଷ୍ଟ ମିନ୍‌ଷ୍ଟର୍‌ ଆବେ ନାମକ ଗୀର୍ଜାରେ ପୂର୍ବ ପ୍ରଚଳିତ ପ୍ରଥାନୁସାରେ ଖ୍ରୀ: ଅ: ୧୯୩୭ ମେ ମାସ ୧୨ ତାରିଖରେ ସମାହିତ ହୋଇଥିଲା, ଏବଂ ସେହିଦିନ ବ୍ରିଟିଶ୍‌ ସାମ୍ରାଜ୍ୟର ସର୍ବାଞ୍ଚଳରେ ରାଜ୍ୟାଭିଷେକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ପୃଥିବୀର ସର୍ବାଞ୍ଚଳରେ ଘୋର ଅଶାନ୍ତି ଓ ଅରାଜକତା ପ୍ରବଳ ହୋଇଅଛି । ପୂର୍ବରେ ଜାପାନ୍‌ ଚୀନ୍‌ ଦେଶ ଆକ୍ରମଣ ଚଳାଇଛି ଓ ଅତି ନୃଶଂସ ଭାବରେ ଚୀନ୍‌ର ଶତ ଶତ ନରନାରୀଙ୍କୁ ହତ୍ୟା କରୁଛି ଓ ଗ୍ରାମ, ନଗର, ବାଣିଜ୍ୟ ବ୍ୟବସାୟ ଧ୍ୱଂସ କରୁଛି । ଇଉରୋପରେ ବର୍ତ୍ତମାନ ଭୀଷଣ, ପ୍ରଳୟଙ୍କରୀ, ସର୍ବଧ୍ୱଂସୀ ଯୁଦ୍ଧରେ ପୂର୍ଣ୍ଣ ସମ୍ଭାବନା ରହିଛି । ଜର୍ମାନୀ ଏକଛତ୍ରାଧିପତି (Dictator) ହିଟଲରଙ୍କ ନେତୃତ୍ୱରେ ଭର୍ସେଲିସ୍‌ ସନ୍ଧିର ଅନେକ ସର୍ତ୍ତ ଅମାନ୍ୟ କରି ଇଉରୋପରେ ପୁନର୍ବାର ବିଶେଷ ଶକ୍ତିଶାଳୀ ହୋଇଉଠିଛି । ସେ ଅଷ୍ଟ୍ରିୟାକୁ ଅଧିକାର କରିସାରି (ଖ୍ରୀ: ଅ: ୧୯୩୮) ବର୍ତ୍ତମାନ ଜୋକୋସ୍ଳୋଭିକିୟାର ଅନ୍ତର୍ଭୁକ୍ତ କେତେକାଂଶ ଅଧିକାର କରି ସାରିଲାଣି ଓ ଏହାର ଉପନିବେଶମାନଙ୍କୁ ଦାବୀ କରୁଛି । ଆବିସିନିୟା ଅଧିକାର ପରେ ଇଟାଲୀର କ୍ଷମତା ଯଥେଷ୍ଟ ବୃଦ୍ଧି ଲାଭ କରିଛି ଓ ତାହାର ଶାସକ ମୁସୋଲିନି ଭୂମଧ୍ୟ ସାଗରରେ ନିଜର ନୌଶକ୍ତି ବୃଦ୍ଧି କରିବା ପାଇଁ ପ୍ରବଳ ପ୍ରୟାସ କରୁଛନ୍ତି । ସ୍ପେନ୍‌ରେ ବର୍ତ୍ତମାନ ଅନ୍ତର୍ଯୁଦ୍ଧ ଚାଲିଛି ଏବଂ ଜେନେରାଲ୍‌ ଫାଙ୍କୋ ଇଟାଲୀ ଓ ଜର୍ମାନୀ ଠାରୁ ସାହାଯ୍ୟ ପାଇ ସ୍ପେନ୍‌ରେ ନିଜର ଶାସନ ପ୍ରତିଷ୍ଠା କରିବାକୁ ପ୍ରବଳଯୁଦ୍ଧ ଚଳାଇଛନ୍ତି । ମହାଯୁଦ୍ଧ ପରେ ତୁରସ୍କ, ମୁସ୍ତାଫା କେମାଲ୍‌ ପାଶାଙ୍କ ନେତୃତ୍ୱରେ ବିଶେଷ ଶକ୍ତିଶାଳୀ ହୋଇଛି । ଋଷିୟାର ଶାସକ ଷ୍ଟାଲିନ୍‌ ଯୁଦ୍ଧ ପାଇଁ ସମସ୍ତ ପ୍ରକାର ଆୟୋଜନ କରୁଛନ୍ତି । ବର୍ତ୍ତମାନ ପୃଥିବୀର ଯୁଦ୍ଧର ଆଶଙ୍କା ପ୍ରବଳ ହେଲାଣି । ଇଂରେଜ ସରକାର ଶାନ୍ତି ପ୍ରତିଷ୍ଠା କରିବା ପାଇଁ ସକଳ ପ୍ରକାର ଉଦ୍ୟମ କରୁଛନ୍ତି । ଭଗବାନ୍‌ ତାଙ୍କର ଏହି ମହତ୍‌ ଉଦ୍ୟମକୁ ସଫଳ କରନ୍ତୁ ।

Image